କରୋନା ଦୂର କରିବା ପାଇଁ ଶ୍ରୀମନ୍ଦିରରେ ଚଣ୍ଡୀ ପାଠ, ବିଷ୍ଣୁ ସହସ୍ରନାମ ଓ ବେଦ ପାଠ ଚାଲିଛି

୧୯୨୦ର ଓଡ଼ିଶାରେ ବାଡ଼ି ବା ମହାମାରୀ ପଡ଼ିଥିବା ସମୟରେ ଖାଲି ଶ୍ରୀମନ୍ଦିର ନୁହେଁ, ଗାଁଗାଁରେ ଯେତେକ ଶୈବ ମନ୍ଦିର ଥିଲା ସେଠି ମଧ୍ୟ ହୋମ, ଯଜ୍ଞ ଓ ଅଭିଷେକ କରାଯାଇଥିଲା ବୋଲି କହିଛନ୍ତି ସେବାୟତମାନେ ।

କରୋନା ଦୂର କରିବା ପାଇଁ ଶ୍ରୀମନ୍ଦିରରେ ଚଣ୍ଡୀ ପାଠ, ବିଷ୍ଣୁ ସହସ୍ରନାମ ଓ ବେଦ ପାଠ ଚାଲିଛି
ପୁରୀର ଶ୍ରୀମନ୍ଦିର
  • News18 Odia
  • Last Updated: April 11, 2020, 10:05 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ପୁରୀ: କରୋନା ଭାଇରସର ପ୍ରକୋପକୁ ନେଇ ସାରା ଦେଶ ସମେତ ବିଶ୍ୱ ଚିନ୍ତାରେ ଥିବା ବେଳେ ଏହି ମହାସଙ୍କଟରୁ ଉଦ୍ଧାର ପାଇଁ ଲକଡାଉନ ଆରମ୍ଭ ହେବା ଦିନ ଠାରୁ ପୁରୀ ଶ୍ରୀମନ୍ଦିରରେ ଚାଲିଛି ଚଣ୍ଡୀ ପାଠ, ବିଷ୍ଣୁ ସହସ୍ରନାମ ଜପ ଓ ବେଦପାଠ । ୧୯୨୦ ମସିହାରେ ଓଡ଼ିଶାରେ ବାଡ଼ି ବା ମହାମାରୀ ଯୋଗୁଁ ଅନେକ ଲୋକେ ମୃତ୍ୟୁ ବରଣ କରିବା ପରେ ଶ୍ରୀମନ୍ଦିରରେ ଠିକ୍‌ ଏମିତି କରାଯାଇଥିଲା ଓ ସେହି ସଙ୍କଟରୁ ମୁକ୍ତି ମିଳିଥିଲା । ସେହି ପରମ୍ପରାର ଅନୁସରଣ କରି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଶରଣ ପଶିଛନ୍ତି ସେବାୟତମାନେ ।

ଶ୍ରୀମନ୍ଦିରରେ ସକାଳ ଠାରୁ ଅପରାହ୍ନ ପର୍ଯ୍ୟନ୍ତ ମା’ ସର୍ବମଙ୍ଗଳା ଓ ବିମଳାଙ୍କ ନିକଟରେ ମୁକ୍ତି ମଣ୍ଡପର ପଣ୍ଡିତ ଓ ଶ୍ରୀମନ୍ଦିରର ଶୋସ୍ତ୍ରିୟ ବ୍ରାହ୍ଣଣଙ୍କ ଦ୍ୱାରା କରାଯାଉଛି ଚଣ୍ଡୀପାଠ । ତା’ ସହିତ ଶ୍ରୀମନ୍ଦିର ଭିତର ବେଢ଼ାରେ ଥିବା ମନ୍ଦିରମାନଙ୍କରେ ମଧ୍ୟ ପାଠ କରାଯାଉଛି ବିଷ୍ଣୁ ସହସ୍ରନାମ । ପୁଣି ଜଗମୋହନ ଓ ଗର୍ଭଗୃହରେ ବେଦପାଠ କାର୍ଯ୍ୟ ବି ଚାଲିଛି । ଏ ସବୁ କିଛିର ଆୟୋଜନ କେବଳ କରୋନାକୁ ଦୂରୀଭୁତ କରିବା ପାଇଁ କରାଯାଉଛି ବୋଲି କହିଛନ୍ତି ମୁକ୍ତି ମଣ୍ଡପର ପଣ୍ଡିତ ଭଗବାନ ତ୍ରିପାଠୀ ।

‘‘ଶ୍ରୀମନ୍ଦିରର ପରମ୍ପରା ବଡ଼ ବିଚିତ୍ର । ଯେତେବେଳେ ଚିକିତ୍ସା ବିଦ୍ୟା ଅପହଞ୍ଚ ଥିଲା, ସେ ସମୟରେ ସମସ୍ତେ ମହାମାରୀ ପଡ଼ିଲେ ମହାପ୍ରଭୁଙ୍କୁ ଡାକୁଥିଲେ । ୧୯୨୦ ମସିହାରେ ଏ ଭଳି ମହାମାରୀ ପଡ଼ିଥିଲା ଉତ୍କଳରେ । ସେତେବେଳେ ଲୋକେ ପୋକମାଛି ପରି ମରିଥିଲେ । ସେହି ସମୟରେ ଶ୍ରୀମନ୍ଦିରରୁ ବାଡ଼ି ନୃସିଂହ ବିଜେ କରିବା ପରେ ହୋଇଥିଲା ପଣା ଭୋଗର ପରମ୍ପରା । ତା’ ପରେ ଶ୍ରୀମନ୍ଦିର ସମେତ ପ୍ରତିଟି ଗାଁରେ ହୋମ ଯଜ୍ଞ ଆଦି କରାଯିବା ପରେ ତାହା ଦୂରିଭୂତ ହୋଇଥିଲା । ଆଜି ବି ସେବାୟତମାନଙ୍କର ସେହି ଆସ୍ଥା ଓ ବିଶ୍ୱାସ ବଳବତ୍ତର ରହିଛି,’’ କହିଛନ୍ତି ଶ୍ରୀମନ୍ଦିର ପାଳିଆ ସେବାୟତ ହରିନାରାୟଣ ଖୁଣ୍ଟିଆ ।

ଶ୍ରୀମନ୍ଦିର ବାହାରେ ଜଣେ ଭକ୍ତ ମହାପ୍ରଭୁଙ୍କୁ ହାତ ଉଠାଇ ପ୍ରାର୍ଥନା କରୁଛନ୍ତି । (ଫାଇଲ୍‌ ଫଟୋ)


୧୯୨୦ର ସେହି ବାଡ଼ି ବା ମହାମାରୀ ସମୟରେ ଖାଲି ଶ୍ରୀମନ୍ଦିର ନୁହେଁ, ଗାଁଗାଁରେ ଯେତେକ ଶୈବ ମନ୍ଦିର ଥିଲା ସେଠି ମଧ୍ୟ ହୋମ, ଯଜ୍ଞ ଓ ଅଭିଷେକ କରାଯାଇଥିଲା ବୋଲି କହିଛନ୍ତି ସେ । ଏହି ସବୁ ଆଧ୍ୟାତ୍ମିକ କାର୍ଯ୍ୟ ପାଇଁ ମହାମାରୀ ଉଭେଇ ଯାଇଥିଲା ବୋଲି ଶ୍ରୀମନ୍ଦିରରେ ଓ ଓଡ଼ିଶାରେ ଘରେ ଘରେ ବିଶ୍ୱାସ ରହିଛି ।

‘‘ଆଜିର ବୈଜ୍ଞାନିକ ଯୁଗରେ ସଚେତନତା ଓ ଲକଡାଉନ ପାଳିବା ଅପରିହାର୍ଯ୍ୟ । ତା’ ସତ୍ତ୍ୱେ ଆଧ୍ୟାତ୍ମିକ ବିଶ୍ୱାସ ଓ ଚେତନାକୁ ନେଇ ରହିଥିବା ପରମ୍ପରାକୁ ଶ୍ରୀମନ୍ଦିରରେ ପାଳନ କରାଯାଉଛି । ଯଦି ପ୍ରଶାସନ ପକ୍ଷରୁ ଅନୁମତି ମିଳନ୍ତା ତେବେ ବିଶ୍ୱ ଶାନ୍ତି ମହାଯଜ୍ଞ ଶ୍ରୀମନ୍ଦିର ସମ୍ମୁଖରେ କରାଗଲେ କିଛି ଉପକାର ମିଳନ୍ତା,’’ କହିଛନ୍ତି ଛତିଶା ନିଯୋଗ ମହାନାୟକ ଦନାର୍ଦ୍ଧନ ପାଟ୍ଟଯୋଶୀ ମହାପାତ୍ର ।

ସାମାଜିକ ଦୂରତା ଯୋଗୁଁ ପ୍ରଶାସନ ପକ୍ଷରୁ ବିଶ୍ୱ ଶାନ୍ତି ଯଜ୍ଞ ପାଇଁ ଅନୁମତି ମିଳିବ ନାହିଁ  ବୋଲି ଶ୍ରୀମନ୍ଦିର ଭିତରେ କେବଳ ମହାପ୍ରଭୁଙ୍କ ନୀତିକାନ୍ତିକୁ ନେଇ ହୋମ ହେଉଛି । ତାକୁ ଛାଡ଼ିଦେଳେ ଶ୍ରୀମନ୍ଦିର ଭିତରେ ଯଜ୍ଞ ହେବାର ବିଧି ବି ନାହିଁ । ବରିଷ୍ଠ ସେବାୟତ ବିଶ୍ୱାବସୁ ବିନାୟକ ଦାସ ମହାପାତ୍ର କହିଛନ୍ତି ଯେ କରୋନାକୁ ନେଇ ସାମାଜିକ ଦୂରତା ରହିପାରିବ ନାହିଁ ବୋଲି ପ୍ରଶାସନ ବିଶ୍ୱ ଶାନ୍ତି ଯଜ୍ଞ ଆୟୋଜନ ନ କରିବା ପାଇଁ ସେବାୟତଙ୍କୁ ରୋକଠୋକ କହିଦେଇଛି ।
First published: April 11, 2020, 10:05 PM IST
corona virus btn
corona virus btn
Loading