ବୁଲା କୁକୁରଙ୍କ ସହ ଜନ୍ମ ଦିନ ପାଳିଲେ ପୁରୀର ସ୍ୱେଚ୍ଛାସେବୀ ସନ୍ତୋଷ; ପଶୁପକ୍ଷୀଙ୍କ ସେବାରେ ସେ ବ୍ରତୀ

ସପ୍ତାହେ ତଳେ ଦୁଇଟି ବାଛୁରୀ ଆହତ ହୋଇ ବଡ଼ଦାଣ୍ଡରେ ପଡ଼ିଥିବା ବେଳେ ସେମାନଙ୍କୁ ଆଣି ଘରେ ରଖି ସେବା କରିଥିଲେ ସନ୍ତୋଷ । ତା’ପରେ ଛଇତନା ଆଶ୍ରମରେ ନେଇ ଛାଡ଼ିଥିଲେ । ସେମାନଙ୍କର ନାଁ ବି ସେ ଦେଇଛନ୍ତି – ଜଣେ ସୋନି ଓ ଆଉ ଜଣେ ସୁନ୍ଦରା ।

ବୁଲା କୁକୁରଙ୍କ ସହ ଜନ୍ମ ଦିନ ପାଳିଲେ ପୁରୀର ସ୍ୱେଚ୍ଛାସେବୀ ସନ୍ତୋଷ; ପଶୁପକ୍ଷୀଙ୍କ ସେବାରେ ସେ ବ୍ରତୀ
ସ୍ୱେଚ୍ଛାସେବୀ ସନ୍ତୋଷ ଶେଖର ମହାନ୍ତି; (ଡାହାଣ) ବୁଲା କୁକୁରଙ୍କୁ ସେ କେକ୍ ଖୁଆଉଛନ୍ତି
  • News18 Odia
  • Last Updated: September 3, 2020, 11:18 AM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ପୁରୀ: ମାନବ ସେବା ହେଉ ବା ଗୋ’ ସେବା ବା ପଶୁପକ୍ଷୀଙ୍କ ସେବା, ସବୁଥିରେ ନିଜକୁ ସମର୍ପି ଦେଇଛନ୍ତି ପୁରୀ ହାବେଳିଗଳିର ସନ୍ତୋଷ ଶେଖର ମହାନ୍ତି । ସବୁ ଦିନ ପୁରୀ ସହରର ବୁଲା କୁକୁରମାନଙ୍କୁ ସନ୍ଧ୍ୟା ହେଲେ ନିଜ ଗାଡ଼ିରେ ବୁଲି ବୁଲି ଖାଦ୍ୟ ଦେଉଥିବା ଏହି ୩୫ ବର୍ଷୀୟ ଯୁବକ ଏଥର ନିଜ ଜନ୍ମ ଦିନ ବି ପାଳିଛନ୍ତି ବୁଲା କୁକୁରମାନଙ୍କ ସହ । ସେମାନଙ୍କ ଗହଣରେ କେକ୍‌ କାଟି ନିଜ ଜନ୍ମ ଦିନ ପାଳନ କରିଛନ୍ତି ସେ ।

କରୋନା ଭାଇରସ୍‌ ସଂକ୍ରମଣ କାରଣରୁ ମାର୍ଚ୍ଚ ମାସରୁ ଜାରି ହୋଇଥିବା ଲକଡାଉନ୍‌ ଆରମ୍ଭରୁ ପୁରୀରେ ସବୁ ହୋଟେଲ ଓ ଦୋକାନ ବଜାର ବନ୍ଦ ରହିଛି । ଏହି ସ୍ଥିତିରେ ବୁଲା କୁକୁରମାନେ ଡହଳ ବିକଳ ହେଉଥିଲେ । ହେଲେ ସ୍ୱେଚ୍ଛାସେବୀ ଅନୁଷ୍ଠାନ ‘ସାହି ଭାଇର’ ସଦସ୍ୟ ସନ୍ତୋଷ ଶେଖର ମହାନ୍ତିଙ୍କ ଯୋଗୁଁ ସେମାନଙ୍କ ଭିତରୁ ଅନେକ ଭୋକରେ ନ ମରି ବଞ୍ଚି ରହିଛନ୍ତି । ସନ୍ତୋଷ ସବୁ ଦିନ ନିଜ ଚିକେନ, ଭାତ ଓ ପେଡିଗ୍ରି ଖାଦ୍ୟକୁ ମିଶାଇ ବିରିୟାନି କରି ତାକୁ ପ୍ଲାଷ୍ଟିକ ବାଲ୍ଟିରେ ପୂରାଇ ବାହାରି ପଡ଼ନ୍ତି ବୁଲା କୁକୁରଙ୍କୁ ଖାଦ୍ୟ ଦେବା ପାଇଁ ।

ପ୍ରତି ଦିନ ଗୋଟିଏ ଲେଖାଏଁ ଅଞ୍ଚଳରେ କୁକୁରମାନଙ୍କୁ ବୁଲି ବୁଲି ଖାଦ୍ୟ ଦିଅନ୍ତି ସନ୍ତୋଷ । ବୁଲା କୁକୁରମାନେ ବି ସନ୍ତୋଷଙ୍କ ଗାଡ଼ି ଆସିବା ମାନେ ଦୈାଡ଼ି ପଳାଇ ଆସନ୍ତି ତାଙ୍କ ପାଖକୁ ।  ବେଳେବେଳେ ସମୟ ପାଇଲେ କୁଆମାନଙ୍କୁ ବି ପାଉଁରୁଟି, ବିସ୍କୁଟ ଓ ରୁଟି ଆଦି ଦିଅନ୍ତି ସେ । ତା’ ସହିତ ରାସ୍ତାରେ କୌଣସି ଗାଡ଼ି ଦୁର୍ଘଟଣାରେ ଗୋ’ ମାତା ଆହତ ହୋଇଥିବା ବା କେଉଁଠି ଗାଈର ଛୁଆ ଜନ୍ମ ହେବା ଖବର ପାଇବା ମାତ୍ରେ ସେ ସେଠାକୁ ଯାଇ ସେବା କରନ୍ତି ।

‘‘ମୋ’ ଜନ୍ମ ଦିନ ହେଉଛି ରକ୍ଷା ବନ୍ଧନ ବା ଗହ୍ମା ପୁର୍ଣ୍ଣମୀ ଦିନ । ଏ ଥର କରୋନା ଲକଡାଉନକୁ ନେଇ ସାଙ୍ଗସାଥୀଙ୍କ ମେଳରେ ଜନ୍ମ ଦିନ ପାଳିବା ସମ୍ଭବ ନ ଥିଲା । ତା’ଛଡ଼ା ବର୍ତ୍ତମାନ ସମୟରେ ମୋ’ର ବନ୍ଧୁ ହେଉଛନ୍ତି ବୁଲା କୁକୁରମାନେ । ସେମାନେ କିଭଳି ପେଟକୁ ଗଣ୍ଡେ ଖାଇବେ ସେହି ଚିନ୍ତାରେ ମୁଁ ରହିଛି । ତେଣୁ ନିଜ ଜନ୍ମ ଦିନ ଥିବାରୁ ସେମାନଙ୍କ ସହ କେକ୍‌ କାଟି ପାଳନ କରିଥିଲି,’’ କହିଛନ୍ତି ସ୍ୱେଚ୍ଛାସେବୀ ସନ୍ତୋଷ । ସେ ନିଜେ ପୁରୀରେ ଏକ ଜେରେକ୍ସ ଦୋକାନ ଚଳାନ୍ତି ।

ଗୋ ସେବାରେ ସନ୍ତୋଷଙ୍କୁ ଖୁବ୍ ଆନନ୍ଦ ମିଳେ ।


ଗହ୍ମା ପୂର୍ଣ୍ଣମୀର ସନ୍ଧ୍ୟାରେ ଝିପ ଝିପ ବର୍ଷା ସତ୍ତ୍ୱେ ଗୋଟେ ଦୋକାନରୁ କେକ୍‌ କିଣି ବାହାରିପଡ଼ିଥିଲେ ସେ । ସମୁଦ୍ରକୂଳ ନିକଟରେ ପହଞ୍ଚିବା କ୍ଷଣି ତାଙ୍କ ପାଖକୁ ମାଡ଼ି ଆସିଥିଲେ କୁକୁରମାନେ । ସେମାନେ ତାଙ୍କ ଚାରି ପଟେ ଘେରିଯାଇଥିଲେ, ଆଉ ସେ ମଝିରେ ଠିଆ ହୋଇ କେକ କାଟିଥିଲେ । ତା’ ପରେ ନିଜ ହାତରେ ସେମାନଙ୍କ ଖୁଆଇ ଦେଇଥିଲେ । ନିଜ ଘରୁ ତିଆରି କରି ନେଇଥିବା ବିରିୟାନୀ ବି ରାସ୍ତା ଉପରେ କୁକୁରମାନଙ୍କୁ ପରସି ଥିଲେ ସନ୍ତୋଷ ।

‘‘ପ୍ଲାଷ୍ଟିକ ବାଲଟି ଓ ଡଙ୍କି ଦେଖିଲା ମାନେ କିଛି କୁକୁର ମୋ’ ପାଖକୁ ଆସି ପେଟ ପୂରାଇ ଖାଇକି ଗଲେ ବମୋତେ ବେଶ୍‌ ଖୁସି ଲାଗେ । ପୁଣି ଜନ୍ମ ଦିନ ସେମାନଙ୍କ ସହ ପାଳନ କରି ମୋ’ ଖୁସି କହିଲେ ନ ସରେ,’’ ସେ କହିଛନ୍ତି ।

ଗହ୍ମା ପୁର୍ଣ୍ଣମୀ ରହିଥିବାରୁ ଗୋ ମାତାଙ୍କ ପୂଜନ ଓ ରକ୍ଷା ବନ୍ଧନ ଆମର ପରମ୍ପରା । ତାଙ୍କ ଜନ୍ମ ଦିନରେ ତାହା ପଡୁଥିବାରୁ ସକାଳେ ଶ୍ରୀମନ୍ଦିର ସମ୍ମୁଖରେ ପତିତପାବନ ଦର୍ଶନ କରି ସେ ଧାଇଁଥିଲେ ଛଇତନା ଗୋ ଆଶ୍ରମ  । ‘‘ଗୋ ମାତାଙ୍କର ସେବା କରିବାରେ ମୋତେ ଖୁସି ଲାଗେ । ରାସ୍ତା ଉପରେ ଗୋ ମାତା ଆହତ ହେଲେ ମୁଁ ଦୌଡ଼ି ଯାଇ ତାଙ୍କର ସେବା କରେ । ତା’ ସହିତ ଗୋ ମାତା ବାଛୁରୀ ଜନ୍ମ ଦେବା ବେଳେ ବି ସେଠାରେ ପହଞ୍ଚି ସେମାନଙ୍କୁ ରାସ୍ତାରୁ ନେଇ ଗୋ ଆଶ୍ରମରେ ରଖି ସେବା କାର୍ଯ୍ୟ କରେ,’’ ସେ କହିଛନ୍ତି ।

ବୁଲା କୁକୁରମାନଙ୍କୁ ଏମିତି ସବୁ ଦିନ ସନ୍ଧ୍ୟାରେ ଖୁଆନ୍ତି ସନ୍ତୋଷ ।


ସପ୍ତାହକ ତଳେ ଦୁଇଟି ବାଛୁରୀ ଆହତ ହୋଇ ବଡ଼ଦାଣ୍ଡରେ ପଡ଼ିଥିବା ବେଳେ ସେମାନଙ୍କୁ ଘରେ ରଖି ଚିକିତ୍ସା କରିଥିଲେ ସନ୍ତୋଷ । ତା’ପରେ ଛଇତନା ଆଶ୍ରମରେ ନେଇ ଛାଡ଼ିଥିଲେ ସେମାନଙ୍କୁ । ସେମାନଙ୍କର ନାଁ ବି ସେ ଦେଇଛନ୍ତି – ଜଣେ ସୋନି ଓ ଆଉ ଜଣେ ସୁନ୍ଦରା ।

ରାକ୍ଷୀ ପୂର୍ଣ୍ଣିମା ଦିନ ଆଶ୍ରମରେ ପହଞ୍ଚିବା ପରେ ଆଗ ଗୋ ମାତାଙ୍କୁ ଧୂପ ଦୀପ ଦେଇ ପୂଜା କରିବା ସହ ତାଙ୍କୁ ମିଠା ଖୁଆଇ ଥିଲେ ସେ । ଦୁଇଟି ବାଛୁରୀ ଛୁଆଙ୍କୁ ଗାଧୋଇ ପାଧୋଇ ସେମାନଙ୍କୁ ମଧ୍ୟ ମିଠା ଓ ଗୁଡ଼ର ଲଡୁ ଖୁଆଇ ଆଶ୍ରମର ସବୁ ଗୋ ମାତାଙ୍କୁ ରାକ୍ଷୀ ବାନ୍ଧିଥିଲେ । ଚଳିତ ବର୍ଷର ଜନ୍ମ ଦିନ ତାଙ୍କ ପାଇଁ ଏକ ଅଭୁଲା ସ୍ମୃତି ହୋଇ ରହିବ ବୋଲି  କହିଛନ୍ତି ସେ ।

ଏହା ବି ପଢ଼ନ୍ତୁ | ଅଯୋଧ୍ୟା ରାମ ମନ୍ଦିର ଭୂମି ପୂଜନ: PM ମୋଦି ରାମଲାଲାଙ୍କ ଆଗରେ ଦଣ୍ଡବତ ହେଲେ, ଦେଖନ୍ତୁ ଫଟୋ

ଏହା ବି ପଢ଼ନ୍ତୁ | ଅଯୋଧ୍ୟାରେ ରାମ ମନ୍ଦିର ଏମିତି ଦେଖାଯିବ; କଳାକାରୀ ଓ ଭବ୍ୟତାର ଅନନ୍ୟ ମିଳନ ହେବ

‘‘ସନ୍ତୋଷ ପିଲାଟି ବେଳୁ ପଶୁପକ୍ଷୀ ଓ ଜୀବଜନ୍ତୁ ପ୍ରେମୀ । ତା’ ସହିତ ଏକ ଦରଦୀ ହୃଦୟର ମଣିଷଟିଏ ସେ । କାହାର ଦୁଃଖ ଦେଖିପାରନ୍ତିନି । ରାସ୍ତାରେ କିଏ ନିରାଶ୍ରୟ ପଡ଼ିଥିବ ଦେଖିଲେ ତାକୁ ଉଠାଇ ଖାଇବାକୁ ଦେବା ସହ ତା’ର ସେବା କରନ୍ତି । କରୋନା ମହାମାରୀ ଆରମ୍ଭ ହେବା ଠାରୁ ପ୍ରତି ଦିନ ପୁରୀ ସହରର ବୁଲା କୁକୁରଙ୍କୁ ନେଇ ଖାଇବାକୁ ଦେଉଛନ୍ତି ସେ । ଯାହା ସରକାର ପାରୁନାହାନ୍ତି ତାହା ସନ୍ତୋଷ କରିଆସିଛନ୍ତି । ତା’ଛଡ଼ା ସେ ଆମ ସହ ମିଶି ପ୍ରତି ଦିନ ରାତିରେ ସ୍ୱର୍ଗଦ୍ୱାର ଯାଇ ଶବଦାହ ବି କରନ୍ତି ।  ଏସବୁ କରି ସେ ଆନନ୍ଦ ପାଆନ୍ତି । ଜୀବନ ଥିବା ଯାଏ ପରୋପକାର ଓ ସେବା କରିବା ଆମ ସମସ୍ତଙ୍କର କର୍ତ୍ତବ୍ୟ ଓ ଦାୟିତ୍ୱ,’’ କହିଛନ୍ତି ‘ସାହି ଭାଇ’ ସ୍ୱେଛାସେବୀ ଅନୁଷ୍ଠାନର ଆବାହକ ଅଜୁ ମିଶ୍ର  ।



ସନ୍ତୋଷଙ୍କ ବାପା ଚନ୍ଦ୍ରଶେଖର ମହାନ୍ତି ଓଡ଼ିଶା ସରକାରଙ୍କ ଏକ ବିଭାଗରେ ଅଣ୍ଡର୍‌ ସେକ୍ରେଟାରୀ ପଦରୁ ୨୦୦୧ରେ ଅବସର ନେଇଛନ୍ତି । ନିଜ ଜେରେକ୍ସ ଦୋକାନରୁ ହେଉଥିବା ସମଗ୍ର ଆୟ ସନ୍ତୋଷ ପଶୁପକ୍ଷୀଙ୍କ ସେବାରେ ଲଗାନ୍ତି । ଏଥି ପାଇଁ ତାଙ୍କର କେତେକ ବନ୍ଧୁ ବି ତାଙ୍କୁ ଆର୍ଥିକ ସାହାଯ୍ୟ କରନ୍ତି ବୋଲି ସେ କହିଛନ୍ତି ।
Published by: Anand Shankar Thankur Das
First published: August 5, 2020, 9:53 PM IST
corona virus btn
corona virus btn
Loading