ଚୀନର ୱୁହାନରେ କରୋନା ମୃତ୍ୟୁ ହେଉଥିବା ବେଳେ ସେଠି ୧୮ ଦିନ ବିତାଇଥିଲେ ପୁରୀର ସେବାୟତ

କରୋନା ଭାଇରସର ଉତ୍ପତ୍ତି ସ୍ଥଳ ୱୁହାନ ସହରର ସେହି ଲାବୋରେଟରିଟି ବଳରାମ ଖୁଣ୍ଟିଆ ରହୁଥିବା ହୋଟେଲର ଠିକ୍ ସାମନାରେ ଥିଲା । ତା’ର ଏତେ ପାଖରେ ରହୁଛନ୍ତି ବୋଲି ଜାଣିବା ପରେ ତାଙ୍କ ପାଦ ତଳୁ ମାଟି ଖସିଯାଇଥିଲା ।

ଚୀନର ୱୁହାନରେ କରୋନା ମୃତ୍ୟୁ ହେଉଥିବା ବେଳେ ସେଠି ୧୮ ଦିନ ବିତାଇଥିଲେ ପୁରୀର ସେବାୟତ
ୱୁହାନରେ ନିଜ ବନ୍ଧୁ ସିଙ୍ଗୱଙ୍କ ସହ ବଳରାମ ଖୁଣ୍ଟିଆ (ବାମ)
  • News18 Odia
  • Last Updated: November 22, 2020, 11:48 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ପୁରୀ: ଚୀନର ଯେଉଁ ୱୁହାନ ସହରରେ କରୋନା ଭାଇରସର ଉତ୍ପତ୍ତି ହୋଇଥିଲା ଓ ଯେଉଁଠି ଏହି କରାଳ ଭୂତାଣୁ ପ୍ରଥମେ ମଣିଷକୁ ମୃତ୍ୟୁ ମୁଖକୁ ଠେଲିବା ଆରମ୍ଭ କରିଥିଲା ସେଇଠି ସେହି ସମୟରେ ଥିଲେ ପୁରୀର ଜଣେ ସେବାୟତ । ଗତ ବର୍ଷ ଡିସେମ୍ବର ମାସରେ ୱୁହାନରେ ୧୮ ଦିନ ବିତାଇ ଫେରିଥିବା ବଳରାମ ଖୁଣ୍ଟିଆ ସେହି ସମୟର ନିଜ ଅନୁଭୁତି ବିଷୟରେ ଏବେ କହିବା ବେଳେ ଶିହିରି ଉଠୁଛନ୍ତି । କେବଳ ମହାପ୍ରଭୁ ଜଗନ୍ନାଥ ତାଙ୍କୁ ଜୀବିତ ଓ ସୁରକ୍ଷିତ ଭାବେ ପୁରୀ ଫେରାଇ ଆଣିଲେ ଓ ଏ ପର୍ଯ୍ୟନ୍ତ କରୋନା ସଂକ୍ରମଣରୁ ଦୂରେଇ ରଖିଲେ ବୋଲି ସେ କହିଛନ୍ତି ।

ନିଜ ବ୍ୟାବସାୟିକ କାର୍ଯ୍ୟରେ ୧୯ ଡିସେମ୍ବର ୨୦୧୯ରେ ଚୀନର ୱୁହାନ ଯାଇଥିଲେ ଶ୍ରୀମନ୍ଦିର ସେବାୟତ ତଥା ନାଗାର୍ଜୁନ ବେଶର ସ୍ୱୀକୃତିପ୍ରାପ୍ତ ସେବାୟତ ଚକ୍ରକୋଟ ବଳରାମ ଖୁଣ୍ଟିଆ । ନ୍ୟୁଜ୍‌୧୮ ଓଡ଼ିଆ ଡିଜିଟାଲ୍‌ ସହ ତାଙ୍କର ସେହି ୱୁହାନ ରହଣି ସମୟର ଲୋମଟାଙ୍କୁରା ଅନୁଭୁତି ବିଷୟରେ କହି ସେ କହିଛନ୍ତି ଯେ କରୋନାର କାୟାକୁ ଏତେ ନିକଟରୁ ସେ ଦେଖିଥିଲେ ଯେ ସେଠାରୁ ସୁରକ୍ଷିତ ଭାବେ କେବେ ପୁରୀ ପହଞ୍ଚିବେ ବୋଲି ସେ ଭାବିପାରି ନ ଥିଲେ ।

ଏହା ବି ପଢ଼ନ୍ତୁ | KBC 12: ତୃତୀୟ କୋଟିପତି ହେଲେ ଅନୁପା ଦାସ; କୋଟି ଟଙ୍କା ପ୍ରଶ୍ନର ସଠିକ୍ ଉତ୍ତର ଦେଲେ

ଏକ କଟନ୍‌ ବ୍ୟାଗ୍‌ ତିଆରିର ଉଦ୍ୟୋଗର ମାଲିକ ୪୫ ବର୍ଷୀୟ ଚକ୍ରକୋଟ ବଳରାମ ଖୁଣ୍ଟିଆ ଡିସେମ୍ବର ୧୯ରେ ପୁରୀରୁ ବାହାରି କଲିକତା ଓ ସେଠୁ ଫ୍ଲାଇଟରେ ଚୀନର ଗୁଆଂଝୋରେ ୨୦ ତାରିଖ ମଧ୍ୟ ରାତ୍ରରେ ପହଞ୍ଚିଥିଲେ । ତା’ ପର ଦିନ ୱୁହାନ ସହରରେ ପହଞ୍ଚି ସେ ଯେଉଁ ହୋଟେଲରେ ରହିଥିଲେ କରୋନାର ଉତ୍ପତ୍ତି ସ୍ଥଳ ଥିବା ଲାବୋରେଟରିଟି ଠିକ୍‌ ତା’ରି ସମ୍ମୁଖରେ ଥିଲା ।

ୱୁହାନର ଏକ ରାସ୍ତାରେ ବଳରାମ ଖୁଣ୍ଟିଆ


‘‘ମୁଁ ସେହି ଲାବରେଟରୀର ଏତେ ପାଖରେ ରହୁଛି ବୋଲି ଜାଣିବା ପରେ ମୋ’ ପାଦ ତଳୁ ମାଟି ଖସିଯାଇଥିଲା । ସେ ସମୟରେ ସାରା ବିଶ୍ୱରେ କରୋନା ମହାମାରୀ ସହ ୱୁହାନ ସହରର ସେହି ଲାବୋରେଟରିକୁ ନେଇ ଚର୍ଚ୍ଚା ହେଉଥିଲା । ମୁଁ ସେହି ଖବର ଜାଣିଥିଲି, ହେଲେ ତା’ର ଏତେ ପାଖରେ ମୁଁ ଅଛି ବୋଲି ପ୍ରଥମେ ଜାଣି ନ ଥିଲି । ଜାଣିବା ପରେ ମୋ’ ମୃତ୍ୟୁ ସୁନିଶ୍ଚିତ ବୋଲି ଭାବିନେଇଥିଲି । ଚୀନର ଅନେକ ସହର ସଟଡାଉନରେ ଥିଲେ ଓ ସମସ୍ତେ ମାସ୍କ ଓ ସାନିଟାଇଜର ସହ ସାମାଜିକ ଦୂରତ୍ୱ ଅବଲମ୍ବନ କରୁଥିଲେ,’’ କହିଛନ୍ତି ଖୁଣ୍ଟିଆ ।

ସେ ନିଜ ଚାଇନିଜ୍‌ ସାଙ୍ଗ ୪୦ ବର୍ଷୀୟ ସିଙ୍ଗୱଙ୍କ ସହ ଯୋଗାଯୋଗରେ ରହିଥା’ନ୍ତି । ତାଙ୍କ ସହଯୋଗ ଯୋଗୁଁ ସେ ପୂର୍ବରୁ ଅନେକ ଥର ଚୀନ ଯାଇଥିଲେ । ଓଡ଼ିଶାରେ ଏକ ବାୟୋଡିଗ୍ରେଡେବ୍ଲ ବସ୍ତୁର ପ୍ଲାଣ୍ଟ କରିବାକୁ ଚାହୁଁଥିବାରୁ ଖୁଣ୍ଟିଆ ୱୁହାନ ଯାଇଥିଲେ । ସେଠି ସେହି ପ୍ରକାରର ଅନେକ ଇଣ୍ଡଷ୍ଟ୍ରି ରହିଥିବା ସେ ସିଙ୍ଗୱଙ୍କ ଠାରୁ ଜାଣିବାକୁ ପାଇଥିଲେ ।

ଏହା ବି ପଢ଼ନ୍ତୁ | ଏବେ ଛାଡ଼ପତ୍ର ମାଗୁଥିବା IAS ଟପ୍ପର ଟିନା ଡାବିଙ୍କ ପ୍ରେମ କାହାଣୀ ଦିନେ ଚିତ୍ତାକର୍ଷକ ଥିଲା

‘‘ଚୀନରେ ସେହି ୧୮ ଦିନ କରୋନାର ଭୟରେ କଟିଥିଲା । ହୋଟେଲ ସବୁ ବନ୍ଦ ହେବାକୁ ଯାଉଥିଲା । ଅନେକ ଲୋକଙ୍କ ମୃତ୍ୟୁ ମୁଁ ନିଜ ଆଖିରେ ଦେଖିଛି । ୱୁହାନ ସହରରେ ବି ସଟଡାଉନ ଲାଗୁ ହେବ ବୋଲି ଖବର ପାଇଲି । ମୋ’ ସାଙ୍ଗ ସିଙ୍ଗୱ ମୋ’ ଉପରେ ରାଗୁଥିଲା ଏହି ମହାମାରୀ ସମୟରେ କାହିଁକି ଆସୁଥିଲି ବୋଲି । ହେଲେ ମୋ’ ରିଟର୍ଣ୍ଣ ଟିକେଟ ଜାନୁଆରୀ ୧୦ରେ ଥିଲା । ତେଣୁ ଆଗକୁ ଫେରିବା ପାଇଁ ବ୍ୟବସ୍ଥା କଲେ ବି ସଫଳ ହେଲିନି । ସେଠି ଲୋକେ ପରମ୍ପରା ମୁତାବକ ଜୀବନ୍ତ ପଶୁପକ୍ଷୀଙ୍କୁ ଦୋକାନରୁ କିଣି ସେମାନଙ୍କୁ ଜିଅନ୍ତା ରାନ୍ଧି ଖାଉଥିବା ବେଳେ ମୁଁ କରୋନା ଡରରେ କେବଳ ଫଳ ଓ ବିସ୍କୁଟ ଖାଇ ୧୮ ଦିନ ବିତାଇଲି । କେବଳ ଜଗନ୍ନାଥଙ୍କୁ ଡାକୁଥାଏ ମୋତେ ଜୀବନ୍ତ ଓ ସୁରକ୍ଷିତ ପୁରୀ ଫେରାଇ ଆଣିବା ପାଇଁ,’’ ଆଖି ଛଳ ଛଳ କରି କହିଛନ୍ତି ସେବାୟତ ବଳରାମ ଖୁଣ୍ଟିଆ  ।

ସାଙ୍ଗରେ ନେଇଥିବା ଜଗନ୍ନାଥଙ୍କ ଏକ ମୂର୍ତ୍ତିକୁ ଦୈନିକ ପୁଜା କରି ପୁରୀ ଫେରାଇ ଆଣିବାକୁ ପ୍ରାର୍ଥନା କରୁଥିଲେ ଖୁଣ୍ଟିଆ । ଜାନୁଆରୀ ୧୦ ଦିନ ୱୁହାନ ସହରରେ ସଟଡାଉନ ଥିବାରୁ ତାଙ୍କୁ ହୋଟେଲ ଠାରୁ ତିନି କିଲୋମିଟର ଦୂରରେ ଥିବା ଏୟାରପୋର୍ଟକୁ ନିଜ ଲଗେଜ ଧରି ଅତି କଷ୍ଟରେ ଚାଲି ଚାଲି ଯିବାକୁ ପଡ଼ିଥିଲା । ‘‘ମୋ’ର ସେହି ଫ୍ଲାଇଟଟି ଥିଲା ୱୁହାନରୁ ଶେଷ ଫ୍ଲାଇଟ । ତା’ ପରେ ଏୟାରପୋର୍ଟକୁ ବନ୍ଦ କରାଯାଇଥିଲା । ଭଗବାନଙ୍କୁ ଡାକୁଥାଏ ଯେମିତି ହେଉ ଭାରତ ମାଟିରେ ପହଞ୍ଚାଇଦେବାକୁ,’’ ସେ କହିଛନ୍ତି ।

ଏହା ବି ପଢ଼ନ୍ତୁ | ପୁରୁଷ ଭାବରେ ଲାଳିତ ପାଳିତ ହୋଇ ବଡ଼ ହୋଇଥିବା ଟ୍ରାନ୍ସଜେଣ୍ଡର ବ୍ୟକ୍ତି ଗର୍ଭବତୀ ହେଲେ; ତାଙ୍କର ଗର୍ଭାଶୟ ମିଳିଲା

ଦିଲ୍ଲୀ ଏୟାରପୋର୍ଟରେ ପହଞ୍ଚିବା ପରେ କରୋନା ଭୟ ଜନିତ ‘‘ଅସହ୍ଯ ନିର୍ଯ୍ୟାତନା’’ ଆରମ୍ଭ ହୋଇଥିବା ସେ କହିଛନ୍ତି । ‘‘ମୁଁ ଚୀନରୁ, ପୁଣି ୱୁହାନରୁ ଫେରିଛି ବୋଲି ଲୋକେ ଜାଣିବା ପରେ ମୋ’ ପ୍ରତି ତୀବ୍ର ବିତୃଷ୍ଣା ଦେଖାଇଥିଲେ । ଦିଲ୍ଲୀ ଏୟାରପୋର୍ଟରେ ମୋତେ ଦୂରରେ ଠିଆ ହେବାକୁ କହି ମୋ’ ଲଗେଜ ଫୋପାଡ଼ି ଦେଇଥିଲେ ସୁରକ୍ଷାକର୍ମୀମାନେ । ତାକୁ ସମ୍ପୂର୍ଣ୍ଣ ଭାବେ ସାନିଟାଇଜ କରିବା ସହ ପୂରା ଧୋଇଦେଇଥିଲେ ସେମାନେ । ମୋ’ ପାସପୋର୍ଟକୁ ଫୋପାଡ଼ି ଦେଇଥିଲେ ଓ ପରେ ତାକୁ ବି ଧୋଇଥିଲେ । ମୋତେ ପିପିଇ କିଟ୍ ପିନ୍ଧା କିଛି କର୍ମଚାରୀ ବ୍ଲୁ ଲାଇଟ୍ ଲାଗିଥିବା ଏକ ରୁମକୁ ନେଇ ସେଠି ତିନି ଘଣ୍ଟା ରଖି ସାନିଟାଇଜ କରିଥିଲେ । ହେଲେ ମୋ’ର କୋଭିଡର କୌଣସି ବି ଲକ୍ଷଣ ନ ଥିଲା,’’ କହିଛନ୍ତି ଖୁଣ୍ଟିଆ ।

ପୁରୀରେ ପହଞ୍ଚିବା ପରେ ବି ସରି ନ ଥିଲା ଏହି ‘‘ନିର୍ଯ୍ୟାତନା’’। ପ୍ରାଶାସନିକ ତଦନ୍ତରେ ଖୁଣ୍ଟିଆ ହିଁ ପୁରୀର ପ୍ରଥମ କରୋନା ସନ୍ଦିଗ୍ଧ ହୋଇଥିଲେ । ତା’ ପର ଦିନ ସକାଳେ ତାଙ୍କ ମଣିକର୍ଣ୍ଣିକା ସାହି ଘରେ ପହଞ୍ଚିଥିଲା ଏକ ପିସିଆର ଭ୍ୟାନ ଓ ମେଡିକାଲ ଟିମ୍‌ । ବାସେଳିସାହି ଥାନା ଅଧିକାରୀ ଓ ଜଣେ ମାଜିଷ୍ଟ୍ରେଟ ବି ଥିଲେ ସେହି ଟିମରେ ।

ଏହା ବି ପଢ଼ନ୍ତୁ | Video: ନ୍ୟୁ ୟର୍କରେ ପୋଲିସ ଅଫିସରଙ୍କ ମୁହଁକୁ ଛେପ ପକାଇ ଗିରଫ ହେଲେ ଭାରତୀୟ ଯୁବତୀ

‘‘ମୁଁ ଭୟ କରିଯାଇଥିଲି । ମୋ’ ସହ ମୋ’ ପରିବାରର ସମସ୍ତଙ୍କୁ ନିଆଗଲା କୋଭିଡ ଟେଷ୍ଟ ପାଇଁ । ମୋତେ ନେଇ ସାହି ପଡ଼ିଶା ଲୋକଙ୍କ ବ୍ୟବହାର ବି ବଦଳିଗଲା । ମୋ’ର ଆଠ ଥର ଟେଷ୍ଟ କରାଗଲା, ହେଲେ ପଜିଟିଭ ବାହାରିଲା ନାହିଁ । ମୋ’ ପରିବାରରୁ ବି କେହି ବି ପଜିଟିଭ ହେଲେ ନାହିଁ । ତଥାପି ମୁଁ ଓ ମୋ’ ପରିବାର ୨୦ ଦିନ କ୍ୱାରେଣ୍ଟାଇନରେ ରହିଥିଲୁ,’’ କହିଛନ୍ତି ଖୁଣ୍ଟିଆ ।

ପୁଣି ମାର୍ଚ୍ଚ ୧୮ରେ ୱୁହାନ ଯିବା ପାଇଁ ତାଙ୍କର ଟିକେଟ ହୋଇଥିଲେ ବି ଫେବୃୟାରୀ ୨୮ରେ ତାହା କ୍ୟାନସଲ ହୋଇଯାଇଥିଲା ବୋଲି ତାଙ୍କୁ ଏକ ମେସେଜ ଆସିଥିଲା । ‘‘କରୋନା ମହାମାରୀ ସମ୍ପୂର୍ଣ୍ଣ ଦୂରୀଭୂତ ହେବା ପୂର୍ବରୁ ମୁଁ କୌଣସି ମତେ ଚୀନ୍‌ ଯିବା ପାଇଁ ଚାହୁଁ ନ ଥିଲି,’’ ସେ କହିଛନ୍ତି ।



‘‘ଚଳିତ ବର୍ଷ ମହାପ୍ରଭୁଙ୍କ ନାଗାର୍ଜୁନ ବେଶ ନିର୍ମାଣର ଅଧିକାର ମିଳିବା ବେଳେ ମୋ’ ମା’ ମୃତ୍ୟୁ ପୂର୍ବରୁ କହିଥିଲେ ଯେତେ କଷ୍ଟ ହେଉ ପଛେ ମହାପ୍ରଭୁଙ୍କ ବେଶ କରିବୁ । ତେଣୁ ମା’ଙ୍କ ଆଶିର୍ବାଦ ଓ ଜଗନ୍ନାଥଙ୍କ କରୁଣା ଯୋଗୁଁ ଆଜି ମୁଁ ସୁସ୍ଥ ରହିବା ସହ ଚୀନରୁ ଫେରି ଆସିପାରିଲି । ଏହା ହିଁ ଜଗନ୍ନାଥଙ୍କର ତାଙ୍କ ସେବକଙ୍କ ସହ ଥିବା ଆଧ୍ୟାତ୍ମିକ ସମ୍ପର୍କର ପ୍ରତୀକ,’’ କହିଛନ୍ତି ଖୁଣ୍ଟିଆ ।
Published by: Anand Shankar Thankur Das
First published: November 22, 2020, 11:48 PM IST
corona virus btn
corona virus btn
Loading