News18 Odia Digital
ପୁରୀ: ପୁରୀରେ ନିଜାମୁଦ୍ଦିନ ଲିଙ୍କ ଯୋଗୁଁ ପ୍ରଥମ କରୋନା ଭାଇରସ୍ ପଜିଟିଭ ପିପିଲିର ଦାନଗୋହରୀରେ ଚିହ୍ନଟ ହୋଇଥିବା ବେଳେ ୩୮ଦିନ ବ୍ୟବଧାନରେ ପୁଣି ପୁରୀରେ ଶୁଣିବାକୁ ମିଳିଛି ଏହି ମହାମାରୀର ପଦ ଧ୍ୱନି । ସମୁଦ୍ର କୂଳ ଥାନା ଅନ୍ତର୍ଗତ ରେଣୁକା ଗଳିରେ ଜଣେ ଲଜିଂ ମାଲିକଙ୍କର ସ୍ତ୍ରୀ ଓ ପୁଅ ହୋମ କ୍ୱାରାଣ୍ଟାଇନରେ ଥିବା ବେଳେ ସ୍ୱାବ ଟେଷ୍ଟରୁ ସେ ଦୁହେଁ ପଜିଟିଭ ବାହାରିବା ପରେ ସେହି ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି ।
ଏଣିକି ଯିଏ ବି ପୁରୀ ଆସିବେ ଆଉ ହୋମ କ୍ୱାରାଣ୍ଟାଇନ ନୁହେଁ, ତାଙ୍କୁ ଇନଷ୍ଟିଚ୍ୟୁସନାଲ କ୍ୱାରାଣ୍ଟାଇନରେ ରଖାଯିବ ବୋଲି ପ୍ରଶାସନ ନିଷ୍ପତ୍ତି ନେଇଛି । ଏହି ଦୁଇ ଜଣ ପଜିଟିଭ ହୋମ କ୍ୱାରାଣ୍ଟାଇନ ନିୟମ ଉଲଙ୍ଘନ କରି ସହର ସାରା ବୁଲାବୁଲି କରିଥିବାରୁ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବା ନେଇ ଜିଲା ପ୍ରଶାସନ ସୂଚନା ଦେଇଛି ।
ମେ ୫ରେ ପୁରୀକୁ ପଶ୍ଚିମ ବଙ୍ଗରୁ ସରକାରଙ୍କ ଅନୁମତି ନେଇ ପୁରୀ ଫେରିଥିଲେ ଏହି ବଙ୍ଗୀୟ ଦମ୍ପତି ଓ ତାଙ୍କ ପୁଅ । ଜିଲା ପ୍ରଶାସନକୁ ଅବଗତ କରାଇ ସେମାନେ ଏକ ଲଜିଂରେ ହୋମ କ୍ୱାରାଣ୍ଟାଇନରେ ରହିଥିଲେ । ମା’ ଓ ପୁଅଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡିବାରୁ ମେ ୭ରେ ତାଙ୍କର ସ୍ୱାବ ଟେଷ୍ଟ ପାଇଁ ପଠାଯାଇଥିଲା । ଆଉ ମେ ୧୦ରେ ରିପୋର୍ଟ ପଜିଟିଭ ଆସିଥିଲା ।

ପୁରୀରେ ବିଭିନ୍ନ ଅଞ୍ଚଳରେ ସାନିଟାଇଜେସନ୍ ଚାଲିଛି ।
ଏହା ବି ପଢ଼ନ୍ତୁ: ରାଜ୍ୟରେ ଆଉ ୨୩ ନୂଆ କରୋନା ପଜିଟିଭ୍ ଚିହ୍ନଟ ହେଲେ; ଏବେ ମୋଟ ସଂଖ୍ୟା ୪୩୭‘‘ସମ୍ପୃକ୍ତ ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରିବା ସହ ସାନିଟାଇଜ କରାଯାଇଛି । ସେପଟେ ସେମାନଙ୍କ ଟ୍ରାଭେଲ ହିଷ୍ଟ୍ରୀ ଓ କଣ୍ଟାକ୍ଟ ଟ୍ରେସିଂ କରାଯାଉଛି,’’ କହିଛନ୍ତି ପୁରୀ ଉପଜିଲାପାଳ ଭବତାରଣ ସାହୁ ।
ମେ ୧୧ ତାରିଖ ସକାଳେ ଅଗ୍ନିଶମ ପକ୍ଷରୁ ରେଣୁକା ଗଳିରୁ ଆରମ୍ଭ କରି ସ୍ୱର୍ଗଦ୍ୱାର ଓ ବେଳାଭୂମି ରାସ୍ତାକୁ ସାନିଟାଇଜ କରାଯାଇଛି । ରେଣୁକା ଗଳିରେ କଣ୍ଟେନମେଣ୍ଟ ଜୋନକୁ ନେଇ ୮ଟି ପ୍ରବେଶ ପଥକୁ ବନ୍ଦ କରାଯାଇଛି । ସେହି ଅଞ୍ଚଳ କଣ୍ଟେନମେଣ୍ଟ ଜୋନ ଘୋଷଣା ହୋଇଥିବାରୁ ଏକ ମ୍ୟାପ କରି ସମ୍ପୁର୍ଣ ଅଞ୍ଚଳକୁ ବ୍ୟାରିକେଡ ଦେଇ ସିଲ କରାଯାଇ ପୁଲିସ ମୁତୟନ କରାଯାଇଛି । ସମୁଦ୍ରକୁଳ ଅଞ୍ଚଳ ପଟୁ ରେଣୁକା ଗଳି ଠାରୁ ଆରମ୍ଭ କରି ହରିଜନ ସାହି, କ୍ରୀୟାଯୋଗ ଆଶ୍ରମ ଛକ, ବାଲିମୋଚିସାହି, ରଘୁନନ୍ଦନ ରେସିଡେନସି ଗଳି, ଉଆଇନ ସପ୍ ଲେନ,ସିଭିୟୁ ହୋଟେଲ ଗଳି ଓ ନୋଳିଆ ସାହିକୁ ସିଲ କରାଯିବା ସହ ପୁଲିସ ମୁତୟନ କରାଯାଇଛି।
ଏହା ବି ପଢ଼ନ୍ତୁ: ସୁରତରୁ ଆସିଥିବା ଟିଭିରେ ଅଛି କରୋନା ଭାଇରସ୍? ବୌଦ୍ଧରେ ପରିବାର ଆତଙ୍କିତ‘‘କଣ୍ଟେନମେଣ୍ଟ ନିୟମ ଅନୁଯାୟୀ ଅତ୍ୟାବଶ୍ୟକ ସାମଗ୍ରୀ ପୌର ସଂସ୍ଥା ପକ୍ଷରୁ ସାହିକୁ ପଠାଯିବ । ସେହି ସାହି ଲୋକେ ବାହାରକୁ ଆସିପାରିବେ ନାହିଁ,’’ କହିଛନ୍ତି ପୌର ସଂସ୍ଥାର କାର୍ଯ୍ୟନିର୍ବାହୀ ଅଧିକାରୀ ବିଜୟ କୁମାର ଦାଶ ।
ଏବେ କଣ୍ଟେନମେଣ୍ଟ ଜୋନରେ ଆରମ୍ଭ ହୋଇଛି ତଥ୍ୟ ସଂଗ୍ରହ । ସ୍ୱାସ୍ଥ୍ୟ କର୍ମୀମାନେ ବୁଲି ବୁଲି ଲୋକଙ୍କ ତଥ୍ୟ ଗ୍ରହଣ କରିବା ସହ ସେମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଯାଞ୍ଚ କରୁଛନ୍ତି । ଯଦିଓ ଏହି ପରିବାରଟି କଲିକତାରୁ ମେ ୫ରେ ପୁରୀରେ ପହଞ୍ଚିବା ପରେ ହୋମ କ୍ୱାରାଣ୍ଟାଇନରେ ଥିଲେ, ସେମାନଙ୍କ ୧୮ ବର୍ଷୀୟ ପୁଅ କ୍ୱାରାଣ୍ଟାଇନ ନିୟମ ଉଲଙ୍ଘନ କରି ସହର ସାରା ବୁଲିବା ସହ ଅନେକ ଅଞ୍ଚଳକୁ ଯାଇଥିବା ଜଣାପଡ଼ିଛି । ସେହି ଦୁଇ ପଜିଟିଭଙ୍କର ଟ୍ରାଭେଲ ହିଷ୍ଟ୍ରୀ ଓ କଣ୍ଟାକ୍ଟ ଟ୍ରେସିଂ ଉପରେ ପଚରାଉଚୁରା କରିଥିଲେ ଉପଜିଲ୍ଲାପାଳ ।
‘‘ସେହି ଦୁଇ ଜଣ ପଜିଟିଭ ଜଣାପଡ଼ିବା ପରେ ତାଙ୍କ ବାପାଙ୍କୁ ବି କ୍ୱାରେଣ୍ଟାଇନରେ ରଖାଯାଇଛି । ତାଙ୍କ ପରିବାରର ଜଣେ ସଦସ୍ୟଙ୍କ ସହ ଦଶ ଜଣଙ୍କୁ ଇନଷ୍ଟିଚ୍ୟୁସନାଲ କ୍ୱରାଣ୍ଟିନକୁ ନିଆଯାଇଛି। ସେଥିରେ ତାଙ୍କ ବାପା, ଲଜିଂର କର୍ମଚାରୀ, ଦୁଇ ଜଣ ମେଡ ସରଭ୍ୟାଣ୍ଟ ଓ ଚାରି ଜଣ ମେଡ ସରଭ୍ୟାଣ୍ଟଙ୍କ ପରିବାର ସଦସ୍ୟ ଅଛନ୍ତି । ସେମାନଙ୍କ ବିରୁଦ୍ଧରେ ନିୟମକୁ ଉଲ୍ଲଙ୍ଘନକୁ ନେଇ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ,’’ କହିଛନ୍ତି ଜିଲ୍ଲାପାଳ ବଲୱନ୍ତ ସିଂ ।
ଏହା ବି ପଢ଼ନ୍ତୁ: ଲକଡାଉନ୍ ରଣନୀତି: ଆଜି ରାତି ୮ଟାରେ ଦେଶକୁ ସମ୍ବୋଧନ କରିବେ ପ୍ରଧାନ ମନ୍ତ୍ରୀ ମୋଦିସେହି ବଙ୍ଗୀୟ ପରିବାରଟି ପୁରୀରେ ପହଞ୍ଚିବା ଦିନ ଠାରୁ ଘରେ କମ୍ ବାହାରେ ବେଶୀ ବୁଲୁଛନ୍ତି । ‘‘ପୁଅଟି ଗାଡି ଧରି ସହର ସାରା ବୁଲୁଥିବା ବେଳେ ମା ପୁଅ ଦୋକାନ ବଜାର ଯାଇଛନ୍ତି । ସେମାନଙ୍କର ହାତରେ କ୍ୱାରାଣ୍ଟାଇନରେ ରହିବାର ଷ୍ଟାମ୍ପ ବି ଲଗାଯାଇଥିଲା । ତେବେ ପଜିଟିଭ୍ ଚିହ୍ନଟ ହୋଇଥିବା ବ୍ୟକ୍ତିମାନେ ହୋମ୍ମ କ୍ୱରାଣ୍ଟିନ ନିୟମକୁ ଉଲ୍ଲଙ୍ଘନ କରିଛନ୍ତି । କଲିକତାରୁ ପହଞ୍ଚିବା ପରେ ପ୍ରତି ଦିନ ପୁଅ ଓ ମା’ ମାର୍କେଟ ଯିବା, ମର୍ଣିଂ ୱାର୍କ କରିବା ସହ ସହରରେ ଅନେକ ଜାଗା ବୁଲୁଥିବାକୁ ନେଇ ଅନେକ ବ୍ୟକ୍ତି ଅସନ୍ତୋଷ ବ୍ୟକ୍ତ କରିଛନ୍ତି,’’ କହିଛନ୍ତି ଏହି ପରିବାରକୁ ଜାଣିଥିବା ଜଣେ ବ୍ୟକ୍ତି ।
ପୁରୀରୁ ଦୁଇ ଜଣ କରୋନା ପଜିଟିଭ୍ ବାହାରିବା ପରେ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି ଜିଲ୍ଲା ପ୍ରଶାସନ । ପୁରୀକୁ ବର୍ତ୍ତମାନ ସୁଦ୍ଧା ୧,୩୭୧ ଜଣ ପ୍ରବାସୀ ଫେରିଛନ୍ତି । ସେମାନଙ୍କୁ ବାଧ୍ୟତାମୂଳକ ଭାବେ ୨୧ ଦିନ ପର୍ଯ୍ୟନ୍ତ ସରକାରୀ ସଙ୍ଗରୋଧ କେନ୍ଦ୍ରରେ ରଖାଯାଇଛି । ଆନୁସଙ୍ଗିକ ବ୍ୟବସ୍ଥା ଥିବା ସରକାରୀ ହଷ୍ଟେଲରେ ରଖାଯିବା ସହ ହୋଟେଲରେ ଦେୟଯୁକ୍ତ କ୍ୱରାଣ୍ଟାଇନରେ ବି ରହିପାରିବେ ସେମାନେ । ସହରରେ ଏକ ହଜାରରୁ ଅଧିକ ଲୋକଙ୍କ ରହିବା ପାଇଁ ବ୍ୟବସ୍ଥା ହୋଇଥିବା ଜିଲ୍ଲାପାଳ ଏକ ଭିଡିଓ ବାର୍ତ୍ତା ଜରିଆରେ ସୂଚନା ଦେଇଛନ୍ତି ।
ଏହା ବି ପଢ଼ନ୍ତୁ: ଲକଡାଉନ୍ ବିଷୟରେ ପ୍ରଧାନ ମନ୍ତ୍ରୀଙ୍କୁ ୫ଟି ପ୍ରସ୍ତାବ ଦେଲେ ମୁଖ୍ୟ ମନ୍ତ୍ରୀ ନବୀନ‘‘ବର୍ତ୍ତମାନ ସୁଦ୍ଧା ୨,୦୦୦ରୁ ଉର୍ଦ୍ଧ ନମୁନା ପଠାଯାଇଥିବା ବେଳେ ଜିଲ୍ଲାରୁ ମୋଟ ତିନୋଟି ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେଥି ମଧ୍ୟରୁ ଜଣେ ସୁସ୍ଥ ହୋଇଥିବା ବେଳେ ଦୁଇ ଜଣଙ୍କ ଦେହରେ ସଂକ୍ରମଣ ରହିଛି। ତେଣୁ ହୋମ କ୍ୱାରାଣ୍ଟାଇନରେ ଆଉ କେହି ରହିବେ ନାହିଁ,’’ କହିଛନ୍ତି ପୁରୀ ଜିଲ୍ଲାପାଳ ବଲୱନ୍ତ ସିଂ ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।