ଏ ଥର ବି ସ୍ନାନ ପୂର୍ଣ୍ଣିମା ଓ ରଥ ଯାତ୍ରା ବିନା ଭକ୍ତରେ ହେବ; ପୁରୀ ସହର ସିଲ୍ ହେବ ଓ କର୍ଫ୍ୟୁ ଲାଗିବ

ପୁରୀ ବ୍ୟତୀତ ଅନ୍ୟ କୌଣସି ସ୍ଥାନରେ ରଥ ଯାତ୍ରା ଆୟୋଜିତ ନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ସରକାର । ରଥ ଯାତ୍ରା ସମୟରେ ପୁରୀ ବାହାର ଲୋକଙ୍କୁ ପୁରୀ ଆସିବା ମନା ହେବ । କଟକଣା ମଧ୍ୟରେ ରଥ ଯାତ୍ରା ଆୟୋଜିତ କରିବାକୁ ପ୍ରସ୍ତୁତି ଆରମ୍ଭ ହୋଇଛି ।

ଏ ଥର ବି ସ୍ନାନ ପୂର୍ଣ୍ଣିମା ଓ ରଥ ଯାତ୍ରା ବିନା ଭକ୍ତରେ ହେବ; ପୁରୀ ସହର ସିଲ୍ ହେବ ଓ କର୍ଫ୍ୟୁ ଲାଗିବ
ଜୁଲାଇ ୧୨ ତାରିଖରେ ପଡ଼ୁଛି ରଥ ଯାତ୍ରା । (ଫାଇଲ୍ ଫଟୋ)
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ପୁରୀ: ରାଜ୍ୟରେ କରୋନା ସଂକ୍ରମଣର ସ୍ଥିତି ଏବେ ବି ସଙ୍ଗୀନ ରହିଥିବାରୁ ଗତ ବର୍ଷ ପରି ଚଳିତ ବର୍ଷ ବି ବିନା ଭକ୍ତରେ ସ୍ନାନ ପୂର୍ଣ୍ଣିମା ଓ ରଥ ଯାତ୍ରା ଆୟୋଜିତ ହେବ ବୋଲି ସରକାର ସ୍ଥିର କରିଛନ୍ତି । ସ୍ୱତନ୍ତ୍ର ରିଲିଫ୍‌ କମିଶନରଙ୍କ (ଏସ୍‌.ଆର୍‌.ସି.) ପକ୍ଷରୁ ଏହି ଘୋଷଣା କରାଯିବା ପରେ ଏଥି ପାଇଁ ପ୍ରଶାସନିକ ସ୍ତରରେ ପ୍ରସ୍ତୁତି ଆରମ୍ଭ ହୋଇଛି । ପୁରୀ ବ୍ୟତୀତ ଅନ୍ୟ କୌଣସି ସ୍ଥାନରେ ରଥ ଯାତ୍ରା ଆୟୋଜିତ ନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ସରକାର ।

ବିନା ଭକ୍ତରେ ରଥ ଯାତ୍ରାକୁ ଶୃଙ୍ଖଳିତ ଭାବେ ଆୟୋଜିତ କରିବାକୁ ନେଇ ଭିତର ସେବାୟତ ନିଯୋଗ ସହ ଜିଲ୍ଲା ପ୍ରଶାସନର ପ୍ରାରମ୍ଭିକ ଆଲୋଚନା ସରିଛି । ଖୁବ୍‌ ଶୀଘ୍ର ଛତିଶା ନିଯୋଗ ଡାକି ସ୍ନାନ ପୂର୍ଣ୍ଣିମାକୁ ନେଇ ଚୂଡ଼ାନ୍ତ ଏସ୍‌.ଓ.ପି. କରାଯିବ । ସେବାୟତମାନଙ୍କ ଟିକାକରଣ ବ୍ୟବସ୍ଥା କେମିତି ଶେଷ କରାଯିବ ସେ ନେଇ ଖୁବ୍‌ ଶୀଘ୍ର ନିଷ୍ପତ୍ତି ନେଇ ଓ ସେବାୟତମାନଙ୍କ ସହ ଆଲୋଚନା କରି ପ୍ରଶାସନ ପଦକ୍ଷେପ ନେଉ ବୋଲି ଦାବି କରିଛନ୍ତି ଦଇତାପତି ନିଯୋଗର ସଭାପତି ରବିନ୍ଦ୍ର ଦାସ ମହାପାତ୍ର ।

ଏହା ବି ପଢ଼ନ୍ତୁ | ଯୁବ ଲେଖକମାନଙ୍କ ପାଇଁ PM ମୋଦି ଆଣିଲେ ଏକ ସ୍କିମ୍; ମାସରେ ମିଳିବ ଲକ୍ଷ ଟଙ୍କା

‘‘ଗତ ବର୍ଷ ଭଳି ଏ ବର୍ଷ ବି କୋଭିଡ କଟକଣା ମଧ୍ୟରେ ରଥ ଯାତ୍ରା ଆୟୋଜିତ ହେବ । ଏ ବର୍ଷର ରଥ ଯାତ୍ରା ପୁରୀ ବ୍ୟତୀତ ଅନ୍ୟ କୌଣସି ସ୍ଥାନରେ ଆୟୋଜିତ ନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏ ବର୍ଷ ବିନା ଭକ୍ତରେ କେବଳ ପୁରୀରେ ଆୟୋଜିତ ହେବ ରଥ ଯାତ୍ରା । ଏଥିରେ ସାମିଲ୍‌ ହେଉଥିବା ବ୍ୟକ୍ତିମାନେ କୋଭିଡ ନେଗେଟିଭ୍‌ ହୋଇଥିବା ବା କୋଭିଡ ଟିକାର ଦୁଇଟି ଯାକ ଡୋଜ୍‌ ଟିକା ନେଇଥିବା ବାଧ୍ୟତାମୂଳକ କରାଯାଇଛି,’’ କହିଛନ୍ତି ସ୍ୱତନ୍ତ୍ର ରିଲିଫ୍‌ କମିଶନର୍‌ ପ୍ରଦୀପ ଜେନା ।

ପ୍ରତି ରଥ ଉପରେ ସର୍ବାଧିକ ୫୦୦ ଜଣ ଲୋକ ରହିପାରିବେ ।


ରଥ ଯାତ୍ରା ସମୟରେ ପୁରୀରେ କର୍ଫ୍ୟୁ ଲାଗିବ ଓ ବାହାର ଲୋକଙ୍କୁ ପୁରୀ ଆସିବା ମନା ହେବ ବୋଲି ସେ କହିଛନ୍ତି । ‘‘ପୁରୀରେ ଟ୍ରେନ୍‌ ସମେତ କୌଣସି ଯାନକୁ ପ୍ରବେଶ ଅନୁମତି ମିଳିବନି । ଗତ ବର୍ଷର ସୁପ୍ରିମ୍‌ କୋର୍ଟ ନିର୍ଦ୍ଦେଶ ମୁତାବକ ଏ ବର୍ଷର ରଥ ଯାତ୍ରା ହେବ । ରଥ ଟଣା ବେଳେ ପ୍ରତି ରଥରେ ସେବାୟତ ଓ ପୋଲିସ କର୍ମଚାରୀମାନଙ୍କୁ ମିଶାଇ ସର୍ବାଧିକ ୫୦୦ ଲୋକ ରହିପାରିବେ । ଜୁନ୍‌ ୨୪ ତାରିଖରେ ସ୍ନାନ ପୂର୍ଣ୍ଣିମା ମଧ୍ୟ ବିନା ଭକ୍ତରେ କରାଯିବା ନେଇ ନିର୍ଦ୍ଦେଶନାମା ଜାରି କରାଯାଇଛି,’’ କହିଛନ୍ତି ଜେନା ।

ଏହା ବି ପଢ଼ନ୍ତୁ ଦେଖନ୍ତୁ VIDEO | ହସପିଟାଲରେ ଅକ୍ସିଜେନ୍ ବନ୍ଦ କରି ଦେଖିଲେ କେତେ ରୋଗୀ ମରିବେ; ମିନିଟରେ ମଲେ ୨୨ – VIDEO

କୋଭିଡର ସ୍ଥିତିକୁ ନେଇ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ ବିନା ଭକ୍ତରେ ରଥ ଯାତ୍ରା ହେବା ଘୋଷଣା ପରେ ସଜାଗ ହୋଇଛି ପୁରୀ ପ୍ରଶାସନ । ଗତ କିଛି ଦିନ ଧରି ଭର୍ଚ୍ଚୁଆଲ୍‌ ବୈଠକ କରି ବିନା ଭକ୍ତରେ ଜୁନ ୨୪ରେ ସ୍ନାନ ପୂର୍ଣ୍ଣିମା କରିବା ପାଇଁ ପ୍ରାଥମିକ ପ୍ରସ୍ତୁତି ସରିଛି । ଏବେ ରଥ ଯାତ୍ରା ବିନା ଭକ୍ତରେ ଓ ସିମୀତ ସଂଖ୍ୟକ ସେବାୟତ ଓ କର୍ମଚାରୀଙ୍କୁ ନେଇ କରାଯିବାକୁ ନିୟମ ହୋଇଥିବା ବେଳେ ତାକୁ ନେଇ ପ୍ରଶ୍ନ ଉଠାଇଛି ଦଇତାପତି ନିଯୋଗ ।

ଏହା ବି ପଢ଼ନ୍ତୁ | Vaccine: ଘରୋଇ ହସପିଟାଲ୍ଗୁଡ଼ିକ ପାଇଁ କରୋନା ଟିକାର ଦାମ୍ ସ୍ଥିର କଲେ କେନ୍ଦ୍ର ସରକାର

‘‘ସ୍ନାନ ପୂର୍ଣିମାରୁ ଦଇତାପତି ନିଯୋଗର ଗୋଷ୍ଠୀଗତ ସେବା ଆରମ୍ଭ ହୁଏ ଓ ପହଣ୍ଡିରୁ ଆରମ୍ଭ କରି ଅଣସର କାର୍ଯ୍ୟ ଓ ରଥ ଯାତ୍ରାରେ ପ୍ରମୁଖ ଭୁମିକା ରହିଥାଏ । ହେଲେ ଏ ପର୍ଯ୍ୟନ୍ତ ଅନେକ ସେବାୟତ ଗୋଟିଏ ଡୋଜ୍‌ ଟିକା ନେଇଛନ୍ତି । ନିୟମକୁ ଦେଖିଲେ କୋଭିଡ୍‌ ଟେଷ୍ଟ ରପୋର୍ଟ ନେଗେଟିଭ୍‌ ଥିବା ଦରକାର, ହେଲେ ସବୁ ସେବାୟତଙ୍କ ଟିକାକରଣ ପୂରା କରିବା ପାଇଁ ପ୍ରାଶାସନିକ ସ୍ତରରେ ବ୍ୟବସ୍ଥା କୋହଳ କରାଯିବା ଦରକାର,’’ କହିଛନ୍ତି ଦଇତାପତି ନିଯୋଗର ସଭାପତି ରବୀନ୍ଦ୍ର ଦାସ ମହାପାତ୍ର ।

ସ୍ନାନ ପୂର୍ଣ୍ଣିମା ଓ ରଥ ଯାତ୍ରା ବିଷୟରେ ସେବାୟତ ନିଯୋଗ ସହ ଜିଲ୍ଲା ପ୍ରଶାସନର ପ୍ରାରମ୍ଭିକ ଆଲୋଚନା ସରିଛି ।


ସେ ଆହୁରି କହିଛନ୍ତି ଯେ କୋଭିଡ କଟକଣା ଆଳରେ ସେବାୟତମାନଙ୍କୁ ଆନୁବିଧା କରାଗଲେ ତା’ର ବିରୋଧ କରାଯିବ । ‘‘ସେବାୟତମାନେ ଗତ ବର୍ଷ ରଥ ଯାତ୍ରାରେ ନୀତି ସମ୍ପାଦନ କରିବା ସହ ରଥ ଟାଣି ନେଇ ଅନେକ କଷ୍ଟ ବହନ କରିଥିଲେ । ତେଣୁ ଏ ଥର କଟକଣା କଲେ ସମସ୍ୟା ସୃଷ୍ଟି ହେବ,’’ କହିଛନ୍ତି ରବୀନ୍ଦ୍ର ଦାସ ମହାପାତ୍ର ।

ଏହା ବି ପଢ଼ନ୍ତୁ | ଫୁଟବଲରେ ଆଗକୁ ବଢ଼ିଲା ଭାରତ, ହରାଇଲା ବାଂଲାଦେଶକୁ; ସୁନୀଲ୍ ଛେତ୍ରୀ ୨ଟି ଗୋଲ୍ କଲେ

ବରିଷ୍ଠ ସେବାୟତ ବିଶ୍ୱାବସୁ ବିନାୟକ ଦାସ ମହାପାତ୍ର କହିଛନ୍ତି, ‘‘ରଥ ଯାତ୍ରା ବିନା ଭକ୍ତରେ ହେଲେ ସେବାୟତମାନଙ୍କର ଅନେକ କ୍ଷତି ହେଉଛି । ତେଣୁ ତା’ର ଭରଣପୋଷଣ ପାଇଁ ଖୁବ୍‌ ଶୀଘ୍ର ଛତିଶା ନିଯୋଗ ବୈଠକରେ ଆଲୋଚନା କରାଯିବ ।’’

ଏହା ବି ପଢ଼ନ୍ତୁ | ପୁଣେରେ କାରଖାନାରେ ଭୟଙ୍କର ଅଗ୍ନିକାଣ୍ଡ; ୧୫ ଜଣ କର୍ମଚାରୀ ଜଳି ମଲେ; ୧୭ ଜଣ ନିଖୋଜ

‘‘ରଥ ନିର୍ମାଣ ସେବକମାନେ ମଧ୍ୟ କୋଭିଡ୍‌ ଟେଷ୍ଟ କରିବା ପରେ ବାୟୋ ବବଲ ଭିତରେ କାର୍ଯ୍ୟ କରୁଛନ୍ତି । ରଥ ଯାତ୍ରାକୁ ନେଇ ରଥ ନିର୍ମାଣ ସେବକ ନିୟୋଜିତ ହେଲେ ସେମାନଙ୍କୁ ମଧ୍ୟ ଟିକାକରଣ ସହ ସଙ୍ଗରୋଧରେ ରଖିବା ଦରକାର,’’ କହିଛନ୍ତି ଦର୍ପଦଳନ ରଥର ବିଶ୍ୱକର୍ମା ମହାରଣା ନାରାୟଣ ମହାରଣା ।

ଏହା ବି ପଢ଼ନ୍ତୁ | ପାକିସ୍ତାନରେ ୨ଟି ଟ୍ରେନ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେଲା; ସଙ୍ଗେ ସଙ୍ଗେ ୪୫ ଜଣ ମୃତ, ୬୦ ଜଣ ଆହତ ହେଲେ

ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା କହିଛନ୍ତି ଯେ ସ୍ନାନ ପୂର୍ଣିମା ଓ ରଥ ଯାତ୍ରାକୁ ବିନା ଭକ୍ତରେ କରିବା ପ୍ରଶାସନ ପାଇଁ ଏକ ଚାଲେଞ୍ଜ ହେବ । ‘‘ପ୍ରାରମ୍ଭିକ ସ୍ତରରେ ପୋଲିସ ପ୍ରଶାସନ, ଶ୍ରୀମନ୍ଦିର ପ୍ରଶାସନ ଓ ସେବାୟତ ନିଯୋଗମାନଙ୍କ ସହ ଆଲୋଚନା କରାଯାଇଛି । ସ୍ନାନ ପୂର୍ଣ୍ଣିମା ପାଇଁ ଗତ ବର୍ଷ ଯେମିତି ବ୍ୟବସ୍ଥା କରାଯାଇଥିଲା ସେହି ବ୍ୟବସ୍ଥା କରାଯିବ । ଏଥି ପାଇଁ ଛତିଶା ନିଯୋଗ ବୈଠକରେ ଆଲୋଚନା କରିବା ପରେ ଚୂଡ଼ାନ୍ତ ଏସ୍‌.ଓ.ପି. କରାଯିବ । ପୁରୀ ସହରରେ ରଥ ଯାତ୍ରା ସମୟରେ କର୍ଫ୍ୟୁ ଜାରି କରିବା ପାଇଁ ଆସିଥିବା ସୁଚନା ଉପରେ ସ୍ୱତନ୍ତ୍ର ବୈଠକ କରି ବ୍ୟବସ୍ଥା କରାଯିବ,’’ ସେ କହିଛନ୍ତି ।

ଏହା ବି ପଢ଼ନ୍ତୁ | ଜୁନ୍ ୨୧ରୁ ଦେଶର ସବୁ ନାଗରିକଙ୍କୁ ମାଗଣା ଟିକା, ଦୀପାବଳୀ ଯାଏଁ ଗରିବଙ୍କୁ ମାଗଣା ଚାଉଳ: କହିଲେ PM ମୋଦି

ଗତ ବର୍ଷର ରଥ ଯାତ୍ରା ଏସ୍‌.ଓ.ପି.କୁ ଅନୁଧ୍ୟାନ କରାଯିବ ଓ ସେହି ଅନୁସାରେ ନିଯୋଗମାନଙ୍କ ସହ ସମନ୍ୱୟ ରଖି ଶୃଙ୍ଖଳିତ ଭାବେ ରଥ ଯାତ୍ରା ଆୟୋଜିତ ହେବ ବୋଲି କହିଛନ୍ତି ଜିଲ୍ଲାପାଳ । ‘‘ପୁରୀ ସହରବାସୀ ଯେଭଳି ସବୁବେଳେ ସହଯୋଗ କରିଛନ୍ତି ସେମିତି ଚଳିତ ବର୍ଷ ମଧ୍ୟ ସହଯୋଗ କରିବେ ବୋଲି ଆଶା କରୁଛୁ,’’ କହିଛନ୍ତି ବର୍ମା ।



ଜୁଲାଇ ୧୨ ତାରିଖରେ ପଡ଼ୁଛି ରଥ ଯାତ୍ରା ଓ ଜୁନ୍‌ ୨୪ ତାରିଖରେ ସ୍ନାନ ପୂର୍ଣ୍ଣିମା । କୋଭିଡ କଟକଣା ମାନି ବିନା ଭକ୍ତରେ ରଥ ଯାତ୍ରା ଆୟୋଜିତ କରିବା ଓ ପୁରୀ ସହରକୁ ସମ୍ପୂର୍ଣ୍ଣ ସିଲ୍‌ କରିବା ପ୍ରଶାସନ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ହେବ ।
Published by: Anand ST Das
First published: June 10, 2021, 9:51 PM IST