News18 Odia Digital
ପୁରୀ: ଆଧ୍ୟାତ୍ମିକ ନଗରୀ ଓ ଆନ୍ତର୍ଜାତିକ ପର୍ଯ୍ୟଟନ ସହର ପୁରୀରେ ଏସ୍.ପି. ଭାବେ ଦେଢ଼ ବର୍ଷ କାର୍ଯ୍ୟ କରିବା ପରେ ଏବେ ବିଦାୟ ନେଇଛନ୍ତି ଆଇପିଏସ ଅଧିକାରୀ ଡଃ ଉମାଶଙ୍କର ଦାଶ । ଅପରାଧ ଦମନ ପାଇଁ ଆବଶ୍ୟକ ହେଲେ ଏନକାଉଣ୍ଟର ରାସ୍ତା ଚୟନ କରିବା ଓ ଫନୀ ବାତ୍ୟା ବେଳେ ସକ୍ରିୟ ହୋଇ ପୁନଃରୁଦ୍ଧାର କାର୍ଯ୍ୟର ତଦାରଖ କରିବା ଠାରୁ ପୁରୀକୁ ଐତିହ୍ୟ ସହର କରିବା ପାଇଁ ଶ୍ରୀମନ୍ଦିର ଚତୁଃପାର୍ଶ୍ୱରୁ ଉଚ୍ଛେଦ ପ୍ରକ୍ରିୟାରେ ସହଯୋଗ କରିବା ପର୍ଯ୍ୟନ୍ତ ସବୁ କାର୍ଯ୍ୟରେ ସେ ନିଜ ଦକ୍ଷତାର ପ୍ରମାଣ ଦେଇଛନ୍ତି ।
ଫେବୁଆରୀ ୨୨, ୨୦୧୯ରେ ପୁରୀରେ ଯୋଗ ଦେବା ପରେ ପ୍ରଥମେ ଅପରାଧ ଦମନ ପାଇଁ ସବୁ ଅପରାଧୀଙ୍କର ଏକ ଫାଇଲ ପ୍ରସ୍ତୁତ କରାଇଥିଲେ ଦାଶ । ତାଙ୍କ ନେତୃତ୍ୱରେ ଅପରାଧୀମାନଙ୍କୁ ଗୋଟିଏ ପରେ ଗୋଟିଏ ଧରିବା ସହ ୨୦ଟି ଏନକାଉଣ୍ଟର ମଧ୍ୟ କରିଥିଲା ପୁରୀ ପୋଲିସ । ଏହା ଥିଲା ପୁରୀର ଅପରାଧ ଓ ପୋଲିସ୍ ଇତିହାସରେ ପ୍ରଥମ ଘଟଣା । ପୁରୀରେ ୨୦୧୮ରେ ବଢିଯାଇଥିବା ଅପରାଧୀଙ୍କ ରାଜୁତି ହଠାତ୍ କମିଆସିଥିଲା । ଦିନ ଦ୍ୱିପହରରେ ପୋଲିସକୁ ଚାଲେଞ୍ଜ୍ କରିବା ବନ୍ଦ କରିଦେଇଥିଲେ ଅପରାଧୀମାନେ । ସହର ଓ ଜିଲ୍ଲାବାସୀଙ୍କ ପାଇଁ ଖୁବ୍ ଆଶ୍ୱସ୍ତି ଆଣିଥିଲା ଏହି ପରିବର୍ତ୍ତନ ।
ପୁରୀ ଏସପି ଭାବେ ଯୋଗ ଦେବା ପରେ ତାଙ୍କର ଥିଲା ମୁଖ୍ୟତଃ ଦୁଇଟି ଫର୍ମୁଲା: ଅପରାଧୀଙ୍କୁ ସାବାଡ଼ କରିବା ଓ ପୋଲିସକୁ ଲୋକଙ୍କ ନିକଟତର କରିବା । ପୁରୀ ଏକ ଆନ୍ତର୍ଜାତିକ ପର୍ଯ୍ୟଟନ ସହର ହେଇଥିବାରୁ ପର୍ଯ୍ୟଟକଙ୍କ ସୁରକ୍ଷା ଉପରେ ସେ ଅଧିକ ଗୁରୁତ୍ୱ ଦେଇଥିଲେ । ସହର ଓ ଜିଲ୍ଲାର ପୋଲିସ ମୁଖିଆ ହିସାବରେ ଆଇନ-ଶୃଙ୍ଖଳା ନିୟନ୍ତ୍ରଣ ସହ ଶ୍ରୀମନ୍ଦିର ଓ ମହାପ୍ରଭୁଙ୍କ ଯାନିଯାତ୍ରା ଶୃଙ୍ଖଳିତ ଭାବେ କରାଇବାର ଚାଲେଞ୍ଜକୁ ସେ ଦକ୍ଷତାର ସହ ନିଭାଇଥିଲେ ।

ନିଜ ସ୍ତ୍ରୀ ଓ ପିଲାମାନଙ୍କ ସହ IPS ଅଧିକାରୀ ଡଃ ଉମାଶଙ୍କର ଦାଶ
‘‘ମୁଁ ପୁରୀ ଏସପି ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ପ୍ରଥମେ ଅପରାଧୀଙ୍କୁ ଦମନ କରିବା ପାଇଁ ଏକ ସ୍ୱତନ୍ତ୍ର ବ୍ଲୁ ପ୍ରିଣ୍ଟ ବନେଇଥିଲି । କ୍ରିମିନାଲଙ୍କ ଫାଇଲକୁ ଆଣି ତାହାକୁ ଅନୁଧ୍ୟାନ କରି ସେମାନଙ୍କୁ ଧରିବା ପାଇଁ ଥାନାଗୁଡ଼ିକୁ ନିର୍ଦ୍ଦେଶ ଦେଇଥିଲି । ଅପରାଧୀମାନଙ୍କର ଡାଟାବେସ ବନାଇ ସେମାନଙ୍କୁ ଧରାଯାଇଥିଲା । ସେହି ଫର୍ମୁଲାରେ ଅପରାଧୀଙ୍କୁ ଦମନ କରିବା ପାଇଁ ଥାନା ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା । ଆବଶ୍ୟକ ହେଲେ ସେମାନଙ୍କୁ ଏନକାଉଣ୍ଟର ମଧ୍ୟ କରାଯାଇଥିଲା । ଅପରାଧୀ ପାରା ହତ୍ୟାକାଣ୍ଡର ମୁଖ୍ୟ ହତ୍ୟାକାରୀ କୁଖ୍ୟାତ ଅପରାଧୀ ଭାଗୁ ପ୍ରଧାନ ସହ ଅନେକ ହାର୍ଡକୋର କ୍ରିମିନାଲଙ୍କୁ ମିଶାଇ ୨୦ରୁ ଅଧିକ ଏନକାଉଣ୍ଟର କରାଯାଇଛି । ପୁରୀ ଜିଲ୍ଲାର ଥାନାମାନଙ୍କରେ ଅପରାଧ ହାର କମିଛି । ଏହି ପୋଲିସ ଟିମ୍ ଓ ସେହି ବ୍ଲୁ ପ୍ରିଣ୍ଟ ଆଗକୁ ଆସୁଥିବା ଏସପିଙ୍କୁ ସହଯୋଗ କରି କାର୍ଯ୍ୟ କରିବ ଓ ସଫଳତା ଆଣିଦେବ,’’ କହିଛନ୍ତି ଡଃ ଉମାଶଙ୍କର ଦାଶ ।
ପୁରୀରେ ସେ କାର୍ଯ୍ୟ ଆରମ୍ଭ କରିବାର କିଛି ଦିନ ପରେ ସାଧାରଣ ନିର୍ବାଚନ ହୋଇଥିଲା । ଆଦର୍ଶ ଆଚରଣ ବିଧିକୁ କାର୍ଯ୍ୟକାରୀ କରିବା ପୋଲିସ ପାଇଁ ସବୁ ଠୁ ବଡ଼ ଦାୟିତ୍ୱ ଥିଲା । ସେହି ସମୟରେ ପିପିଲି ବିଧାୟକ ପ୍ରଦୀପ ମହାରଥୀ ତାଙ୍କ ଫାର୍ମ ହାଉସରେ ନିର୍ବାଚନ ପର୍ଯ୍ୟବେକ୍ଷକଙ୍କୁ ମାଡ ମାରିବା ଘଟଣା ପରେ ତାଙ୍କୁ ଗିରଫ କରିବା ଥିଲା ଏକ ବଡ଼ ଚାଲେଞ୍ଜ । ବିଜେପିର ସତ୍ୟବାଦୀ ବିଧାୟକ ପ୍ରାର୍ଥୀ ଓମ ପ୍ରକାଶ ମିଶ୍ର ବୁଥ ଭିତରେ ରିଟର୍ଣ୍ଣିଂ ଅଫିସରଙ୍କୁ ବନ୍ଧୁକ ଦେଖାଇବା ନେଇ ତାଙ୍କୁ ଧରିବା ପାଇଁ ସ୍କ୍ୱାର୍ଡ ବନାଇ ପଠାଇବା ବି କଷ୍ଟସାଧ୍ୟ ଥିଲା ।

ପରିବାର ଆଲବମରୁ: ନିଜ ପୁଅକୁ ବର୍ଣ୍ଣମାଳା ଶିଖାଉଛନ୍ତି ଡଃ ଉମାଶଙ୍କର ଦାଶ
‘‘ସବୁ ଚ୍ୟାଲେଞ୍ଜ ସତ୍ତ୍ୱେ ନିର୍ବାଚନର ଶୃଙ୍ଖଳିତ ପରିଚାଳନା କରିବାରେ ଆମେ ସଫଳ ହୋଇଥିଲୁ । ପୂର୍ବରୁ ଶୁଣିଥିଲି ପିପିଲି ଓ ବ୍ରହ୍ମଗିରି ବେଶ ସମ୍ବେଦନଶୀଳ ଅଞ୍ଚଳ । ସେଥି ପାଇଁ ଆବଶ୍ୟକ ପ୍ରସ୍ତୁତି ସହ କାର୍ଯ୍ୟ କରିଥିଲୁ,’’ କହିଛନ୍ତି ଦାଶ ।
୨୦୧୯ ମେ ମାସରେ ହୋଇଥିବା ଫନି ବାତ୍ୟାରେ ଉଡିଯାଇଥିଲା ତାଙ୍କ କ୍ୱାର୍ଟରର ଛାତ । ପରିବାର ଲୋକଙ୍କୁ ସେ ଜିଲ୍ଲାପାଳଙ୍କ ରେସିଡେନ୍ସକୁ ନେଇ ରଖାଇଥିଲେ । ‘‘ଜୀବନରେ କେବେ ବି ଭୁଲି ପାରିବିନି ଫନିର ତାଣ୍ଡବ ଓ ବିଭୀଷିକାକୁ । ସାଧାରଣ ଲୋକଙ୍କ ଭଳି ଆମେ ବି ସମାନ କଷ୍ଟ ଅନୁଭବ କଲୁ । ତଥାପି ଆମର ଦାୟିତ୍ୱ ରହିଥିଲା ଲୋକଙ୍କୁ ସେବା ଯୋଗାଇବା । ବିନା ଟେଲିଫୋନ ଓ ବିନା ଯୋଗାଯୋଗରେ କାର୍ଯ୍ୟ କରିବା କଷ୍ଟସାଧ୍ୟ ଥିଲା । କିନ୍ତୁ ଆମେ ସଫଳତାର ସହ ତାହା କରିଥିଲୁ,’’ ସେ କହିଛନ୍ତି ।

IPS ଅଧିକାରୀ ଡଃ ଉମାଶଙ୍କର ଦାଶ
ଫନି ପରେ ପୋଲିସର ପ୍ରମୁଖ ଦାୟିତ୍ୱ ଥିଲା ଲୋକଙ୍କୁ ଅତ୍ୟାବଶ୍ୟକ ସେବା ଯୋଗାଇବାରେ ସାହାଯ୍ୟ କରିବା । ରାସ୍ତାରୁ ଗଛ କଟା ହେଉ ବା ରିଲିଫ ବାଣ୍ଟିବା, ପୁରୀରେ ପୋଲିସ କର୍ମଚାରୀ ଓ ହୋମ ଗାର୍ଡ଼ କର୍ମୀମାନେ ନିଜ ଘର ପରିସ୍ଥିତି ଖରାପ ଥାଇ ବି ନିଜ ଜୀବନକୁ ବାଜି ଲଗାଇ ସେବା ଯୋଗାଇଦେଇଥିଲେ । ଏହି ସମୟରେ ପୋଲିସ କର୍ମୀମାନଙ୍କ ମନୋବଳକୁ ଦୃଢ଼ ରଖିଥିଲା ଦାଶଙ୍କ ନେତୃତ୍ୱ ।
‘‘ପ୍ରଭୁ ଜଗନ୍ନାଥଙ୍କ କୃପାରୁ ଖୁବ୍ ଶୀଘ୍ର ଆମେ ରିଷ୍ଟୋରେସନ କରି ସ୍ୱାଭାବିକ ସ୍ଥିତିକୁ ଆସିପାରିଥିଲୁ । ଏବେ ବି ଫନିର ଦାଗ ମୋ’ କ୍ୱାର୍ଟର, ଅଫିସ ଓ ପୁରୀ ସହରରେ ସ୍ପଷ୍ଟ ଭାବେ ରହିଛି । ରାଜ୍ୟ ସରକାରଙ୍କ ସହଯୋଗ ଫଳରେ ଆମେ ତାହାର ମୁକାବିଲା କରିପାରିଥିଲୁ,’’ କହିଛନ୍ତି ଦାଶ ।

ପୁରୀ ଜିଲ୍ଲାପାଳ ବଲୱନ୍ତ ସିଂଙ୍କ ସହ ପୁରୀ ଏସ.ପି. ଉମାଶଙ୍କର ଦାଶ
କରୋନା ମହାମାରୀ ସଙ୍କଟ ଯୋଗୁଁ ସୁପ୍ରିମ କୋର୍ଟଙ୍କ ଦ୍ୱାରା ଜାରି ହୋଇଥିବା ନିୟମ ଭିତରେ ବିନା ଭକ୍ତରେ ରଥ ଯାତ୍ରା କରାଇବା ପୋଲିସ ପାଇଁ ଥିଲା ଆଉ ଏକ ବଡ଼ ଚ୍ୟାଲେଞ୍ଜ । ‘‘ଭକ୍ତଙ୍କୁ ପୁରୀ ଆସିବାରୁ ରୋକିବା ଓ ସହରବାସୀଙ୍କୁ ବୁଝାଇ ଘରୁ ବାହାରକୁ ବାହାରିବାରୁ ରୋକିବା ବେଶ କଷ୍ଟସାଧ୍ୟ ଥିଲା । ତଥାପି ସହରବାସୀ ପାଞ୍ଚ ଦିନର କର୍ଫ୍ୟୁ ଓ ସଟଡାଉନ ମାନି ରଥ ଯାତ୍ରାରେ ସହଯୋଗ କରିଥିବାରୁ ସେମାନଙ୍କୁ ହୃଦୟରୁ ଧନ୍ୟବାଦ ଦେଉଛି । କୋଭିଡ କଟକଣାରେ ଏତେ ସଂଖ୍ୟକ ପୋଲିସ୍ ଫୋର୍ସ ଆଣି ସେମାନଙ୍କୁ କୋବିଡ ଟେଷ୍ଟ କରାଇବା ସହ ସାମାଜିକ ଦୂରତ୍ୱ ଓ ମାସ୍କ ପରିଧାନ କରି କାର୍ଯ୍ୟ କରିବା କଷ୍ଟସାଧ୍ୟ ଥିଲା । ହେଲେ ତାହା ବି ସଫଳତାର ସହ କରାଯାଇପାରିଲା,’’ ସେ କହିଛନ୍ତି ।
ପୁରୀର ଆଗାମୀ ଏସ.ପି.ଙ୍କ ପାଇଁ ନିଜ ବାର୍ତ୍ତା ହିସାବରେ ସେ କହିଛନ୍ତି: ‘‘ଯିଏ ବି ପୁରୀକୁ ଏସ.ପି. ହୋଇ ଆସନ୍ତି ଗୋଟିଏ ପଟେ ପ୍ରଭୁ ଜଗନ୍ନାଥଙ୍କ ଇଚ୍ଛା ଓ ଅନ୍ୟ ପଟେ ନିଜକୁ ମହାପ୍ରଭୁଙ୍କୁ ସମର୍ପଣ କରି ଅହଂ ଭାବ ପରିତ୍ୟାଗ କଲେ ସଫଳତା ନିଶ୍ଚୟ ମିଳେ ।’’

5T ସଚିବ ଭି.କେ. ପାଣ୍ଡିଆନ (ବାମ) ଓ ଅନ୍ୟ ବରିଷ୍ଠ ଅଧିକାରୀଙ୍କ ସହ ଉମାଶଙ୍କର ଦାଶ
ପୁରୀ ଜିଲ୍ଲାପାଳ ବଲୱନ୍ତ ସିଂ ବି IPS ଅଫିସର ଉମାଶଙ୍କର ଦାଶଙ୍କର ଜଣେ ବଡ଼ ପ୍ରଶଂସକ । ପୂର୍ବରୁ ମଧ୍ୟ ତାଙ୍କ ସହ ନୁଆପଡ଼ାରେ ଏସ.ପି. ଥିବା ବେଳେ ସେ କାମ କରିଛନ୍ତି । ‘‘ଆମର ପୁରୁଣା ସମ୍ପର୍କ । ମୁଁ ପୁରୀ ଜିଲ୍ଲାପାଳ ଭାବେ ଫନି ବେଳେ ଦାୟିତ୍ୱ ନେଇଥିଲି । ଉମାର ସହଯୋଗ ମୋ’ ପାଇଁ ବେଶ ସହାୟକ ହୋଇଥିଲା । ସେ ଜଣେ ହୃଦୟବାନ ଓ ମେଳାପି ବ୍ୟକ୍ତିତ୍ୱ । ଲୋକଙ୍କ ଦୁଃଖରେ ଦୁଃଖୀ ହୋଇପଡ଼େ । ମାନବିକତାକୁ ସେ ପ୍ରାଧନ୍ୟ ଦିଏ । ଘରେ ବି ପିଲାଙ୍କୁ ବେଶ ଭଲପାଏ । ହେଲେ ପୁରୀରେ କାର୍ଯ୍ୟ କଲେ ପରିବାରକୁ ସମୟ କମ୍ ଦେଇହୁଏ । କାର୍ଯ୍ୟକ୍ଷେତ୍ରରେ ବେଶି ସମୟ ବିତିଯାଏ । ତଥାପି ଆମେ କାର୍ଯ୍ୟକ୍ଷେତ୍ରରେ ଟିକିଏ ଖୁସି ଗପ କରିଦେଉ । ତେବେ ଫନି, କୋଭିଡ ପରିଚାଳନା ଓ ରଥ ଯାତ୍ରା ସୁପରିଚାଳନାରେ ପୁରୀ ଏସ.ପି. ଭାବେ ଉମାର ସହଯୋଗ ଅତୁଳନୀୟ । ଜଗନ୍ନାଥ ତାଙ୍କର ଉନ୍ନତି କଲେ; ସେ ଏବେ ଭୁବନେଶ୍ୱର ଡିସିପି । ପୁଣି ଆଗକୁ ଆହୁରି ସଫଳତା ହାସଲ କରିବ,’’ କହିଛନ୍ତି ପୁରୀ ଜିଲ୍ଲାପାଳ ବଲୱନ୍ତ ସିଂ ।
ଏହା ବି ପଢ଼ନ୍ତୁ:
ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ପ୍ରେମିକା ନତାଶା ଗର୍ଭବତୀ ହେଲେ; ଫଟୋ ସେୟାର କରି ସେ ଏହି କଥା ଲେଖିଲେଏହା ବି ପଢ଼ନ୍ତୁ:
ଦିଲ୍ଲୀ AIIMSରେ କରୋନା ଟିକା କୋଭାକ୍ସିନର ମାନବ ପରୀକ୍ଷଣ ଆରମ୍ଭ ହେବାକୁ ଯାଉଛିକଟକ ଡିସିପି ଅଖିଳେଶ୍ୱର ସିଂ ପୁରୀରେ ଏସ.ପି. ଭାବେ ଓ ଡଃ ଉମାଶଙ୍କର ଦାଶ ଭୁବନେଶ୍ୱର ଡିସିପି ଭାବେ ଦାୟିତ୍ୱ ନେଉଛନ୍ତି । ଉଭୟ ଯାଗା ଉଭୟଙ୍କ ପାଇଁ ନୂଆ ହୋଇଥିବାରୁ କିଛି ଚାଲେଞ୍ଜ ରହିବ । ହେଲେ ଉଭୟ ଦକ୍ଷ ଅଫିସର ନିପୁଣତାର ସହ କାର୍ଯ୍ୟ କରିବେ ବୋଲି ସମସ୍ତେ ଆଶା କରୁଛନ୍ତି ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।