ପୁରୀ: କରୋନା ପରୀକ୍ଷାର ଦିନକ ଆଗରୁ ଜ୍ୱରରେ ଯୁବକର ମୃତ୍ୟୁ ହେଲା; ଶବକୁ ଛୁଇଁଲେନି ପରିଜନ

ଏହି ୨୭ ବର୍ଷୀୟ ଯୁବକ ପାଖାପାଖି ୧୦ ଦିନ ଜ୍ୱରରେ ପଡ଼ି ହସପିଟାଲରେ ମୃତ୍ୟୁ ବରଣ କରିଥିଲେ, ହେଲେ ସେ କରୋନା ଆକ୍ରାନ୍ତ ଥିଲେ ବୋଲି ମିଥ୍ୟା ପ୍ରଚାର ହୋଇଯିବା ପରେ ଗାଁରେ ଭୟ ଖେଳିଯାଇଥିଲା ।

ପୁରୀ: କରୋନା ପରୀକ୍ଷାର ଦିନକ ଆଗରୁ ଜ୍ୱରରେ ଯୁବକର ମୃତ୍ୟୁ ହେଲା; ଶବକୁ ଛୁଇଁଲେନି ପରିଜନ
କୋଣାର୍କ ଏନ୍.ଏ.ସି.ର କର୍ମଚାରୀମାନେ ଯୁବକଙ୍କ ଶବକୁ ଶ୍ମଶାନକୁ ନେଉଛନ୍ତି ।
  • News18 Odia
  • Last Updated: August 7, 2020, 7:12 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ପୁରୀ: ରାଜ୍ୟରେ କରୋନା ମହାମାରୀ ଯୋଗୁଁ ଏମିତି ଭୟାନକ ସାମାଜିକ ପରିସ୍ଥିତି ସୃଷ୍ଟି ହୋଇଛି ଯେ ଆକ୍ରାନ୍ତ ଲୋକ ଯେତେ ନିକଟ ସମ୍ପର୍କୀୟ ହେଲେ ବି ତାଙ୍କ ପାଖ ମାଡ଼ିବାକୁ ସାହାସ କରୁନାହାନ୍ତି ପରିଜନ ଓ ପଡ଼ୋଶୀମାନେ । ଏପରିକି ସାଧାରଣ ଜ୍ୱର ବା ଝାଡ଼ାରେ ଆକ୍ରାନ୍ତ ହୋଇ କେହି ମୃତ୍ୟୁ ବରଣ କଲେ ବି ତାଙ୍କ ଶବକୁ ଛୁଇଁବାକୁ ତାଙ୍କ ପରିଜନ ରାଜି ହେଉନାହାନ୍ତି । ଏଭଳି ଏକ ଦୁଃଖଦ ଘଟଣା ଘଟିଛି ପୁରୀ ଜିଲ୍ଲା କୋଣାର୍କ ଅଞ୍ଚଳର ବନଖଣ୍ଡି ପଞ୍ଚାୟତର ମାଙ୍କଡ଼ଗୋରଡ଼ି ଗ୍ରାମରେ ।

ଗ୍ରାମର ଜଣେ ୨୭ ବର୍ଷୀୟ ଯୁବକ ପାଖାପାଖି ୧୦ ଦିନ ଜ୍ୱରରେ ପଡ଼ି ମୃତ୍ୟୁ ବରଣ କରିବା ପରେ ତାଙ୍କ ଶବ ସତ୍କାର ପାଇଁ ଗ୍ରାମବାସୀଙ୍କ ସହଯୋଗ ମିଳି ନ ଥିଲା । କରୋନା ସଂକ୍ରମଣ ଭୟରେ ନିଜ ଗାଁ ଭାଇକୁ ବି ପର କରିଦେଇଥିଲେ ଗ୍ରାମବାସୀମାନେ ।

ଏହି ଯୁବକଙ୍କ ଜ୍ୱର ନ ଛାଡ଼ିବାରୁ ତାଙ୍କୁ ଗୋପ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା । ଅଗଷ୍ଟ ୫ ତାରିଖ ବୁଧବାର ଦିନ ତାଙ୍କର କୋଭିଡ ପରୀକ୍ଷା ହେବାର ଥିଲା । ହେଲେ ପରୀକ୍ଷା ପୂର୍ବରୁ ଅଗଷ୍ଟ ୪ ରାତିରେ ସେ ମୃତ୍ୟୁ ବରଣ କରିଥିଲେ । ଯୁବକ ଜଣକ କରୋନା ଆକ୍ରାନ୍ତ ହୋଇ ମୃତ୍ୟୁ ବରଣ କରିଛନ୍ତି ବୋଲି ପ୍ରଚାର ହୋଇଗଲା । ଅଗଷ୍ଟ ୫ ସକାଳ ଠାରୁ ମଧ୍ୟାହ୍ନ ପର୍ଯ୍ୟନ୍ତ ଯୁବକଙ୍କ ମୃତ ଦେହ ତାଙ୍କ ଘର ବାରଣ୍ଡାରେ ପଡ଼ିରହିଲା ।

ଯୁବକଙ୍କ ଶବ ପଛରେ ବିଳାପ କରି ଚାଲିଛନ୍ତି ତାଙ୍କ ମା‘।


‘‘ଗ୍ରାମବାସୀ ମାନେ କେହି କରୋନା ଭୟରେ ଶବକୁ ଛୁଇଁବାକୁ ରାଜି ହେଲେ ନାହିଁ । କୋକେଇରେ ଶବକୁ ବାନ୍ଧିବାକୁ ଓ ଶବକୁ ବୋହିକି ନେବାକୁ ବି କାନ୍ଧ ଦେବେ ନାହିଁ ବୋଲି ରୋକଠୋକ ମନାକରିଦେଲେ ସେମାନେ,’’ କହିଛନ୍ତି କୋଣାର୍କର ସ୍ୱେଛାସେବୀ ଯୁବକ ଜ୍ଞାନ ବିଶ୍ୱାଳ ।

ଘଟଣାଟି ପ୍ରଶାସନର ନଜରକୁ ଆସିବା ପରେ କୋଣାର୍କ ଏନ୍.ଏ.ସି.ର କାର୍ଯ୍ୟନିର୍ବାହୀ ଅଧିକାରୀ ଏମ୍. ଶ୍ରୀନିବାସଙ୍କ ନିର୍ଦ୍ଦେଶରେ ନୋଡାଲ ଅଫିସର ଭାଗୀରଥି ବରାଳ ଓ ଅନ୍ୟ ଦୁଇ ଜଣ କର୍ମଚାରୀ ଯୁବକଙ୍କ ଘରକୁ ଆସିଥିଲେ । ସେଠାକାର ସ୍ଥିତିକୁ ଅନୁଧ୍ୟାନ କରିବା ପରେ ମଗାଯାଇଥିଲା ପିପିଇ କିଟ୍ । ଦିନ ୧୨ଟାରେ ପହଞ୍ଚିଥିଲା ପାଞ୍ଚଟି ପିପିଇ କିଟ୍ । ତାକୁ ପିନ୍ଧି ଦୁଇ ଜଣ କର୍ମଚାରୀ ଓ ମୃତକଙ୍କର ଜଣେ ସମ୍ପର୍କୀୟ ଶବକୁ ଏକ ଟ୍ରଲିରେ ଜୁଇ ପର୍ଯ୍ୟନ୍ତ ନିଆଯାଇଥିଲା। ମୃତ ଦେହକୁ ନିକଟସ୍ଥ ଗ୍ରାମ ଶ୍ମଶାନରେ ଦାହ କରାଯାଇଥିଲା ।

ଏହା ବି ପଢ଼ନ୍ତୁ: ସୁଶାନ୍ତ ସିଂ ମୃତ୍ୟୁ ମାମଲାରେ ତାଙ୍କ ଗର୍ଲଫ୍ରେଣ୍ଡ୍ ରିୟା ଚକ୍ରବର୍ତ୍ତୀଙ୍କ ସହ ପଚରାଉଚରା କଲା ED 

ଏହା ବି ପଢ଼ନ୍ତୁ: VIDEO: ମଦ ବୋତଲ ବୋଝେଇ ଟ୍ରକ୍ ଓଲଟିଲା; ପୋଲିସ୍ ମାଡ଼ ସତ୍ତ୍ୱେ ଲୁଟିନେଲେ ଲୋକେ

‘‘ମୃତ ଯୁବକର ଅଗଷ୍ଟ ୫ରେ କୋବିଡ ଟେଷ୍ଟ ହୋଇଥାନ୍ତା । ତା’ ପୂର୍ବରୁ ସେ ମୃତ୍ୟୁ ବରଣ କରିଥିଲା । ସେ କରୋନା ଆକ୍ରାନ୍ତ ନ ଥିଲେ ବି ଲୋକଙ୍କ ଗୁଜବ ଫଳରେ ତାକୁ ଚାରି କାନ୍ଧ ମିଳିପାରିଲା ନାହିଁ । ଲୋକଙ୍କ ମାନସିକତାରେ ପରବର୍ତ୍ତନ ହେବା ଆବଶ୍ୟକ ବୋଲି ସରକାରଙ୍କ ପକ୍ଷରୁ ସଚେତନତା କରାଯାଉଥିଲେ ବି ତାହାକୁ ସେମାନେ ଗ୍ରହଣ କରୁ ନ ଥିବା ଦୁଃଖର କଥା,’’ କହିଛନ୍ତି କୋଣାର୍କ ଏନ୍.ଏ.ସି.ର କାର୍ଯ୍ୟନିର୍ବାହୀ ଅଧିକାରୀ ଏମ୍. ଶ୍ରୀନିବାସ ।



ଯୁବକଙ୍କର ମୃତ୍ୟୁ କରୋନା ଯୋଗୁଁ  ଘଟିଛି କି ନାହିଁ ତାହା ଏ ପର୍ଯ୍ୟନ୍ତ ଜଣାପଡ଼ି ନ ଥିବା ବେଳେ ତାଙ୍କ ମୃତ୍ୟୁ ପରର ପରିସ୍ଥିତି ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି ।
Published by: Anand Shankar Thankur Das
First published: August 7, 2020, 7:12 PM IST
corona virus btn
corona virus btn
Loading