News18 Odia Digital
ପୁରୀ: ଏବେ ପୁରୀବାସୀଙ୍କୁ କରୋନା ଚିକିତ୍ସାରେ ମିଳିବ ଉନ୍ନତ ମାନର ସ୍ଵାସ୍ଥ୍ୟ ସେବା । ଶୁକ୍ରବାର ଦିନ ପୁରୀ ବାଲିଗୁଆଳିରେ ଥିବା ଶ୍ରୀ ଜଗନ୍ନାଥ ମେଡିକାଲ୍ କଲେଜ ଓ ହସପିଟାଲରେ ୧୫୦ ଶଯ୍ୟାର ଏକ କୋଭିଡ୍ ହସ୍ପିଟାଲ୍ ଲୋକାର୍ପିତ କରିଛନ୍ତି ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ।
ଭିଡିଓ କନଫରେନ୍ସିଂ ଜରିଆରେ ହସ୍ପିଟାଲର ଲୋକାର୍ପଣ ଅବସରରେ ମୁଖ୍ୟ ମନ୍ତ୍ରୀ କହିଛନ୍ତି ଯେ ସେ ଆଶା କରୁଛନ୍ତି ପୁରୀ ଜିଲ୍ଲାରେ କରୋନା ସଂକ୍ରମଣର ମୁକାବିଲା ଓ ଆକ୍ରାନ୍ତଙ୍କୁ ଉପଯୁକ୍ତ ଚିକିତ୍ସା ସେବା ଯୋଗାଇ ଦେବାରେ ଏହି ହସ୍ପିଟାଲ୍ ବେଶ୍ ସହାୟକ ହେବ। ‘‘ଏବେ ଆଉ ଜିଲ୍ଲାର ରୋଗୀଙ୍କୁ କଟକ କି ଭୁବନେଶ୍ଵର ଆସିବାକୁ ପଡି଼ବ ନାହିଁ । ହସପିଟାଲର ସବୁ ବେଡକୁ ଅକ୍ସିଜେନ୍ ପାଇପ୍-ଲାଇନ୍ ସହିତ ଯୋଡ଼ାଯାଇଛି । ଆଗକୁ ଦରକାର ପଡ଼ିଲେ ବେଡ୍ ସଂଖ୍ୟା ଆହୁରି ବଢ଼ାଯିବ,’’ ସେ କହିଛନ୍ତି ।
ଏହା ବି ପଢ଼ନ୍ତୁ | COVID 19: ମୁକେଶ ଓ ନୀତା ଅମ୍ବାନୀ Reliance Foundation ହସପିଟାଲରେ ସୁବିଧା ଆହୁରି ବଢ଼ାଇଲେ
ଏହି ହସ୍ପିଟାଲର ସମସ୍ତ ଖର୍ଚ୍ଚ ମୁଖ୍ୟ ମନ୍ତ୍ରୀ ରିଲିଫ୍ ପାଣ୍ଠିରୁ ବହନ କରାଯିବ । କରୋନା ସହିତ ଲଢ଼ିବାକୁ ଆଗେଇ ଆସିଥିବାରୁ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସ ଓ ସମ୍ ହସପିଟାଲକୁ ଧନ୍ୟବାଦ ଦେଇଛନ୍ତି ମୁଖ୍ୟ ମନ୍ତ୍ରୀ । ତା’ ସହିତ ଲୋକଙ୍କୁ କରୋନା ଗାଇଡଲାଇନ ପାଳନ କରିବାକୁ ସେ ଅନୁରୋଧ କରିଛନ୍ତି ।

ପୁରୀ ବାଲିଗୁଆଳିରେ ଥିବା ଶ୍ରୀ ଜଗନ୍ନାଥ ମେଡିକାଲ୍ କଲେଜ ଓ ହସପିଟାଲରେ ଏହି କୋଭିଡ ହସପିଟାଲ୍ ସ୍ଥାପିତ ହୋଇଛି ।
‘‘ଆଇ.ଏମ୍.ଏସ୍. ଏଣ୍ଡ୍ ସମ୍ ହସ୍ପିଟାଲର ତତ୍ତ୍ବାବଧାନରେ ଏହି କୋଭିଡ୍ ହସ୍ପିଟାଲ୍ ଚାଲିବ । ଏଠି ୨୦ଟି ଆଇସିୟୁ, ୪୦ଟି ଏଚ୍.ଡି.ୟୁ. ଓ ୯୦ଟି ଜେନେରାଲ୍ ବେଡ୍ ବ୍ୟବସ୍ଥା କରାଯାଇଛି । ମୁଖ୍ୟ ମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ପୁରୀରେ ସ୍ୱତନ୍ତ୍ର କୋଭିଡ ହସ୍ପିଟାଲ କରାଯିବାକୁ ପ୍ରସ୍ତୁତି ଆରମ୍ଭ ହୋଇଥିଲା । ଏ ନେଇ ଶ୍ରୀ ଜଗନ୍ନାଥ ମେଡିକାଲ କଲେଜ୍ ହଷ୍ଟେଲ୍ ବିଲ୍ଡିଂରେ ଅତ୍ଯାଧୁନିକ କୋଭିଡ୍ କେୟାର ହସପିଟାଲ୍ କାର୍ଯ୍ୟକ୍ଷମ କରିବା ପାଇଁ ସମ୍ ହସ୍ପିଟାଲ ସହ ଆଲୋଚନା କରି ପିପିପି ମୋଡ଼ରେ ନିର୍ମାଣ ଆରମ୍ଭ କରାଯାଇଥିଲା । ତାହା ଏବେ ଲୋକାର୍ପିତ ହେବା ପରେ ଜିଲ୍ଲାରେ ଏହା ଦ୍ୱିତୀୟ କୋଭିଡ୍ ହସପିଟାଲ ଭାବେ ଲୋକଙ୍କୁ ସେବା ଯୋଗାଇବ,’’ କହିଛନ୍ତି ଜିଲ୍ଲାପାଳ ସମର୍ଥ ବର୍ମା ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ VIDEO | PM ମୋଦିଙ୍କ ଆଖିରେ ଲୁହ ଆସିଲା; ‘‘ଭାଇରସ୍ ଆମର ଅନେକ ପ୍ରିୟଜନଙ୍କୁ ଆମଠାରୁ ଦୂରେଇ ନେଇଛି’’
୧୫୦ ଶଯ୍ୟା ବିଶିଷ୍ଠ ଏହି କୋଭିଡ୍ ହସପିଟାଲରେ ୨୦ଟି ଭେଣ୍ଟିଲେଟର, ୪୦ଟି ଏଚ୍.ଡି.ୟୁ. ଓ ୯୦ଟି ଅକ୍ସିଜେନ୍ ଶଯ୍ୟାର ବ୍ୟବସ୍ଥା ରହିଛି । ୧,୦୦୦ ଅକ୍ସିଜେନ୍ ସିଲିଣ୍ଡର୍ ଓ ପାଞ୍ଚଟି ଲାଇଫ୍-ସେଭିଂ ଆମ୍ବୁଲାନ୍ସର ବ୍ଯବସ୍ଥା ବି କରାଯାଇଛି । ଭୁବନେଶ୍ବର ସମ୍ ମେଡିକାଲ କଲେଜ ଓ ଜିଲ୍ଲା ପ୍ରଶାସନର ମିଳିତ ସହଭାଗିତାରେ ମୁଖ୍ୟ ମନ୍ତ୍ରୀଙ୍କ ରିଲିଫ ପାଣ୍ଠି ସହଯୋଗରେ ଏହା କାର୍ଯ୍ଯକ୍ଷମ ହୋଇଛି ।

ଭିଡିଓ କନଫରେନ୍ସ ମାଧ୍ୟମରେ ଆୟୋଜିତ ଲୋକାର୍ପଣ ଉତ୍ସବର ଏକ ଦୃଶ୍ୟ
ଏହା ବି ପଢ଼ନ୍ତୁ | ମୋଦୀଙ୍କ ବୈଠକରେ ମୁଖ୍ୟ ମନ୍ତ୍ରୀମାନଙ୍କୁ କହିବାକୁ ଦିଆଗଲାନି, କଣ୍ଢେଇ ପରି ବସି ରହିଲେ: ମମତା
‘‘ପୁରୀ ଜିଲ୍ଲାରେ ସଂକ୍ରମଣକୁ ରୋକିବା ଓ ଅତ୍ୟାଧୁନିକ ଚିକିତ୍ସା ଯୋଗାଇଦେବା ପାଇଁ ଏହି ହସପିଟାଲ୍ ଏକ ବ୍ୟାପକ ସୁଯୋଗ ଉପଲବ୍ଧ କରିବ । ଏହି ସ୍ୱତନ୍ତ୍ର କୋଭିଡ୍ ହସପିଟାଲ କାର୍ଯକ୍ଷମ ହୋଇଥିବାରୁ ବିଶେଷ କରି ଜରୁରୀ ଚିକିତ୍ସା ପାଇଁ ଲୋକଙ୍କୁ ଆଉ ଜିଲ୍ଲା ବାହାରକୁ ଯିବାକୁ ପଡି଼ବ ନାହିଁ। ଫଳରେ ରେଫେରାଲ ସମସ୍ଯା ଦୂର ହେବ ବୋଲି ଆଶା ରହିଛି,’’ କହିଛନ୍ତି ସମ୍ ହସ୍ପିଟାଲ୍ ଇନ୍-ଚାର୍ଜ ପୁଷ୍ପରାଜ ସାମନ୍ତସିଂହାର ।
ଏହା ବି ପଢ଼ନ୍ତୁ | ‘ତେହେଲ୍କା’ ସମ୍ପାଦକ ତରୁଣ ତେଜପାଲ ୮ ବର୍ଷ ତଳର ରେପ୍ ମାମଲାରେ ଦୋଷମୁକ୍ତ ହେଲେ
ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ ଦାସବର୍ମା କହିଛନ୍ତି ଯେ ଏହି ହସପିଟାଲରେ ଅତ୍ୟାଧୁନିକ ସ୍ୱାସ୍ଥ୍ୟ ସେବା ମିଳିବ ଯେମିତି ଭୁବନେଶ୍ବର ଓ କଟକରେ ମିଳୁଛି । ‘‘ଆବଶ୍ୟକ ପଡି଼ଲେ ଶଯ୍ୟା ସଂଖ୍ୟା ବୃଦ୍ଧି କରାଯିବ ବୋଲି ମାନ୍ୟବର ମୁଖ୍ୟ ମନ୍ତ୍ରୀ କହିଛନ୍ତି । ପାଇପ୍-ଲାଇନ୍ ମାଧ୍ୟମରେ ଅମ୍ଲଜାନ ଯୋଗାଣ ସଂଯୋଗ କରାଯାଇଛି ଓ ଅତ୍ୟାଧୁନିକ ପରୀକ୍ଷଣର ବ୍ୟବସ୍ଥା ରହିଛି । ମୁଖ୍ୟ ମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠି ଓ ସମ୍ ହସପିଟାଲ ସହଯୋଗରେ ଏହି ହସପିଟାଲ ପ୍ରତିଷ୍ଠା କରାଯାଇଛି । ମହାମାରୀ ସମୟରେ ଏହି କରୋନା ହସପିଟାଲ୍ ଜିଲ୍ଲାବାସୀଙ୍କ ପାଇଁ ଖୁବ୍ ସହାୟକ ହେବ ବୋଲି ଆଶା,’’ କହିଛନ୍ତି ଦାସବର୍ମା ।
ଭିଡିଓ କନଫରେନ୍ସ ମାଧ୍ୟମରେ ଆୟୋଜିତ ଲୋକାର୍ପଣ ଉତ୍ସବରେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର, ସ୍ୱାସ୍ଥ୍ୟ ସଚିବ ପ୍ରଦୀପ୍ତ ମହାପାତ୍ର, ଗଣ ଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ, କ୍ରୀଡ଼ା ମନ୍ତ୍ରୀ ତୁଷାର କାନ୍ତି ବେହେରା, ରାଜ୍ୟ ଯୋଜନା ବୋର୍ଡ଼ର ଉପାଧ୍ୟକ୍ଷ ସଞ୍ଜୟ ଦାସବର୍ମା, ସାଂସଦ ପିନାକୀ ମିଶ୍ର, ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ସହ ସି.ଡି.ଏମ୍.ଓ. ସୁଜାତା ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।