କରୋନା ପଜିଟିଭ ମିଳିବା ପରେ ଏପ୍ରିଲ ୧୪ ଯାଏଁ ‘ନୋ ଏଣ୍ଟ୍ରି ଜୋନ୍‌’ ଘୋଷିତ ହେଲା ପୁରୀ ଜିଲ୍ଲା

ପୁରୀ ଜିଲ୍ଲାକୁ ଥିବା ସମସ୍ତ ପ୍ରବେଶ ପଥକୁ ସିଲ କରିଛି ପ୍ରଶାସନ । ପିପିଲିରେ ଚିହ୍ନଟ ହୋଇଥିବା ପଜିଟିଭ୍ ବ୍ୟକ୍ତି ଦାନଗହୀରା ଗାଁର ହୋଇଥିବାରୁ ସେହି ଗାଁ ସମେତ ଅନ୍ୟ କିଛି ଗାଁର ପ୍ରବେଶ ଓ ପ୍ରସ୍ଥାନ ପଥ ସିଲ୍ କରାଯାଇଛି ।

କରୋନା ପଜିଟିଭ ମିଳିବା ପରେ ଏପ୍ରିଲ ୧୪ ଯାଏଁ ‘ନୋ ଏଣ୍ଟ୍ରି ଜୋନ୍‌’ ଘୋଷିତ ହେଲା ପୁରୀ ଜିଲ୍ଲା
ପୁରୀକୁ ଯାଇଥିବା ଏକ ମୁଖ୍ୟ ରାସ୍ତାକୁ ସିଲ୍ କରି ଜଗିଛନ୍ତି ପୋଲିସ୍ କର୍ମୀମାନେ ।
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ପୁରୀ: ରାଜ୍ୟରେ କରୋନା ଭାଇରସ୍‌ ପଜିଟିଭ୍‌ ବ୍ୟକ୍ତିଙ୍କ ସଂଖ୍ୟା ବଢ଼ି ଚାଲିଥିବା ବେଳେ ପୁରୀ ଜିଲ୍ଲାରେ ନିଜାମୁଦ୍ଦିନରୁ ଫେରିଥିବା ପିପିଲିର ଜଣେ ବ୍ୟକ୍ତି ବି ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ଏହା ପରେ ପୁରୀ ଜିଲା ପ୍ରଶାସନ ପୂରା ସତର୍କ ହୋଇପଡ଼ିଛି ଓ ଭୁବନେଶ୍ୱର, କଟକ ଏବଂ ଭଦ୍ରକ ପରି ପୁରୀ ଜିଲ୍ଲାରେ ବି ସଟଡାଉନ ଜାରି କରିଛି ।

ଏପ୍ରିଲ ୪ ଶନିବାର ମଧ୍ୟରାତ୍ରରୁ ପୁରୀ ଜିଲ୍ଲାକୁ ‘ନୋ ଏଣ୍ଟ୍ରି ଜୋନ୍‌’ ଘୋଷଣା କରିବା ସହ ଜିଲ୍ଲାକୁ ଥିବା ସମସ୍ତ ପ୍ରବେଶ ପଥକୁ ସିଲ କରିଛି ପ୍ରଶାସନ । ପିପିଲିରେ ଚିହ୍ନଟ ହୋଇଥିବା ପଜିଟିଭ୍‌ ବ୍ୟକ୍ତି ଦାନଗହୀରା ଗାଁର ହୋଇଥିବାରୁ ସେହି ଗାଁ ସମେତ ଜୟପୁର ଗାଁକୁ ମଧ୍ୟ ସଟଡାଉନ କରାଯାଇଛି । କଡ଼ା ସୁରକ୍ଷା ବଳୟ ଭିତରେ ସମ୍ପୃକ୍ତ ଅଞ୍ଚଳକୁ ରଖାଯାଇଛି ଓ କେବଳ ଉପଜିଲାପାଳଙ୍କ ଅନୁମୋଦନ ପାଇଥିବା ମେଡିସିନ ଦୋକାନ ବ୍ୟତୀତ ଅନ୍ୟ କୌଣସି ଦୋକାନ ନ ଖୋଲିବାକୁ ଜାରୀ ହୋଇଛି ନିର୍ଦ୍ଦେଶନାମା । ସମ୍ପୃକ୍ତ ଗାଁରେ ଅଗ୍ନିଶମ ବିଭାଗ ପକ୍ଷରୁ ବିଶୋଧନ କରାଯାଇଛି । ଲୋକେ ଘରେ ରହିବା ପାଇଁ ପୁରୀ ପୁଲିସ ପକ୍ଷରୁ ସଚେତନତା ଭିଡିଓ ବି ଜାରୀ କରାଯାଇଛି ।

ରାଜ୍ୟରେ ୨୮ ଜଣ ବ୍ୟକ୍ତି ଦିଲ୍ଲୀର ନିଜାମୁଦ୍ଦିନରୁ ଫେରିଥିବା ବେଳେ ସେମାନଙ୍କ ଟେଷ୍ଟ ରିପୋର୍ଟରୁ ୨୫ ଜଣ ନେଗେଟିଭ ଓ ତିନି ଜଣ ପଜିଟିଭ ଜଣାପଡ଼ିଥିଲେ । ସେଥିରୁ ଭୁବନେଶ୍ୱର, ଯାଜପୁର ଓ ପୁରୀ ଜିଲ୍ଲା ରହିଥିଲା । ପୁରୀ ଜିଲ୍ଲାରେ କରୋନା ପଜିଟିଭ ମାମଲା ଆସିବା ପରେ ଜିଲାପାଳ ପ୍ରଥମେ ପୁରୀ ଜିଲାର ସୀମାକୁ ସିଲ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ।

ପୁରୀ ବଡ଼ ଦାଣ୍ଡରେ ହୋଇଥିବା ପୋଲିସ୍ ମୁତୟନର ଏକ ଦୃଶ୍ୟ


‘‘ପୁରୀ ଜିଲାର ପିପିଲି ଟୋଲ୍‌ ଗେଟ୍‌, ଅସ୍ତରଙ୍ଗ, କଣାସ ଓ କୃଷ୍ଣପ୍ରସାଦରେ ସମ୍ପୁର୍ଣ ‘ନୋ ଏଣ୍ଚ୍ରିର’ କରାଯାଇଛି । ସବୁଠି କଡ଼ା ସୁରକ୍ଷା ବଳୟ ରହିବା ସହ ପୁରୀରୁ ବାହାରକୁ କି ପୁରୀ ଭିତରକୁ ଯିବା ଆସିବା ସମ୍ପୂର୍ଣ୍ଣ ବନ୍ଦ କରାଯାଇଛି । ପିପିଲିର ଦୁଇଟି ଗାଁରେ ସଂକ୍ରମଣ ଆଶଙ୍କା କରି ଦାନଗହରି ଛକ, ଜୟପୁର ଶାସନ ଓ ଜୟପୁର ଛକକୁ ସମ୍ପୂର୍ଣ୍ଣରୂପେ ଆଜି ଠାରୁ ୧୪ ତାରିଖ ପର୍ଯ୍ୟନ୍ତ ଅର୍ଥାତ ୧୦ ଦିନ ପାଇଁ ସଟଡାଉନ୍‌ କରାଯାଇଛି,’’ କହିଛନ୍ତି ପୁରୀ ଉପଜିଲ୍ଲାପାଳ ଭବତାରଣ ସାହୁ ।

ପିପିଲି ବ୍ଲକର ଏହି ଦାନଗହରି ଛକ, ଜୟପୁର ଶାସନ ଓ ଜୟପୁର ଛକ ଆଦି ଦୁଇ ଖଣ୍ଡ ଗାଁରେ ଅଧିକ ସଂଖ୍ୟାରେ ମୁସଲିମ୍‌ ଲୋକେ ବସବାସ କରନ୍ତି । ସେଠାରେ କରୋନା ପଜିଟିଭ  ଆକ୍ରାନ୍ତ ଚିହ୍ନଟ ହେବା ପରେ ସେହି ଅଞ୍ଚଳକୁ ସିଲ କରି ପୁଲିସ ନିଜ କବଜାରେ ରଖିଛି ।

‘‘ସଂକ୍ରମିତ ବ୍ୟକ୍ତିଙ୍କ ପରିବାର ଲୋକେ ଏବେ ଆଇସୋଲେସନରେ ରହିଛନ୍ତି । ଆଗାମୀ ୧୦ ଦିନ ପର୍ଯ୍ୟନ୍ତ ସେହି ଅଞ୍ଚଳରେ କେହି ସଟଡାଉନ୍‌ ଉଲ୍ଲଙ୍ଘନ କଲେ ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ,’’ କହିଛନ୍ତି ପୁରୀ ଅତିରିକ୍ତ ଏସପି ଅରୁଣ କୁମାର ଜେନା ।

ଦାନଗହୀରା ଓ ଆଖପାଖର ଗାଆଁରେ ବିଶୋଧନ ପ୍ରକ୍ରିୟା ଚାଲିଛି ।


ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରତିଟି ଗ୍ରାମ ପଞ୍ଚାୟତରେ ଆଇସୋଲେସନ ସେଣ୍ଟର କରିବା ପାଇଁ ନିର୍ଦ୍ଦେଶ ଥିବାରୁ ଜୟପୁର ପଞ୍ଚାୟତର ବାଜପେୟୀ ଉ.ପ୍ରା. ବିଦ୍ୟାଳୟରେ ତାହା କରାଯାଇଛି । ଆବଶ୍ୟକ ପଡିଲେ ନିକଟସ୍ଥ ସ୍କୁଲରେ କରାଯାଇଥିବା ଆଇସୋଲେସନ ସେଣ୍ଟରରେ ଲୋକଙ୍କୁ ରଖାଯିବ ବୋଲି କହିଛନ୍ତି ପିପିଲି ବ୍ଲକ ଜୟପୁର ସରପଞ୍ଚ କମିନା ପ୍ରଧାନ ।

ଗୋଷ୍ଠି ସଂକ୍ରମଣର ସମ୍ଭାବନା ରହିଥିବାରୁ ଜିଲ୍ଲାର ସବୁ ଜାଗାରେ ନାକା ବନେଇ କଡ଼ାକଡ଼ି ଯାଞ୍ଚ କରାଯାଉଛି । ଜିଲ୍ଲାର ସମସ୍ତ ଥାନା ଅଧିକାରୀଙ୍କୁ ନିକଟସ୍ଥ ଥାନା ଅଞ୍ଚଳରେ ଲକଡାଉନକୁ ଉଲଙ୍ଘନ ହେବାକୁ ନ ଦେବା ପାଇଁ ସତର୍କ କରାଯାଇଛି । ସହର ଭିତରେ ବି କେବଳ କ୍ଷୀର ଗାଡ଼ି ଓ ଅତ୍ୟାବଶ୍ୟକ ସାମଗ୍ରୀ ନେଉଥିବା ଗାଡ଼ିକୁ ଛାଡି ବାକି ସବୁ ଗାଡ଼ିକୁ ବନ୍ଦ ରଖାଯାଇଛି । ଘରୁ ବାହାରିଲେ ବଡଦାଣ୍ଡରେ ଲୋକଙ୍କ ବାଇକ୍‌ ଜବତ କରାଯାଉଛି । ବିଭିନ୍ନ ଗାଁ ଓ ସାହିରେ ଲୋକେ ବାଉଁଶ ବାନ୍ଧି ନିଜ ଅଞ୍ଚଳକୁ ଲକଡାଉନ କରି କରି ରଖିଥିବାର ବି ଦେଖିବାକୁ ମିଳିଛି ।

ସନ୍ଧ୍ୟା ସମୟରେ କନଭେ ପାଟ୍ରୋଲିଂରେ ସମସ୍ତ ପୁରୀ ସହରରେ ପଇଁତରା ମାରୁଛି ପୁଲିସ । କାହାକୁ ବି ବିନା କାରଣରେ ବାହାରେ ଦେଖିଲେ ମାଡ଼ ହେଉଛି । ‘‘ଯେତେ ବୁଝାଇଲେ ବି ଲୋକେ ନ ବୁଝୁଥିବାରୁ ସେମାନଙ୍କୁ ସଚେତନ କରିବା ପାଇଁ ରଙ୍ଗତୁଳୀ କଳାକାର ସଙ୍ଘ ପକ୍ଷରୁ ରୋଡ଼ ଆର୍ଟ କରି ସଚେତନ କରାଯାଉଛି । ପୁରୀ ପୁଲିସ ପକ୍ଷରୁ ଏକ ସଚେତନତାମୂଳକ ଭିଡିଓ ଜାରୀ କରାଯାଇଛି,’’ କହିଛନ୍ତି ଟ୍ରାଫିକ ଥାନା ଅଧିକାରୀ ଗୋକୁଳ ରଞ୍ଜନ ଦାଶ  ।

କରୋନା ଭାଇରସକୁ ନେଇ ଲକଡାଉନ ଓ ଏବେ ସଟଡାଉନ୍‌ ଜାରି ଥିବା ବେଳେ ସରକାରଙ୍କ ପକ୍ଷରୁ ଲୋକଙ୍କ ସମସ୍ୟା ବୁଝାଯାଉଥିବାରୁ ଅଯଥାରେ କରୋନା ସଂକ୍ରାନ୍ତରେ ଗୁଜବ ପ୍ରଚାର ନ  କରିବା ପାଇଁ ଲୋକଙ୍କୁ ଅନୁରୋଧ କରିଛି ଜିଲ୍ଲା ପ୍ରଶାସନ । ଯେଉଁମାନେ ନିଜାମୁଦ୍ଦିନରୁ ଫେରିଛନ୍ତି ସେମାନଙ୍କୁ ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁରୋଧ କରିଛନ୍ତି ଯେ ସେମାନେ ନିଜେ ଆସି ବୟାନ କରି ପଞ୍ଜୀକୃତ ହୁଅନ୍ତୁ ।
First published: April 4, 2020, 5:40 PM IST
corona virus btn
corona virus btn
Loading