ଭୁବନେଶ୍ୱରର ଘରୋଇ ହସ୍ପିଟାଲଗୁଡ଼ିକ କରୋନା ମୁକାବିଲା ଲାଗି ସତର୍କତାମୂଳକ ନିୟମ ମାନୁଛନ୍ତି ତ?

ରାଜ୍ୟରେ ଚିହ୍ନଟ ହୋଇଥିବା ତୃତୀୟ କରୋନା ରୋଗୀ ରାଜଧାନୀର ଘରୋଇ ହସ୍ପିଟାଲ ‘କର କ୍ଲିନିକ’ରେ ପ୍ରଥମେ ଚିକିତ୍ସିତ ହେଉଥିବା ଖବର ଜଣା ପଡିବା ପରେ ଭୁବନେଶ୍ୱରରେ ଥିବା ଅଧିକାଂଶ ଘରୋଇ ହସ୍ପିଟାଲ ଆଜି ଥିଲା ଖାଁ ଖାଁ ।

ଭୁବନେଶ୍ୱରର ଘରୋଇ ହସ୍ପିଟାଲଗୁଡ଼ିକ କରୋନା ମୁକାବିଲା ଲାଗି ସତର୍କତାମୂଳକ ନିୟମ ମାନୁଛନ୍ତି ତ?
ଚିକିତ୍ସାରେ ଥିବା ଅନ୍ୟ ରୋଗୀ ଓ ସେମାନଙ୍କ ସମ୍ପର୍କୀୟ କରୋନା ଭାଇରସ୍ ଦ୍ୱାରା ସଂକ୍ରମିତ ହେବା ସମ୍ଭାବନା ଅଧିକ ।
  • News18 Odia
  • Last Updated: March 27, 2020, 8:38 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ତୃତୀୟ କରୋନା ଭାଇରସ୍‌ ପଜିଟିଭ ବ୍ୟକ୍ତି ଭୁବନେଶ୍ୱରରୁ ହିଁ ଚିହ୍ନଟ ହେବା ସତ୍ତ୍ୱେ ରାଜଧାନୀର ବିଭିନ୍ନ ଘରୋଇ ହସ୍ପିଟାଲ୍‌ କୋଭିଡ-୧୯ର ମୁକାବିଲା ପାଇଁ ସ୍ଥିର ହୋଇଥିବା ଗାଇଡ଼ଲାଇନ ମାନୁ ନ ଥିବା ଦେଖିବାକୁ ମିଳିଛି । ଏହି ଘରୋଇ ହସ୍ପିଟାଲ ଗୁଡିକରେ ଏଥି ପାଇଁ ଜାରି କରାଯାଇଥିବା ସତର୍କତାମୂଳକ ପଦକ୍ଷେପ କେବଳ ଧର୍ମକୁ ଆଖି ଠାର ପରି ହୋଇ ରହିଯାଇଛି । ଘରୋଇ ହସ୍ପିଟାଲଗୁଡ଼ିକର କାର୍ଯ୍ୟଧାରାକୁ ନେଇ ଉଠିଛି ଅନେକ ପ୍ରଶ୍ନ ।

ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବିଭିନ୍ନ ରୋଗୀଙ୍କ ସମ୍ପର୍କୀୟମାନେ ଏ ନେଇ ଅଭିଯୋଗ ରଖିଛନ୍ତି । ସ୍ଵାସ୍ଥ୍ୟ ପରିଚାଳନା ବିଶେଷଜ୍ଞମାନେ ମତ ଦେଇଛନ୍ତି ଯେ କ୍ରମାଗତ ଗମ୍ଭୀର ହେଉଥିବା ସ୍ଥିତିକୁ ଦୃଷ୍ଟିରେ ରଖି ଘରୋଇ ହସ୍ପିଟାଲଗୁଡ଼ିକୁ ଅଧିକ ସଚେତନ ହେବା ଦରକାର ।

ରାଜ୍ୟରେ ଚିହ୍ନଟ ହୋଇଥିବା ତୃତୀୟ କରୋନା ରୋଗୀ ରାଜଧାନୀର ଘରୋଇ ହସ୍ପିଟାଲ ‘କର କ୍ଲିନିକ’ରେ ପ୍ରଥମେ ଚିକିତ୍ସିତ ହେଉଥିବା ଖବର ଜଣା ପଡିବା ପରେ ଭୁବନେଶ୍ୱରରେ ଥିବା ଅଧିକାଂଶ ଘରୋଇ ହସ୍ପିଟାଲ ଆଜି ଥିଲା ଖାଁ ଖାଁ । ଭିତରକୁ ଯିବା ଆସିବା ଉପରେ ଜାରି ହୋଇଥିଲା କଟକଣା । ଭିତରେ ଥିବା ରୋଗୀଙ୍କ ସମ୍ପର୍କୀୟମାନେ ହତାଶା ଭିତରେ ବାହାରେ ସମୟ କାଟିବାକୁ ବାଧ୍ୟ ହେଉଥିବା ଦେଖିବାକୁ ମିଳିଥିଲା । ସେମାନଙ୍କ ଭିତରୁ ଅନେକ ହସ୍ପିଟାଲ ପରିଚାଳନା କର୍ତ୍ତୃପକ୍ଷଙ୍କ ବିରୋଧରେ ଅଭିଯୋଗ କରିଥିଲେ ।

‘‘ବିଭିନ୍ନ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଅନ୍ୟ ରୋଗୀ ଓ ସେମାନଙ୍କ ସମ୍ପର୍କୀୟମାନେ କରୋନା ଭାଇରସ୍‌ ଦ୍ୱାରା ସଂକ୍ରମିତ ହେବା ସମ୍ଭାବନା ଅଧିକ । ହେଲେ କରୋନା ମୁକାବିଲା ସତର୍କତା ଏଠି ନାମକୁ ମାତ୍ର,’’ କହିଥିଲେ ଜଣେ ରୋଗୀଙ୍କ ସମ୍ପର୍କୀୟ ରାକେଶ ମହାନ୍ତି ।

ତୃତୀୟ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ଟ୍ୱିଟ୍‌


ସେହିପରି ଅନ୍ୟ ଜଣେ ରୋଗୀଙ୍କ ସମ୍ପର୍କୀୟ ବିଶ୍ବରଞ୍ଜନ ପଟ୍ଟନାୟକ କହିଥିଲେ: ‘‘ଘରୋଇ ହସ୍ପିଟାଲରେ କୋଭିଡ-୧୯ ସୁରକ୍ଷା ଓ ପ୍ରତିରୋଧକ ବ୍ୟବସ୍ତା ନାହିଁ କହିଲେ ଚଳେ । ଯେଉଁ ଡାକ୍ତର ଓ ନର୍ସମାନେ କରୋନା ରୋଗୀଙ୍କୁ ଚିକିତ୍ସା କରୁଛନ୍ତି, ସେମାନେ ସେହି ପୋଷାକ ପିନ୍ଧି ଅନ୍ୟ ରୋଗୀଙ୍କୁ ମଧ୍ୟ ଚିକିତ୍ସା କରୁଛନ୍ତି । ଏହା ଦୁର୍ଭାଗ୍ୟଜନକ ।’’

ଏମିତି ଅଭିଯୋଗର ସତ୍ୟତା ଯାଞ୍ଚ କରିବା ସହିତ ରାଜଧାନୀର ବିଭିନ୍ନ ଘରୋଇ ହସ୍ପିଟାଲରେ କିଭଳି କୋଭିଡ-୧୯ ନିୟମ ପାଳନ ହେଉଛି ସେ ନେଇ ଆମେ ସ୍ଥିତି ପରଖିଥିଲୁ । ଅଧିକାଂଶ ଘରୋଇ ହସ୍ପିଟାଲରେ ବାହାରେ ନିୟମ ତ ଅନୁପାଳନ ହେଉଥିଲା, ହେଲେ ଭିତରେ କେତେ ନିୟମ କଡ଼ାକଡ଼ି ଥିଲା ତାହା ଜାଣିବା ଥିଲା କଷ୍ଟକର । ଭିତରକୁ ଗଣ ମାଧ୍ୟମ ପ୍ରତିନିଧିଙ୍କୁ ଥିଲା ପ୍ରବେଶ ବାରଣ ।

‘‘ଘରୋଇ ହସ୍ପିଟାଲଗୁଡିକ ଅଧିକ ସଚେତନ ହେବା ଦରକାର । ସାମାନ୍ୟ ଜ୍ୱର ଓ କାଶ ଅଭିଯୋଗରେ ରୋଗୀମାନେ ଘରୋଇ ହସ୍ପିଟାଲ ଆସୁଛନ୍ତି । ହେଲେ ପରେ ସେମାନେ କୋଭିଡ-୧୯ ଆକ୍ରାନ୍ତ ଥିବା ଜଣା ପଡ଼ୁଛି,’’ କହିଛନ୍ତି ସ୍ଵାସ୍ଥ୍ୟ ପରିଚାଳନା ବିଶେଷଜ୍ଞ ବିଷ୍ଣୁ ଚରଣ ପଣ୍ଡା । ଏ ଦିଗରେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ କଠୋର ନିୟମ ଅନୁପାଳନ କରିବା ଉଚିତ ବୋଲି ସେ ମତ ଦେଇଛନ୍ତି ।

ନିଖିଳ ଓଡିଶା ଘରୋଇ ହସ୍ପିଟାଲ ଆସୋସିଏସନର କୋଷାଧ୍ୟକ୍ଷ ଡାକ୍ତର ଦେବଦତ୍ତ ସାହୁ କହିଛନ୍ତି ଯେ ହସ୍ପିଟାଲଗୁଡ଼ିକ ଭିତରେ ସବୁ ନିୟମ ଅନୁସୃତ ହେଉଛି । ‘‘ଏହାକୁ ଅଧିକ କ୍ରିୟାଶୀଳ କରିବା ନେଇ ଉଦ୍ୟମ ଜାରୀ ରହିଛି,’’ ସେ କହିଛନ୍ତି ।
First published: March 27, 2020, 8:38 PM IST
corona virus btn
corona virus btn
Loading