ଲିପିକା ମହାନ୍ତ | News18 Odia Digital
ନୂଆ ଦିଲ୍ଲୀ: ଆଜି ପବିତ୍ର ମହାବିଷୁବ ସଂକ୍ରାନ୍ତି ବା ପଣା ସଂକ୍ରାନ୍ତି । ଉତ୍କଳୀୟ ପରମ୍ପରା ଅନୁସାରେ ଆଜି ଦିନକୁ ନବ ବର୍ଷ ଭାବେ ପାଳନ କରାଯାଉଛି ଓ ନୂଆ ପାଞ୍ଜି ମଧ୍ୟ ପ୍ରଚଳନ ହୋଇଛି । ଦେଶ ବିଦେଶରେ ରହୁଥିବା ଓଡିଆମାନେ ପରସ୍ପରକୁ ନବ ବର୍ଷର ଶୁଭେଚ୍ଛା ଜଣାଇଥିବା ବେଳେ ଏହି ଅବସରରେ ରାଷ୍ଟ୍ରପତିଙ୍କ ଠାରୁ ଆରମ୍ଭ କରି ଉପରାଷ୍ଟ୍ରପତି, ପ୍ରଧାନ ମନ୍ତ୍ରୀ, କେନ୍ଦ୍ର ଗୃହମନ୍ତ୍ରୀ ଓ କେନ୍ଦ୍ରରେ ଥିବା ଦୁଇ ଓଡ଼ିଆ ମନ୍ତ୍ରୀ ଟ୍ୱିଟ୍ ଯୋଗେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ବିଶେଷ କଥା ଏହା ଯେ ଏମାନେ ସମସ୍ତେ ନିଜ ଟ୍ୱିଟ୍ ଓଡିଆରେ ହିଁ ଲେଖିଛନ୍ତି ।
"ପବିତ୍ର ଓଡ଼ିଆ ନବବର୍ଷ, ମହା ବିଷୁବ ସଂକ୍ରାନ୍ତି (ପଣା ସଂକ୍ରାନ୍ତି) ଏବଂ ହନୁମାନ ଜୟନ୍ତୀ ଉପଲକ୍ଷେ ସମସ୍ତ ଓଡ଼ିଶାବାସୀ ତଥା ବିଶ୍ବର କୋଣ ଅନୁକୋଣରେ ରହୁଥିବା ଓଡ଼ିଆ ଭାଇ ଓ ଭଉଣୀମାନଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା । ଏହି ବର୍ଷଟି ସମସ୍ତଙ୍କ ପାଇଁ ସୁଖଶାନ୍ତି ଓ ସମୃଦ୍ଧିର ବର୍ଷ ହେଉ,’’ ନିଜ ଟ୍ୱିଟରେ ଲେଖିଛନ୍ତି ମହାମହିମ ରାଷ୍ଟ୍ରପତି ରାମନାଥ କୋବିନ୍ଦ ।
ଉପରାଷ୍ଟ୍ରପତି ଭେଙ୍କେୟା ନାଇଡ଼ୁ ଲେଖିଛନ୍ତି: "ପବିତ୍ର ମହାବିଷୁବ ସଂକ୍ରାନ୍ତି ତଥା ଓଡ଼ିଆ ନବବର୍ଷ ଉପଲକ୍ଷେ ସମସ୍ତ ଓଡ଼ିଶାବାସୀଙ୍କୁ ମୋର ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ ।’’
ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ଉଭୟ ଓଡ଼ିଆ ଓ ଇଂରାଜୀ ଭାଷାରେ ଟ୍ୱିଟ୍ ଯୋଗେ ଶୁଭେଚ୍ଛା ଜଣାଇ ଲେଖିଛନ୍ତି, ‘‘ଓଡ଼ିଶାବାସୀଙ୍କୁ ଓଡ଼ିଆ ନବ ବର୍ଷ ଅବସରରେ ହାର୍ଦ୍ଦିକ ଶୁଭକାମନା । ମହାବିଷୁବ ପଣା ସଂକ୍ରାନ୍ତି ଅବସରରେ ଅଭିନନ୍ଦନ । ବର୍ଷ ସାରା ଖୁସି ଏବଂ ଉତ୍ତମ ସ୍ୱାସ୍ଥ୍ୟ ପାଇଁ ପ୍ରାର୍ଥନା ।"
ସେହି ପରି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା ମଧ୍ୟ ଟ୍ୱିଟ୍ କରି ଲେଖିଛନ୍ତି: "ଓଡ଼ିଆ ନୂଆ ବର୍ଷ ଓ ମହାବିଷୁବ ପଣା ସଂକ୍ରାନ୍ତି ଅବସରରେ ଓଡ଼ିଶାର ମୋର ପ୍ରିୟ ଭାଇ ଭଉଣୀମାନଙ୍କୁ ହାର୍ଦ୍ଦିକ ଶୁଭକାମନା । ମହାପ୍ରଭୁ ଶ୍ରୀଜଗନ୍ନାଥ ସମସ୍ତଙ୍କୁ ଉତ୍ତମ ସ୍ୱାସ୍ଥ୍ୟ ଏବଂ ସୁଖ ପ୍ରଦାନ କରନ୍ତୁ।"
କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଏକ ଟ୍ୱିଟରେ ସମସ୍ତ ଓଡିଶାବାସୀଙ୍କୁ ଶୁଭେଛା ଜଣାଇଛନ୍ତି । ସେ ଲେଖିଛନ୍ତି, "ଓଡ଼ିଆ ନବ ବର୍ଷ ତଥା ମହାବିଷୁବ ସଂକ୍ରାନ୍ତି ଅବସରରେ ହାର୍ଦ୍ଦିକ ଅଭିନନ୍ଦନ ।’’ ସେହିପରି କେନ୍ଦ୍ର ମନ୍ତ୍ରୀ ପ୍ରତାପ ଷଡଙ୍ଗୀ ନିଜ ଟ୍ୱିଟରେ ଲେଖିଛନ୍ତି, "ମହାବିଷୁବ ସଂକ୍ରାନ୍ତି ତଥା ଓଡ଼ିଆ ନବବର୍ଷ ଅବସରରେ ରାଜ୍ୟବାସୀଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା । ପ୍ରଭୁ ଜଗନ୍ନାଥଙ୍କ ଅପାର କରୁଣା ରାଜ୍ଯବାସୀଙ୍କ ଉପରେ ସଦାସର୍ବଦା ବର୍ଷୁଥାଉ ।’’
ଚଳିତ ବର୍ଷ ପଣାସଂକ୍ରାନ୍ତିକୁ ସମ୍ପୂର୍ଣ୍ଣ ଫିକା କରିଦେଇଛି ବିଶ୍ୱ କରୋନା ଭାଇରସ୍ ମହାମାରୀ । ଶ୍ରୀମନ୍ଦିର ଠାରୁ ଆରମ୍ଭ କରି ଶ୍ରୀ ଲିଙ୍ଗରାଜ ମନ୍ଦିର ଯାଏଁ କେଉଁଠି ଦେଖିବାକୁ ମିଳୁନି ଭକ୍ତଙ୍କ ଗହଳି । ରାଜ୍ୟ ସରକାରଙ୍କ ପକ୍ଷରୁ ଝାମୁ ଯାତ୍ରା, ପାଟୁଆ ଯାତ୍ରା, ଦଣ୍ଡ ଯାତ୍ରା ଆଦି ଉପରେ ସମ୍ପୂର୍ଣ୍ଣ ଭାବେ ରୋକ ଲାଗଯାଇଛି । ଆଜି ଦିନକୁ ଉତ୍ତର ଭାରତରେ ବୈଶାଖୀ ନାଆଁରେ ପାଳନ କରାଯାଇଥାଏ । ଓଡିଆଙ୍କ ଭଳି ଶିଖ୍ ଧର୍ମାବଲମ୍ବୀ ମାନେ ବି ଆଜି ଦିନଟିକୁ ନୂତନ ବର୍ଷ ଭାବେ ପାଳନ କରିଥାନ୍ତି ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।