କରୋନାର ଦୁଃଖଦ ସାଇଡ୍ ଇଫେକ୍ଟ: ହଜାର ହଜାର କୁକୁଡ଼ାଙ୍କୁ ଗାତ ଖୋଳି ପୋତିଲେ ଚାଷୀ

ବୈଜ୍ଞାନିକମାନେ କହୁଛନ୍ତି କୁକୁଡ଼ା ମାଂସ ଓ ମାଛ ଖାଇଲେ କରୋନା ଭାଇରସ୍ ହୁଏ ନାହିଁ ବା ବଢ଼େ ନାହିଁ, ହେଲେ ଲୋକେ ଶୁଣୁନାହାନ୍ତି । ତେଣୁ ପିପିଲିରେ ହଜାର ହଜାର ଜୀବନ୍ତ କୁକୁଡାକୁ ଗାତ ଖୋଳି ପୋତିବାକୁ ବାଧ୍ୟ ହେଉଛନ୍ତି ଚାଷୀମାନେ ।

କରୋନାର ଦୁଃଖଦ ସାଇଡ୍ ଇଫେକ୍ଟ: ହଜାର ହଜାର କୁକୁଡ଼ାଙ୍କୁ ଗାତ ଖୋଳି ପୋତିଲେ ଚାଷୀ
ପିପିଲିରେ ଏକ କୁକୁଡ଼ା ଫାର୍ମର ଦୃଶ୍ୟ
  • News18 Odia
  • Last Updated: March 21, 2020, 9:42 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ପିପିଲି: କରୋନା ଭାଇରସର ବଢ଼ୁଥିବା ପ୍ରକୋପ ଓ ତତ୍ଜନିତ ଭୟ ଯୋଗୁଁ ରାଜ୍ୟରେ କୁକୁଡ଼ା ଚାଷ ଉପରେ ସଙ୍କଟ ଘନେଇ ଆସିଛି । ଗୁଜବ ଯୋଗୁଁ ଲୋକେ କୁକୁଡ଼ା ମାଂସ ଖାଇବା ପ୍ରାୟ ଛାଡ଼ିଦେଇଥିବାରୁ କୁକୁଡା ବ୍ୟବସାୟରେ ଆସିଛି ଭୀଷଣ ମାନ୍ଦା ଅବସ୍ଥା । ମାର୍କେଟରେ କୁକୁଡ଼ା ମାଂସର ଚାହିଦା ନ ଥିବାରୁ ଓ କୁକୁଡ଼ାଙ୍କୁ ଖାଦ୍ୟ ଯୋଗାଇ ନ ପାରି ହଜାର ହଜାର ଜୀବନ୍ତ କୁକୁଡ଼ାକୁ ସମାଧୀ ଦେଉଛନ୍ତି ଚାଷୀମାନେ । ଫନି ପରେ ଋଣ କରି କୁକୁଡ଼ା ଚାଷ ଆରମ୍ଭ କରିଥିବା ଚାଷୀ ଏବେ ଦେବାଳିଆ ଅବସ୍ଥାକୁ ଆସିବା ଉପରେ ।

କିଛି ଦିନ ତଳେ କୁକୁଡା କେଜି ପ୍ରତି ୧୦ ଟଙ୍କାରୁ ୨୦ ଟଙ୍କା ଲେଖାଁଏ ବିକ୍ରି କରାଯାଉଥିବା ବେଳେ ଏବେ କୁକୁଡା ଗୋଟା ମାତ୍ର ୧୦ ଟଙ୍କାରେ ବିକିବାକୁ ପ୍ରସ୍ତୁତ ଦୋକାନୀମାନେ। ହେଲେ ଏବେ ସେମାନେ ମାଗଣାରେ ଦେଲେ ବି କୁକୁଡ଼ା ନେବାକୁ କେହି ଆଗ୍ରହ ପ୍ରକାଶ କରୁ ନ ଥିବା ଦେଖିବାକୁ ମିଳୁଛି । ବୈଜ୍ଞାନିକମାନେ ଯେତେ କହିଲେ ବି ଯେ କୁକୁଡ଼ା ମାଂସ ଓ ମାଛ ଆଦି ସାମୁଦ୍ରିକ ଜୀବ ଖାଇଲେ କରୋନା ଭାଇରସ୍‌ ହୁଏ ନାହିଁ ବା ବଢ଼େ ନାହିଁ, ଲୋକେ ଶୁଣିବା ସ୍ଥିତିରେ ନାହାନ୍ତି । ସେଇଥି ପାଇଁ ହଜାର ହଜାର ଜୀବନ୍ତ କୁକୁଡାକୁ ଗାତ ଖୋଳି ପୋତିବାକୁ ବାଧ୍ୟ ହେଉଛନ୍ତି ଚାଷୀମାନେ ।

ପୁରୀ ଜିଲ୍ଲାର ବିଭିନ୍ନ ବ୍ଲକରେ କୁକୁଡା ଚାଷୀଙ୍କ ଅବସ୍ଥା ଖରାପ ହୋଉଥିବା ବେଳେ ସାରା ରାଜ୍ୟରେ କୁକୁଡା ମାଂସର ଚାହିଦା ଦିନକୁ ଦିନ କମିବାରେ ଲାଗିଛି । ଏହା ଛଡ଼ା କୁକୁଡ଼ାମାନଙ୍କୁ ଦାନା ଯୋଗାଇ ବଞ୍ଚାଇ ରଖିବା ଚାଷୀ ପାଇଁ କଷ୍ଟକର ହୋଇ ପଡୁଥିବା ଯୋଗୁଁ କୁକୁଡାଙ୍କୁ ବାଧ୍ୟ ହୋଇ ମାଟିରେ ପୋତୁଛନ୍ତି ସେମାନେ ।

ପିପିଲି ବ୍ଲକର ଦାଣ୍ଡମୁକୁନ୍ଦପୁର, ଲକ୍ଷ୍ମୀନାରାୟଣ ପୁର, ଯଶୁଅ।ପୁର ଓ ଗୋବିନ୍ଦପୁରରେ ଅନେକ କୁକୁଡ଼ା ଚାଷୀ ଏବେ କୁକୁଡାଙ୍କୁ ବାହାରେ ଛାଡ଼ା ନ ଦେଇ ଗାତ ଖୋଳି ପୋତିଦେଉଥିବାର ଦେଖିବାକୁ ମିଳିଛି । ବାତ୍ୟା ଫନି ପରେ ଅସଜଡ଼ା କୁକୁଡା ଫାର୍ମକୁ ଋଣ କରି ଚାଷ କରିଥିବା ଚାଷୀ କିଭଳି ଋଣଭାର ପରିଶୋଧ କରିବେ ଓ ପରିବାର ଭରଣ ପୋଷଣ କରିବେ ତାକୁ ନେଇ ଚିନ୍ତା ବ୍ୟକ୍ତ କରିଛନ୍ତି ।

ପିପିଲିରେ ପୋତିବା ପାଇଁ କୁକୁଡ଼ାମାନଙ୍କୁ ବୁରାରେ ପୂରାଉଷନ୍ତି ଜଣେ ଚାଷୀ ।


‘‘ଆଉ କୁକୁଡ଼ା ପାଳି ଓ ତାକୁ ବିକିବାକୁ ଚେଷ୍ଟା କରି କିଛି ଲାଭ ନ ଥିବା ଦେଖୁଛି । ଲୋକେ କରୋନା ଭାଇରସକୁ ଏତେ ଡରିଯାଇଛନ୍ତି ଯେ ସେମାନେ କୁକୁଡ଼ା ମାଂସ ଖାଇବା ଛାଡ଼ିଦେଲେଣି । କୁକୁଡ଼ା ଚାଷ କରିବା ଅର୍ଥ ନିଜକୁ ଆର୍ଥିକ ଗାତ ଭିତରକୁ ନିଜେ ଧକ୍କା ମାରି ଠେଲିବା,’’ କହିଛନ୍ତି କୁକୁଡା ଚାଷୀ ପ୍ରମୋଦ କୁମାର ଜେନା । ଆନ୍ୟ ଜଣେ କୁକୁଡା ଚାଷୀ ସୁକାନ୍ତ କୁମାର ଗଜେନ୍ଦ୍ର ମଧ୍ୟ ଠିକ୍‌ ସେହି କଥା କହିଛନ୍ତି ।

ଖାଉଟି ରମେଶ ସାହୁ କହିଛନ୍ତି ଯେ କୁକୁଡ଼ା ମାଂସ ଖାଇବାକୁ ଡର ଲାଗୁଛି । ‘‘ଶୁଣାଯାଉଛି ଯେ kରୋନା ଭାଇରସରୁ ରକ୍ଷା ପାଇବାକୁ ହେଲେ କୁକୁଡ଼ା ମାଂସ ଖାଇବା ଛାଡ଼ିଦେବା ଉଚିତ । କଣ ଠିକ୍‌ ଖଣ ଭୁଲ୍‌ ତାହା ଏ ସ୍ଥିତିରେ ଜାଣିବା ମୁସ୍କିଲ୍‌,’’ ସେ କହିଛନ୍ତି ।

ଗାତ ଭିତରେ ହଜାର ହତାର କୁକୁଡ଼ାଙ୍କୁ ଫିଙ୍ଗୁଛନ୍ତି ଚାଷୀମାନେ ।


କୁକୁଡା ମାଂସ ଦ୍ଵାରା କୈାଣସି ରୋଗ ବ୍ୟାପୁ ନ ଥିଲେ ମଧ୍ୟ ଗୁଜବ ପ୍ରଚାର ପାଇଁ ଲୋକେ କୁକୁଡା ମାଂସ ଖାଇବାକୁ ଆଗ୍ରହ ଦେଖାଉ ନାହାନ୍ତି ବୋଲି ରାଜ୍ୟ କୁକୁଟ ମହାସଙ୍ଘର ସମ୍ପାଦକ କହିଛନ୍ତି ।

‘‘କରୋନା ପ୍ରଭାବ କୁକୁଡା ଶିଳ୍ପକୁ ପ୍ରଭାବିତ କରିଛି । କୁକୁଡ଼ା ଚାଷୀ ଓ କୁକୁଡା ଚାଷୀଙ୍କୁ ସାହାଯ୍ୟ କରି ଆସୁଥିବା କମ୍ପାନୀଗୁଡିକ ମଧ୍ୟ ବିପୁଳ କ୍ଷତି ସହୁ୍ଥିବାରୁ ବାଧ୍ୟ ହୋଇ ଚାଷୀ ଜୀଅନ୍ତା କୁକୁଡାକୁ ବାହାରେ ନ ଛାଡି ପୋତିବାକୁ ବାଧ୍ୟ ହେଉଛି,’’ କହିଛନ୍ତି ରାଜ୍ୟ କୁକ୍କୁଟ ମହାସଙ୍ଘର ସମ୍ପାଦକ ପ୍ରଦୁମ୍ନ ପରିଡା ।

ଗୁଜବରେ ବିଶ୍ଵାସ ନ କରି କୁକୁଡା ମାଂସ ଓ ଅଣ୍ଡା ଖାଇବା ପାଇଁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପକ୍ଷରୁ ବାରମ୍ଵାର ଜନସାଧାରଣଙ୍କୁ ସଚେତନ କରାଯାଉଥିଲେ ମଧ୍ୟ କୁକୁଡା ଚାଷୀର ସମସ୍ୟା ସୁଧୁରିପାରିଲା ନାହିଁ । ଅ।ଗକୁ ଏଭଳି ଅବସ୍ଥା ଜାରି ରହିଲେ ଆଗାମୀ ଦିନରେ କୁକୁଡ଼ା ଚାଷ ପ୍ରତି ହୁଏତ କେହି ଆଗ୍ରହ ପ୍ରକାଶ କରିବେ ନାହିଁ ଆଉ ଲୋକଙ୍କୁ ଏହି ପୌଷ୍ଟିକ ଖାଦ୍ୟ ମିଳିବା କଷ୍ଟକର ହୋଇପଡ଼ିବ ।
First published: March 21, 2020, 9:42 PM IST