କଟକରେ ଦୁର୍ଗା ପୂଜା: ପୋଲିସ କମିଶନରଙ୍କ ନିର୍ଦ୍ଦେଶନାମା ଜନ୍ମ ଦେଲା ଏକ ନୂଆ ବିବାଦକୁ

ପୂଜା ପରମ୍ପରା ସହ ଜଡ଼ିତ କିଛି ବ୍ୟକ୍ତିଙ୍କ ମୂର୍ତ୍ତି ନିର୍ମାଣ ସମ୍ପର୍କିତ ‘‘ମତାମତ’’କୁ ନେଇ ଅଡୁଆରେ ପଡ଼ିଛନ୍ତି ପୋଲିସ କମିଶନର। ଯେଉଁମାନଙ୍କ ମତାମତ ନିଆଯାଇଛି ବୋଲି ପୋଲିସ କହିଛି ସେମାନଙ୍କ ସହ କେହି କଥା ହୋଇନାହାନ୍ତି ବୋଲି ସେମାନେ କହିଛନ୍ତି ।

କଟକରେ ଦୁର୍ଗା ପୂଜା: ପୋଲିସ କମିଶନରଙ୍କ ନିର୍ଦ୍ଦେଶନାମା ଜନ୍ମ ଦେଲା ଏକ ନୂଆ ବିବାଦକୁ
ବାଲୁ ବଜାର ପୂଜା ମଣ୍ଡପରେ ନିର୍ମାଣାଧୀନ ଦୁର୍ଗା ମା’ଙ୍କ ମୃଣ୍ମୟୀ ମୂର୍ତ୍ତି
  • News18 Odia
  • Last Updated: September 18, 2020, 11:16 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

କଟକ: କଟକରେ ଦୁର୍ଗା ପୂଜାକୁ ନେଇ ବିବାଦ ଥିମିବାର ନାଁ ନେଉ ନାହିଁ । ହାଇ କୋର୍ଟଙ୍କ ନିର୍ଦ୍ଦେଶ ପରେ ଗୋଟିଏ ବିବାଦର ଅନ୍ତ ଘଟିଥିବା ବେଳେ ଏବେ ପୋଲିସ କମିଶନରଙ୍କ ସଦ୍ୟ ନିର୍ଦ୍ଦେଶନାମା ପରେ ପୁଣି ଏକ ବଡ଼ ବିବାଦ ମୁଣ୍ଡ ଟେକିଛି । ସି.ପି. ଜାରି କରିଥିବା ନୂଆ ନିର୍ଦ୍ଦେଶନାମାରେ ପୂଜା ପରମ୍ପରା ସହିତ ଜଡ଼ିତ ଥିବା କିଛି ବ୍ୟକ୍ତିଙ୍କ ମୂର୍ତ୍ତି ନିର୍ମାଣ ସମ୍ପର୍କିତ ମତାମତ ଓ ବଡ଼ ମୂର୍ତ୍ତିଗୁଡ଼ିକୁ ଏକ ପ୍ରକାର ଅସିଦ୍ଧ ଘୋଷଣା କରିବା ପରେ ଏବେ ସହରରେ ବଡ଼ ବିତର୍କ ଜନ୍ମ ନେଇଛି ।

ଯେଉଁ ମଣ୍ଡପଗୁଡ଼ିକ ବଡ଼ ମୂର୍ତ୍ତି ତିଆରି କରି ଦେଇଛନ୍ତି ସେମାନେ ବୁଧବାର ସନ୍ଧ୍ୟା ୭ଟା ସୁଦ୍ଧା କଟକ ଡିସିପିଙ୍କ ନିକଟରେ ଲିଖିତ ଆବଦେନ କରିବେ ବୋଲି ହାଇ କୋର୍ଟ କହିଥିଲେ। ପୋଲିସ ସେହି ମଣ୍ଡପଗୁଡ଼ିକର ସ୍ଥିତି ଅନୁଧ୍ୟାନ କରିବା ପରେ ଡିସିପି ବଡ଼ ମୂର୍ତ୍ତି କରିଥିବା ମଣ୍ଡପଗୁଡ଼ିକୁ ପୂଜା ପାଇଁ ଅନୁମତି ପ୍ରଦାନ କରିବେ ବୋଲି ଏହି ସମ୍ପର୍କିତ ମାମଲାର ଶୁଣାଣି କରି ନିର୍ଦ୍ଦେଶ ଦେଇଥିଲେ ହାଇ କୋର୍ଟ । କୋର୍ଟଙ୍କ ଏହି ନିର୍ଦ୍ଦେଶ ପରେ ମାତ୍ର ୬ଟି ମଣ୍ଡପ ବଡ଼ ମୂର୍ତ୍ତି କରିଥିବା ନେଇ କଟକ ଡିସିପିଙ୍କୁ ଲିଖିତ ଭାବେ ଜଣାଇଥିଲେ । ସେହି ପୂଜା ମଣ୍ଡପଗୁଡ଼ିକ ମଧ୍ୟରେ ବଡ଼ ମୂର୍ତ୍ତି ପୂଜା କରିବା ନେଇ ହାଇ କୋର୍ଟରେ ମାମଲା ଦାୟର କରିଥିବା ବାଲୁବଜାର ପୂଜା କମିଟି ମଧ୍ୟ ଥିଲା ।

ଏହା ପରେ ପୋଲିସ କଟକ ସହର ସମସ୍ତ ପୂଜା ମଣ୍ଡପଗୁଡ଼ିକର ସ୍ଥିତି ଜାଞ୍ଚ କରିଥିଲା । ତା’ ପରେ ଗୁରୁବାର ସନ୍ଧ୍ୟାରେ ପୋଲିସ କମିଶନର ଜାରି କରିଥିଲେ ଏକ ନିର୍ଦ୍ଦେଶନାମା । ଏଥିରେ ପୋଲିସ କମିଶନର କହିଥିଲେ ଯେ କଟକର ମୋଟ ୧୬୨ଟି ପୂଜା ମଣ୍ଡପ ମଧ୍ୟରୁ ୧୪୨ ମଣ୍ଡପ ମୂର୍ତ୍ତି ତିଆରି କରି ନହାଁନ୍ତି । ନଅଟି ମଣ୍ଡପ ସରକାରୀ ନିୟମ ଅନୁସାରେ ୪ ଫୁଟର ମୂର୍ତ୍ତି ତିଆରି କରିଛନ୍ତି । ୫ଟି ମଣ୍ଡପ ୭ ଫୁଟ ଉଚ୍ଚ ଓ ୨ଟି ମଣ୍ଡପ ୮ଫୁଟ ଉଚ୍ଚ ମୂର୍ତ୍ତି ନିର୍ମାଣ କରିଛନ୍ତି । ବଡ଼ ମୂର୍ତ୍ତି ପାଇଁ ଆବେଦନ କରିଥିବା ୬ଟି ପୂଜା ଯାକ ପୂଜା ମଣ୍ଡପ ନିଜ ନିଜର ମୂର୍ତ୍ତି ନିର୍ମାଣ କାର୍ଯ୍ୟ କୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ବୁଧବାର ସନ୍ଧ୍ୟା ୭ଟା ସୁଦ୍ଧା ସମ୍ପୂର୍ଣ୍ଣ କରି ନ ଥିବାରୁ ସେମାନଙ୍କୁ ବଡ଼ ମୂର୍ତ୍ତି ବଦଳରେ ୪ ଫୁଟର ମୂର୍ତ୍ତି କରିବା ପାଇଁ କମିଶନର ନିର୍ଦ୍ଦେଶ ଦେଇଛନ୍ତି ।

କଟକ ଡିସିପି ପ୍ରତୀକ ସିଂ


କଥା କେବଳ ସେତିକିରେ ଅଟକିଯାଇ ନାହିଁ । ନିଜ ନିର୍ଦ୍ଦେଶନାମାରେ ପୋଲିସ କମିଶନର ଉଲ୍ଲେଖ କରିଛନ୍ତି ଯେ ମୋଟ ୬ଟି ପୂଜା ମଣ୍ଡପ ବଡ଼ ମୂର୍ତ୍ତି ତିଆରି କରି ଥିବା ନେଇ ଡିସିପିଙ୍କ ପାଖରେ ଆବେଦନ କରିଥିଲେ । ଅନୁଧ୍ୟାନରୁ ଜଣା ପଡ଼ିଲା ଯେ ସେମାନଙ୍କ ମଧ୍ୟରୁ ତିନିଟି ମଣ୍ଡପରେ ମୂର୍ତ୍ତି ନିର୍ମାଣ ଅସମ୍ପୂର୍ଣ୍ଣ ରହିଛି ଏବଂ ବାକି ତିନୋଟିରେ ମଣ୍ଡପ ମୂର୍ତ୍ତି ତିଆରି ହୋଇନାହିଁ । ଏହା ସହିତ ମହଳାୟା ବା ଖଡ଼ିଲାଗି ଅମାବାସ୍ୟା ପରେ ମଧ୍ୟ ମୂର୍ତ୍ତି ନିର୍ମାଣ କରାଯାଇ ପାରିବ ନାହିଁ ବୋଲି ମାମଲାରେ ପକ୍ଷଭୁକ୍ତ ହୋଇଥିବା ପୂଜା କମିଟିଗୁଡ଼ିକ କୋର୍ଟଙ୍କୁ ଯେଉଁ ତଥ୍ୟ ପ୍ରଦାନ କରିଥିଲେ ତାହା ଭୁଲ ଥିଲା । ବାସ୍ତବିକ ମଳମାସ ମଧ୍ୟରେ ମୂର୍ତ୍ତି ତିଆରି କରାଯାଇ ପାରିବ । ଚକ୍ଷୁଦାନ ବା ପ୍ରାଣପ୍ରତିଷ୍ଠା ପୂର୍ବ ପର୍ଯ୍ୟନ୍ତ ମଧ୍ୟ ମୂର୍ତ୍ତିର ଉଚ୍ଚତା ମଧ୍ୟ ପରିବର୍ତ୍ତନ କରାଯାଇ ପାରିବ । ତେଣୁ ବଡ଼ ମୂର୍ତ୍ତି ପାଇଁ ଆବେଦନ କରିଥିବା ୬ଟି ପୂଜା ମଣ୍ଡପ ସହ ଅନ୍ୟ ମଣ୍ଡପମାନେ ମଧ୍ୟ ରାଜ୍ୟ ସରକାରଙ୍କ ନିର୍ଦ୍ଧାରିତ ଉଚ୍ଚତା ବା ୪ ଫୁଟ ଉଚ୍ଚତା ବିଶିଷ୍ଟ ମୂର୍ତ୍ତି ତିଆରି କରିପାରିବେ ।

ତେବେ ଏ ନେଇ ସେ ପୂଜା ବିଧି ଓ ମୂର୍ତ୍ତି ନିର୍ମାଣ ସମ୍ପର୍କରେ ଗଭୀର ଜ୍ଞାନ ରଖିଥିବା କଟକର ତିନି ଜଣ ବ୍ୟକ୍ତିଙ୍କ ସହିତ – ଅଭିଜ୍ଞ ମୂର୍ତ୍ତିକାରୀଗର ପ୍ରଦୀପ ବେହେରା, ଚହଟାନଗରର ବରିଷ୍ଠ ପୂଜକ ରାଜକିଶୋର ଶତପଥୀ ଓ କଟକ ଚଣ୍ଡୀଙ୍କ ମନ୍ଦିରର ପ୍ରମୁଖ ପୂଜକ ମନୋଜ ପଣ୍ଡା – ବିଚାରବିମର୍ଶ କରିଥିବା କଥା ମଧ୍ୟ ପୋଲିସ କମିଶନର ନିଜ ନିର୍ଦ୍ଦେଶମାନାରେ ଉଲ୍ଲେଖ କରିଛନ୍ତି । ଏହି ନିର୍ଦ୍ଦେଶନାମାକୁ ଏକ ଷ୍ଟାଟସ୍‌ ରିପୋର୍ଟ ଆକାରରେ ଆଡଭୋକେଟ ଜେନେରାଲଙ୍କ ଜରିଆରେ ସେ କୋର୍ଟରେ ଦାଖଲ କରାଯିବ ବୋଲି ମଧ୍ୟ ଉଲ୍ଲେଖ କରିଛନ୍ତି ।

ମା’ କଟକ ଚଣ୍ଡୀ ମନ୍ଦିରର ପ୍ରମୁଖ ପୂଜାକ ମନୋଜ ପଣ୍ଡା


ପୋଲିସ କମିଶନରଙ୍କ ନିର୍ଦ୍ଦେଶନାମାରେ ଥିବା ଏହି ଶେଷ କେଇ ପଦ କଥା ଏହି ନୂଆ ବିବାଦକୁ ଜନ୍ମ ଦେଇଛି । ମୂର୍ତ୍ତି କାରୀଗର ପ୍ରଦୀପ ବେହେରା, ଚହଟାନଗରର ବରିଷ୍ଠ ପୂଜକ ରାଜକିଶୋର ଶତପଥୀ ଓ କଟକ ଚଣ୍ଡୀଙ୍କ ମନ୍ଦିରର ପ୍ରମୁଖ ପୂଜକ ମନୋଜ ପଣ୍ଡା ପୋଲିସ କମିଶନରଙ୍କ ଏହି ନିର୍ଦ୍ଦେଶନାମାରେ ସେମାନଙ୍କ ନାମ ଉଲ୍ଲେଖ ରହିବା ଜାଣି ତାଜୁବ ହୋଇଛନ୍ତି । ସେମାନଙ୍କ ସହିତ ନା ପୋଲିସ କମିଶନର ନା ପୋଲିସ ତରଫରୁ ଅନ୍ୟ କେହି ମୂର୍ତ୍ତି ବା ପୂଜାକୁ ନେଇ କୌଣସି ଆଲୋଚନା କରି ନ ଥିବା ସେମାନେ କହିଛନ୍ତି ।

ବାଲୁବଜାର ପୂଜା କମିଟିର ସଭାପତି ସୂର୍ଯ୍ୟକାନ୍ତ ସାଙ୍ଗନାରିୟା


“ମୁଁ ଆଜ୍ଞା ଚଣ୍ଡୀ ମନ୍ଦୀରର ପୂଜକ । ମୋ’ ମନ୍ଦିର ପୂଜାକୁ ନେଇ ମୁଁ କିଛି କହି ପାରିବି । ମଣ୍ଡପ ପୂଜା ବାବଦରେ ମୋ’ର ଜ୍ଞାନ ନାହିଁ । ତେଣୁ ମୋ’ ନାଁ ପୋଲିସ କମିଶନରଙ୍କ ନିର୍ଦ୍ଦେଶନାମାରେ ଆସିଥିବା ଜାଣି ମୁଁ ଆଶ୍ଚର୍ଯ୍ୟ ହୋଇଛି । ମୋତେ କେହି ବି ଏହି ବିଷୟରେ ପଚାରି ନାହାଁନ୍ତି କି ମୋ ସହିତ ଆଲୋଚନା ବି କରି ନାହାଁନ୍ତି,’’ କହିଛନ୍ତି ମନୋଜ ପଣ୍ଡା ।

ଏହା ବି ପଢ଼ନ୍ତୁ | Gold Silver Price: ୨ ଦିନ ପରେ ପୁଣି ବଢ଼ିଲା ସୁନାର ଦାମ୍; ରୂପା ବି ମହଙ୍ଗା ହେଲା; ଜାଣନ୍ତୁ ଦାମ୍

ଏହା ବି ପଢ଼ନ୍ତୁ | କରୋନାରୁ ସୁସ୍ଥ ହେବା ପରେ କେମିତି ଅନୁଭବ ହୁଏ? ଅନେକ ଦିନ ଯାଏଁ ଅନବରତ ଥକାପଣ

କଟକର ମୂର୍ତ୍ତି କାରୀଗର ପ୍ରଦୀପ ବେହେରା କହିଛନ୍ତି, ‘‘ମୋତେ ତ କେହି ଏ ବିଷୟରେ ପଚାରି ନାହାଁନ୍ତି । ମୋ’ ନାଁ କେମିତି ସେଥିରେ ଆସିଲା ସେଇଟା ମୁଁ ଜାଣି ପାରୁନାହିଁ । ତା’ ପରେ ମୂର୍ତ୍ତି ଥରେ ତିଆରି ହେବା ପରେ ତାକୁ ଆଉ ଭଙ୍ଗା ଯିବାର ପରମ୍ପରା ନାହିଁ ।’’



“ଆମ ମଣ୍ଡପରେ ବଙ୍ଗୀୟ ମତ ଅନୁସାରେ ପୂଜା କରାଯାଏ । ଦୁର୍ଗା ପୂଜାର ପରମ୍ପରା ବିଷୟରେ ଯଦି ପଚାରିବାର ଥିଲା ତେବେ ପୋଲିସ କମିସନର ମହୋଦୟ ପୁରୀ ମୁକ୍ତିମଣ୍ଡପର ପଣ୍ଡିତମାନଙ୍କ ପରାମର୍ଶ ନେଇ ପାରିଥାନ୍ତେ । ନିଜ କଥାକୁ ମନାଇବା ପାଇଁ ମିଛରେ କାହିଁକି କାହା ନାଁ ନେଉଛନ୍ତି? ଆମେ ଆମ ମଣ୍ଡପରେ ଏହି ବଡ଼ ମୂର୍ତ୍ତି କରିବୁ । ଏହି ମୂର୍ତ୍ତିକୁ ଭାଙ୍ଗିବାକୁ ଦେବୁ ନାହିଁ । ପୋଲିସ କମିଶନରଙ୍କ ଏହି ଅର୍ଡରକୁ ଆମେ ହାଇ କୋର୍ଟରେ ଚାଲେଞ୍ଜ କରିବୁ,” କହିଛନ୍ତି ବାଲୁବଜାର ପୂଜା କମିଟିର ସଭାପତି ସୂର୍ଯ୍ୟକାନ୍ତ ସାଙ୍ଗନାରିୟା ।
Published by: Anand Shankar Thankur Das
First published: September 18, 2020, 11:16 PM IST
corona virus btn
corona virus btn
Loading