ଏଇ ରବିବାର ରାତି ୯ଟାରେ କରୋନା ବିରୋଧରେ ନିଜ ଘରେ ରହି ଦୀପ ଜଳାନ୍ତୁ: ପ୍ରଧାନ ମନ୍ତ୍ରୀ ମୋଦି

ମୋଦି କହିଛନ୍ତି ଯେ ଏହି ସଙ୍କଟ ସମୟରେ ଦେଶର କୌଣସି ନାଗରିକ ଏକା ନାହାନ୍ତି । ୧୩୦ କୋଟି ଦେଶବାସୀଙ୍କୁ ମିଳି ମିଶି ଦେଶର ମହା ଶକ୍ତିର ପରିଚୟ ଦେଇ କରୋନା ବିରୋଧରେ ଲଢ଼ିବାକୁ ସେ ଆହ୍ୱାନ ଦେଇଛନ୍ତି ।

ଏଇ ରବିବାର ରାତି ୯ଟାରେ କରୋନା ବିରୋଧରେ ନିଜ ଘରେ ରହି ଦୀପ ଜଳାନ୍ତୁ: ପ୍ରଧାନ ମନ୍ତ୍ରୀ ମୋଦି
ମୋଦି ଦେଶକୁ ସମ୍ବୋଧିତ କରୁଛନ୍ତି ।
  • News18 Odia
  • Last Updated: April 3, 2020, 10:27 AM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ନୂଆ ଦିଲ୍ଲୀ: ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶରେ କରୋନା ଭାଇରସ୍‌ ସଙ୍କଟକୁ ପ୍ରତିହତ କରିବା ପାଇଁ ଦେଶବାସୀଙ୍କ ଦୃଢ଼ ମନୋବଳକୁ ସାଧୁବାଦ ଦେଇଛନ୍ତି ଓ ଏହାକୁ ଆହୁରି ବଢ଼େଇବା ପାଇଁ ଆଉ ଏକ ରାଷ୍ଟ୍ରୀୟ କାର୍ଯ୍ୟକ୍ରମର ଆହ୍ୱାନ ଦେଇଛନ୍ତି । ଆଗାମୀ ରବିବାର ଏପ୍ରିଲ ୯ ତାରିଖ ରାତି ୯ଟା ବେଳେ ନଅ ମିନିଟ୍‌ ପାଇଁ ନିଜ ଘରେ ରହି ସବୁ ଆଲୁଅ ଲିଭାଇ କେବଳ ଦୀପ ବା ମହମ ବତୀ ଜଳେଇ ରଖିବା ପାଇଁ ସେ ଦେଶବାସୀଙ୍କୁ ଆହ୍ୱାନ ଦେଇଛନ୍ତି ।

‘‘ନିଜ ଘରେ ରହି, ନିଜ ଘରର ବାଲକୋନୀରେ ବା ଦ୍ୱାର ମୁହଁରେ ଛିଆ ହୋଇ, ଆପଣ ଦୟା କରି ଦୀପ ବା ମହମ ବତୀ ନଅ ମିନିଟ୍‌ ପାଇଁ ଜଳେଇ ରଖନ୍ତୁ । ଯଦି ପାଖରେ ଦୀପ ନାହିଁ, ତାହେଲେ ନିଜ ମୋବାଇଲ୍‌ ଫୋନର ଟର୍ଚ୍ଚ ଲାଇଟ୍‌ ଜଳେଇ ଦଶ ମିନିଟ୍‌ ରୁହନ୍ତୁ । କରୋନା ବାରୋଧରେ ଆମେ ସାରା ଦେଶ ଏକଜୁଟ ଅଛୁ ବୋଲି ବାର୍ତ୍ତା ଦିଅନ୍ତୁ । ମନେ ରଖନ୍ତୁ ନିଜ ଘରେ ରହି ଏହି କାର୍ଯ୍ୟକ୍ରମ କରିବାର ଅଛି, ଆଉ ସାମାଜିକ ଦୂରତା ପାଳନ କରି ଏହା କରିବାର ଅଛି,’’ ଦେଶ ଉଦ୍ଦେଶ୍ୟରେ ନିଜର ଏକ ଛୋଟ ଭିଡିଏ ବାର୍ତ୍ତାରେ ଶୁକ୍ରବାର ସକାଳେ କହିଛନ୍ତି ମୋଦି ।

ପ୍ରଧାନ ମନ୍ତ୍ରୀ କହିଛନ୍ତି ଯେ ସରକାର, ପ୍ରଶାସନ ଓ ଲୋକେ ଲକଡାଉନକୁ ସଫଳ କରିବା ପାଇଁ ବହୁତ ପରିଶ୍ରମ କରିଛନ୍ତି । ‘‘ଆମେ କରୁଥିବା କାର୍ଯ୍ୟ ଅନେକ ଦେଶ ପାଇଁ ଏକ ଉଦାହରଣ ପାଲଟିଛି, ଆଉ ଅନେକ ଦେଶ ଏଥି ପାଇଁ ଆମକୁ କୃତଜ୍ଞତା ଜଣାଉଛନ୍ତି । କରୋନା ବିଶ୍ୱ ମହାମାରୀ ସମୟରେ ଦେଶବ୍ୟାପୀ ଲକଡାଉନର ଆଜି ନଅ ଦିନ ପୂରୁଛି । ଏହି ସମୟ ମଧ୍ୟରେ ଆପଣ ସମସ୍ତେ ଉଭୟ ଅନୁଶାସନ ଓ ସେବା ଭାବର ଅଭୂତପୂର୍ବ ପରିଚୟ ଦେଇଛନ୍ତି । ଏହି ପରିସ୍ଥିତିକୁ ପ୍ରଶାସନ ଓ ଲୋକେ ଭଲ ଭାବରେ ପରିଚାଳିତ କରିଛନ୍ତି,’’ କହିଛନ୍ତି ମୋଦି ।

‘‘ଆପଣମାନେ ଯେମିତି ମାର୍ଚ୍ଚ ୨୨ ତାରିଖ ଦିନ କରୋନା ବିରୋଧରେ ଲଢ଼ୁଥିବା ପ୍ରତି ବ୍ୟକ୍ତିକୁ ଧନ୍ୟବାଦ ଦେଲେ, ତାହା ଆଜି ସବୁ ଦେଶର ଲୋକଙ୍କ ପାଇଁ ଏକ ଉଦାହରଣ ହୋଇ ରହିଛି । ଜନତା ଜନାର୍ଦ୍ଦନକୁ ଭଗବାନଙ୍କର ରୂପ ବୋଲି ବିଶ୍ୱାସ କରାଯାଏ । ତେଣୁ ଏବେ ଯେତେବେଳେ ଦେଶ ଏତେ ବଡ଼ ଯୁଦ୍ଧ ଲଢ଼ୁଛି, ସେହି ଯୁଦ୍ଧ ସମୟରେ କ୍ରମାଗତ ଜନତା ରୂପୀ ମହା ଶକ୍ତିର ପରିଚୟ ଦେବା ଉଚିତ୍,’’ କହିଛନ୍ତି ମୋଦି ।

ପ୍ରଧାନ ମନ୍ତ୍ରୀ କହିଛନ୍ତି ଯେତେବେଳେ ୧୩୦ କୋଟି ଭାରତୀୟ ଦୀପ ଜଳେଇବେ ସେହି ଆଲୋକର ଶକ୍ତିରୁ ଅନୁଭବ ହେବ ଯେ ଆମେ ସମସ୍ତେ ସମାନ ଉଦ୍ଦେଶ୍ୟରେ ଲଢ଼ୁଛୁ । ଆମେ ସମସ୍ତେ ମିଶି କରୋନା ସଙ୍କଟର ଅନ୍ଧକାରକୁ ଚ୍ୟାଲେଞ୍ଜ୍‌ କରିବା । ତା’ ସହ ଆଲୋକର ଶକ୍ତିର ପରିଚୟ କରେଇବା । ଏହି ଏପ୍ରିଲ ୫ ତାରିଖ ଆମେ ଦେଶର ୧୩୦ କୋଟି ଲୋକଙ୍କ ମହା ଶକ୍ତିର ଜାଗରଣ କରିବା । ୧୩୦ କୋଟି ଦେଶବାସୀଙ୍କ ମହା ସଙ୍କଳ୍ପକୁ ନୂଆ ଉଚ୍ଚତାକୁ ନେଇଯିବା,’’ ସେ କହିଛନ୍ତି ।

‘‘ସେହି ଆଲୋକରେ ଆସନ୍ତୁ ଆମେ ନିଜ ମନରେ ସଙ୍କଳ୍ପ ନେବା ଯେ ଆମେ ଏକା ନୁହଁ, ଦେଶରେ କେହି ଏକା ନୁହଁନ୍ତି । ପ୍ରତି ଭାରତୀୟ ସହିତ ଅଛି ଦେଶର ୧୩୦ କୋଟି ଲୋକଙ୍କ ସଦଭାବନା ଓ ସାହସ । ଆମେ ମିଳି ମିଶି କରୋନାର ଏହି ସଙ୍କଟରୁ ଦେଶକୁ ମୁକ୍ତି ଦେବା,’’ କହିଛନ୍ତି ମୋଦି ।
First published: April 3, 2020, 10:27 AM IST
corona virus btn
corona virus btn
Loading