କରୋନା ଯୋଗୁଁ ପ୍ରଧାନ ମନ୍ତ୍ରୀଙ୍କ ଅନୁରୋଧ: ‘ଯିଏ ଯେଉଁ ସହରରେ ଅଛ ସେଠି କିଛି ଦିନ ରୁହ’

ରେଳ ଷ୍ଟେସନ ଓ ବସ୍ ଷ୍ଟାଣ୍ଡରେ ଭିଡ଼ ବଢ଼େଇ ଆମେ ନିଜ ସ୍ୱାସ୍ଥ୍ୟ ପ୍ରତି ବିପଦ ଆଣୁଛୁ ଓ କରୋନା ଭାଇରସକୁ ବି ବ୍ୟାପିବାରେ ସାହାଯ୍ୟ କରୁଛୁ ବୋଲି କହିଛନ୍ତି ମୋଦି ।

କରୋନା ଯୋଗୁଁ ପ୍ରଧାନ ମନ୍ତ୍ରୀଙ୍କ ଅନୁରୋଧ: ‘ଯିଏ ଯେଉଁ ସହରରେ ଅଛ ସେଠି କିଛି ଦିନ ରୁହ’
ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି
  • News18 Odia
  • Last Updated: March 21, 2020, 10:47 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: କରୋନା ଭାଇରସ୍‌ ବିରୁଦ୍ଧରେ ଦେଶବ୍ୟାପୀ ‘ଜନତା କର୍ଫ୍ୟୁ’ ଆରମ୍ଭ ହେବାର କିଛି ଘଣ୍ଟା ପୂର୍ବରୁ ଦେଶବାସୀଙ୍କ ଉଦ୍ଦେଶ୍ୟରେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ୱିଟ କରି ଲୋକଙ୍କୁ ଅନୁରୋଧ କରିଛନ୍ତି ଯେ ସେମାନେ ଯେଉଁ ସହରରେ ଅଛନ୍ତି ସେଠାରେ କିଛି ଦିନ ରୁହନ୍ତୁ । ଏହା କଲେ ଆମେ ସମସ୍ତେ ଏହି ରୋଗକୁ ବ୍ୟାପିବାରେ ରୋକିପାରିବା ବୋଲି ସେ କହିଛନ୍ତି ।

‘‘କରୋନାକୁ ଭୟ କରି ମୋ’ର ଅନେକ ଭାଇ ଓ ଭଉଣୀ ଯେଉଁ ସହରରେ ରହି ଅନ୍ନ ରୋଜଗାର କରୁଛନ୍ତି ସେହି ସହର ଛାଡି ନିଜ ଗାଁକୁ ଫେରିଯାଉଛନ୍ତି । ଭିଡ଼ ଭିତରେ ଯାତ୍ରା କରିବା ଦ୍ୱାରା ଏହାର (କରୋନା ଭାଇରସର) ବିସ୍ତାର ହେବାର ଆଶଙ୍କା ବିପଦ ବଢ଼ିଥାଏ । ଆପଣ ଯେଉଁଠିକି ଯାଉଛନ୍ତି ସେଠି ବି ଏହା ମଧ୍ୟ ଲୋକଙ୍କ ପାଇଁ ବିପଦ ସୃଷ୍ଟି କରିବ । ଆପଣଙ୍କ ଗାଁ ଓ ପରିବାର ପାଇଁ ଅସୁବିଧା ବଢ଼େଇବ,’’ ନିଜ ଟ୍ୱିଟରେ ଲେଖିଛନ୍ତି ମୋଦି ।

ସେ ଆହୁରି ଲେଖିଛନ୍ତି: ‘‘ମୋ’ର ସମସ୍ତଙ୍କୁ ଅନୁରୋଧ ଯେ ଆପଣ ଯେଉଁ ସହରରେ ଅଛନ୍ତି, ଦୟାକରି କିଛି ଦିନ ସେଇଠି ରୁହନ୍ତୁ । ଏହା ଦ୍ୱାରା ଆମେ ସମସ୍ତସ୍ତେ ମିଶି ଏହି ରୋଗକୁ ବ୍ୟାପିବାରୁ ରୋକିପାରିବା । ରେଳ ଷ୍ଟେସନ ଓ ବସ୍ ଷ୍ଟାଣ୍ଡରେ ଭିଡ଼ ବଢ଼େଇ ଆମେ ନିଜ ସ୍ୱାସ୍ଥ୍ୟ ପ୍ରତି ବିପଦ ଆଣୁଛୁ । ଦୟାକରି ନିଜ ଓ ନିଜ ପରିବାର ବିଷୟରେ ଚିନ୍ତା କରନ୍ତୁ । ଆବଶ୍ୟକ ନ ହେଲେ ଘରୁ ବାହାରକୁ ଯାଆନ୍ତୁ ନାହିଁ ।’’

ଦେଶର ସବୁ ନାଗରିଙ୍କୁ ରବିବାର ସକାଳ ୭ଟାରୁ ରାତି ୯ଟା ପର୍ଯ୍ୟନ୍ତ ନିଜ ଘରେ ରହି କରୋନା ଭାଇରସ ବିରୋଧରେ ଏକଜୁଟତା ଦେଖାଇବା ଓ ଏହି ରୋଗକୁ ବ୍ୟାପିବାରୁ ରୋକିବାରେ ସାହାଯ୍ୟ କରିବାକୁ ମୋଦି ଆହ୍ୱାନ କରିଛନ୍ତି । ତାଙ୍କ ଅନୁରୋଧ ମାନି ଦେଶର ସବୁ ରାଜ୍ୟ ଏହି ‘ଜନତା କର୍ଫ୍ୟୁ’ ପାଳନ କରିବାକୁ ଯାଉଛି । ଏହି ଆହ୍ୱାନକୁ ସବୁ ରାଜନୈତିକ ଦଳ ସମର୍ଥନ କରିଛନ୍ତି । ଓଡ଼ିଶାର ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଲୋକଙ୍କୁ ଏହା ମାନିବାକୁ ଅନୁରୋଧ କରିଛନ୍ତି ।

 

ଓଡ଼ିଶାରେ ଅନେକ ସ୍ଥାନରେ ଲକ୍‌ଡାଉନ ନିର୍ଦ୍ଦେଶ ଦେଇଛନ୍ତି ନବୀନ ପଟ୍ଟନାୟକ । ରବିବାର (ମାର୍ଚ୍ଚ ୨୨) ସକାଳ ୭ଟାରୁ ମାର୍ଚ୍ଚ ୨୯ ରାତି ୯ଟା ଯାଏ ବନ୍ଦ ରହିବ ପାଞ୍ଚଟି ଜିଲ୍ଲା ଓ ଆଠଟି ସହର । ଏହି ପାଞ୍ଚଟି ଜିଲ୍ଲା ହେଉଛି ଖୋର୍ଦ୍ଧା, କଟକ, ଗଞ୍ଜାମ, କେନ୍ଦ୍ରାପଡ଼ା ଓ ଅନୁଗୁଳ । ଆଠଟି ସହର ହେଉଛି ପୁରୀ, ରାଉରକେଲା, ସମ୍ବଲପୁର, ଝାରସୁଗୁଡ଼ା, ବାଲେଶ୍ବର, ଯାଜପୁର ରୋଡ୍‌, ଯାଜପୁର ଟାଉନ ଓ ଭଦ୍ରକ ।

 

ରାଜ୍ୟ ରାଜଧାନୀ ବାଦ୍‌ ରାଜ୍ୟର ୪୦ ପ୍ରତିଶତ ଅଞ୍ଚଳ ଲକ୍‌ଡାଉନ ହେବ । ଘରୋଇ କମ୍ପାନୀର କର୍ମଚାରୀଙ୍କୁ ଘରେ ଥାଇ କାମ କରିବାକୁ ପରାମର୍ଶ ଦିଆଯାଇଥି ବେଳେ ନିହାତି ଦରକାର ହେଲେ ଜିଲ୍ଲାପାଳଙ୍କ ଅନୁମତି ନେବାକୁ ପଡ଼ିବ ବୋଲି କହିଛନ୍ତିରାଜ୍ୟ ସରକାର । ଅସ୍ଥାୟୀ ଭାବେ ସେବା ନ ଯୋଗାଇଲେ ବି ବନ୍ଦ ହେବନି ଦରମା । ନିହାତି ଦରକାର ନ ଥିଲେ ବାହାରକୁ ନ ଯିବାକୁ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ନିୟମ ଉଲ୍ଲଙ୍ଘନକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମଧ୍ୟ ସେ ଚେତାବନୀ ଦେଇଛନ୍ତି ।
First published: March 21, 2020, 10:47 PM IST