କରୋନା: ଲକଡାଉନ୍ ବଢ଼ିବ କି? ଆଜି ସକାଳ ୧୦ଟାରେ ପ୍ରଧାନ ମନ୍ତ୍ରୀ ଦେଶକୁ ସମ୍ବୋଧିତ କରିବେ

ଦେଶରେ କରୋନା ଭାଇରସର ସଂହାର ଲୀଳା ଜାରିଥିବାରୁ ଲକଡାଉନର ଅବଧି ବଢ଼ାଇବା ଓ ଏହି ମହାମାରୀ ରୋକିବା ପାଇଁ ସରକାର କରୁଥିବା ଯୋଜନା ବିଷୟରେ ଦେଶବାସୀଙ୍କୁ କହିବେ ମୋଦି ।

କରୋନା: ଲକଡାଉନ୍ ବଢ଼ିବ କି? ଆଜି ସକାଳ ୧୦ଟାରେ ପ୍ରଧାନ ମନ୍ତ୍ରୀ ଦେଶକୁ ସମ୍ବୋଧିତ କରିବେ
ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି (ଫାଇଲ୍ ଫଟୋ)
  • News18 Odia
  • Last Updated: April 14, 2020, 1:56 AM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ନୂଆ ଦିଲ୍ଲୀ: ଭାରତରେ ଦିନକୁ ଦିନ କରୋନା ଭୂତାଣୁରେ ସଂକ୍ରମିତ ଲୋକଙ୍କ ସଂଖ୍ୟା ଓ ତାହା ଯୋଗୁଁ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଉଥିବାରୁ ସଂକ୍ରମଣର ବିସ୍ତାରକୁ ରୋକିବା ପାଇଁ ଦେଶରେ ଜାରି ଥିବା ୨୧-ଦିନିଆ ଲକଡାଉନକୁ ଏପ୍ରିଲ ୧୪ରେ ସରିବା କଥା, କିନ୍ତୁ ଏହାକୁ ଆଗକୁ ବଢ଼େଇବା ଏକ ପ୍ରକାର ନିଶ୍ଚିତ ଲାଗୁଛି । ଏ ବିଷୟରେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି (ମଙ୍ଗଳବାର) ସକାଳ ୧୦ଟାରେ ପୁଣି ଥରେ ଦେଶକୁ ସମ୍ବୋଧିତ କରିବେ ।

ଏହି କଥା ପ୍ରଧାନ ମନ୍ତ୍ରୀ ନିଜେ ଟୁଇଟ୍ କରି ସୂଚନା ଦେଇଛନ୍ତି ।



ଶନିବାର ଦିନ ଦେଶର କରୋନା ଭାଇରସ୍‌ ମୁକାବିଲା ବିଷୟରେ ସବୁ ରାଜ୍ୟର ମୁଖ୍ୟ ମନ୍ତ୍ରୀମାନଙ୍କ ସହିତ ଭିଡିଓ କନଫେରେନସିଂ ଜରିଆରେ କଥା ହୋଇଥିଲେ ପ୍ରଧାନ ମନ୍ତ୍ରୀ । ଏହି ବୈଠକରେ ମୋଦି ଲକଡାଉନର ଅବଧି ବଢ଼େଇବା ବିଷୟରେ ସବୁ ରାଜ୍ୟର ମୁଖ୍ୟ ମନ୍ତ୍ରୀମାନଙ୍କ ପରାମର୍ଶ ମାଗିଥିଲେ । ତା’ ପରେ ମୋଦି କହିଥିଲେ ଯେ କେନ୍ଦ୍ର ଓ ରାଜ୍ୟ ମିଶି କାମ କରିବାର ଆବଶ୍ୟକତା ରହିଛି ଓ ମୁଖ୍ୟ ମନ୍ତ୍ରୀମାନେ ଦେଇଥିବା ପରାମର୍ଶକୁ ବିଚାରକୁ ନିଆଯିବ ।

ବରିଷ୍ଠ ସରକାରୀ ସୂତ୍ରଙ୍କ ଅନୁସାରେ ଏପ୍ରିଲ୍‌ ୧୪  ପରେ ସମଗ୍ର ଭାରତରେ ହଟସ୍ପଟ୍ ଭାବରେ ଚିହ୍ନଟ ହୋଇଥିବା ଜିଲ୍ଲାଗୁଡିକରେ ଅଧିକ କଡ଼ାକଡ଼ି ଭାବେ ଲକଡାଉନକୁ ପାଳନ କରାଯିବାକୁ ଯୋଜନା ହେଉଛି, ଆଉ ସୁରକ୍ଷିତ ଜିଲ୍ଲା ତଥା ରାଜ୍ୟମାନଙ୍କୁ କିଛି ଆରାମ ପାଇଁ ଅନୁମତି ଦିଆଯିବ, ହେଲେ ସମସ୍ତ ଆନ୍ତର୍ଜାତୀୟ ସ୍ୱାସ୍ଥ୍ୟ ପ୍ରୋଟୋକଲ୍ ପାଳନ କରାଯିବ ।

ଦେଶରେ କରୋନା ଭାଇରସର ସଂହାର ଲୀଳା ଜାରି ରହିଛି । ଏବେ ସୁଦ୍ଧା ଦେଶରେ ଏବି ଭୂତାଣୁର ସଂକ୍ରମଣ ଯୋଗୁଁ ହୋଇଥିବା ମୃତ୍ୟୁ ସଂଖ୍ୟା ୩୦୮ରେ ପହଞ୍ଚିଛି । କେବଳ ଗତ ୨୪ ଘଣ୍ଟାରେ ୩୫ ଜଣ ଲୋକଙ୍କ ମୃତ୍ୟୁ ହୋଇଛି । ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୯,୧୫୧ରେ ପହଞ୍ଚିଛି ।

ଏହି ବିଭିଷିକା ମଧ୍ୟରେ ଦେଶରେ ବର୍ତ୍ତମାନ ସୁଦ୍ଧା ସୁସ୍ଥ ହୋଇ ଘରକୁ ଫେରିଛନ୍ତି ୮୫୭ ଜଣ କରୋନା ଆକ୍ରାନ୍ତ । ସ୍ୱାସ୍ଥ୍ୟ ମନ୍ତ୍ରାଳୟର ସୂଚନା ଅନୁସାରେ ଦେଶର ୩୦୦ଟି ଜିଲ୍ଲା କରୋନା ଭାଇରସରେ ସଂକ୍ରମିତ ହୋଇଛି । ସେଥିରୁ ୧୪୦ ଜିଲ୍ଲା ହଟ୍‌ ସ୍ପଟ୍‌ ଭାବେ ଚିହ୍ନଟ ହୋଇଛି । ୬୦ଟି ଜିଲ୍ଲାରେ ୧୫ରୁ ଅଧିକ ମାମଲା ଆସିଛି । ସେହିପରି ୮୦ ଜିଲ୍ଲାରେ ୧୫ରୁ କମ୍ ମାମଲା ଆସିଛି ।

କେବଳ ମହାରାଷ୍ଟ୍ରରେ କୋଭିଡ-୧୯ ଏ ପର୍ଯ୍ୟନ୍ତ ନେଲାଣି ୧୪୯ ଜଣଙ୍କ ଜୀବନ । ଏହି ପଶ୍ଚିମୀ ରାଜ୍ୟରେ ସର୍ବାଧିକ ୧,୯୫୮ ଜଣ କରୋନା ସଂକ୍ରମିତ ହୋଇଛନ୍ତି । ମୁମ୍ବାଇ ସମେତ ରାଜ୍ୟରେ ଆଠଟି ଜିଲ୍ଲା ବିଶେଷ ପ୍ରଭାବିତ ହୋଇଛି । ଦ୍ବିତୀୟ ସର୍ବାଧିକ କରୋନା ସଂକ୍ରମିତ ରାଜ୍ୟ ହେଉଛି ଦିଲ୍ଲୀ । ଏଠାରେ ପଜିଟିଭଙ୍କ ସଂଖ୍ୟା ୧,୧୫୪ ହୋଇଥିବା ବେଳେ ୨୪ ଜଣ ପ୍ରାଣ ହରାଇଛନ୍ତି । ରାଜଧାନୀରେ ହଟ୍ ସ୍ପଟ ଅଞ୍ଚଳଗୁଡ଼ିକୁ ସିଲ୍ କରାଯାଇଛି । ଦିଲ୍ଲୀର ମାକ୍ସ ହସପିଟାଲ ସମେତ ବିଭିନ୍ନ ହସପିଟାଲରେ ୧୫୦ରୁ ଅଧିକ ଲୋକଙ୍କୁ ସେଲଫ-କ୍ବାରେଣ୍ଟାଇନରେ ରଖାଯାଇଛି ।

ତାମିଲ ନାଡୁରେ କୋଭିଡ-୧୯ ଆକ୍ରାନ୍ତଙ୍କ ସଂଖ୍ୟା ହଜାରେ ଉପରେ ପହଞ୍ଚିଛି । ଏଠାରେ କରୋନା ପଜିଟିଭଙ୍କ ସଂଖ୍ୟା ୧,୦୭୫ ହୋଇଥିବା ବେଳେ ୧୧ ଜଣଙ୍କ ମୃତ୍ୟୁ ହୋଇଛି । ମଧ୍ୟ ପ୍ରଦେଶରେ ୩୬ ଜଣ ଓ ଗୁଜରାଟରେ ୨୫ ଜଣଙ୍କ ଜୀବନ ନେଇଛି ମହାମାରୀ କରୋନା । ରାଜସ୍ଥାନ, ତେଲେଙ୍ଗାନା ଓ ଆନ୍ଧ୍ର ପ୍ରଦେଶ ସମେତ କେତେକ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୦୦ ଉପରେ ରହିଛି ।
First published: April 14, 2020, 1:56 AM IST
corona virus btn
corona virus btn
Loading