News18 Odia Digital
ନୂଆ ଦିଲ୍ଲୀ: ଦେଶରେ କରୋନା ଭାଇରସ୍ ସଂକ୍ରମଣର ବଢ଼ୁଥିବା ସଙ୍କଟ ମଧ୍ୟରେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ସମ୍ବୋଧିତ କରି ଘୋଷଣା କରିଛନ୍ତି ଯେ ପ୍ରଧାନ ମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା (PM Gareeb Kalyan Yojana) ଅଧୀନରେ ଗରିବ ଲୋକଙ୍କୁ ମିଳୁଥିବା ମାଗଣା ରେସନ ଯୋଜନା ପାଞ୍ଚ ମାସ ପାଇଁ ବୃଦ୍ଧି କରାଯାଇଛି । ଏବେ ଏହି ଯୋଜନା ଦେଶରେ ନଭେମ୍ବର ମାସ ପର୍ଯ୍ୟନ୍ତ ଜାରି ରହିବ।
ଏହି ଯୋଜନା ଅନୁସାରେ ଗରିବ ଲୋକଙ୍କୁ ପାଞ୍ଚ କିଲୋଗ୍ରାମ ମାଗଣା ଗହମ ବା ଚାଉଳ ଏବଂ ଏକ କିଲୋଗ୍ରାମ ଚଣା ଦିଆଯିବ। ନଭେମ୍ବର ମାସ ପର୍ଯ୍ୟନ୍ତ ଏହି ଯୋଜନା କାର୍ଯ୍ୟକାରୀ କରିବାରେ ୯୦ ହଜାର କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ପ୍ରଧାନ ମନ୍ତ୍ରୀ କହିଛନ୍ତି । ସେ ଏହା ମଧ୍ୟ କହିଛନ୍ତି ଯେ ଏହି ଯୋଜନା ଆରମ୍ଭ ହେବା ପର ଠାରୁ ନଭେମ୍ବର ପର୍ଯ୍ୟନ୍ତ ଏଥିରେ ଦେଢ଼ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ ହେବ।
‘‘କରୋନା ସହିତ ଆମେ ଏଭଳି ଋତୁ ଆଡକୁ ବି ଗତି କରୁଛୁ ଯେତେବେଳେ ବିଭିନ୍ନ ପ୍ରକାର ରୋଗ ହୁଏ । ଏପରି ପରିସ୍ଥିତିରେ ସମସ୍ତେ ନିଜ ନିଜର ଯତ୍ନ ନେବା ଆବଶ୍ୟକ । ମୁଁ ନମ୍ରତାର ସହିତ ଅନୁରୋଧ କରୁଛି ଯେ ଆପଣ ନିଜର ଧ୍ୟାନ ରଖନ୍ତୁ,’’ କହିଛନ୍ତି ମୋଦି ।

ଦେଶରେ କରୋନା ସଂକ୍ରମଣ ବଢ଼ି ବଢ଼ି ଚାଲିଛି ।
‘‘ଅନଲକ୍ ଆରମ୍ଭ ହେବା ପର ଠାରୁ ଅବହେଳା ବୃଦ୍ଧି ପାଉଛି । ପ୍ରଥମେ ଆମେ ମାସ୍କ ପିନ୍ଧିବା, ଦୁଇ ଗଜ ଦୂରତା ରଖିବା ଏବଂ ହାତ ଧୋଇବା ଉପରେ ସଚେତନ ଥିଲୁ, କିନ୍ତୁ ଯେତେବେଳେ ଆମକୁ ଅଧିକ ଯତ୍ନ ନେବା ଉଚିତ ଆମେ ସେତେବେଳେ ଅସାବଧାନତା ଅବଲମ୍ବନ କରୁଛୁ । ଆମକୁ ପୁଣି ପୂର୍ବ ପରି ସଚେତନତା ଦେଖାଇବାକୁ ପଡିବ, ବିଶେଷତଃ କଣ୍ଟେନମେଣ୍ଟ ଜୋନରେ । ନିୟମ ପାଳନ କରୁ ନ ଥିବା ଲୋକଙ୍କୁ ଆମକୁ କୋରିବାକୁ ହେବ ଓ ବୁଝାଇବାକୁ ହେବ,’’ ସେ କହିଛନ୍ତି ।
ପ୍ରଧାନ ମନ୍ତ୍ରୀ ମୋଦି କହିଛନ୍ତି ଯେ ଦେଶରେ ସ୍ଥାନୀୟ ପ୍ରଶାସନକୁ ବୁଦ୍ଧିର ସହ କାର୍ଯ୍ୟ କରିବାକୁ ପଡ଼ିବ, ଯାହା ଦ୍ୱାରା ଲୋକେ କରୋନା ନିୟମକୁ ଅବହେଳା କରିବେ ନାହିଁ । ‘‘ଭାରତରେ କେହି ଗାଁର ମୁଖ୍ୟ ହେଉ ବା ଦେଶର ପ୍ରଧାନ ମନ୍ତ୍ରୀ, କେହି ନିୟମର ଉର୍ଦ୍ଧ୍ୱରେ କେହି ନୁହଁନ୍ତି,’’ ସେ କହିଛନ୍ତି ।
ପ୍ରଧାନ ମନ୍ତ୍ରୀ କହିଛନ୍ତି ଯେ ଲକଡାଉନ୍ ସମୟରେ ଦେଶର ସର୍ବୋଚ୍ଚ ପ୍ରାଥମିକତା ଥିଲା ଯେ ଏପରି ପରିସ୍ଥିତିରେ ଏମିତି ନ ହେଉ ଯେ କୌଣସି ଗରିବ ଲୋକର ଘରେ ଚୁଲି ଜଳିବା ବନ୍ଦ ହେଉ । ଏତେ ବଡ଼ ଦେଶରେ କୌଣସି ଗରିବ ଭାଇ ଓ ଭଉଣୀ ଭୋକରେ କେମିତି ନ ରହିବେ ସେଥି ପାଇଁ କେନ୍ଦ୍ର ସରକାର, ରାଜ୍ୟ ସରକାର ଓ ନାଗରିକ ସମାଜ ସମସ୍ତେ ସବୁ ପ୍ରକାର ଉଦ୍ୟମ କରିଛନ୍ତି ବୋଲି ସେ କହିଛନ୍ତି ।
‘‘ଲକଡାଉନ୍ ଆରମ୍ଭ ହେବା ସମୟରେ ହିଁ ସରକାର ପ୍ରଧାନ ମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାକୁ ଆଣିଥିଲେ । ଗତ ତିନି ମାସ ମଧ୍ୟରେ ୨୦ କୋଟି ଗରିବ ପରିବାରଙ୍କ ଜନ ଧନ ଆକାଉଣ୍ଟରେ ସିଧାସଳଖ ୩୧ ହଜାର କୋଟି ଟଙ୍କା ଜମା କରାଯାଇଛି । ଏହି ସମୟ ମଧ୍ୟରେ ୯ କୋଟିରୁ ଅଧିକ ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟରେ ୧୮ ହଜାର କୋଟି ଟଙ୍କା ଜମା କରାଯାଇଛି,’’ ସେ କହିଛନ୍ତି ।
ପ୍ରଧାନ ମନ୍ତ୍ରୀ ଆହୁରି କହିଛନ୍ତି ଯେ କରୋନା ସଂକ୍ରମଣ ସହିତ ଲଢ଼ୁଥିବା ସମୟରେ ଭାରତରେ ୮୦ କୋଟିରୁ ଅଧିକ ଲୋକଙ୍କୁ ତିନି ମାସର ଖାଦ୍ୟ ସାମଗ୍ରୀ ଦିଆଯାଇଛି, ଅର୍ଥାତ ପରିବାରର ପ୍ରତ୍ୟେକ ସଦସ୍ୟଙ୍କୁ ପାଞ୍ଚ କିଲୋଗ୍ରାମ ଗହମ ବା ଚାଉଳ ମାଗଣା ଦିଆଯାଇଛି । ‘‘ଏକ ପ୍ରକାରେ ଦେଖିଲେ ଆମ ସରକାର ଆମେରିକାର ମୋଟ ଜନସଂଖ୍ୟାର ଅଢ଼େଇ ଗୁଣ ଅଧିକ ଲୋକଙ୍କୁ, ବ୍ରିଟେନର ଜନସଂଖ୍ୟା ଠାରୁ ୧୨ ଗୁଣ ଅଧିକ ଲୋକଙ୍କୁ ଓ ୟୁରୋପୀୟ ୟୁନିଅନର ଦୁଇ ଗୁଣରୁ ଅଧିକ ଲୋକଙ୍କୁ ମାଗଣା ଖାଦ୍ୟ ଦେଇଛି,’’ କହିଛନ୍ତି ମୋଦି ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।