‘ମନ୍ କୀ ବାତ୍’ରେ ମୋଦି ରାଜ୍ୟ ସରକାରମାନଙ୍କୁ ପ୍ରଶଂସା କଲେ, ରମଜାନର ବାର୍ତ୍ତା ଦେଲେ

ଭାରତ ବିଭିନ୍ନ ଦେଶକୁ ଔଷଧ ପଠାଇ ମାନବିକତାର ପ୍ରଦର୍ଶନ କରିଥିବାରୁ ଆଜି ସେ ଦେଶମାନଙ୍କର ମୁଖ୍ୟ ଭାରତବାସୀଙ୍କୁ କୃତଜ୍ଞତା ଜଣାଉଛନ୍ତି । ‘‘ସେମାନେ ‘ଧନ୍ୟବାଦ ଭାରତ’ ବୋଲି କହିବା ଯୋଗୁଁ ଦେଶ ପାଇଁ ଗର୍ବ ଆହୁରି ବଢ଼ିଯାଉଛି,’’ କହିଛନ୍ତି ମୋଦୀ ।

‘ମନ୍ କୀ ବାତ୍’ରେ ମୋଦି ରାଜ୍ୟ ସରକାରମାନଙ୍କୁ ପ୍ରଶଂସା କଲେ, ରମଜାନର ବାର୍ତ୍ତା ଦେଲେ
ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ (ଫାଇଲ୍ ଫଟୋ)
  • News18 Odia
  • Last Updated: April 26, 2020, 2:41 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ନୂଆ ଦିଲ୍ଲୀ: ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ନିଜ ‘ମନ କୀ ବାତ୍‌’ କାର୍ଯ୍ୟକ୍ରମରେ ଦେଶବାସୀଙ୍କୁ କରୋନା ଭାଇରସ୍‌ ମହାମାରୀ ବିରୋଧରେ ଏକାଠି ହୋଇ ଲଢ଼ୁଥିବାରୁ ଧନ୍ୟବାଦ ଜଣାଇଛନ୍ତି ଓ କହିଛନ୍ତି ଯେ ଏହି ରାଷ୍ଟ୍ରୀୟ ସଙ୍କଟରେ ଅସଲି ଲଢ଼େଇ ଦେଶବାସୀମାନେ ହିଁ ଲଢ଼ୁଛନ୍ତି ।

‘‘ଆପଣ ଯୁଆଡ଼େ ବି ଅନେଇ ଦେଖନ୍ତୁ, ଦେଖିବେ ଯେ ଭାରତର ଏହି ଲଢ଼େଇ ଲୋକମାନଙ୍କ ଦ୍ୱାରା ପରିଚାଳିତ ଲଢ଼େଇ । ଭବିଷ୍ୟତରେ ଯେବେ ବି ଆମ ଦେଶର ଏହି ସଙ୍କଟ ମୁକାବିଲା ବିଷୟରେ ଚର୍ଚ୍ଚା ହେବ ସେତେବେଳେ ସାଧାରଣ ଲୋକମାନଙ୍କ ଦ୍ୱାରା ପରିଚାଳିତ ଏହି ଲଢ଼େଇ ବିଷୟରେ ଚର୍ଚ୍ଚା ହେବ । କରୋନା ଭାଇରସ୍‌ ବିରୋଧରେ ଭାରତରେ ଲଢ଼େଇ ଲୋକେ ହିଁ ଲଢ଼ୁଛନ୍ତି, ଆପଣମାନେ ଲଢ଼ୁଛନ୍ତି । ଆପଣଙ୍କ ସହିତ ମିଶି ସରକାର ଲଢ଼ୁଛନ୍ତି,’’ ମୋଦୀ କହିଛନ୍ତି ।

ପ୍ରଧାନ ମନ୍ତ୍ରୀ କହିଛନ୍ତି ଯେ ସାରା ଦେଶରେ ରାସ୍ତାଘାଟରେ ଲୋକେ ଆଜି ପରସ୍ପରକୁ ସାହାଯ୍ୟ କରିବାକୁ ଆଗେଇ ଆସିଛନ୍ତି । ଖାଦ୍ୟ ଠାରୁ ଆରମ୍ଭ କରି ଗରିବ ଲୋକଙ୍କୁ ରାସନ ଯୋଗାଣ, ଲକଡାଉନ ନିୟମକୁ ମାନିବା, ଡାକ୍ତରଖାନାରେ ଔଷଧ ଯୋଗାଣ ଆଦି ସବୁ ଦିଗରେ ସାରା ଦେଶ ଗୋଟିଏ ଦିଗରେ ଏକତ୍ର ହୋଇ ଗତି କରୁଛି ।

‘‘ଲକ୍ଷ ଲକ୍ଷ ଲୋକଙ୍କ ଗ୍ୟାସ ସବସିଡି ଛାଡିବା ହେଉ ବା ଲକ୍ଷ ଲକ୍ଷ ବରିଷ୍ଠ ନାଗରିକଙ୍କ ରେଳ ସବସିଡି ଛାଡିବା ହେଉ, ସ୍ୱଚ୍ଛ ଭାରତ ଅଭିଯାନର ନେତୃତ୍ୱ ନେବା ହେଉ ବା ଶୌଚାଳୟ ନିର୍ମାଣ ହେଉ, ଏପରି ଅଗଣିତ କଥା ଅଛି ଯାହା ଦର୍ଶାଉଛି ଯେ ଆମେ ସମସ୍ତେ ଗୋଟିଏ ମନରେ ଏକ ଶକ୍ତିଶାଳୀ ସୂତ୍ରରେ ବାନ୍ଧି ହୋଇଛୁ । ଦେଶ ପାଇଁ କିଛି କରିବାକୁ ପ୍ରେରଣା ପାଇଛୁ,’’ କହିଛନ୍ତି ମୋଦୀ ।

ବିଶ୍ୱ କହୁଛି ‘ଧନ୍ୟବାଦ ଭାରତ

ପ୍ରଧାନ ମନ୍ତ୍ରୀ କହିଛନ୍ତି ଯେ ପ୍ରତ୍ୟେକ କଠିନ ପରିସ୍ଥିତି ଓ ପ୍ରତ୍ୟେକ ଯୁଦ୍ଧ କିଛି ଶିକ୍ଷା ଦେଇଥାଏ । ସମସ୍ତ ଦେଶବାସୀଙ୍କ ଦ୍ୱାରା ପ୍ରଦର୍ଶିତ ନିଷ୍ଠା ଶକ୍ତି ଦ୍ୱାରା ଭାରତରେ ମଧ୍ୟ ଏକ ନୂତନ ପରିବର୍ତ୍ତନ ଆରମ୍ଭ ହୋଇଛି ।

ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ (ଫାଇଲ୍ ଫଟୋ)


‘‘ଆମେ ଦୁନିଆର ପ୍ରତ୍ୟେକ ଅଭାବୀ ଲୋକଙ୍କୁ ଔଷଧ ବିତରଣ କରିବା ପାଇଁ ପଦକ୍ଷେପ ନେଇ ମାନବିକତାର ପ୍ରଦର୍ଶନ କରିଛୁ । ଆଜି ଯେତେବେଳେ ମୁଁ ଅନେକ ଦେଶର ମୁଖ୍ୟଙ୍କ ସହ ଫୋନରେ କଥା ହେଉଛି, ସେମାନେ ନିଶ୍ଚିତ ଭାବରେ ଭାରତବାସୀଙ୍କୁ କୃତଜ୍ଞତା ଜଣାଉଛନ୍ତି । ଯେତେବେଳେ ସେମାନେ ‘ଧନ୍ୟବାଦ ଭାରତ’ କୁହନ୍ତି, ସେତେବେଳେ ଦେଶ ପାଇଁ ଗର୍ବ ଆହୁରି ବଢ଼ିଯାଏ,’’ କହିଛନ୍ତି ମୋଦୀ ।

ପ୍ରଧାନ ମନ୍ତ୍ରୀ କହିଛନ୍ତି ଯେ ଆମର ବ୍ୟବସାୟ, ଆମର କାର୍ଯ୍ୟାଳୟ, ଆମର ଶିକ୍ଷାନୁଷ୍ଠାନ, ଆମର ଚିକିତ୍ସା କ୍ଷେତ୍ର ସବୁ ଆଜି ନୂତନ ବୈଷୟିକ ପରିବର୍ତ୍ତନ ଆଡକୁ ଗତି କରୁଛନ୍ତି । ଟେକ୍ନୋଲୋଜିରେ ତ ପ୍ରକୃତରେ ଲାଗୁଛି ଯେମିତି ଦେଶର ପ୍ରତ୍ୟେକ ଉଦ୍ଭାବକ ନୂତନ ପରିସ୍ଥିତି ଅନୁଯାୟୀ କିଛି ନୂଆ ନିର୍ମାଣ କରୁଛନ୍ତି ।

ରାଜ୍ୟ ସରକାରମାନଙ୍କୁ ପ୍ରଶଂସା କଲେ

ମୋଦୀ କହିଛନ୍ତି ଯେ ଯେତେବେଳେ ଦେଶ ଏକ ହୋଇ ଗୋଟିଏ ଦଳ ଭାବରେ କାର୍ଯ୍ୟ କରେ, ତା’ହେଲେ କ’ଣ ହୁଏ ଆମେ ଆଜି ତାହା ଅନୁଭବ କରୁଛୁ । ଆଜି କେନ୍ଦ୍ର ସରକାର ହୁଅନ୍ତୁ ବା ରାଜ୍ୟ ସରକାର, ସେମାନଙ୍କର ପ୍ରତ୍ୟେକ ବିଭାଗ ଓ ପ୍ରତିଷ୍ଠାନ ଲୋକଙ୍କ ସେବା ପାଇଁ ପୂରା ବେଗରେ କାର୍ଯ୍ୟ କରୁଛନ୍ତି । ପ୍ରଧାନମନ୍ତ୍ରୀଙ୍କ ଗରିବ କଲ୍ୟାଣ ପ୍ୟାକେଜ୍ ଅଧୀନରେ ଟଙ୍କା ଗରିବ ଲୋକଙ୍କ ଆକାଉଣ୍ଟକୁ ସିଧାସଳଖ ହସ୍ତାନ୍ତର କରାଯାଉଛି । ବୃଦ୍ଧାବସ୍ଥା ପେନସନ୍ ପ୍ରଦାନ କରାଯାଉଛି । ତିନି ମାସ ମାଗଣା ଗ୍ୟାସ ସିଲିଣ୍ଡର ଓ ରେସନ ଭଳି ସୁବିଧା ମଧ୍ୟ ଗରିବ ଲୋକଙ୍କୁ ଯୋଗାଇ ଦିଆଯାଉଛି ।

‘‘ମୁଁ ଆମ ଦେଶର ରାଜ୍ୟ ସରକାରମାନଙ୍କୁ ପ୍ରଶଂସା କରିବି ଯେ ସେମାନେ ଏହି ମହାମାରୀର ମୁକାବିଲା କରିବାରେ ଏକ ସକ୍ରିୟ ଭୂମିକା ଗ୍ରହଣ କରୁଛନ୍ତି । କରୋନା ବିରୋଧରେ ଲଢ଼େଇରେ ସ୍ଥାନୀୟ ପ୍ରଶାସନ ଓ ରାଜ୍ୟ ସରକାରମାନେ ସେମାନଙ୍କର ଦାୟିତ୍ୱ ତୁଲାଉଛନ୍ତି,’’ କହିଛନ୍ତି ମୋଦୀ ।

ରମଜାନରେ ବାର୍ତ୍ତା ଦେଲେ

‘‘ପବିତ୍ର ରମଜାନ ମାସ ଆରମ୍ଭ ହୋଇଯାଇଛି । ରମଜାନକୁ ସଂଯମ, ସଦଭାବନା, ସମ୍ବେଦନଶୀଳତା ଓ ସେବାର ପ୍ରତୀକ ବନାନ୍ତୁ । ଏଥର ଆମେ ପୂର୍ବ ଅପେକ୍ଷା ଅଧିକ ପ୍ରାର୍ଥନା କରିବା, ଫଳରେ ଇଦ୍ ଆସିବା ପୂର୍ବରୁ ବିଶ୍ୱ କରୋନାରୁ ମୁକ୍ତ ହେବ । ମୁଁ ନିଶ୍ଚିତ ଯେ ରମଜାନର ଏହି ମାସରେ ସ୍ଥାନୀୟ ପ୍ରଶାସନର ନିର୍ଦ୍ଦେଶାବଳୀ ଅନୁସରଣ କରି ଆମେ କରୋନା ବିରୋଧରେ ଏହି ଲଢ଼େଇକୁ ଆହୁରି ଦୃଢ଼ କରିବା,’’ କହିଛନ୍ତି ମୋଦି ।

ପ୍ରଧାନ ମନ୍ତ୍ରୀ କହିଛନ୍ତି ଯେ ବିହୁ, ବୈଶାଖୀ, ପୁଥଣ୍ଡୁ, ବିଷୁ ଓ ଓଡ଼ିଆ ନୂଆ ବର୍ଷ ପରି ଆମର ଅନେକ ପର୍ବ ଆସିଛି ଓ ଲୋକେ ଲକଡାଉନ୍ ନିୟମ ଅନୁସରଣ କରି ଘରେ ରହି ଏହି ପର୍ବଗୁଡ଼ିକୁ ସରଳତାର ସହିତ ପାଳନ କରିଛନ୍ତି । ଏଥର ଆମର ଖ୍ରୀଷ୍ଟିଆନ ବନ୍ଧୁମାନେ ମଧ୍ୟ ନିଜ ଘରେ ଇଷ୍ଟର ପାଳନ କରିଛନ୍ତି ।
First published: April 26, 2020, 2:41 PM IST
corona virus btn
corona virus btn
Loading