ରାଜ୍ୟରେ ବସ୍ ଚଳାଚଳ ପାଇଁ ଉଦ୍ୟମ ଆରମ୍ଭ ହେଲା, ହେଲେ ଏବେ ବି ଅନିଶ୍ଚିତତା

ବସ୍ ମାଲିକ ସଙ୍ଘ ପ୍ରଶ୍ନ କରିଛି ଯେ ଆନ୍ତଃରାଜ୍ୟ ବସ ଚଳାଚଳ ତ ରାତି ସମୟରେ ହେବ, କିନ୍ତୁ ସନ୍ଧ୍ୟା ୭ରୁ ସକାଳ ୭ ଯାଏ କର୍ଫ୍ୟୁ ଲାଗିଥିବାରୁ କେମିତି ଚାଲିବ ବସ୍?

ରାଜ୍ୟରେ ବସ୍ ଚଳାଚଳ ପାଇଁ ଉଦ୍ୟମ ଆରମ୍ଭ ହେଲା, ହେଲେ ଏବେ ବି ଅନିଶ୍ଚିତତା
କଟକ ବାଦାମବାଡ଼ି ବସ୍ ଷ୍ଟାଣ୍ଡରେ ଅଟକି ରହିଥିବା ବସରୁ ଗୋଟିଏ
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ଚତୁର୍ଥ ପର୍ଯ୍ୟୟ ଲକଡାଉନ ପାଇଁ ପ୍ରକାଶିତ କେନ୍ଦ୍ରୀୟ ନିୟମାବଳୀରେ ବସ ସେବାକୁ କଟକଣା ମୁକ୍ତ କରାଯାଇଛି । ରାଜ୍ୟରେ ବସ ଚଳେଇବା ପାଇଁ ରାଜ୍ୟ ସରକାର ପ୍ରକ୍ରିୟା ଆରମ୍ଭ କରୁଥିବା ପରିବହନ ମନ୍ତ୍ରୀ କହିଛନ୍ତି, ହେଲେ ଘରେଇ ବସ ମାଲିକ ସଙ୍ଘ କହିଛି ସରକାରୀ ନୀତି ରେ ସ୍ପଷ୍ଟତା ନାହିଁ । ବିରୋଧୀ ଦଳ ନେତା ବସ ଚଳାଚଳ ପାଇଁ ମାଲିକ ସଙ୍ଘକୁ ଅନୁରୋଧ କରିଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଦାବି କରିଛନ୍ତି ।

ଚତୁର୍ଥ ପର୍ଯ୍ୟାୟ ଲକଡାଉନ ମେ ୩୧ ଯାଏଁ ବଢିଛି । ଲକଡାଉନ ବୃଦ୍ଧି ନେଇ ଆସିଥିବା ନୂତନ ନିୟମାବଳୀରେ ବସ ଓ ଅନ୍ୟ ଯାତ୍ରୀବାହୀ ଗାଡ଼ି ଚଳାଚଳକୁ ଅନୁମତି ଦେଇଛନ୍ତି କେନ୍ଦ୍ର ସରକାର । ହେଲେ ଘରୋଇ ବସ ମାଲିକ ସଙ୍ଘ କହିଛି ଯେ ରାଜ୍ୟ ସରକାର ମୌଖିକ ଭାବେ କହୁଛନ୍ତି, କିନ୍ତୁ ନିୟମରେ ନାହିଁ ସ୍ପଷ୍ଟତା ।

ସଙ୍ଘର ସାଧାରଣ ସମ୍ପାଦକ ଦେବେନ୍ଦ୍ର ସାହୁ କହିଛନ୍ତି: ‘‘ସରକାର ଏପ୍ରିଲ ୧୭ ପର ଠୁ ବସ ମାଲିକ ସଙ୍ଘ ସହ କୌଣସି ଆଲୋଚନା କରିନାହାନ୍ତି । ଆନ୍ତଃରାଜ୍ୟ ବସ ଚଳାଚଳ ରାତି ସମୟରେ ହେବ, କିନ୍ତୁ ସନ୍ଧ୍ୟା ୭ରୁ ସକାଳ ୭ ଯାଏ ତ କର୍ଫ୍ୟୁ ଲାଗିଛି । ତେବେ କେମିତି ଚାଲିବ ବସ?’’

ବିରୋଧୀ ଦଳ ବି ମୁହଁ ଖୋଲିଛନ୍ତି ଏ ସମ୍ପର୍କରେ । ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ ବସ ଚଳାଇବାପାଇଁ ଘରେଇ ବସ ମାଲିକ ସଙ୍ଘକୁ ଅନୁରୋଧ କରିଛନ୍ତି । ସରକାର ବି ବସ ମାଲିକଙ୍କ ଦାବି ପୂରଣ କରିବାକୁ କହିଛନ୍ତି । କଂଗ୍ରେସ ବିଧାୟକ ସୁରେଶ ରାଉତରାୟ କହିଛନ୍ତି: ‘‘ମୁଖ୍ୟ ମନ୍ତ୍ରୀ ହସ୍ତକ୍ଷେପ କରନ୍ତୁ । ବସ ଚାଲିବା ନେଇ ସମସ୍ତ ବ୍ୟବସ୍ଥା କରନ୍ତୁ ସରକାର ।’’

ବାଣିଜ୍ୟ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା କହିଛନ୍ତି ଖୁବ ଶୀଘ୍ର ରାଜ୍ୟ ଭିତରେ ଓ ରାଜ୍ୟ ରାଜ୍ୟ ମଧ୍ୟରେ ଆରମ୍ଭ ହେବ ବସ ସେବା । ‘‘ଏ ନେଇ ପରିବହନ ବିଭାଗ ପକ୍ଷରୁ ଆରମ୍ଭ ହୋଇଛି ପ୍ରକ୍ରିୟା । ଲକଡାଉନ ୪.୦ ଲାଗୁ ହେବା ପରେ ରାଜ୍ୟ ସରକାରଙ୍କ ଉପରେ ନ୍ୟସ୍ତ ହୋଇଛି ବ୍ୟବସ୍ଥା । ତେବେ ପୂର୍ବ ଭଳି ନିୟମ ଅନୁସାରେ ୫୦ ପ୍ରତିଶତ ଯାତ୍ରୀ ନେଇ ବସ ଚଳାଚଳ କରିବା ନିୟମ ଅବ୍ୟାହତ ରହିଛି,’’ ସେ କହିଛନ୍ତି ।

ବରିଷ୍ଠ ସାମ୍ବାଦିକ ରବି ଦାସ କହିଛନ୍ତି ମୁଖ୍ୟ ମନ୍ତ୍ରୀମାନଙ୍କ ସହିତ ପ୍ରଧାନ ମନ୍ତ୍ରୀ ଆଲୋଚନା କରି ଲକଡାଉନ ୪.୦ ପାଇଁ ଏହି ନିଷ୍ପତ୍ତି ନେଇଛନ୍ତି । ଜୋନ ନିର୍ଦ୍ଧାରଣରେ ପରିବର୍ତ୍ତନ କରି ସ୍ଥାନୀୟ ପ୍ରଶାସନକୁ ଦାୟିତ୍ଵ ଦେବା, ଟ୍ରେନ ଯାତ୍ରୀ ପରିବହନ ବେଳେ ରାଜ୍ୟ ସହ ଆଲୋଚନା କରିବା, ପଞ୍ଚାୟତିରାଜ ବ୍ୟବସ୍ଥାକୁ ସାମିଲ କରି ଆର୍ଥିକ ପ୍ରୋତ୍ସାହନ ଦେବା ଭଳି ପାଞ୍ଚଟି ପ୍ରସ୍ତାବ ପ୍ରଧାନ ମନ୍ତ୍ରୀ ଙ୍କ ପାଖରେ ମୁଖ୍ୟମନ୍ତ୍ରୀ ରଖିଥିଲେ ।

ଏହା ବି ପଢ଼ନ୍ତୁ: କରୋନା ଭାଇରସ୍ ସଙ୍କଟ ଉପରେ ୬୧ଟି ଦେଶର ତଦନ୍ତ ପ୍ରୟାସରେ ଭାରତ ଯୋଗ ଦେଲା

ଏହା ବି ପଢ଼ନ୍ତୁ: ସନ୍ନି ଲିଓନଙ୍କ ଡ୍ରିମ୍ କାର୍ ହେଉଛି ଅଟୋମେଟିକ୍ ଗିଅର୍ ଥିବା ଗୋଲାପୀ ରଙ୍ଗର ଆମ୍ବାସାଡର୍

ଏହା ବି ପଢ଼ନ୍ତୁ: ୧୫ ଜୁନ୍ ପାଖାପାଖି ସପିଂ ମଲ୍ ଓ ସିନେମା ହଲ୍ ଖୋଲିପାରେ; ଲାଗୁ ହେବ ଏହି ନୂଆ ନିୟମ
First published: May 19, 2020, 6:33 PM IST
corona virus btn
corona virus btn
Loading