News18 Odia Digital
ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ ବଢ଼ି ବଢ଼ି ଚାଲିଥିବା ବେଳେ ଏକ ଭଲ ଖବର ଆସିଛି । ଏବେ ଓଡ଼ିଶାରେ ପ୍ଲାଜ୍ମା ଥେରାପି ମାଧ୍ୟମରେ କରୋନା ସଂକ୍ରମଣର ଚିକିତ୍ସା ହେବ । ରାଜ୍ୟର ଚାରିଟି ପ୍ରମୁଖ ହସ୍ପିଟାଲରେ ଏହି ସୁବିଧା ଉପଲବ୍ଧ ହେବ । କଟକ SCB, ଅଶ୍ବିନୀ, ଭୁବନେଶ୍ବରର ସମ୍ ଓ କିମ୍ସ ହସ୍ପିଟାଲରେ ଏହି ସୁବିଧା ମିଳିବ ବୋଲି ସୂଚନା ଦେଇଛନ୍ତି ସ୍ବାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସ ।
ରାଜ୍ୟରେ ପ୍ଲାଜମା ବ୍ୟାଙ୍କ ବି ପ୍ରତିଷ୍ଠା କରାଯିବ ବୋଲି ଆଜି ଲୋକସେବା ଭବନରେ ବସିଥିବା ବୈଠକରେ ନିଷ୍ପତ୍ତି ହୋଇଛି । ପ୍ଲାଜମା ଥେରାଫି ମାଧ୍ୟମରେ କରୋନା ରୋଗୀଙ୍କ ଚିକିତ୍ସା ପଦ୍ଧତି ନିରୂପଣ କରିବା ପାଇଁ ଏକ ବୈଷୟିକ କମିଟି ଗଠନ କରିବା ପାଇଁ ମନ୍ତ୍ରୀ ନବ କିଶୋର ଦାସ ନିର୍ଦ୍ଦେଶ ଦେଇଛନ୍ତି। ଏହି ଚିକିତ୍ସା ପଦ୍ଧତିର ସଫଳ ରୂପାୟନ ପାଇଁ ଏକ ମାର୍ଗଦର୍ଶିକା ପ୍ରସ୍ତୁତ କରିବା ସହିତ ଏଥିରେ କେଉଁ ରୋଗୀ ଉପକୃତ ହେବେ ସେ ସମ୍ପର୍କରେ କମିଟି ନିର୍ଦ୍ଦିଷ୍ଟ ତଥ୍ୟା ସରକାରଙ୍କୁ ପ୍ରଦାନ କରିବ ।
ସ୍ବାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର, ଓଡ଼ିଶା ରାଜ୍ୟ ଔଷଧ ନିଗମର ପରିଚାଳନା ନିର୍ଦ୍ଦେଶିକା ଯାମିନୀ ଷଡ଼ଙ୍ଗୀ, ସୋଆର କୂଳପତି ଅଶୋକ ମହାପାତ୍ର, ଡାକ୍ତର ସୁବ୍ରତ ଆଚାର୍ଯ୍ୟ ଓ ସ୍ଵତନ୍ତ୍ର ସଚିବ ସିବିକେ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ ।

ସ୍ବାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ଆଜି ବସିଥିଲା ବୈଠକ ।
ଆଜି ଭୁବନେଶ୍ବରରେ ୧୩ କୋରୋନା ଆକ୍ରାନ୍ତ ଚିହ୍ନଟଆଜି ଭୁବନେଶ୍ବରରେ ୧୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଙ୍ଗରୋଧ କେନ୍ଦ୍ରରୁ ୮ ଜଣ ଓ ସ୍ଥାନୀୟ ଅଞ୍ଚଳରୁ ୫ ଜଣ ଚିହ୍ନଟ ହୋଇଛନ୍ତି । ଏହା ସହ ଭୁବନେଶ୍ବରରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୩୪୫କୁ ବୃଦ୍ଧି ପାଇଛି । ସାଲିଆସାହିର ୫୫ ବର୍ଷୀୟ ଜଣେ ରେଳ କର୍ମଚାରୀଙ୍କୁ କରୋନା ଭାଇରସ୍ ସଂକ୍ରମଣ ହୋଇଛି । ଖଣ୍ଡଗିରି ଅଞ୍ଚଳର ଜଣେ ୨୧ ବର୍ଷୀୟା ମହିଳା ମଧ୍ୟ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ଭୀମଟାଙ୍ଗି ଅଞ୍ଚଳର ଜଣେ ୩୨ ବର୍ଷୀୟ ପୁରୁଷ ଓ ନୀଳାଦ୍ରୀ ବିହାରର ୫୭ ବର୍ଷୀୟ ପୁରୁଷ ମଧ୍ୟ ପଜିଟିଭ ଚିହ୍ନଟ ହୋଇଛନ୍ତି । ତାଙ୍କ ପରିବାର ଲୋକ ଆସାମରୁ ଫେରିଥିଲେ । ଜୟଦେବ ବିହାରରେ ଜଣେ ୧୮ ବର୍ଷୀୟ ଯୁବକ ମଧ୍ୟ ଆକ୍ରାନ୍ତ ହୋଇଛନ୍ତି ।
ଗତ ୨୪ ଘଣ୍ଟାରେ ରାଜ୍ୟରେ ୨ କରୋନା ଆକ୍ରାନ୍ତଙ୍କ ମୃତ୍ୟୁରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ଆଉ ଦୁଇଟି ମୁଣ୍ଡ ନେଇଛି କରୋନା ଭାଇରସ୍ । ଗଞ୍ଜାମ ଓ ଅନୁଗୁଳରେ ଦୁଇ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଗଞ୍ଜାମରେ ଜଣେ ୪୯ ବର୍ଷୀୟ ପୁରୁଷଙ୍କ କରୋନାରେ ମୃତ୍ୟୁ ହୋଇଛି । ଏହାକୁ ମିଶାଇ କରୋନାରେ କେବଳ ଗଞ୍ଜାମରେ ୧୫ ଜଣଙ୍କର ମୃତ୍ୟୁ ହେଲାଣି । ଅନୁଗୁଳରେ ଜଣେ ୫୭ ବର୍ଷୀୟ ପୁରୁଷଙ୍କ କରୋନାରେ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଏହି ଦୁଇ ମୃତ୍ୟୁ ସହ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୨୭କୁ ବୃଦ୍ଧି ପାଇଛି ।
ରାଜ୍ୟରେ ଆଜି ଆଉ ୨୨୯ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏଥିରୁ ସଙ୍ଗରୋଧ କେନ୍ଦ୍ରରୁ ୧୯୩ ଜଣ ଥିବା ବେଳେ ୩୬ ଜଣ ସ୍ଥାନୀୟ ବାସିନ୍ଦା । ଏହାକୁ ମିଶାଇ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭,୫୪୫କୁ ବୃଦ୍ଧି ପାଇଛି । ଆଜି ପୁଣି ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୯୫ ଜଣ କରୋନାରେ ସଂକ୍ରମିତ ହୋଇଛନ୍ତି । ବାଲେଶ୍ବରରୁ ୨୪, ଯାଜପୁରରୁ ୨୨, ଖୋର୍ଦ୍ଧାରୁ ୨୧, କଟକରୁ ୧୨, ସୁନ୍ଦରଗଡ଼ରୁ ୧୭, ବଲାଙ୍ଗିରରୁ ୭ ଓ ନୟାଗଡ଼ରୁ ୫ ଜଣ କରୋନା ମହାମାରୀରେ ସଂକ୍ରମିତ ହୋଇଛନ୍ତି । ପୁରୀରେ ୪, ବୌଦ୍ଧରେ ୩, ମୟୂରଭଞ୍ଜରେ ୨ ଏବଂ ଅନୁଗୁଳ, ବରଗଡ଼, ଦେବଗଡ଼, ଗଜପତିରୁ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଜଗତସିଂହପୁର, କେନ୍ଦୁଝର, କୋରାପୁଟରୁ ବି ଜଣେ ଲେଖାଏଁ ଲୋକଙ୍କର ସ୍ବାବ ଟେଷ୍ଟ ପଜିଟିଭ ଆସିଛି ।
ଆଜି ରାଜ୍ୟରେ ୧୪୯ କରୋନା ଆକ୍ରାନ୍ତ ସୁସ୍ଥ ହେଲେରାଜ୍ୟର ୧୯ଟି ଜିଲ୍ଲାରେ ଆଉ ୧୪୯ ଜଣ କରୋନା ଆକ୍ରାନ୍ତ ଆଜି ସୁସ୍ଥ ହୋଇଛନ୍ତି । କରୋନାରୁ ସୁସ୍ଥ ହୋଇଥିବା ଲୋକଙ୍କ ସଂଖ୍ୟା ୫,୫୦୨କୁ ବୃଦ୍ଧି ପାଇଛି । ଗଞ୍ଜାମରୁ ସର୍ବାଧିକ ୪୯ ଜଣ ସୁସ୍ଥ ହୋଇଥିବା ବେଳେ, ଖୋର୍ଦ୍ଧାରୁ ୨୪ ଓ ମୟୂରଭଞ୍ଜରୁ ୧୪ ଜଣ ସୁସ୍ଥ ହୋଇଛନ୍ତି । କଟକରୁ ୧୩, କଳାହାଣ୍ଡି ଓ କେନ୍ଦ୍ରାପଡ଼ାରୁ ୬ ଜଣ ଲେଖାଏଁ ସୁସ୍ଥ ହୋଇଛନ୍ତି । ରାୟଗଡ଼ାରୁ ୫, ଅନୁଗୁଳ, ଝାରସୁଗୁଡ଼ା ଓ ସୁନ୍ଦରଗଡ଼ରୁ ୪ ଜଣ ଲେଖାଏଁ ସୁସ୍ଥ ହୋଇଛନ୍ତି । ଏ ନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛି ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।