COVID ମୁକାବିଲାରେ ଭଲ ଖବର: ରାଜ୍ୟରେ ସଫଳ ହେଉଛି ପ୍ଲାଜମା ଥେରାପି; ଡୋନର ସଂଖ୍ୟା ବଢ଼ୁଛି

ପ୍ଲାଜମା ଦିଆ ଯିବା ପରେ ୬ ଜଣ କରୋନା ରୋଗୀଙ୍କ ମଧ୍ୟରୁ ୪ ଜଣଙ୍କ ସ୍ବାସ୍ଥ୍ୟାବସ୍ଥାରେ ଉନ୍ନତି ହୋଇଛି । ସେମାନେ ଆଉ ଅକ୍ସିଜେନ ସପୋର୍ଟ ଦରକାର କରୁନାହାଁନ୍ତି ଓ ଖୁବ୍ ଶୀଘ୍ର ଡିସଚାର୍ଯ୍ୟ ହୋଇ ପାରନ୍ତି । ଅନ୍ୟ ୨ ଜଣ ରୋଗୀ ବି ଭଲ ହୋଇଆସୁଛନ୍ତି ।

କଟକ ବଡ଼ ମେଡିକାଲରେ ହୋଇଥିବା ପ୍ଲାଜମା ବ୍ୟାଙ୍କ

କଟକ ବଡ଼ ମେଡିକାଲରେ ହୋଇଥିବା ପ୍ଲାଜମା ବ୍ୟାଙ୍କ

  • Share this:
News18 Odia Digital

କଟକ: ରାଜ୍ୟରେ ସଫଳ ହେବା ଆରମ୍ଭ କରିଛି ପ୍ଲାଜମା ଥେରାପି । ପ୍ରଥମ ପର୍ଯ୍ୟାୟରେ ଦିଆଯାଇଥିବା ପ୍ଲାଜମା ଦ୍ୱାରା କୋଭିଡ ରୋଗୀଙ୍କ ସ୍ବସ୍ଥ୍ୟାବସ୍ଥାରେ ଉନ୍ନତି ହେଉଥିବା ଦେଖି କୋଭିଡ ମୁକାବିଲାରେ ନିୟୋଜିତ ଡାକ୍ତର, ସ୍ୱାସ୍ଥ୍ୟ ପ୍ରଶାସକ, ସ୍ୱାସ୍ଥ୍ୟ ବିଶେଷଜ୍ଞ ଓ ପ୍ଲାଜମା ଡୋନରମାନଙ୍କ ମଧ୍ୟରେ ଆଶା ଓ ଉତ୍ସାହ ବୃଦ୍ଧିପାଇଛି ।

ଗତ ୧୫ ତାରିଖରେ ଏସସିବିର ପ୍ଲାଜମା ବ୍ୟାଙ୍କରେ ସଂଗୃହିତ ହୋଇଥିବା ୮ ୟୁନିଟ ପ୍ଲାଜମା ମଧ୍ୟରୁ ୬ ୟୁନିଟ ପ୍ଲାଜମା ମୋଟ ୬ ଜଣ ଗୁରୁତର କୋଭିଡ୍‌ ରୋଗୀଙ୍କୁ ଦିଆଯାଇଥିଲା । ସେମାନଙ୍କ ମଧ୍ୟରେ କଟକ ଅଶ୍ବିନୀ କୋଭିଡ଼ ହସ୍ପିଟାଲର ୨ ଜଣ ରୋଗୀ ଓ ସମ୍‌ କୋଭିଡ ହସ୍ପିଟାଲର ୪ ଜଣ ରୋଗୀ ଥିଲେ । ପ୍ଲାଜମା ଦିଆ ଯିବା ପରେ ୬ ଜଣଙ୍କ ମଧ୍ୟରୁ ୪ ଜଣ ରୋଗୀଙ୍କ ସ୍ବାସ୍ଥ୍ୟାବସ୍ଥାରେ ଉନ୍ନତି ପରିଲକ୍ଷିତ ହୋଇଛି । ଏପରିକି ସେମାନେ ଏବେ ଆଉ ଅକ୍ସିଜେନ ସପୋର୍ଟ ଅବଶ୍ୟକ କରୁ ନାହାନ୍ତି ଓ ଖୁବ୍‌ ଶୀଘ୍ର ଡିସଚାର୍ଯ୍ୟ ମଧ୍ୟ ହୋଇ ପାରନ୍ତି ବୋଲି କହିଛନ୍ତି ଡାକ୍ତରମାନେ । ଅନ୍ୟ ଦୁଇ ଜଣଙ୍କ ରୋଗୀଙ୍କ ସ୍ବାସ୍ଥ୍ୟାବସ୍ଥାରେ ମଧ୍ୟ ଆଖିଦୃଶିଆ ଉନ୍ନତି ପରିଲକ୍ଷିତ ହୋଇଛି ।

‘‘ପ୍ରଥମ ପର୍ଯ୍ୟାୟରେ ଆମେ ୮ ୟୁନିଟ ପ୍ଲାଜମା ସଂଗ୍ରହ କରି ସେଥିରୁ ୬ ୟୁନିଟକୁ ୬ ଜଣ ଗୁରୁତର ରୋଗୀଙ୍କୁ ଦେଇଥିଲୁ । ତା’ର ସୁଫଳ ମିଳିଛି । ପ୍ଲାଜମା ଥେରାପି ଓଡ଼ିଶାରେ ସଫଳ ହୋଇଛି ବୋଲି ଆମେ କହିପାରିବା । ଏବେ ଅଧିକରୁ ଅଧିକ ପ୍ଲାଜମା ସଂଗ୍ରହ କରିବା ସହିତ ଏସସିବିରେ ଥିବା ପ୍ଲାଜମା ବ୍ୟାଙ୍କର କ୍ଷମତାକୁ କେମିତି ବୃଦ୍ଧି କରାଯିବ ସେ ନେଇ ଆମେ ଧ୍ୟାନ ଦେଉଛୁ,’’ କହିଛନ୍ତ ରାଜ୍ୟର ବୈଷୟିକ କୋଭିଡ କମିଟିର ମୁଖପାତ୍ର ଡାକ୍ତର ଜୟନ୍ତ ପଣ୍ଡା ।

ରାଜ୍ୟର ବୈଷୟିକ କୋଭିଡ କମିଟିର ମୁଖପାତ୍ର ଡଃ ଜୟନ୍ତ ପଣ୍ଡା


କୋଭିଡରୁ ସୁସ୍ଥ ହୋଇ ଫେରିଥିବା ଲୋକଙ୍କ ମଧ୍ୟରେ ନିଜର ପ୍ଲଜମା ଦାନ କରିବା ପାଇଁ ଆଗ୍ରହ ସୃଷ୍ଟି ହେଉଥିବା ବି ଦେଖିବାକୁ ମିଳିଛି । ପୂର୍ବରୁ ୧୨ ଜଣ ବ୍ୟକ୍ତି ପ୍ଲାଜମା ଦାନ ପାଇଁ ଆବେଦନ କରିଥିବା ବେଳେ ଆଜି ଏନ.ଡି.ଆର.ଏଫ.ର ୮ ଜଣ ଓ ଅଗ୍ନିଶମ ବିଭାଗର ୧୦ର ଯବାନ ପ୍ଲାଜମା ଦାନ କରିବା ପାଇଁ ଏସସିବିର ପ୍ଲାଜମା ବ୍ୟାଙ୍କରେ ନିଜର ସ୍ବାସ୍ଥ୍ୟ ପରୀକ୍ଷା କରାଇଛନ୍ତି । ଅମ୍ଫନ ବାତ୍ୟାର ମୁକାବିଲା ଲାଗି ଓଡ଼ିଶାରୁ ପଶ୍ଚିମ ବଙ୍ଗ ଯାଇଥିବା ଏନ.ଡି.ଆର.ଏଫ., ଓଡ୍ରାଫ ଓ ଅଗ୍ନିଶମ ବିଭାଗର ପାଖାପାଖି ୩୦୦ ଜଣ ଜବାନ ସଂକ୍ରମିତ ହୋଇଥିଲେ । ସେମାନଙ୍କ ମଧ୍ୟରୁ ଅଧିକାଂଶ ଜବାନ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । କୋଭିଡ ଆକ୍ରାନ୍ତଙ୍କ ପାଇଁ ପ୍ଲାଜମା ଦାନ କରିବାର ସୁଯୋଗ ମିଳୁଥିବାରୁ ଖୁସି ପ୍ରକାଶ କରିଛନ୍ତି ଯବାନମାନେ ।

‘‘ଆମର ମୋଟ ୮୦ ଜଣ ଜବାନ କୋଭିଡ ପଜିଟିଭ ହେବା ପରେ ସୁସ୍ଥ ହୋଇଛନ୍ତି । ଆଜି ସେମାନଙ୍କ ଭିତରୁ ୮ ଜଣଙ୍କର ଆଣ୍ଟିବଡି ପରୀକ୍ଷା କରାଯିବ । ସେଥିରୁ ଜଣା ପଡ଼ିବ କାହା କାହା ମଧ୍ୟରେ କୋଭିଡର ଆଣ୍ଟିବଡି ଡେଭଲପ୍ କରିଛି । ତା’ପରେ ପର୍ଯ୍ୟାୟ କ୍ରମେ ଆମର ଯବାନମାନେ ନିଜ ପ୍ଲଜମା ଦାନ କରିବେ,’’ କହିଛନ୍ତି ମୁଣ୍ଡଳି ସ୍ଥିତ ଏନ.ଡି.ଆର.ଏଫ. ତୃତୀୟ ବଟାଲିୟନର ସହକାରୀ କମାଣ୍ଡାଣ୍ଟ ଏ.କେ. ପଟ୍ଟନାୟକ ।

ଏହା ବି ପଢ଼ନ୍ତୁ: ଡ୍ରୋନ୍ ବୈଜ୍ଞାନିକ ଭାବେ ଅଜସ୍ର ଖ୍ୟାତି ପାଇଥିବା କର୍ଣ୍ଣାଟକ ଯୁବକ ପ୍ରତାପଙ୍କ ମିଛ ଧରାପଡ଼ିଲା

ଏହା ବି ପଢ଼ନ୍ତୁ: ‘କରୋନା ଭାଇରସରୁ ରକ୍ଷା ପାଇବା ପାଇଁ ଗୋମୂତ୍ର ପିଅନ୍ତୁ’: ପଶ୍ଚିମ ବଙ୍ଗ BJP ସଭାପତି ଦିଲୀପ ଘୋଷ

ଆସନ୍ତା ୧୫ ଦିନ ମଧ୍ୟରେ ପ୍ରାୟ ୧୦୦ ଜଣ କୋଭିଡରୁ ସୁସ୍ଥ ହୋଇଥିବା ବ୍ୟକ୍ତି ପ୍ଲାଜମା ଦାନ କରିବେ ବୋଲି ଏସସିବି ପ୍ଲଜମା ବ୍ୟାଙ୍କ ପକ୍ଷରୁ ସୂଚନା ଦିଆଯାଇଛି ।
Published by:Anand Shankar Thankur Das
First published: