News18 Odia Digital
କଟକ: କୋଭିଡ ମହାମାରୀର ଏହି ଆତଙ୍କମୟ ପରିସ୍ଥିତି ମଧ୍ୟରେ ଆଶାର ଆଲୋକ ପାଲଟିଛି ପ୍ଲାଜମା ଥେରାପି । ଗତ କାଲି ଏସସିବି ପ୍ଲାଜମା ବ୍ୟାଙ୍କରୁ ସଂଗୃହିତ ହୋଇଥିବା ପ୍ରଥମ ୟୁନିଟ ପ୍ଲାଜମାକୁ ଅଶ୍ବିନୀ କୋଭିଡ ହସ୍ପିଟାଲର ଭେଣ୍ଟିଲେଟରେ ଥିବା ଜଣେ ୪୮ ବର୍ଷୀୟ ବ୍ୟକ୍ତିଙ୍କୁ ଦିଆଯାଇଛି । ବାକି ଥିବା ପ୍ଲାଜମାକୁ ଆଜି ସମ୍ ଓ କିମ୍ସ କୋଭିଡ଼ ହସ୍ପିଟାଲରେ ପହଞ୍ଚାଯାଇଥିବା ଜଣା ପଡ଼ିଛି।
ଏହାର ସୁଫଳ କେତେ ପରିମାଣରେ ମିଳୁଛି ତାହା ଖୁବ୍ ଶୀଘ୍ର ଜଣା ପଡ଼ିବ, କିନ୍ତୁ ଦିଲ୍ଲୀ ଭଳି ରାଜ୍ୟରେ ଏହି ଚିକିତ୍ସା ୭୦ ପ୍ରତିଶତ ରୋଗୀଙ୍କ କ୍ଷେତ୍ରରେ ଫଳପ୍ରଦ ହୋଇଥିବା ଜଣା ପଡ଼ିଛି । ଓଡ଼ିଶାରେ ମଧ୍ୟ ସମାନ ଫଳ ମିଳିବ ବୋଲି ବିଶେଷଜ୍ଞମାନେ କହିଛନ୍ତି ।
‘‘ପ୍ଲାଜମା ଥେରାପି ବିଭିନ୍ନ ଦେଶରେ ବ୍ୟବହାର କରାଯାଉଛି। ପ୍ରାୟ ସବୁ ଦେଶରେ ଏହାର ସୁଫଳ ମିଳୁଛି। ଆମ ଦେଶର ଦିଲ୍ଲୀ ଭଳି ରାଜ୍ୟରେ ଏହା କିଛି ଦିନ ହେଲା ଆରମ୍ଭ ହୋଇଛି। ସେଠାରେ ମଧ୍ୟ ୭୦ ପ୍ରତିଶତ ରୋଗୀଙ୍କ କ୍ଷେତ୍ରରେ ଏହା ଫଳବତୀ ହୋଇଥିବା ଜଣା ଯାଇଛି। ଆଶା କରାଯାଉଛି ଯେ ଓଡ଼ିଶାରେ ମଧ୍ୟ ଆମକୁ ସେହିଭଳି ସୁଫଳ ମିଳିବ,’’ କହିଛନ୍ତି ରାଜ୍ୟ କୋଭିଡ଼ ବୈଷୟିକ କମିଟିର ମୁଖପାତ୍ର ଡାକ୍ତର ଜୟନ୍ତ ପଣ୍ଡା।

ସାଲେପୁର ବିଧାୟକ ପ୍ରଶାନ୍ତ ବେହେରା
ପ୍ଲାଜମା ଦାନ ପାଇଁ ମୁଖ୍ୟ ମନ୍ତ୍ରୀଙ୍କ ଅପିଲ ପରେ ଧୀରେ ଧୀରେ ପ୍ଲାଜମା ଦାତାମାନେ ଆଗକୁ ଆସିବା ଆରମ୍ଭ କରିଛନ୍ତି। ଏହି କ୍ରମରେ ଆଜି ମଧ୍ୟାନ୍ନ ସୁଦ୍ଧା କୋଭିଡରୁ ଆରୋଗ୍ୟ ଲାଭ କରିଥିବା ୧୨ ଜଣ ବ୍ୟକ୍ତି ନିଜର ପ୍ଲାଜମା ଦାନ କରିବା ପାଇଁ ଆବେଦନ କରିଛନ୍ତି । ସେମାନଙ୍କ ମଧ୍ୟରେ ଅଛନ୍ତି ସାଲେପୁର ବିଧାୟକ ପ୍ରଶାନ୍ତ ବେହେରା ।
‘‘ମୁଁ ଗତ ୭ ତାରିଖ ଦିନ କୋଭିଡରେ ଆକ୍ରାନ୍ତ ହୋଇଥିଲି। ଏହା ପରେ ମୁଁ ଅଶ୍ୱିନୀ କୋଭିଡ ହସ୍ପିଟାଲରେ ଭର୍ତ୍ତି ହୋଇ ତିନି ଦିନ ତଳେ ସୁସ୍ଥ ହୋଇଥିଲି। ମୁଖ୍ୟ ମନ୍ତ୍ରୀଙ୍କ ଅପିଲ ପରେ ମୁଁ ମୋ’ର ପ୍ଲାଜମା ଦାନ କରିବା ପାଇଁ ସ୍ଥିର କରିଛି। ମୁଁ ସୁସ୍ଥ ହେବାର ଆଜିକି ୧୦ ଦିନ ପୂରିଛି । ଆଉ ୧୮ ଦିନ ପରେ ମୁଁ ମୋର ପ୍ଲାଜମା ଦାନ କରିବି। ମୋର ପ୍ଲାଜମା କୌଣସି ଗୁରୁତର କୋଭିଡ ରୋଗୀଙ୍କ ଜୀବନ ରକ୍ଷା କରିବ । ତାହା ମୋ’ ପାଇଁ ଅତି ଆନନ୍ଦର ବିଷୟ ହେବ,’’ କହିଛନ୍ତି ସାଲେପୁର ବିଧାୟକ ପ୍ରଶାନ୍ତ ବେହେରା ।
ଆଜି ସୁଦ୍ଧା ରାଜ୍ୟର ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ରୋଗୀମାନଙ୍କ ମଧ୍ୟରୁ ପ୍ରାୟ ୧୨୦ ଜଣ ରୋଗୀ ଆଇସିୟୁରେ ଥିବା ଜଣା ପଡ଼ିଛି । ସେମାନଙ୍କ ମଧ୍ୟରୁ ଯେଉଁମାନଙ୍କ କ୍ଷେତ୍ରରେ ଅକ୍ସିଜେନ୍ ଓ ଅନ୍ୟ କୌଣସି ଚିକିତ୍ସା ଫଳପ୍ରଦ ହେଉ ନ ଥିବ ସେହିଭଳି ଅତି ସଙ୍କଟାପନ୍ନ ରୋଗୀଙ୍କ ପାଇଁ ପ୍ଲାଜମା ଥେରାପିର ଆବଶ୍ୟକତା ରହିଛି । ତେବେ କୋଭିଡରୁ ସୁସ୍ଥ ହୋଇ ଫେରିଥିବା ରୋଗୀଙ୍କୁ କାଉଁସେଲିଂ କରି ସେମାନଙ୍କ ଠାରୁ ପ୍ଲାଜମା ସଂଗ୍ରହ କରିବା ରାଜ୍ୟ ସରକାରଙ୍କ ପାଇଁ ଏକ ଆହ୍ବାନ ଭଳି ହୋଇଛି ।
ଏହା ବି ପଢ଼ନ୍ତୁ:
ରିୟା ଚକ୍ରବର୍ତ୍ତୀଙ୍କୁ ବଳାତ୍କାର ଓ ହତ୍ୟା ଧମକ ମିଳୁଛି; ସାଇବର୍ କ୍ରାଇମ୍ ସେଲ୍ରୁ ସାହାଯ୍ୟ ମାଗିଲେଏହା ବି ପଢ଼ନ୍ତୁ:
ସୁଶାନ୍ତ ସିଂ ରାଜପୁତ ଡିପ୍ରେସନର ଚିକିତ୍ସା ପାଇଁ ହିନ୍ଦୁଜା ହସପିଟାଲରେ ୭ ଦିନ ଭର୍ତ୍ତି ହୋଇଥିଲେଆଜି ସୁଦ୍ଧା ୧୦,୦୦୦ରୁ ଅଧିକ ଲୋକ କୋଭିଡକୁ ହରାଇ ଫେରି ସାରିଥିବା ବେଳେ ରାଜ୍ୟରେ କୋଭିଡ ରୋଗୀଙ୍କ ଚିକିତ୍ସା ପାଇଁ ପ୍ଲାଜମାର ଅଭାବ ହେବ ନାହିଁ ବୋଲି ବିଶ୍ବାସ କରାଯାଉଛି ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।