କଟକ SCB ହସପିଟାଲରେ ଆରମ୍ଭ ହେଲା ପ୍ଲାଜମା ବ୍ୟାଙ୍କ; ପ୍ରଥମ ଦିନ ୪ ଜଣ ବ୍ୟକ୍ତି ପ୍ଲାଜମା ଦାନ କଲେ

କୋଭିଡରୁ ସୁସ୍ଥ ହୋଇଥିବା ଜଣେ ବ୍ୟକ୍ତିଙ୍କ ଠାରୁ ସଂଗୃହିତ ପ୍ଳାଜମା ୨ ଜଣଙ୍କ ଜୀବନ ବଞ୍ଚାଇ ପାରିବ । ଜଣେ ବ୍ୟକ୍ତି ପ୍ରତି ୧୫ ଦିନରେ ଥରେ ପ୍ଲାଜମା ଦାନ କରି ପାରିବେ । ଏମିତି ବ୍ୟକ୍ତିଙ୍କୁ ଘରୁ ଆଣିବା ଓ ଛାଡ଼ିବା ସହ ସବୁ ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ ।

ନିଜ ପ୍ଲାଜମା ଦାନ କରିଥିବା କେନ୍ଦ୍ରାପଡ଼ା ବାସିନ୍ଦା ମନୋଜ ବରାଳ (ଡାହାଣ, ଟୋପିରେ) ଅନ୍ୟ ଜଣେ ଡୋନରଙ୍କ ସହ

ନିଜ ପ୍ଲାଜମା ଦାନ କରିଥିବା କେନ୍ଦ୍ରାପଡ଼ା ବାସିନ୍ଦା ମନୋଜ ବରାଳ (ଡାହାଣ, ଟୋପିରେ) ଅନ୍ୟ ଜଣେ ଡୋନରଙ୍କ ସହ

  • Share this:
News18 Odia Digital

କଟକ: କଟକ ଏସ୍‌.ସି.ବି. ହସପିଟାଲରେ ଥିବା ଟ୍ରାନ୍ସଫ୍ୟୁଜନ ମେଡିସିନ ବିଭାଗରେ ବୁଧବାର ଦିନ ଉଦଘାଟିତ ହୋଇଛି ରାଜ୍ୟର ପ୍ରଥମ ପ୍ଲାଜମା ବ୍ୟାଙ୍କ । ବିଭାଗରେ ଥିବା ରକ୍ତ ଭଣ୍ଡାରରେ ଏଥି ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ହୋଇଛି । ବୁଧବାର ସନ୍ଧ୍ୟାରେ ଭିଡିଓ କନଫରେନସିଂ ଜରିଆରେ ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ପ୍ଲାଜମା ବ୍ୟାଙ୍କ ସହ ରାଜ୍ୟରେ ପ୍ଲାଜମା ଥେରାପି ଚିକିତ୍ସାର ଉଦଘାଟନ କରିଛନ୍ତି ।

ଗୁରୁବାର ଠାରୁ ରାଜ୍ୟର ତିନିଟି କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଗୁରୁତର ରୋଗୀଙ୍କୁ ଏହି ଚିକିତ୍ସା ସେବା ମିଳିପାରିବ । ପ୍ରଥମ ଦିନରେ କୋଭିଡ଼ରୁ ସୁସ୍ଥ ହୋଇଥିବା ଚାରି ଜଣ ବ୍ୟକ୍ତି ନିଜର ପ୍ଲାଜମା ଦାନ କରିଛନ୍ତି । କୋଭିଡରୁ ସୁସ୍ଥ ହୋଇ ଫେରିଥିବା ଜଣେ ବ୍ୟକ୍ତିଙ୍କ ଠାରୁ ସଂଗୃହିତ ହେଉଥିବା ପ୍ଳାଜମା ଦୁଇ ଜଣଙ୍କ ଜୀବନ ବଞ୍ଚାଇ ପାରିବ ଏବଂ ଜଣେ ବ୍ୟକ୍ତି ପ୍ରତି ୧୫ ଦିନରେ ଥରେ ପ୍ଲାଜମା ଦାନ କରି ପାରିବେ ବୋଲି ସୂଚନା ଦେଇଛନ୍ତି ପ୍ଲାଜମା ବ୍ୟାଙ୍କର ଡାକ୍ତର ।

ଆଜି ନିଜର ପ୍ଲାଜମା ଦାନ କରିଥିବା ଚାରି ଜଣ ଯୁବକଙ୍କ ମଧ୍ୟରେ ଜଣେ ହେଉଛନ୍ତି କେନ୍ଦ୍ରାପଡ଼ା ବାସିନ୍ଦା ମନୋଜ ବରାଳ । ସେ ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ବା ଏପ୍ରିଲ ମାସରେ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବ୍ୟକ୍ତିଙ୍କ ମଧ୍ୟରୁ ଜଣେ । ଦୁବାଇରେ ପାଇପ ମିସ୍ତ୍ରୀ ଭାବେ କାର୍ଯ୍ୟ କରି ଫେରିଥିବା ମନୋଜ ନିଜ ପ୍ଲାଜମା ଦ୍ବାରା ଅନ୍ୟ ଦୁଇ ଜଣ ରୋଗୀଙ୍କ ଜୀବନ ବଞ୍ଚାଇବାକୁ ଯାଉଥିବାରୁ ଖୁସି ପ୍ରକାଶ କରିଛନ୍ତି ।

ଏସ୍.ସି.ବି. ହସପଟାଲରେ ପ୍ଲାଜମା ବ୍ୟାଙ୍କ ଉଦଘାଟନ ସମୟରେ ଡାକ୍ତରମାନେ


‘‘ମୁଁ ଅଶ୍ବିନୀ କୋଭିଡ ହସ୍ପିଟାଲରେ ଦିନ କାଟିଛି । ମୁଁ ପ୍ଲାଜମା ଦାନ କରିବା ପାଇଁ ଇଚ୍ଛା କରୁଛି କି ବୋଲି ଜାଣିବା ପାଇଁ କିଛି ଦିନ ତଳେ ଅଶ୍ବିନୀ ହସ୍ପିଟାଲରୁ ମୋତେ ଯୋଗାଯୋଗ କରାଯାଇଥିଲା । ମୁଁ ସେଥିରେ ତୁରନ୍ତ ରାଜି ହୋଇଯାଇଥିଲି । ଯଦି ମୋ’ ପ୍ଲାଜମାରେ କେହି ଅସୁସ୍ଥ ରୋଗୀ ଠିକ ହୋଇଯାଇ ପାରିବେ ତାହେଲେ ଏହା ଠାରୁ ମୋ’ ପାଇଁ ଆଉ ବଡ଼ କଥା ବା କଣ?’’ କହିଛନ୍ତି ମନୋଜ ବରାଳ ।

ଏହି ପ୍ଲାଜମା ସଂଗ୍ରହ ପ୍ରକ୍ରିୟାକୁ ‘କ୍ଲୋଜ୍‌ ସର୍କିଟ ସିଷ୍ଟମ’ କୁହାଯାଉଛି । ‘‘ଏଥି ପାଇଁ ପାଖାପାଖି ଦେଢ଼ ଘଣ୍ଟା ସମୟ ଲାଗେ । ଆମେ ଡୋନରଙ୍କ ପାଖରୁ କେବଳ ପ୍ଲାଜମା ହିଁ ସଂଗ୍ରହ କରୁଛୁ । ବାକି ତାଙ୍କ ରକ୍ତରେ ଥିବା ଲୋହିତ ରକ୍ତ କଣିକା ଓ ପ୍ଲାଟଲେଟ୍‌କୁ ପୁଣି ତାଙ୍କୁ ଫେରାଇ ଦେଉଛୁ,’’ କହିଛନ୍ତି ଏସସିବି ଟ୍ରାନ୍ସଫ୍ୟୁଜନ ମେଡ଼ିସିନ ବିଭାଗର ଆସୋସିଏଟ ପ୍ରଫେସର ଡ଼ାକ୍ତର ସ୍ମିତା ମହାପାତ୍ର ।

ପ୍ଲାଜମା ସଂଗ୍ରହ ପାଇଁ କୋଭିଡକୁ ପରାସ୍ତ କରି ଘରକୁ ଫେରିଥିବା ସ୍ବେଚ୍ଛାକୃତ ଦାତାଙ୍କ ଆବଶ୍ୟକତା ରହିଥିବାରୁ ସେମିତି ବ୍ୟକ୍ତିଙ୍କୁ ପ୍ରେତ୍ସାହିତ କରିବା କାର୍ଯ୍ୟ ଆରମ୍ଭ କରିଛନ୍ତି ରାଜ୍ୟ ସରକାର । ଏଥି ପାଇଁ ସ୍ବାସ୍ଥ୍ୟ ବିଭାଗର ୱୋବସାଇଟରେ ଏକ ସ୍ବତନ୍ତ୍ର ପୃଷ୍ଠା ଯୋଡ଼ାଯାଇଛି, ଯେଉଁଠି କରୋନାରୁ ମୁକ୍ତ ହୋଇଥିବା ବ୍ୟକ୍ତି ନିଜ ପ୍ଲାଜମା ଦାନ ପାଇଁ ଆଗ୍ରହ ପ୍ରକାଶ କରିପାରିବେ ।

ପ୍ଲାଜମା ଦାନ କରିବାକୁ ଚାହୁଁଥିବା ବ୍ୟକ୍ତିଙ୍କୁ ତାଙ୍କ ଘରୁ ଆଣିବା ଓ ଛାଡ଼ିବା ସହିତ ତାଙ୍କର ସମସ୍ତ ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ । ଏବେ ତିନୋଟି କୋଭିଡ ହସ୍ପିଟାଲରେ ଏହି ଚିକିତ୍ସା ସେବା ପ୍ରଦାନ କରାଯାଉଛି । ଆଗକୁ ଅଧିକରୁ ଅଧିକ କୋଭିଡ ହସ୍ପିଟାଲରେ ଏହି ସୁବିଧା ପହଞ୍ଚାଇବା ପାଇଁ ବ୍ୟବସ୍ଥା କରାଯାଉଥିବା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି ।

‘‘ପାଖାପାଖି ୫୦୦ ଜଣ ଏନ.ଡି.ଆର.ଏଫ., ଅଗ୍ନିଶମ ଓ ଓଡ୍ରାଫ ଜବାନ ପଶ୍ଚିମ ବଙ୍ଗରୁ ବାତ୍ୟା ମୁକାବିଲା ପାଇଁ ଯାଇ ସେଠାରୁ ଆକ୍ରାନ୍ତ ହୋଇ ଫେରିଛନ୍ତି । ସେମାନଙ୍କ ମଧ୍ୟରୁ ଅଧିକାଂଶ ଜବାନ ସୁସ୍ଥ ହୋଇ ଫେରିଛନ୍ତି । ଆଉ ୧୯ ତାରିଖ ଦିନ ଅନେକ ଜବାନଙ୍କର ୨୮ ଦିନର ଅବଧି ଶେଷ ହୋଇଯିବ । ସେମାନେ ଆମ ପାଇଁ ଏକ ବହୁତ ବଡ଼ ଆଶା । ପ୍ରଥମେ ଆମେ ସେମାନଙ୍କୁ ବ୍ୟବହାର କରିବୁ । ତା’ ଛଡ଼ା ଆଜି ସୁଦ୍ଧା ଆମ ରାଜ୍ୟର ୯,୬୦୦ ଅଧିକ ଲୋକ କୋଭିଡରୁ ସୁସ୍ଥ ହୋଇ ଫେରିଛନ୍ତି । ଏହି ସଂଖ୍ୟା ଆଗକୁ ବି ଆହୁରି ବଢ଼ିବ । ଆମେ କୋଭିଡରୁ ସୁସ୍ଥ ହୋଇ ଫେରିଥିବା ଲୋକଙ୍କ ଅପିଲ କରୁଛୁ ଯେ ସେମାନେ ଅଧିକରୁ ଅଧିକ ସଂଖ୍ୟାରେ ଆସି ନିଜର ପ୍ଲାଜମା ଦାନ କରି ଅନ୍ୟ ଆକ୍ରାନ୍ତଙ୍କ ଜୀବନ ବଞ୍ଚାଇବା ଭଳି ଏକ ମହତ କାର୍ଯ୍ୟ କରନ୍ତୁ,’’ କହିଛନ୍ତି ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର ।

ଏହା ବି ପଢ଼ନ୍ତୁ: ରିଲାଏନ୍ସ ଲଞ୍ଚ୍ କଲା Jio Glass; ଏହା ଆପଣଙ୍କୁ ଦେବ ସର୍ବୋତ୍ତମ ମିକ୍ସଡ଼ ରିଆଲିଟି ସେବା

ଏହା ବି ପଢ଼ନ୍ତୁ: ପତି ଓ ପତ୍ନୀଙ୍କ ସହ ତାଙ୍କର ୧୨ ଓ ୮ ବର୍ଷର ପୁଅ ଝିଅ ବି ଦଉଡ଼ି ଲଗେଇ ଆତ୍ମହତ୍ୟା କଲେ

ଏହି ଉଦଘାଟନ କାର୍ଯ୍ୟକ୍ରମରେ ସ୍ବାସ୍ଥ୍ୟ ମନ୍ତ୍ରୀ ନବ ଦାସ, ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର, ଡ଼ିଏମଇଟି ଓ ଏସସିବିର ଅଧ୍ୟକ୍ଷ ଓ ଅଧିକ୍ଷକ ପ୍ରମୁଖ ଯୋଗ ଦେଇଥିଲେ ।
Published by:Anand Shankar Thankur Das
First published: