News18 Odia Digital
ଭୁବନେଶ୍ୱର: ରାଜ୍ୟରେ ଚାଲିଥିବା କୋଭିଡ଼ ଟୀକା ମାନବ ପରୀକ୍ଷଣ କାର୍ଯ୍ୟର ଫେଜ-୨ ପରୀକ୍ଷଣ ଆଉ ପ୍ରାୟ ଦୁଇ ସପ୍ତାହ ପରେ ଆରମ୍ଭ ହେବ । ଫେଜ-୧ ଭଳି ଏହି ଫେଜ-୨ରେ ମଧ୍ୟ ସାରାଦେଶରେ ଥିବା ୧୨ଟି ପରୀକ୍ଷଣ କେନ୍ଦ୍ରରେ ମୋଟ ୬୭୫ଟି ସାମ୍ପୁଲକୁ ନେଇ ପରୀକ୍ଷଣ ବ୍ୟାପକ ହେବ । ଏପର୍ଯ୍ୟନ୍ତ ଫେଜ-୧ ରେ ଉଭୟ ପ୍ରଥମ ଓ ଦ୍ୱିତୀୟ ଡୋଜ ପରୀକ୍ଷାର ଚୁଡାନ୍ତ ରିପୋର୍ଟ ଆସିନଥିଲେ ବି ଉଭୟ ଡୋଜ ନେଇଥିବା ବ୍ୟକ୍ତି ବିଶେଷଙ୍କ ଦେହରେ ଟୀକାର କିଛି ନକରାତ୍ମକ ପ୍ରଭାବ ନଥିବା ପ୍ରାରମ୍ଭିକ ରିପୋର୍ଟରୁ ସ୍ପଷ୍ଟ ହୋଇଛି । ଓଡ଼ିଶାର ସମ ହସ୍ପିଟାଲ ପରିସରରେ ଆରମ୍ଭ ହୋଇଥିବା ଏହି ପରୀକ୍ଷଣ କାର୍ଯ୍ୟ ପୂର୍ବ ଅପେକ୍ଷା ଅଧିକ ତ୍ଵରାନ୍ବିତ ହୋଇଥିଲା ବେଳେ ଏହାର ଫଳାଫଳକୁ ନେଇ ଆଶାବାଦୀ ଅଛନ୍ତି ଉଭୟ ବୈଜ୍ଞାନିକ ଓ ଡାକ୍ତର।
ଓଡ଼ିଶାର ସମ ହସ୍ପିଟାଲ ସ୍ବତନ୍ତ୍ର ଲ୍ୟାବରେ ଚାଲିଥିବା କୋଭିଡ଼ ଟିକାର ମାନବୀୟ ପରୀକ୍ଷଣର ପରିଧି ଧୀରେ ଧୀରେ ବ୍ୟାପକ ହେବାରେ ଲାଗିଥିବା ବେଳେ ହ୍ୟୁମାନ ଟ୍ରାଏଲ ଟିମର ପ୍ରିନ୍ସିପାଲ ଇନଭେସ୍ଟିଗେଟର ଡ଼ଃ ଇପାରୀ ଭେଙ୍କଟ ରାଓଙ୍କ ସୂଚନା ଅନୁସାରେ, "ଆଉ ପ୍ରାୟ ଦୁଇ ସପ୍ତାହ ପରେ ଆରମ୍ଭ ହେବାକୁ ଯାଉଛି ଫେଜ-୨ର ପରୀକ୍ଷଣ । ସାରାଦେଶରେ ଥିବା ମୋଟ ୧୨ଟି ପରୀକ୍ଷଣ କେନ୍ଦ୍ରରେ ୬୭୫ଟି ସାମ୍ପୁଲକୁ ନେଇ ଏହି ଫେଜର ପରୀକ୍ଷଣ ବ୍ୟାପକ ହେବ । ଫେଜ-୧ ରେ ଉଭୟ ପ୍ରଥମ ଓ ଦ୍ୱିତୀୟ ଡୋଜ ପରୀକ୍ଷାର ଚୁଡ଼ାନ୍ତ ରିପୋର୍ଟ ଆସିନଥିଲେ ବି ଉଭୟ ଡୋଜ ନେଇଥିବା ବ୍ୟକ୍ତି ଵିଶେଷଙ୍କ ଦେହରେ ଟୀକାର କିଛି ନକରାତ୍ମକ ପ୍ରଭାବ ନଥିବା ପ୍ରାରମ୍ଭିକ ରିପୋର୍ଟରୁ ସ୍ପଷ୍ଟ ହୋଇଛି, ଯାହା ଏକ ଖୁସି ଖବର । ତେଣୁ ଫେଜ ୧ର ସଫଳତା ଓ ଠିକ ସମୟରେ ଫେଜ ୨ ଆରମ୍ଭକୁ ନେଇ ପୁରା ଟିମ ଉତ୍ସାହିତ ଅଛି । "
ଗତ ଜୁଲାଇ ମାସ ୨୨ ତାରିଖରେ କୋଭିଡ଼ ଟୀକାର ହ୍ୟୁମାନ ଟ୍ରାଏଲ ବା ମାନବ ପରୀକ୍ଷଣ କାର୍ଯ୍ୟ ଆରମ୍ଭ ହୋଇଥିଲା। କିଛି ହାତଗଣତି ସ୍ବେଚ୍ଛାସେବୀଙ୍କଦେହରେ ଦିଆଯାଇଥିଲା ପ୍ରଥମ ଡୋଜ। ପ୍ରଥମ ଡୋଜର ୧୭ ଦିନ ପରେ ପୂର୍ବରୁ ପ୍ରଥମ ଡୋଜ ନେଇଥିବା ବ୍ୟକ୍ତି ଵିଶେଷଙ୍କ ଦେହରେ ଟୀକାର ଦ୍ଵିତୀୟ ଡୋଜ ଦିଆଯାଇଥିଲା ଓ ଏହାର ପ୍ରଭାବ ଭଲ ଥିବା କୁହାଯାଇଛି।
ଟ୍ରାଏଲ ଟିମର ସୂଚନା ଅନୁସାରେ, ମୋଟ ୪ଟି ପର୍ଯ୍ୟାୟରେ ହୋଇଛି ଏହି ଟ୍ରାଏଲ ଓ ପର୍ଯ୍ୟାୟ ଗୁଡିକ ହେଲା ଫେଜ-୦, ଫେଜ-୧, ଫେଜ-୨ ଓ ଫେଜ-୩ । ଫେଜ-୧ରେ ଦେଶର ୧୨ଟି ସ୍ବତନ୍ତ୍ର ଲ୍ୟାବରେ ଏହି ପରୀକ୍ଷା ଚାଲିଥିବା ବେଳେ ଏବେ ଏହା ଚୂଡ଼ାନ୍ତ ହେବାକୁ ଯାଉଛି । ସେହିପରି ଫେଜ-୧ ରେ ୧୮ ରୁ ୫୫ବର୍ଷ ବୟସ୍କ ଲୋକଙ୍କ ଉପରେ ଟୀକା ପ୍ରୟୋଗ କରାଯାଇଥିଲା ବେଳେ ଫେଜ-୨ ରେ ସାମାନ୍ୟ ଓ ଅଧିକ ଅସୁସ୍ଥ ଲୋକଙ୍କ ଉପରେ ଏହା ପ୍ରୟୋଗ କରାଯିବ। ମୋଟ ଉପରେ ଫେଜ-୧ ପରୀକ୍ଷାର ୪୨ ଦିନ ପରେ ଆରମ୍ଭ ହେବ ଫେଜ ୨ ପରୀକ୍ଷା।
ହ୍ୟୁମାନ ଟ୍ରାଏଲର ଫେଜ-୧ ରେ ମୋଟ ୩୭୫ଙ୍କ ଉପରେ ଟ୍ରାଏଲ ସରିଥିବା ବେଳେ ଫେଜ-୨ ରେ ମୋଟ ୬୭୫ ଟି ହ୍ୟୁମାନଙ୍କ ଉପରେ ଟ୍ରାଏଲ କରାଯିବ। ଏହାପରେ ଆରମ୍ଭ ହୋଇପାରେ ଟିକାର ବିଧିବଦ୍ଧ ଫେଜ-୩ ମାନବ ପରୀକ୍ଷଣ ଯାହା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ।
"ଏହି ପାରମ୍ଭିକ ସଫଳତା କୋଭିଡ଼ ଟିକାକୁ ନେଇ ଅନେକ ଆଶା ସଞ୍ଚାର କରିଥିବା ବେଳେ ଟିକା ଆସିବା ସମୟ ଆସନ୍ତା ଡ଼ିସେମ୍ବର କିମ୍ବା ଜାନୁଆରୀ ହୋଇପାରେ," କହିଛନ୍ତି ଆଇ ଏଲ ଏସ, ଭୁବନେଶ୍ୱରର ବରିଷ୍ଠ ବୈଜ୍ଞାନିକ ଡ଼ଃ ସନ୍ଦିପ ମିଶ୍ର।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।