ରାଜ୍ୟରେ କରୋନା ଭାଇରସ୍ ସଂକ୍ରମଣ ଲକ୍ଷଣ ନ ଥିବା ବ୍ୟକ୍ତିଙ୍କର ବି ନମୁନା ପରୀକ୍ଷା ହେବ

ରାଜ୍ୟର ସବୁ ଜିଲ୍ଲାରେ ଖୋଲିବ କୋଭିଡ ହସ୍ପିଟାଲ । ବର୍ତ୍ତମାନ ୨୧ଟି ଜିଲ୍ଲାରେ ୨୪ଟି ହସ୍ପିଟାଲ ଖୋଲିଛି ଓ ୩,୯୫୧ଟି ବେଡ଼ ସହ ୨୯୩ଟି ଆଇସିୟୁ କାର୍ଯ୍ୟକ୍ଷମ ହୋଇଛି । ୨୦ ତାରିଖ ଭିତରେ ଅବଶିଷ୍ଟ ୧୧ଟି ହସ୍ପିଟାଲ କାର୍ଯ୍ୟକ୍ଷମ ହେବ ।

ରାଜ୍ୟରେ କରୋନା ଭାଇରସ୍ ସଂକ୍ରମଣ ଲକ୍ଷଣ ନ ଥିବା ବ୍ୟକ୍ତିଙ୍କର ବି ନମୁନା ପରୀକ୍ଷା ହେବ
ପଶ୍ଚିମ ବଙ୍ଗର ଉତ୍ତରପଡ଼ାରେ ଏକ ଶିଶୁର ତାପମାତ୍ରା ମାପୁଛନ୍ତି ଜଣେ ସ୍ୱାସ୍ଥ୍ୟ କର୍ମୀ ।
  • News18 Odia
  • Last Updated: April 17, 2020, 10:44 AM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ରାଜ୍ୟରେ ବ୍ୟାପକ ହେବ କରୋନା ଭାଇରସ୍‌ ମହାମାରୀ ପାଇଁ ନମୁନା ପରୀକ୍ଷା । ବର୍ତ୍ତମାନ ଦିନକୁ ୧,୨୦୦ରୁ ୧,୩୦୦ ନମୁନା ପରୀକ୍ଷା କରାଯାଉଥିବା ବେଳେ ଏବେ ପ୍ରତି ଜିଲ୍ଲାରେ ଲକ୍ଷଣ ନ ଥିବା ଲୋକଙ୍କ ଠାରୁ ବି ନମୁନା ସଂଗ୍ରହ କରି ପରୀକ୍ଷା କରାଯିବ ।

ଦ୍ୱିତୀୟ ପର୍ଯ୍ୟାୟ ଲକଡାଉନ ଅବଧିର ଆଗାମୀ ୧୦ ଦିନ ରାଜ୍ୟ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ସରକାର କହିଛନ୍ତି ।  ‘‘ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶାର ସ୍ଥିତି ଉତ୍ତମ ଅଛି, କିନ୍ତୁ ବିପଦ ଟଳିନି । କରୋନା ଆକ୍ରାନ୍ତଙ୍କୁ ଶୀଘ୍ର ଚିହ୍ନଟ କରିବାକୁ ପଡିବ। ଆକ୍ରାନ୍ତଙ୍କୁ ଯେତେ ଶୀଘ୍ର ଚିହ୍ନଟ କରାଯାଇପାରିବ, ସେତେ ଶୀଘ୍ର ଆମ ପାଇଁ ଶୁଭଙ୍କର। ତେଣୁ ଆଗାମୀ ଦିନରେ ସାମ୍ପୁଲ ପରୀକ୍ଷାକୁ ବ୍ୟାପକ କରିବାକୁ ସରକାର ପଦକ୍ଷେପ ନେବାକୁ ଯାଉଛନ୍ତି,’’ କହିଛନ୍ତି ଆଇଇସି ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚି । ସେ ଲୋକଙ୍କୁ ବୟସ୍କ ଓ ଛୋଟ ପିଲାଙ୍କ ଠାରୁ ଦୂରେଇ ରହିବାକୁ ପରାମର୍ଶ ଦେଇଛନ୍ତି ।

ପ୍ରତି ୧୦,୦୦୦ ଲୋକଙ୍କ ମଧ୍ୟରୁ ଜଣଙ୍କ ସ୍ୱାବ ପରୀକ୍ଷା ପାଇଁ ନିଆଯିବ । ବହୁ ସଂକ୍ରମିତ କରୋନା ରୋଗୀଙ୍କ ଠାରେ ଲକ୍ଷଣ ପ୍ରକାଶ ପାଉ ନ ଥିବାରୁ ସରକାର ରାଣ୍ଡୋମଲି ସବୁ ଜିଲ୍ଲାରେ କରୋନା ପାଇଁ ପରୀକ୍ଷା କରିବାକୁ ଯୋଜନା କରିଛନ୍ତି ବୋଲି କହିଛନ୍ତି ଜନ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ଅଜିତ ମହାନ୍ତି ।

ଉନ୍ନୟନ କମିଶନର ସୁରେଶ ଚନ୍ଦ୍ର ମହାପାତ୍ର ଗୁରୁବାର ଦିନ ସାମ୍ବାଦିକ ସମ୍ମିଳନୀରେ କହୁଛନ୍ତି ।


ରାଜ୍ୟର ସବୁ ଜିଲ୍ଲାରେ କୋଭିଡ ହସ୍ପିଟାଲ ଖୋଲିବ । ବର୍ତ୍ତମାନ ୨୧ଟି ଜିଲ୍ଲାରେ ୨୪ଟି ହସ୍ପିଟାଲ କାର୍ଯ୍ୟକ୍ଷମ ହୋଇଛି । ୩,୯୫୧ଟି ବେଡ଼ ସହ ୨୯୩ଟି ଆଇସିୟୁ କାର୍ଯ୍ୟକ୍ଷମ ହୋଇଛି । ୨୦ ତାରିଖ ଭିତରେ ଅବଶିଷ୍ଟ ୧୧ଟି ହସ୍ପିଟାଲ କାର୍ଯ୍ୟକ୍ଷମ ହେବ । ୧,୮୭୦ଟି ବେଡ଼ ସହ ୭୩ଟି ଆଇସିୟୁ କାର୍ଯ୍ୟକ୍ଷମ ହେବ, ଯାହା ଦ୍ୱାରା ଯେ କୌଣସି ଜିଲ୍ଲାରୁ ପଜିଟିଭ କେସ ଆସିବ ସେହି ଜିଲ୍ଲାରେ ଚିକିତ୍ସା କରାଯାଇପାରିବ । ସବୁ ଜିଲ୍ଲାରେ ହସ୍ପିଟାଲ ପ୍ରତିଷ୍ଠା କରିବା ମୁଖ୍ୟ ମନ୍ତ୍ରୀଙ୍କ ଦୂରଦୃଷ୍ଟିର ପ୍ରତୀକ,’’ କହିଛନ୍ତି ଉନ୍ନୟନ କମିଶନର ସୁରେଶ ଚନ୍ଦ୍ର ମହାପାତ୍ର ।

ସେ ଆହୁରି କହିଛନ୍ତି ଯେ ଡାକ୍ତରଙ୍କ ଓ ସ୍ୱାସ୍ଥ୍ୟ କର୍ମୀଙ୍କ ନିରାପତ୍ତା ପାଇଁ ସରକାର ପଦକ୍ଷେପ ନେଇଛନ୍ତି । ଯଥେଷ୍ଟ ସଂଖ୍ୟାର ପିପିଇ, ମାସ୍କ ଓ ସାନିଟାଇଜର ସହ ୧୪ ଦିନ କାମ କରିବା ଓ ୧୪ ଦିନ କ୍ଵରେଣ୍ଟଇନରେ ରଖିବାର ବ୍ୟବସ୍ଥା କରାଯାଇଛି ।

‘’୯୯ ପ୍ରତିଶତ ରୋଗୀଙ୍କ ଅବସ୍ଥା ଗୁରୁତର ହେବାର ସମ୍ଭାବନା ନାହିଁ । ଆକ୍ରାନ୍ତଙ୍କୁ ଉପଯୁକ୍ତ ଚିକିତ୍ସା ସୁବିଧା ଯୋଗାଇ ଦିଆଯାଇଛି । ତେଣୁ ପରିବାର ଲୋକ ଦ୍ଵନ୍ଦରେ ରୁହନ୍ତୁ ନାହିଁ । ରୋଗୀଙ୍କ ପରିବାର ବର୍ଗ ହସ୍ପିଟାଲକୁ ଆସିବାର ଆବଶ୍ୟକତା ନାହିଁ,’’ ସେ କହିଛନ୍ତି ।

ଯଦି କୌଣସି ଆକ୍ରାନ୍ତ ଘରେ ରହି ଚିକିତ୍ସା ହେବାକୁ ଚାଁହୁଥିବ ସରକାର ଅନୁମତି ଦେବେକି ପ୍ରଶ୍ନରେ ଉତର ଦେଇ ଉନ୍ନୟନ କମିଶନର କହିଛନ୍ତି ଯେ ଆକ୍ରାନ୍ତଙ୍କ ଲକ୍ଷଣ ସମୟକ୍ରମେ ବୃଦ୍ଧି ପାଇପରେ । ସେ ପରିସ୍ଥିତିରେ ହସ୍ପିଟାଲ ଆସିବାକୁ ପଡ଼ିବ ।

ସରକାରଙ୍କ ପ୍ରସ୍ତୁତି ବାବଦରେ ସୂଚନା ଦେଇ ଆଇଇସି ମୁଖ୍ୟ ମୁଖପାତ୍ର  ସୁବ୍ରତ ବାଗଚି କହିଛନ୍ତି ଯେ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଓ ମୁଖ୍ୟ ମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି.କେ. ପଣ୍ଡିଆନ କେଉଁଝର ଓ ବାରିପଦା ଯାଇ କୋଭିଡ ହସ୍ପିଟାଲ ନିର୍ମାଣର ଅଗ୍ରଗତି ସମୀକ୍ଷା କରିଛନ୍ତି । ୨୦ ତାରିଖ ସୁଦ୍ଧା ସବୁ ଜିଲ୍ଲାରେ ହସ୍ପିଟାଲ କାର୍ଯ୍ୟକ୍ଷମ ହେବ। ସରକାର ଭିତ୍ତିଭୂମି ବିକାଶ ଓ ତାଲିମ ଉପରେ ଗୁରୁତ୍ୱ ଦେଉଛନ୍ତି ।
First published: April 17, 2020, 10:44 AM IST
corona virus btn
corona virus btn
Loading