News18 Odia Digital
ନୂଆ ଦିଲ୍ଲୀ: ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ଏକ ଅପ୍ରତ୍ୟାଶିତ ନିଷ୍ପତ୍ତିରେ ଘୋଷଣା କରିଛି ଯେ ମାର୍ଚ୍ଚ ୧, ୨୦୨୦ ସୁଦ୍ଧା ପଇଠ ହେବାକୁ ଥିବା ସବୁ ଋଣର କିସ୍ତି ଆଦାୟ ତିନି ମାସ ପାଇଁ କୋହଳ କରିବାକୁ ବ୍ୟାଙ୍କଗୁଡିକୁ ଅନୁମତି ଦିଆଯାଇଛି ।
ଏହି ନିଷ୍ପତ୍ତି ସବୁ ଆଞ୍ଚଳିକ, ଗ୍ରାମୀଣ ବ୍ୟାଙ୍କ, ସମବାୟ ବ୍ୟାଙ୍କ, ହାଉସିଂ ଫାଇନାନ୍ସ କମ୍ପାନୀ ସମେତ ସବୁ NBFC ପାଇଁ ପ୍ରଯୁଜ୍ୟ ହେବ । ଗ୍ରାହକଙ୍କୁ ଏହି ସୁବିଧା ପ୍ରଦାନ କରିବାର ଚୂଡ଼ାନ୍ତ ନିଷ୍ପତ୍ତି ବ୍ୟାଙ୍କଗୁଡିକ ଉପରେ ରହିବ ବୋଲି ଆର୍.ବି.ଆଇ. କହିଛି । ଏହି କୋହଳତା ଋଣ ନେଇଥିବା ବ୍ୟକ୍ତିଙ୍କ ଋଣ ଇତିହାସ ଉପରେ କୌଣସି ପ୍ରତିକୂଳ ପ୍ରଭାବ ପକାଇବ ନାହିଁ ।
ଋଣ ଅବଧି ସମୟରେ ଏହି ବିରାମ (ମୋରାଟରିଅମ୍) ଅବଧି ହେଉଛି ଏକ ସମୟ ଯେତେବେଳେ ଋଣ ଗ୍ରହୀତାଙ୍କୁ କୌଣସି ପରିଶୋଧ କରିବାର ଆବଶ୍ୟକତା ନ ଥାଏ । ସାଧାରଣତଃ ଋଣ ମିଳିବା ପରେ ପରିଶୋଧ ଆରମ୍ଭ ହୁଏ ଓ ପ୍ରତି ମାସ ଦେୟ ଦେବାକୁ ପଡ଼େ । ହେଲେ ବିଶ୍ୱରେ ମହାମାରୀ କରୋନା ଭାଇରସରୁ ସୃଷ୍ଟି ହେଉଥିବା ଆର୍ଥିକ ଅସୁବିଧା ଓ ଏହାର ବିସ୍ତାରକୁ ନିୟନ୍ତ୍ରଣ କରିବା ପାଇଁ ଲଗାଯାଇଥିବା ଲକଡାଉନକୁ ଦୃଷ୍ଟିରେ ରଖି ଆର୍.ବି.ଆଇ. ନିୟମ କୋହଳକରିଛି।
ଏହି ନିଷ୍ପତ୍ତି ମୁଦ୍ରା ନୀତି କମିଟିର ବୈଠକ ପରେ ଆର୍.ବି.ଆଇ. ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଘୋଷଣା କରିଛନ୍ତି । ଏହା ଦ୍ୱାରା ମଧ୍ୟବିତ୍ତ ଶ୍ରେଣୀର ଲୋକଙ୍କୁ କିଛି ଆରାମ ମିଳିବ । ସେମାନେ ନୂଆ ମାସ ପାଖେଇ ଆସୁଥିବାରୁ EMI ଦେୟ ଉପରେ କିଛି ଆରାମ ପ୍ରଦାନ କରିବାକୁ ଦାବି କରିଥିଲେ ।

ଆର୍.ବି.ଆଇ. ଗଭର୍ଣ୍ଣର ଶକ୍ତିକାନ୍ତ ଦାସ
କରୋନା ଭାଇରସ୍ ପାଇଁ ବର୍ତ୍ତମାନ ଚାଲିଥିବା ଲକଡାଉନ୍ ସମୟରେ ଅର୍ଥନୈତିକ ଅଭିବୃଦ୍ଧିକୁ ପୁନର୍ଜୀବିତ କରିବା ପାଇଁ ଆର୍.ବି.ଆଇ. ଅନ୍ୟ କେତେଗୁଡ଼ିଏ ପଦକ୍ଷେପ ମଧ୍ୟ ନେଇଛି । ସେଥିରୁ ସବୁଠୁ ବଡ଼ ପଦକ୍ଷେପ ହେଉଛି ରୋପୋ ରେଟରେ ଏବ ବଡ଼ ୭୫ ଆଧାର ପଏଣ୍ଟ ହ୍ରାସ କରି ଏହାକୁ ୪.୪ ପ୍ରତିଶତକୁ ଆଣିବା । ଏହି ସବୁ ପଦକ୍ଷେପ ଦ୍ୱାରା ଦେଶର ଅର୍ଥ ବ୍ୟବସ୍ଥା ମଧ୍ୟରେ ୩.୭୪ ଲକ୍ଷ କୋଟି ଟଙ୍କାର ଲିକ୍ୟୁଡିଟି ପ୍ରବେଶ କରିବ ବୋଲି ଆର୍.ବି.ଆଇ. ଗଭର୍ଣ୍ଣର କହିଛନ୍ତି ।
ଏହି ସପ୍ତାହର ଆରମ୍ଭରେ ଆର୍ଥିକ ସେବା ବିଭାଗର ସଚିବ ଦେବଶିଷ ପଣ୍ଡା ଆର୍.ବି.ଆଇ.କୁ ଚିଠି ଲେଖି ସମାନ ମାସିକ କିସ୍ତି (EMI) ଦେୟ, ସୁଧ ଓ ଋଣ ପରିଶୋଧରେ କିଛି ମାସର ବିରାମ ଦେବାକୁ ପ୍ରସ୍ତାବ ଦେଇଥିଲେ । ଏହି ଚିଠିରେ ପଣ୍ଡା ସିଷ୍ଟମରେ ଲିକ୍ୱିଡିଟି ବଜାୟ ରଖିବା ଉପରେ ମଧ୍ୟ ଗୁରୁତ୍ୱ ଦେଇଥିଲେ ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।