News18 Odia Digital
ବାଲେଶ୍ୱର: ଓଡ଼ିଶା ମୁହାଁ ହୋଇ ମାଡ଼ିଆସୁଥିବା ବାତ୍ୟା ଅମ୍ଫନର ମୁକାବିଲା ପାଇଁ ଯୁଦ୍ଧକାଳୀନ ଭିତ୍ତିରେ ବାଲେଶ୍ୱର ପ୍ରଶାସନ ପୃସ୍ତୁତି ଚଳେଇଛି । ଜିଲ୍ଲାପାଳଙ୍କ ଘନ ଘନ ବୈଠକ ସହ ଡିଜିପି ଅଭୟ ଜିଲ୍ଲାରେ ପହଞ୍ଚି ପ୍ରସ୍ତୁତିର ସମୀକ୍ଷା କରିଛନ୍ତି । ଆଜି ସନ୍ଧ୍ୟାରୁ ଜିଲ୍ଲା ସୀମାରେ ପ୍ରବାସୀ ପ୍ରବେଶ ବନ୍ଦ କରିଛି ଜିଲ୍ଲା ପ୍ରଶାସନ ।
ଅମ୍ଫନ ବାତ୍ୟାର ପ୍ରଭାବରେ ଉତ୍ତର ଓଡ଼ିଶା ପ୍ରଭାବିତ ହେବା ନେଇ ସୂଚନା ଆସିବା ପରେ ବାଲେଶ୍ୱର ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ କରାଯାଇଛି । ତଳିଆ ତଥା ସମୁଦ୍ରକୂଳିଆ ପାଞ୍ଚଟି ବ୍ଲକର ୧୩୬ଟି ପଞ୍ଚାୟତ ରେ ୨ଲକ୍ଷ ୯୦ ହଜାରରୁ ଅଧିକ ଲୋକଙ୍କ ସୁରକ୍ଷା ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଏ ନେଇ ଆଜି ବାଲେଶ୍ୱର ପରିଦର୍ଶନ କରିଛନ୍ତି ପୋଲିସ ଡିଜି ଅଭୟ ।
ପ୍ରଥମେ ପୂର୍ବାଞ୍ଚଳ ଡ଼ିଆଇଜିଙ୍କ ଅଫିସରେ ବରିଷ୍ଠ ଅଧିକାରୀଙ୍କ ସହିତ ଆଲୋଚନା କରିବା ପରେ ଓଡ୍ରାଫ ଟିମର ପ୍ରସ୍ତୁତି ସମୀକ୍ଷା କରିଛନ୍ତି ଡିଜିପି । ଏହା ପରେ ଗଣମାଧ୍ୟମ କୁ ସୂଚନା ଦେଇ ଡିଜିପି କହିଛନ୍ତି ଯେ ଦୁଇଟି NDRF ଟିମ୍ ଓ ତିନିଟି ଓଡ୍ରାଫ ଟିମ ଜିଲ୍ଲାରେ ମୁତୟନ ଅଛନ୍ତି । ଆବଶ୍ୟକ ପଡ଼ିଲେ ଆଉ ୨୦ଟି ଟିମ ମହୁଜଦ ଅଛନ୍ତି କାମରେ ଲାଗିବେ ।
‘‘ବାଲେଶ୍ୱରରେ କଲେକ୍ଟର ଓ ଏସ୍.ପି. ମିଶି ବାତ୍ୟାରୁ ସୁରକ୍ଷା ପାଇଁ କାମ କରୁଛନ୍ତି । ପୂରା ରାଜ୍ୟରେ ମୁତୟନ ହୋଇଥିବା NDRF ଓ ODRAF ଟିମମାନଙ୍କ ଭିତରୁ ସବୁ ଠୁ ଅଧିକ ସଂଖ୍ୟାରେ କର୍ମୀମାନେ ବାଲେଶ୍ୱରରେ ମୁତୟନ ହୋଇଛନ୍ତି । ଯେଉଁ ଅଞ୍ଚଳ ସମ୍ବେଦନଶୀଳ ଅଛି, ସେଠାରୁ ଆଜି ଲୋକଙ୍କୁ ସ୍ଥାନାନ୍ତର କରାଯିବ । ବାତ୍ୟା ମୁକାବିଲାରେ ଆମର ଭଲ କ୍ଷମତା ଅଛି,’’ କହିଛନ୍ତି ଡିଜିପି ଅଭୟ । ଜିଲ୍ଲାରେ ଆଜି ଲୋକଙ୍କୁ ସ୍ଥାନାନ୍ତରିତ କରିବା ପେଇଁ ଜିଲ୍ଲା ପ୍ରଶାସନ ବ୍ୟାପକ ପ୍ରସ୍ତୁତି କରିଛି ।

ଗୋଟିଏ ଉଦ୍ଧାର ବୋଟ୍ ପ୍ରସ୍ତୁତ ହୋଇ ଅଛି ।
ବାତ୍ୟାକୁ ଦୃଷ୍ଟିରେ ରଖି ଆଜି ସନ୍ଧ୍ୟାରୁ ଆସନ୍ତା ୨୧ ତାରିଖ ସକାଳ ପର୍ଯ୍ୟନ୍ତ ବାଲେଶ୍ୱର ସୀମା ମଧ୍ୟକୁ ପ୍ରବାସୀଙ୍କ ପ୍ରବେଶ ନିଷେଧ କରାଯାଇଛି । ଆଜି ଗୋଟିଏ ଶ୍ରମିକ ଟ୍ରେନ ଆସୁଥିବା ବେଳେ ଆସନ୍ତା ୨୧ ତାରିଖ ପର୍ଯ୍ୟନ୍ତ କୌଣସି ଟ୍ରେନ ନ ଆସିବାକୁ ଜଣାଇଛନ୍ତି ଜିଲ୍ଲାପାଳ ।
ତଳିଆ ଅଞ୍ଚଳର ଲୋକ ସାଧାରଣତ କଚ୍ଚା ଘର ଓ ଦୁର୍ବଳ ଘରେ ରହୁଥିବା ଲୋକଙ୍କୁ ସ୍ଥାନାନ୍ତରିତ କରିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ଜିଲ୍ଲାର ୧୪୦ଟି ବାତ୍ୟା ଆଶ୍ରୟସ୍ଥଳୀ ମଧ୍ୟରୁ ୫୮ଟିରେ ହୋଇଥିବା କ୍ୱାରେଣ୍ଟାଇନ କେନ୍ଦ୍ରକୁ ଛାଡ଼ି ଆଉ ସବୁ ଆଶ୍ରୟ ସ୍ଥଳୀ ପ୍ରସ୍ତୁତ କରାଯାଇଛି । ୫୮୬ଟି ସ୍କୁଲ ଘର ଓ ପକ୍କା ଘର ଲୋକଙ୍କୁ ସ୍ଥାନାନ୍ତର କରିବା ପାଇଁ ଚିହ୍ନଟ କରାଯାଇଛି ।
ପ୍ରଥମ ପର୍ଯ୍ୟରେ ଗର୍ଭବତୀ ଓ ରୋଗୀମାନଙ୍କୁ ମେଡିକାଲରେ ଭର୍ତ୍ତି କରିବା ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ଆଜି ସନ୍ଧ୍ୟାରେ କେତେ ଲୋକଙ୍କୁ ସ୍ଥାନାନ୍ତରିତ କରାଯିବ ସେନେଇ ନିଷ୍ପତ୍ତି ନିଆଯିବ ବୋଲି ଜିଲ୍ଲାପାଳ କେ ସୁଦର୍ଶନ ଚକ୍ରବର୍ତ୍ତୀ ସୂଚନା ଦେଇଛନ୍ତି । ଜିଲ୍ଲାର ସମୁଦ୍ର ଉପକୂଳବର୍ତ୍ତୀ ପାଞ୍ଚଟି ବ୍ଲକକୁ ଜିଲ୍ଲାର ଜଣେ ଜଣେ ବରିଷ୍ଠ ଅଧିକାରୀଙ୍କ ଦାୟିତ୍ୱରେ ଦିଆଯାଇଛି ।
ଓଡ୍ରାଫ, ଅଗ୍ନିଶମ ଓ NDRF ଟିମ ପ୍ରସ୍ତୁତ ହୋଇ ଅଛନ୍ତି । ଅଗ୍ନିଶମ ବିଭାଗ ପକ୍ଷରୁ ଆଠଟି ସମ୍ବେଦନଶୀଳ ସ୍ଥାନ ଚିହ୍ନଟ କରିବା ସହିତ ସେ ସବୁ ଜାଗାକୁ ଟିମ ପଠାଯାଇଛି । ଏଥି ସହିତ ଓଡ୍ରାଫ ଓ NDRF ମଧ୍ୟ ବିଭିନ୍ନ ସ୍ଥାନରେ ପହଞ୍ଚିବା ଆରମ୍ଭ କରିଛନ୍ତି ।
ବାଲେଶ୍ୱର ଜିଲ୍ଲାର ମୁଖ୍ୟତଃ ଭୋଗରାଇ, ବାଲିଆପାଳ, ରେମୁଣା, ସଦର ଓ ବାହାନଗା ବ୍ଲକରେ ସମୁଦ୍ର କୂଳିଆ ଲୋକ ରହୁଥିବା ବେଳେ ସେମାନଙ୍କୁ ପ୍ରାଥମିକତା ସହ କିଭଳି ସ୍ଥାନାନ୍ତରିତ କରାଯିବ ସେ ନେଇ ସଜାଗ ଅଛି ପ୍ରଶାସନ । ଜିରୋ କାଜୁଆଲଟି ଲକ୍ଷ ନେଇ ଜୋରସୋରରେ ପ୍ରସ୍ତୁତି ଚାଲିଛି ।
ଏହା ବି ପଢ଼ନ୍ତୁ: ରାଜ୍ୟରେ ଆହୁରି ୪୮ କରୋନା ପଜିଟିଭ ଚିହ୍ନଟ; ମୋଟ ସଂଖ୍ୟା ୮୭୬ ହେଲା; ଗଞ୍ଜାମରେ ୩୦୭ଏହା ବି ପଢ଼ନ୍ତୁ: ଆଜି ସନ୍ଧ୍ୟା ସୁଦ୍ଧା ମହାବାତ୍ୟାର ରୂପ ନେଇପାରେ ଅମ୍ଫନ; ସ୍ଥଳ ଭାଗ ଆଡ଼କୁ ମୁହାଁଇଛିଏହା ବି ପଢ଼ନ୍ତୁ: ମେ ୩୧ ପର୍ଯ୍ୟନ୍ତ ବଢ଼ିଲା ଲକଡାଉନ୍; ଏହି ସବୁ କାମ କରିବାକୁ ଅନୁମତି ଅଛିଏହା ବି ପଢ଼ନ୍ତୁ: ଏମିତି ବି ହୋଇପାରେ: କରୋନା ବିଶ୍ୱକୁ କେବେ ବି ଛାଡ଼ି ଯାଇ ନ ପାରେ, କହିଲେ WHO ଅଧିକାରୀଏହା ବି ପଢ଼ନ୍ତୁ: କରୋନା ସନ୍ଦେହରେ ହସପିଟାଲରେ ଥିବା ନିଜ ୫ ବର୍ଷର ପୁଅକୁ ହତ୍ୟା କଲେ ଫୁଟବଲ୍ ଖେଳାଳିନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।