News18 Odia Digital
ପୁରୀ: କରୋନା ଭାଇରସକୁ ନେଇ ହୋଲି ସବୁଆଡ଼େ ଫିକା ଫିକା ଦେଖିବାକୁ ମିଳିଥିବା ବେଳେ ଆନ୍ତର୍ଜାତୀୟ ପର୍ଯ୍ୟଟନ କ୍ଷେତ୍ର ପୁରୀରେ ଜୋରଦାର୍ ଓ ନିଆରା ଢଙ୍ଗରେ ପାଳିତ ହୋଇଛି ରଙ୍ଗର ଏହି ପର୍ବ । ବିଭିନ୍ନ ସ୍ଥାନରେ ବିଦେଶୀ ପର୍ଯ୍ୟଟକମାନଙ୍କ ପାଖକୁ ଲୋକେ କରୋନା ଭାଇରସ୍ ଡରରେ ଯିବାକୁ ଭୟ କରୁଥିବା ବେଳେ ପୁରୀରେ କିନ୍ତୁ ସେମାନଙ୍କ ସହ ମିଶି ହୋଲି ଖେଳିଛନ୍ତି ସାଧାରଣ ଲୋକେ ।
ପେଣ୍ଠକଟାର ସିଟି ରୋଡ ଅଞ୍ଚଳରେ ୨୫ ଜଣ ଜାପାନୀ ପର୍ଯ୍ୟଟକଙ୍କୁ ରାସ୍ତାରେ ବୁଲି ବୁଲି ସାହି ବାସିନ୍ଦାଙ୍କ ସହ ହୋଲି ଖେଳୁଥିବା ଦେଖିବାକୁ ମିଳିଥିଲା । କରୋନା ଭାଇରସର ଡରକୁ ପଛରେ ପକାଇ ଜାପାନୀମାନେ ହୋଲିକୁ ବେଶ୍ ଧୁମଧାମରେ ପାଳନ କରିଥିଲେ । ଠିକ୍ ସେମିତି ସର୍ବୋଦୟ ନଗରରେ ଥିବା ସେଲ୍ଟର ହୋମ ‘ନିଳାଦ୍ରୀ ନିଳୟ’ ତରଫରୁ ବଡ଼ ଦାଣ୍ଡରେ ଭିକ୍ଷାବୃତି କରୁଥିବା ଲୋକମାନଙ୍କୁ ଆଣି ଅନ୍ତେବାସୀ ଓ ଜିଲ୍ଲା ପ୍ରଶାସନର କର୍ମଚ଼ାରୀମାନଙ୍କ ଦ୍ୱାରା ହୋଲି ଉତ୍ସବର ଆୟୋଜନ କରାଯାଇଥିଲା । ଭିକାରୀମାନେ ନାଚ ଓ ଗୀତରେ ମସଗୁଲ ହୋଇ ହୋଲି ଖଳିଥିଲେ ଓ ନିଜ ଦୁରାବସ୍ଥାକୁ ଭୁଲି ଦୁନିଆକୁ ଦେଇଥିଲେ ପ୍ରେମର ବାର୍ତ୍ତା।
‘‘ଭାଇଚାରାର ସହର ପୁରୀ ଶ୍ରୀକ୍ଷେତ୍ରରେ ହିନ୍ଦୁ ହେଉ କି ମୁସଲମାନ କି ଖ୍ରୀଷ୍ଟିଆନ, ସମସ୍ତଙ୍କ ମଧ୍ୟରେ ରହିଛି ଏକ ନିଆରା ସମ୍ପର୍କ । ହୋଲିର ରଙ୍ଗରେ ଆଜି ସମସ୍ତେ ଭିଜିଛନ୍ତି ଆଉ ବାଣ୍ଟିଛନ୍ତି ସ୍ନେହ ଓ ପ୍ରେମର ରଙ୍ଗ। ଜାପାନୀମାନଙ୍କ ହୋଲି ସେଲିବ୍ରେସନକୁ ଦେଖି ଏଭଳି ମନେ ହେଉଥିଲା। କରୋନା ସତର୍କତାକୁ ପଛରେ ପକାଇ ସେମାନେ ଖେଳିଥିଲେ ପ୍ରେମର ହୋଲି । ସମସ୍ତଙ୍କ ହାତରେ ଥିଲା ହର୍ବାଲ ରଙ୍ଗ । ସେମାନେ କରୋନାର ଭୟକୁ ପଛରେ ପକାଇ ହୋଲି ଖେଳିବା ସହ ଭାରତୀୟ ପରମ୍ପରା ଓ ସଂସ୍କୃତିର ଏହି ନିଆରା ପର୍ବ ପାଳନ କରି ଏକ ନିଆରା ବାର୍ତ୍ତା ଦେଇଛନ୍ତି,’’ କହିଛନ୍ତି ଇଣ୍ଡୋ-ଜାପାନ ଫ୍ରେଣ୍ଡସିପ ସେଣ୍ଟରର ସଞ୍ଜୋଜକ କୁନା ଦାଶ ।

ବଡ଼ ଦାଣ୍ଡର ଭିକାରୀମାନେ ହୋଲି ଖେଳି ଭାରି ଖୁସି ହୋଇଥିଲେ ।
ପ୍ରତି ବର୍ଷ ଅନେକ ଜାପାନୀ ନାଗରିକ ବି ହୋଲିକୁ ଖୁବ ଧୁମଧାମରେ ପାଳନ କରିଥାନ୍ତି । ହେଲେ ଚଳିତ ବର୍ଷ କରୋନାକୁ ନେଇ ବେଶି ମଜା କରିନଥିଲେ ସୁଦ୍ଧା ନିଜ ନିଜ ଭିତରେ ରଙ୍ଗ ବୋଳିବା ସହ ସେମାନେ ରହୁଥିବା ଅଞ୍ଚଳରେ ଏହି ଖେଳ ସିମୀତ ରହିଥିଲା । ‘‘ଲୋକଙ୍କ ମନରେ କରୋନା ଭୟ ରହିଥିବାରୁ ଆମେ କେବଳ ନିଜ ଭିତରେ ରଙ୍ଗ ଖେଳି ଖୁସି ଅନୁଭବ କରୁଛୁ । ଏହି ପର୍ବଟି ଆମକୁ ବେଶ ଖୁସି ଦେଇଥାଏ । ଆମେ ଜାପାନୀଜମାନେ ପ୍ରତି ବର୍ଷ ଏହି ହୋଲି ଖେଳ ଖେଳିବା ପାଇଁ ଜାପାନରୁ ଆସୁଥାଉ,’’ କହିଛନ୍ତି ଜାପାନୀଜ ପର୍ଯ୍ୟଟକ କୁୟୋତୋ ।
ଠିକ୍ ସେମିତି ସ୍ୱିଡେନରୁ ଆସିଥିବା ଦମ୍ପତି ଷ୍ଟିଫେର୍ଡ ଓ ସାନ୍ତିଆ ଉଭୟେ ଏକ ବୁଲେଟରେ ସକାଳେ ସହର ସାରା ବୁଲି ହୋଲି ଖେଳିଥିଲେ । ‘‘ଅନ୍ୟ ସ୍ଥାନରେ କରୋନାକୁ ନେଇ ଲୋକେ ଆମମାନଙ୍କ ସହ ମିଶିବା ପାଇଁ ଅନିଛା ପ୍ରକାଶ କରୁଥିଲେ । ମାତ୍ର ପୁରୀରେ ହୋଲି ଖେଳିବା ମଜା ଅଲଗା । ଇନ୍ ଓଡିଶା ନୋ କରୋନା, ଓନଲି ଏନଜୟିଂ ହୋଲି,’’ କହିଛନ୍ତି ଷ୍ଟିଫେର୍ଡ଼ ।
‘‘ବିଦେଶୀମାନଙ୍କ ସହ ହୋଲି ଖେଳିଲେ ଯେ କରୋନା ଭାଇରସ୍ ସଂକ୍ରମଣ ହୋଇଯିବ, ତାହା ନୁହେଁ । ଏଥି ପାଇଁ କେବଳ ସଚେତନତା ଜରୁରୀ । ସେମାନେ ଆମ ପାଖକୁ ଆସି ଆମ ପରମ୍ପରା ସହ ଜଡିତ ହୋଇ ହୋଲି ଖେଳୁଥିବାରୁ ସେମାନଙ୍କ ସହ ଆମେ ହୋଲି ଖେଳିଲୁ । ବିଦେଶୀ ହେଲେ ବି ହୋଲିକୁ ନେଇ ସେମାନେ ବହୁତ ଖୁସି । ଏହା ଆମ ସଂସ୍କୃତି ପାଇଁ ବେଶ ଗର୍ବର ବିଷୟ,’’ କହିଛନ୍ତି ସିଟି ରୋଡ଼ର ବାସିନ୍ଦା ଶାଶ୍ୱତ ମିଶ୍ର ।
‘‘ଆନନ୍ଦର ପର୍ବ ହୋଲିରେ ସମସ୍ତଙ୍କ ମୁହଁରେ ହସ ଫୁଟାଇବା ହିଁ ଥିଲା ଜିଲ୍ଲା ପ୍ରଶାସନର ଲକ୍ଷ । ସେଇଥି ପାଇଁ ଆମେ ନେଇଥିଲୁ କେତେକ ନିଆରା ପଦକ୍ଷେପ,’’ କହିଛନ୍ତି ପୁରୀ ପୌରସଂସ୍ଥାର କାର୍ଯ୍ୟନିର୍ବାହୀ ଅଧିକାରୀ ବିଜୟ ଦାସ ।
ବଡ଼ ଦାଣ୍ଡରୁ ଉଦ୍ଧାର ହୋଇ ଆସିଥିବା କଲିକତାର ଉଚ୍ଚଶିକ୍ଷିତା ଧରିତ୍ରୀ ନିଜେ ରଙ୍ଗ ଲଗାଇବା ସହ ନିଳାଦ୍ରୀ ନୀଳୟରେ ଥିବା ଅନ୍ତେବାସୀଙ୍କୁ ମଧ୍ୟ ରଙ୍ଗ ଲଗେଇଥିଲେ । ଗୁରୁଜନମାନଙ୍କ ପାଦରେ ରଙ୍ଗ ପକାଇ ଆର୍ଶିର୍ବାଦ ନେବା ସହ କୁନି କୁନି ପିଲାଙ୍କୁ ମଧ୍ୟ ସେ ରଙ୍ଗ ଲଗାଇ ଖେଳିଥିଲେ । ପୁଣି ମଝିରେ ମଝିରେ ‘ରଙ୍ଗ ବରଷେ ଭୀଗେ ଚୁନରୱାଲୀ’ ଗୀତ
ବୋଲି ନାଚୁ ବି ଥିଲେ ସୋ । ‘‘ଆଗରୁ କେବେ ବି ପରିବାର ପକ୍ଷରୁ ଏଭଳି ହୋଲି ପାଳନ କରି ନ ଥିଲି । ଏ ଥର ମୁଁ ପ୍ରଥମ ଥର ମନ ଖୋଲି ହୋଲି ଖେଳିଛି ଓ ଖୁସି ହୋଇଛି,’’ କହିଥିଲେ ଧରିତ୍ରୀ ।
ହୋଲିରେ ଅନ୍ତେବାସୀମାନେ ହାତରେ ଢୋଲ, ଗିନି ଓ ଝାଞ୍ଜ ଆଦି ବଜାଇ ସଂକୀର୍ତନ କରିବା ସହ ବୃଦ୍ଧ ଓ ବୃଦ୍ଧାମାନଙ୍କ ସହିତ ରଙ୍ଗ ଖେଳରେ ସାମିଲ ହୋଇଥିଲେ । ‘‘ସେମାନଙ୍କୁ ସେଲ୍ଟର ହୋମ ଓଡିଶା ପତିତା ଉଦ୍ଧାର ସମିତି ପକ୍ଷରୁ ଖାଦ୍ୟ ଜିନିଷ ଯୋଗାଇ ଦିଆଯାଇଥିଲା । ସେମାନେ ନିଜେ ନିଜେ ରୋଷେଇ କରି ଖାଇ ବେଶ ମଜା କରିଥିଲେ,’’ କହିଛନ୍ତି ନିଳାଦ୍ରୀ ନିଳୟ ସେଲ୍ଚର ହୋମର କେୟାରଟେକର ସୌମ୍ୟରଞ୍ଜନ ପ୍ରଧାନ ।
ଶ୍ରୀକ୍ଷେତ୍ରରେ ଚଳିତ ବର୍ଷ ସହରବାସୀଙ୍କ ମଧ୍ୟରେ ହୋଲିର ରଙ୍ଗ ସେତେଟା ଦେଖିବାକୁ ମିଳି ନ ଥିବା ବେଳେ ନିଳାଦ୍ରୀ ନିଳୟରେ ରଙ୍ଗର ପର୍ବ ବେଶ୍ ଦମଦାର୍ ଢଙ୍ଗରେ ପାଳିତ ହୋଇଥିଲା ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।