କଟକିଆଙ୍କ ପାଇଁ ତଟକା ପରିବା ଆଗରେ ତୁଚ୍ଛ ପାଲଟିଛି କରୋନା ଭାଇରସ୍ ସଂକ୍ରମଣ ଭୟ!

କଟକରେ ପୋଲିସକୁ ଦେଖିବା ମାତ୍ରେ ଲୋକେ କରୋନା ବିଷୟରେ ସଚେତନ ଥିବାର ଅଭିନୟ କରୁଛନ୍ତି, ଆଉ ପୋଲିସ୍ ଚାଲିଯିବା ପରେ ପୁଣି ବ୍ୟବସାୟୀ ଓ ଗ୍ରାହକ ସମସ୍ତେ ଏକାକାର ହୋଇଯାଉଛନ୍ତି ।

କଟକିଆଙ୍କ ପାଇଁ ତଟକା ପରିବା ଆଗରେ ତୁଚ୍ଛ ପାଲଟିଛି କରୋନା ଭାଇରସ୍ ସଂକ୍ରମଣ ଭୟ!
ବାଦାମବାଡ଼ିରେ ପରିବା କିଣାବିକାରେ ବ୍ୟସ୍ତ ଲୋକେ
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

କଟକ: ସଟଡାଉନ ଉଠିବା ପରେ ଆଜି ସକାଳୁ କଟକ ସହରର ରାସ୍ତାଘାଟରେ ପୁଣି ଜନଗହଳି ଦେଖା ଦେଇଥିଲା । ପରିବା ଠାରୁ ସଉଦା ଦେକାନ ପର୍ଯ୍ୟନ୍ତ ସବୁ ଠାରେ ସାମାଜିକ ଦୂରତାକୁ ଖୋଲାଖୋଲି ଉଲ୍ଲଙ୍ଘନ କରାଯାଉଥିବା ଦେଖାଯାଇଥିଲା । ଆଜି ମଧ୍ୟାନ୍ନ ସୁଦ୍ଧା ପୋଲିସ ୮୨୦ଟି ବାଇକ ଜବତ କରିବା ପରେ ମଧ୍ୟ ସ୍ଥିତିରେ କୌଣସି ପରିବର୍ତ୍ତନ ଆସିନାହିଁ । ସେପଟେ ପରିସ୍ଥିତି ଉପରେ ନଜର ରଖାଯିବା ସହ ଏହାର ନିରାକରଣ କରାଯାଉଥିବା କହିଛନ୍ତି କଟକ ଜିଲ୍ଲପାଳ ଓ ସିଏମସି କମିଶନର ।

ବାଦାମବାଡ଼ିରେ ଖୋଲିଥିବା ଅସ୍ଥାୟୀ ପରିବା ମାକେର୍ଟରେ ଆଜି ଅସମ୍ଭବ ଭିଡ଼ ଦେଖିବାକୁ ମିଳିଛି । ସାମାଜିକ ଦୂରତା ଶବ୍ଦ ଏଠି ସତେ ଯେମିତି ଅର୍ଥହୀନ ପାଲଟି ଯାଇଛି । ପନିପରିବା ଘରକୁ ନେବା ଆଗରେ କରୋନା ସଂକ୍ରମଣ ଆଶଙ୍କା ଯେ ତୁଚ୍ଛ ତାହାକୁ ପୁଣି ଥରେ ପ୍ରମାଣିତ କରିଛନ୍ତି କଟକ ବାସିନ୍ଦାମାନେ ।

ପୋଲିସ୍‌ କର୍ମୀମାନଙ୍କୁ ଦେଖିବା ମାତ୍ରେ ଲୋକେ ସଚେତନତାର ଅଭିନୟ କରୁଛନ୍ତି ଓ ପୋଲିସ୍‌ ଚାଲିଯିବା ପରେ ପୁଣି ବ୍ୟବସାୟୀ ଓ ଗ୍ରାହକ ସମସ୍ତେ ଏକାକାର ହୋଇଯାଉଛନ୍ତି । ପୋଲିସର ପରାମର୍ଶ ନ ମାନି ବାଇକ ନେଇ ରାସ୍ତାକୁ ଆସିବାର ପରିଣାମ ସ୍ୱରୂପ ଦୁଇ ଶହ ଟଙ୍କାର ପରିବା ପାଇଁ ଏକ ହଜାର ଟଙ୍କା ପର୍ଯ୍ୟନ୍ତ ଫାଇନ ଗଣିଛନ୍ତି ଅନେକ କଟକ ବାସିନ୍ଦା ।

“ଚାଲିଚାଲି ଦୁଇ କିଲୋମିଟର ବାଟ ପରିବା ପାଇଁ ଯାଇ ହେବ ନାହିଁ । ସେଥି ପାଇଁ ବାଇକ ନେଇ ପରିବା ପାଇଁ ବଦାମବାଡ଼ି ଆସିଥିଲି । କିନ୍ତୁ ଏଠାରେ ପୋଲିସ ମୋ ଗାଡ଼ି ଜବତ କରି ଦୁଇ ଦିନ ପରେ ହଜାରେ ଟଙ୍କା ଫାଇନ ଦେଇ ଗାଡ଼ି ନେବାକୁ କହୁଛନ୍ତି,” କହିଛନ୍ତି ଲିଙ୍କ୍ ରୋଡ଼ରେ ଜବତ ହୋଇଥିବା ଏକ ଗାଡ଼ିର ଚାଳକ ଅମୂଲ୍ୟ ବେହେରା ।

ବକ୍ସି ବଜାର ଅଞ୍ଚଳକୁ ସିଲ୍ କରାଯାଇଛି ।


ସେପଟେ ପରିବା ବଜାରରେ ଭିଡ଼କୁ ନିୟନ୍ତ୍ରଣ କରିବା ପାଇଁ ସହରର ୯ଟା ସ୍ଥାନରେ ହେବ ପରିବା ବଜାର ଖୋଲାଯିବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ସମ୍ବାଦିକ ସମ୍ମିଳନୀରରେ ସୁଚନା ଦିଆଯାଇଛି । ଆଠଗଡ଼ ଓ ତିଗିରିଆ ଇତ୍ୟାଦି ସ୍ଥାନରୁ ପରିବା ଅଣାଯାଇ କିଭିଳି ଭାବେ ସହରରେ ବିକ୍ରି କରାଯିବ ସେଥି ଲାଗି ପ୍ରଶାସନ ପଦକ୍ଷେପ ଗ୍ରହଣ କରିଛି । ଏହା ବ୍ୟତୀତ ସେହିସବୁ ସ୍ଥାନରେ ଯେପରି ଭିଡ଼ ନ ହୁଏ ସେଥି ପ୍ରତି ଦୃଷ୍ଟି ଦିଆଯିବ ବୋଲି କହିଛନ୍ତି କଟକ ଡିସିପି ।

“ଆଜି ସକାଳରୁ ଦିନ ୧୧ଟା ମଧ୍ୟରେ ୮୨୦ଟି ବାଇକ ଜବତ ହୋଇଛି । ଅତ୍ୟବଶ୍ୟକ ଜିନିଷ କିଣିବା ବାହାନାରେ ଅଯଥା ଭିଡ଼ କରୁଥିବା ଲୋକଙ୍କ ଉପରେ କଠୋର କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ,’’ କହିଛନ୍ତି କଟକ ଡିସିପି ଅଖିଳେଶ୍ବର ସିଂ ।

ବକ୍ସି ବଜାର ଅଞ୍ଚଳରେ ଜଣେ କରୋନା ପଜିଟିଭ ଚିହ୍ନଟ ହେବା ପରେ ସେହି ଅଞ୍ଚଳକୁ ସିଲ କରାଯାଇଛି । ଏହା ପରେ ସେଠାକାର ଲୋକଙ୍କ ସ୍ବାସ୍ଥ୍ୟ ପରୀକ୍ଷା ଆରମ୍ଭ ହୋଇଥିବା ବେଳେ ସେଠାରୁ ସଂଗୃହିତ ୧୯ଟି ସ୍ବାବ ନେଗେଟିଭ ଆସିଥିଲେ ମଧ୍ୟ ସେହି ଅଞ୍ଚଳରେ ବସବାସ କରୁଥିବା ସମସ୍ତଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ଶେଷ ନ ହେବା ପର୍ଯ୍ୟନ୍ତ ସେଠାରେ ସିଲ ନିୟମ ଜାରି ରହିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି  ।

ଅଶ୍ବୀନି ହସପିଟାଲର ସ୍ବତନ୍ତ୍ର କରୋନା ହସ୍ପିଟାଲରେ ଏ ପର୍ଯ୍ୟନ୍ତ ୧୯ ଜଣ ଆକ୍ରାନ୍ତ ଭର୍ତ୍ତି ହୋଇଛନ୍ତି । ସହରରେ ଏବେ ମୋଟ ୧୧୦ ଜଣ ହୋମ କ୍ବାରେନଟାଇନରେ ରହିଛନ୍ତି ବୋଲି କହିଛନ୍ତି ସିଏମସି କମିଶନର ।
First published: April 6, 2020, 5:11 PM IST
corona virus btn
corona virus btn
Loading