ଭୁବନେଶ୍ୱରରେ କରୋନା ଠାରୁ କରୋନା ଭୟ ବେଶୀ ବ୍ୟାପୁଛି; ଲୋକେ ସହର ଛାଡ଼ିବାକୁ ବ୍ୟାକୁଳ

ରାଜ୍ୟର ଅନ୍ୟ ସହର ତୁଳନାରେ କେବଳ ଭୁବନେଶ୍ୱରରେ କରୋନା ପଜିଟିଭ ସଂଖ୍ୟା କ୍ରମାଗତଭାବେ ବଢ଼ି ଚାଲିଥିବାରୁ ଲୋକେ ଭୟଭୀତ ହୋଇଛନ୍ତି । ଏହି ଭୟ ଅହେତୁକ ବୋଲି କହିଛନ୍ତି ବିଶେଷଜ୍ଞମାନେ ।

ଭୁବନେଶ୍ୱରରେ କରୋନା ଠାରୁ କରୋନା ଭୟ ବେଶୀ ବ୍ୟାପୁଛି; ଲୋକେ ସହର ଛାଡ଼ିବାକୁ ବ୍ୟାକୁଳ
ଲକଡାଉନ ସମୟରେ ଭୁବନେଶ୍ୱରର ଏକ ଫାଙ୍କା ରାସ୍ତା
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱର କରୋନା ଭାଇରସ୍‌ ବିସ୍ତାରର ଏକ ହଟସ୍ପଟ୍‌ ପାଲଟିଥିବା ଆଶଙ୍କାରେ ଏବେ ଅନେକ ରାଜଧାନୀ ବାସିନ୍ଦା ଆତଙ୍କିତ। ଅନ୍ୟ ସହର ତୁଳନାରେ କରୋନା ପଜିଟିଭ ସଂଖ୍ୟା କେବଳ ଭୁବନେଶ୍ୱରରେ କ୍ରମାଗତଭାବେ ବଢ଼ି ଚାଲିଥିବାରୁ ଲୋକେ ଭୟଭୀତ ହୋଇଛନ୍ତି । ଅନେକ ଭୁବନେଶ୍ୱର ଛାଡ଼ି ନିଜ ନିଜ ଗାଁକୁ ଚାଲିଯିବାକୁ ଯୋଜନା କରୁଥିବା କହିଛନ୍ତି ।

ଲୋକଙ୍କୁ ଡର ଲାଗିବା ସ୍ୱାଭାବିକ କାରଣ ରାଜ୍ୟରେ କରୋନା ଭାଇରସ୍‌ ଆକ୍ରାନ୍ତଙ୍କ ସଂଖ୍ୟା ଏବେ ୩୯ ପହଞ୍ଚିଥିବା ବେଳେ ସେଥିରୁ କେବଳ ଭୁବନେଶ୍ୱରରୁ ଅଛନ୍ତି ୩୨ ଜଣ ।

‘‘ରାଜ୍ୟରେ କରୋନା ରୋଗୀ ସଂଖ୍ୟା ଲଗାତର ବଢ଼ିବଢ଼ି ୩୯ରେ ପହଞ୍ଚିଲାଣି । ପ୍ରଶାସନ ଆଉ ଆମ ସମସ୍ତଙ୍କ ମୁଣ୍ଡ ବ୍ୟଥା କାରଣ ରାଜ୍ୟରେ ଏହି ୩୯ ଜଣ ରୋଗୀଙ୍କ ଭିତରୁ କେବଳ ରାଜଧାନୀର ବାସିନ୍ଦାଙ୍କ ସଂଖ୍ୟା ୩୨ । ୟାଙ୍କ ଭିତରୁ ଦୁଇ ଜଣ ଭଲ ହୋଇ ଘରକୁ ଫେରିଥିଲେ ବି ଆମେ ଆତଙ୍କିତ ହୋଇ ରହିଛୁ । ଲାଗୁଛି ଭୁବନେଶ୍ୱର କରୋନାର ଅଘୋଷିତ ହଟସ୍ପଟ ପାଲଟୁଛି । ଘରୁ ଗୋଡ଼ କାଢ଼ିବାକୁ ଡର ଲାଗୁଛି । ଲାଗୁଛି ଯେମିତି ଘର ବାହାରେ ଅପେକ୍ଷା କରିଛି କରୋନା,’’ କହିଛନ୍ତି ଭୁବନେଶ୍ୱର ଘାଟିକିଆ ଅନ୍ନପୂର୍ଣ୍ଣା ପ୍ଳାଜା ବାସିନ୍ଦା ଦେବାଶିଷ ତ୍ରିପାଠୀ ।

ମଞ୍ଚେଶ୍ୱର ଶିଳ୍ପାଞ୍ଚଳ ବାସିନ୍ଦା ବଂଶୀଧର ବାରିକ କହିଛନ୍ତି ଲୋକେ ନିଜକୁ ରାଜଧାନୀ ବାସିନ୍ଦା ବୋଲି ଭାବି ଯେଉଁ ଖୁସି ହେଉଥିଲେ ତାହା ଭୁଲ୍‌ ବୋଲି ଏବେ ଜାଣୁଛନ୍ତି । ‘‘ଆମର ଏବେ ମୋହ ଭଙ୍ଗ ହୋଇଛି । ଲାଗୁଛି ସାରା ସହରରେ ଘୁରି ବୁଲୁଛନ୍ତି କରୋନା ଭୂତାଣୁ । କେତେବେଳେ ବି ସଂକ୍ରମଣ କରିପାରେ । ଭଲ ହେବ ଯଦି ଆମେ ଗାଁକୁ ଚାଲିଯିବୁ। ସେଠି ରାଜଧାନୀ ଭଳି ପାଦେ ପାଦେ ଭୟ ନ ଥିବ । ମୋ ଭଳି ଅନେକ ମଧ୍ୟ୍ୟ କରୋନା ସଂକ୍ରମଣ ଭୟରେ ଗାଁକୁ ଯିବାକୁ ଯୋଜନା କରୁଛନ୍ତି । ରାଜଧାନୀର ଏକାଧିକ ଅଞ୍ଚଳ ସିଲ ହେବା ପରେ ଆମ ଚିନ୍ତା ଅନେକଭାବେ ବଢ଼ି ଯାଇଛି ।’’

ଅନ୍ୟ ପକ୍ଷରେ ଏଭଳି ଆଶଙ୍କାର ବାସ୍ତବତା ବର୍ତ୍ତମାନ ସୁଦ୍ଧା ଅନୁଭବ ହେଉ ନ ଥିବା କହିଛନ୍ତି ବିଶେଷଜ୍ଞମାନେ । ଭୁବନେଶ୍ୱର ସ୍ଥିତ ଜୀବ ବିଜ୍ଞାନ ପ୍ରତିଷ୍ଠାନର ବରିଷ୍ଠ ବିଶେଷଜ୍ଞ ଡଃ ସନ୍ଦୀପ ମିଶ୍ର କହିଛନ୍ତି: ‘‘ବର୍ତ୍ତମାନର ସ୍ଥିତି ଅନୁସାରେ ଏବେ ବି ରାଜଧାନୀରେ କରୋନା ଭାଇରସ୍‌ ଷ୍ଟେଜ ୨ରେ ଅଛି । ଏ ପର୍ଯ୍ୟନ୍ତ ଗୋଷ୍ଠୀ ସଂକ୍ରମଣର ସୂଚନା ନାହିଁ । ଭୁବନେଶ୍ୱରରେ ଯେଉଁ ସଂଖ୍ୟା ବଢ଼ିଛି ତାହା ପଛରେ ଅଛି ପରିବାର ସଂକ୍ରମଣ । ତେଣୁ ଏହାକୁ ନେଇ ଏବେ ଠାରୁ ଚିନ୍ତା କରିବା ଅନାବଶ୍ୟକ । ସଂକ୍ରମଣ ରୋକିବା ପାଇଁ ସମସ୍ତେ ସତର୍କ ରହିବା ଜରୁରୀ ।’’

ଏଭଳି ସମୟରେ ସିଲ ହୋଇ ଥିବା ବୋମିଖାଲ ଅଞ୍ଚଳର ଜଣେ ବାସିନ୍ଦା ପର୍ଶୁରାମ ଜେନା କହିଛନ୍ତି ଯେ ସଚେତନତାର ଏତେ ବାର୍ତ୍ତା ଓ କଟକଣା ସତ୍ତ୍ୱେ ବି କରୋନା ମୁକାବିଲା ନେଇ ଭୁବନେଶ୍ୱର ସମେତ ଅନେକ ସ୍ଥାନରେ ଲୋକେ ଅସାବଧାନ ହେଉଥିବାରୁ ଏଭଳି ସ୍ଥିତି ଉପୁଜିଛି । ‘‘ହୁଏତ ସାବଧାନ ନ ହେଲେ ଏହି କରୋନା  ଆଗକୁ ଘାତକ ରୂପ ନେଇପାରେ,’’ ସେ କହିଛନ୍ତି ।
First published: April 6, 2020, 8:34 PM IST
corona virus btn
corona virus btn
Loading