କରୋନା ମୁକାବିଲା ପାଇଁ ‘ଜନତା କର୍ଫ୍ୟୁ’: ଭୁବନେଶ୍ୱର ଆଗରୁ କେବେ ଦେଖି ନ ଥିଲା ଏମିତି କର୍ଫ୍ୟୁ

ସାଧାରଣତଃ ବନ୍ଦ ଡାକରା ଦେଇଥିବା ସଙ୍ଗଠନର କର୍ମୀମାନେ ଠେଙ୍ଗା ଧରି ବନ୍ଦ ଡାକରାକୁ ପ୍ରଭାବୀ କରାନ୍ତି l ହେଲେ ନିଜ ଜୀବନ ସହ ଅନ୍ୟମାନଙ୍କ ଜୀବନ ରକ୍ଷା କରିବା ପାଇଁ ‘ଜନତା କର୍ଫ୍ୟୁ’କୁ ସ୍ଵତଃସ୍ଫୁର୍ତ୍ତ ଭାବେ ମାନିଥିଲେ ଲୋକେ ।

କରୋନା ମୁକାବିଲା ପାଇଁ ‘ଜନତା କର୍ଫ୍ୟୁ’: ଭୁବନେଶ୍ୱର ଆଗରୁ କେବେ ଦେଖି ନ ଥିଲା ଏମିତି କର୍ଫ୍ୟୁ
ବରମୁଣ୍ଡା ବସ ଷ୍ଟାଣ୍ଡରେ ଗନ୍ତବ୍ୟ ସ୍ଥଳକୁ ଯିବାକୁ ଅପେକ୍ଷା କରି ବସିଛନ୍ତି ଯାତ୍ରୀମାନେ ।
  • News18 Odia
  • Last Updated: March 23, 2020, 1:53 AM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: କରୋନା ଭାଇରସର ମୁକାବିଲା ପାଇଁ ସାରା ଭାରତ ବର୍ଷରେ ପାଳନ ହୋଇଥିବା ଜନତା କର୍ଫ୍ୟୁକୁ ରାଜ୍ୟ ରାଜଧାନୀରେ ବିପୁଳ ସମର୍ଥନ ମିଳିଥିଲା l ସ୍ଵତଃପ୍ରବୃତ୍ତ ଭାବେ ଜନତା କର୍ଫୁକୁ ସମର୍ଥନ କରି ଘରୁ ବାହାରି ନ ଥିଲେ l ଗଳିକନ୍ଦି, ମୁଖ୍ୟ ରାସ୍ତା, ଦୋକାନ, ବଜାର, ଷ୍ଟେଶନ ଓ ବସ ଷ୍ଟାଣ୍ଡ ସବୁ ବନ୍ଦ ରହିଥିଲା l ସମସ୍ତଙ୍କ ମୁହଁରେ ଗୋଟିଏ କଥା ଥିଲା ଯେ ପୂର୍ବରୁ ଏଭଳି କର୍ଫ୍ୟୁ କେବେ ଦେଖି ନ ଥିଲା ଭୁବନେଶ୍ୱର l

ରୁପାଲି ଛକରେ ସର୍ବଦା ସକାଳୁ ରାତି ପର୍ଯ୍ୟନ୍ତ ଲୋକଙ୍କ ଭିଡ଼ ଥାଏ, ହେଲେ ଏହି ସ୍ଥାନର ରାସ୍ତାଗୁଡ଼ିକ ଖାଁ ଖାଁ ଲାଗୁଥିଲା l ନା ରାସ୍ତାରେ ଲୋକ ଥିଲେ, ନା ଚଳପ୍ରଚଳ କରୁଥିଲା ଗାଡି ମୋଟର l ଦୋକାନ ବଜାରରେ ଝୁଲୁଥିଲା ତାଲା l ଠିକ୍‌ ସେମିତି ରାମମନ୍ଦିର ଛକ ଓ ଏଜି ଛକ l ପୋଲିସ ପଇଁତରା ମାରୁଥିଲା l ସବୁ ବନ୍ଦ ଥିଲା l ଚାରିଆଡେ ଲୋକେ ପାଳନ କରିଥିଲେ ଜନତା କର୍ଫୁ l

ହେଲେ ଏହାକୁ କିଛି ଲୋକ ନ ମାନି ବାହାରିଥିଲେ ବୁଲିବାକୁ l ସେମାନଙ୍କୁ ଚେକିଂ କରି ଧରିଥିଲା ପୋଲିସ l ଆଉ କିଛି ଲୋକ ଜରୁରୀକାଳୀନ ସେବାରେ ଲାଗିଛନ୍ତି ବୋଲି କହିବା ପରେ ପୋଲିସ ସେମାନଙ୍କୁ ଛାଡ଼ିଦେଇଥିଲା ।

ବରମୁଣ୍ଡା ବସ ଷ୍ଟାଣ୍ଡରେ ଅଟକି ରହିଥିଲା ଶହ ଶହ ବସ l ଲୋକାରଣ୍ୟ ଏବଂ ବସ୍‌ ହର୍ଣ୍ଣରେ ପ୍ରକମ୍ପିତ ହେଉଥିବା ଏହି ବସ୍‌ ଷ୍ଟାଣ୍ଡରେ ଲୋକଙ୍କ ଦେଖା ନ ଥିଲା l ଯେଉଁ କିଛି ଯାତ୍ରୀ ଥିଲେ ସେମାନେ ରାତିରେ ଷ୍ଟାଣ୍ଡରେ ଓହ୍ଲାଇବା ପରେ ନିଜ ନିଜ ଗନ୍ତବ୍ୟ ସ୍ଥଳକୁ ଯିବାକୁ ଅପେକ୍ଷା କରି ବସିଥିଲେ l ହେଲେ ଅଖ, ଚକ ବନ୍ଦ ଥିବାରୁ ସେମାନେ ନାନା ହିନସ୍ତାର ସାମନା କରିଥିଲେ l

ଭୁବନେଶ୍ଵର ଷ୍ଟେସନ ଓ ବିମାନ ବନ୍ଦରରେ ମଧ୍ୟ ସେହି ସମାନ ଅବସ୍ଥା ଥିଲା l ଜନତା କର୍ଫ୍ୟୁ ଯୋଗୁଁ ଇଷ୍ଟ କୋଷ୍ଟ ରେଳବାଇ ପକ୍ଷରୁ ୧୪୧ଟି ଟ୍ରେନକୁ ବାତିଲ କରାଯାଇଥିଲା l ରାଜଧାନୀବାସୀ କହିଥିଲେ ସେମାନେ ପୂର୍ବରୁ କେବେ ଏଭଳି କର୍ଫ୍ୟୁ ଦେଖି ନ ଥିଲେ l ଟ୍ରେନ, ବସ, ଅଟେ। ଓ ଟ୍ୟାକ୍ସି ବନ୍ଦ ଥିବା ଯୋଗୁଁ ଯାତ୍ରୀମାନେ ସାମାନ୍ୟ ଅସୁବିଧାର ସମ୍ମୁଖିନ ହୋଇଥିଲେ l କିନ୍ତୁ କରୋନା ଯେପରି ଆଗକୁ ଯେପରି ନ ବ୍ୟାପିବ ସେଥି ପାଇଁ ଜନତା କର୍ଫୁକୁ ସମସ୍ତେ ସମର୍ଥନ କରିଥିଲେ ।

ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ କର୍ଫ୍ୟୁ ବିଷୟରେ ସୂଚନା ଦେଉଛନ୍ତି ।


ଜନତା କର୍ଫ୍ୟୁ ସତ୍ତ୍ବେ କିଛି ସ୍ଥାନରେ ଅତ୍ୟାବଶ୍ୟକ ସାମଗ୍ରୀ ଯଥା କ୍ଷୀର, ଅଣ୍ଡା, ଚିକେନ ଓ ଔଷଧ ଦୋକାନ ଆଦି ଖୋଲା ଥିଲା l କିନ୍ତୁ ପନିପରିବା ଓ ତେଜରାତି ଦୋକାନଗୁଡ଼ିକ ବନ୍ଦ ଥିଲା l ଲୋକେ ଦିନ ତମାମ ଘରେ ରହି ଜନତା କର୍ଫ୍ଯୂକୁ ପାଳନ କରିଥିଲେ l ମନିଟରିଂ କରିବା ପାଇଁ ଭୁବନେଶ୍ଵରରେ ପୋଲିସ କମିଶନର ଓ ଡିସିପିଙ୍କୁ ମିଶାଇ ୫ ଜଣ ଆଇପିଏସ ଅଫିସରଙ୍କୁ ଦାୟିତ୍ୱ ଦିଆଯାଇଥିଲା l ସହରର ଗଳିକନ୍ଦି, ସାହି, ବସ୍ତି ସବୁଆଡ଼େ ଲୋକେ ଘରେ ରହିଥିଲେ l

‘‘କର୍ଫ୍ୟୁକୁ ଲୋକେ ଆପେ ମାନିଛନ୍ତି l କିଛି ଲୋକ ନ ମାନି ଘରୁ ବାହାରି ବୁଲିବାକୁ ବାହାରିଥିଲେ l ବିଭିନ୍ନ ଛକରେ ନାକାବନ୍ଦୀ କରାଯାଇଥିବାରୁ ଲୋକଙ୍କୁ ବୁଝାସୁଝା କରି ଘରକୁ ଫେରାଇ ଦିଆଯାଇଥିଲା l ଆଗକୁ ରାଜ୍ୟ ସରକାର ଲକ୍‌ ଡାଉନ ଘୋଷଣା କରିଥିବାରୁ ଯେଉଁମାନେ ନିୟମକୁ ଉଲ୍ଲଙ୍ଘନ କରିବେ ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ,’’ କହିଥିଲେ ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ ।

ରାଜଧାନୀରେ ପୂର୍ବରୁ ଅନେକ ଥର ବନ୍ଦ ଡାକରା ଦିଆଯାଇଛି l ପିକେଟିଂ ହୋଇଛି l ରାସ୍ତାରେ ଟାୟାର ଜଳିଛି l ସାଧାରଣତଃ ବନ୍ଦ ଡାକରା ଦେଇଥିବା ସଙ୍ଗଠନର କର୍ମୀ ଠେଙ୍ଗା, ବାଡ଼ି ଧରି ବନ୍ଦ ଡାକରାକୁ ପ୍ରଭାବୀ କରାନ୍ତି l ହେଲେ ନିଜ ଜୀବନ ସହ ଅନ୍ୟମାନଙ୍କ ଜୀବନ ରକ୍ଷା କରିବା ପାଇଁ ଏଭଳି ଏହି କର୍ଫ୍ୟୁକୁ ପ୍ରଥମ ଥର ସ୍ଵତଃସ୍ଫୁର୍ତ୍ତ ଭାବେ ଲୋକେ ମାନିଥିବା ଦେଖିବାକୁ ମିଳିଥିଲା ।
First published: March 23, 2020, 1:53 AM IST