ସବୁ କଟକଣା ସତ୍ତ୍ୱେ ଯାଜପୁରର କଟିକଟାକୁ ପଶ୍ଚିମ ବଙ୍ଗରୁ ଲୋକେ ଫେରିବାରେ ଲାଗିଛନ୍ତି

ଯାଜପୁର ଜିଲ୍ଲାର ସୀମା ଓ ଗାଁ ଗୁଡିକର ମୁଖ୍ୟ ପ୍ରବେଶ ପଥକୁ ସିଲ କରାଯାଇଛି, ହେଲେ ଗଳା ବାଟ ଦେଇ ଲୋକେ କଣ୍ଟେନମେଣ୍ଟ ଜୋନକୁ ଆସିବାରେ ଲାଗିଛନ୍ତି । ପୂରା ଯାଜପୁର ଜିଲ୍ଲାର ଅନେକ ପଞ୍ଚାୟତରେ ସମାନ ଅବସ୍ଥା ।

ସବୁ କଟକଣା ସତ୍ତ୍ୱେ ଯାଜପୁରର କଟିକଟାକୁ ପଶ୍ଚିମ ବଙ୍ଗରୁ ଲୋକେ ଫେରିବାରେ ଲାଗିଛନ୍ତି
ଯାଜପୁର ଜିଲ୍ଲାରେ ସ୍ୱାସ୍ଥ୍ୟ କର୍ମୀମାନେ ଲଗାତର ଲୋକଙ୍କୁ ଯାଞ୍ଚ କରୁଛନ୍ତି ।
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଯାଜପୁର: ଯାଜପୁର ଜିଲ୍ଲା ଏବେ କରୋନା ସଂକ୍ରମଣର ନୂଆ ଆଡ୍ଡା ଭାବେ ଉଭା ହୋଇଛି । ଶୁକ୍ରବାର ଅପରାହ୍ଣ ସୁଦ୍ଧା ଜିଲ୍ଲାରେ ମୋଟ ୩୯ ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୨୮ ଜଣ ହେଉଛନ୍ତି କେବଳ ଦଶରଥପୁର ବ୍ଲକର । ୨୧ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା କଟିକଟା ପଞ୍ଚାୟତକୁ ନେଇ ଜିଲ୍ଲା ତଥା ରାଜ୍ୟ ପ୍ରଶାସନର ଚିନ୍ତା ବଢ଼ିଛି।

ସର୍ବାଧିକ କୋଭିଡ-୧୯ ରୋଗୀଙ୍କ ସଂଖ୍ୟା ଥିବା କଟିକଟା ପଞ୍ଚାୟତକୁ କଣ୍ଟେନମେଣ୍ଟ ଜୋନ ଭାବେ ଘୋଷଣା ହେବା ପରେ ଏହାକୁ ସିଲ କରାଯାଇଛି। ପଶ୍ଚିମ ବଙ୍ଗ ଫେରନ୍ତାଙ୍କ ଲିଙ୍କ ଯୋଗୁଁ ଏଠାରେ କରୋନା ରୋଗୀଙ୍କ ସଂଖ୍ୟା କ୍ରମାଗତ ଭାବେ ବୃଦ୍ଧି ପାଇଚାଲିଛି । ଗତ କାଲି ୧୭ ଜଣ ପଜିଟିଭ ରୋଗୀ ଚିହ୍ନଟ ହୋଇଥିବା ଏହି ପଞ୍ଚାୟତରେ ଆଜି ଆଉ ଜଣେ ନୂଆ ରୋଗୀ ଚିହ୍ନଟ ହୋଇଛନ୍ତି। ଆଜି ବି ଏହି ପଞ୍ଚାୟତରେ ସନ୍ଦିଗ୍ଧଙ୍କ ସ୍ୱାବ ସଂଗ୍ରହ ଜାରି ରହିଛି।

ଏହା ସହ କଟିକଟାରେ ପଶ୍ଚିମ ବଙ୍ଗ ଫେରନ୍ତା ଓ ସେମାନଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ଚିହ୍ନଟ ପ୍ରକ୍ରିୟାକୁ ଜୋରଦାର କରାଯାଇଛି । ପଞ୍ଚାୟତରେ ଏକ ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ର କରାଯାଇ ଲୋକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯିବା ସହ ସ୍ୱାସ୍ଥ୍ୟ କର୍ମୀମାନେ ଘରକୁ ଘର ବୁଲି ବୁଲି ତଥ୍ୟ ସଂଗ୍ରହ ଆରମ୍ଭ କରିଛନ୍ତି । ଏହା ବ୍ୟତୀତ ଆଜି ଅଗ୍ନିଶମ ବିଭାଗର ଏକ ଦମକଳ ସାହାଯ୍ୟରେ ପଞ୍ଚାୟତର ବିଭିନ୍ନ ଅଞ୍ଚଳକୁ ସାନିଟାଇଜ କରାଯାଇଛି ।

‘‘ଆମେ ପ୍ରଥମେ ପଞ୍ଚାୟତରେ ଥିବା କ୍ୱାରେଣ୍ଟିନ ସେଣ୍ଟରଗୁଡ଼ିକୁ ସାନିଟାଇଜ କଲୁ । ଏହା ପରେ ସର୍ବସାଧାରଣ ସ୍ଥାନ ଓ ରାସ୍ତାଘାଟକୁ ସାନିଟାଇଜ କରାଯାଇଛି । ଏହି କାର୍ଯ୍ୟରେ ୫ ଜଣ କର୍ମଚାରୀ ନିୟୋଜିତ ହୋଇଛନ୍ତି,’’ କହିଛନ୍ତି ଦଶରଥପୁର ଷ୍ଟେସନ ଅଫିସର ଭିକାରୀ ନାୟକ।

ଅଗ୍ନିଶମ ବିଭାଗ ପକ୍ଷରୁ ସବୁ ଅଞ୍ଚଳକୁ ସାନିଟାଇଜ୍ କରାଯାଉଛି ।


ତେବେ ଏତେ ସବୁ କଟକଣା ପରେ ମଧ୍ୟ କଟିକଟା ପଞ୍ଚାୟତକୁ ପଶ୍ଚିମ ବଙ୍ଗରୁ ଲୋକେ ଫେରିବାରେ ଲାଗିଛନ୍ତି । ଜିଲ୍ଲା ତଥା ଗାଁ ଗୁଡିକର ମୁଖ୍ୟ ପ୍ରବେଶ ପଥକୁ ସିନା ସିଲ କରାଯାଇଛି, କିନ୍ତୁ ଗଳା ବାଟ ଦେଇ ଲୋକେ କଣ୍ଟେନମେଣ୍ଟ ଜୋନକୁ ଆସିବାରେ ଲାଗିଛନ୍ତି । କେବଳ ଏହି ଗୋଟିଏ ପଞ୍ଚାୟତ ନୁହେଁ ବରଂ ପୁରା ଯାଜପୁର ଜିଲ୍ଲାର ଅନେକ ପଞ୍ଚାୟତରେ ସମାନ ଅବସ୍ଥା ସୃଷ୍ଟି ହୋଇଛି । ଫଳରେ ପ୍ରଶାସନର କରୋନା ମୁକାବିଲା ପଦକ୍ଷେପ ପ୍ରଭାବିତ ହେଉଛି।

ଏହାରି ଭିତରେ କଟିକଟା ସହ ପୁରା ଦଶରଥପୁର ବ୍ଲକର ସ୍ଥିତି ଅନୁଧ୍ୟାନ କରିଛନ୍ତି ଭୁବନେଶ୍ୱରରୁ ଆସିଥିବା ‘‘ଆକ୍ଟିଭ ସର୍ଭେଲାନ୍ସ ଟିମ’’ । ଚାରି ଜଣିଆ ସଦସ୍ୟ ବିଶିଷ୍ଟ ଏହି ଟିମ ଆଜି କଟିକଟାର କଣ୍ଟେନମେଣ୍ଟ ଜୋନକୁ ଯାଇ ଭିତ୍ତିଭୂମି ଯାଞ୍ଚ ସହିତ କ୍ୱାରେଣ୍ଟିନ ସେଣ୍ଟର ପରିଦର୍ଶନ କରିଛନ୍ତି। ଏହା ସହ ଟିମ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ଓ ଡ଼ାକ୍ତରୀ ଦଳ ସହିତ ଆଲୋଚନା ମଧ୍ୟ କରିଛନ୍ତି।

‘‘ଆଜି ୨୦୦ ଜଣଙ୍କର ନମୂନା ସଂଗ୍ରହ କରାଯାଇଥିବା ବେଳେ ଆଜି ପର୍ଯ୍ୟନ୍ତ ଜିଲ୍ଲାରେ ମୋଟ ୩,୦୫୦ଟି ନମୁନା ସଂଗ୍ରହ ହୋଇଛି ଏବଂ ସେଥି ମଧ୍ୟରୁ ୨,୦୦୦ ଜଣଙ୍କ ରିପୋର୍ଟ ମିଳିଛି । ପଶ୍ଚିମ ବଙ୍ଗରୁ ଲୋକେ ଯାଜପୁରକୁ ଫେରୁଥିବା କଥାକୁ ସ୍ୱୀକାର କରୁଛନ୍ତି, କିନ୍ତୁ ଏହା ମଧ୍ୟ ସତ ଯେ ଆମେ ସେମାନଙ୍କୁ ଚିହ୍ନଟ କରିବା ପାଇଁ ପ୍ରୟାସ ଜାରି ରଖିଛୁ,’’ କହିଛନ୍ତି ଯାଜପୁର ସି.ଡ଼ି.ଏମ.ଓ ସୁଧାଂଶୁ ଶେଖର ବଳ ।

ଯାଜପୁରରେ ଶୁକ୍ରବାର ଦିନ ଆଉ ତିନିଜଣ କୋରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ଜଣେ କଟିକଟା ଅଞ୍ଚଳର, ଜଣେ ବିରଜାପୁର ପଞ୍ଚାୟତର  ଓ ଅନ୍ୟଜଣେ ଯାଜପୁର ସଦର ବ୍ଲକ୍ ପଣସା ପଞ୍ଚାୟତର ବେହେରାପାଟଣା ଅଞ୍ଚଳର । ଏବେ ସୁଦ୍ଧା ଦଶରଥପୁର, ଯାଜପୁର ଓ କୋରାଇ ଆଦି ତିନୋଟି ବ୍ଲକର ୧୪ ଟି ପଞ୍ଚାୟତର ୩୬ ଗାଁରେ କଣ୍ଟେନମେଣ୍ଟ ଜୋନ ଭାବେ ଘୋଷଣା କରାଯାଇଛି ।
First published: May 1, 2020, 6:45 PM IST
corona virus btn
corona virus btn
Loading