News18 Odia Digital
ବାରିପଦା: ବାହାରୁ ଓ ଭିତରୁ ଚକାଚକ୍ ଦିଶୁଥିବା ମୟୂରଭଞ୍ଜ ଜିଲ୍ଲା ସଦର ମହକୁମା ବାରିପଦାର କୋଭିଡ୍ ହସ୍ପିଟାଲରେ ବ୍ୟାପ୍ତ ଚରମ ଅବ୍ୟବସ୍ଥା ସାମନାକୁ ଆସିଛି । ସେଠାରେ ୨୪-ଘଣ୍ଟିଆ ଆଲର୍ଟରେ ଡାକ୍ତର, ନର୍ସ ଓ କର୍ମଚାରୀମାନେ ରହୁଛନ୍ତି ବୋଲି କୁହାଯାଉଥିବା ବେଳେ ଅସଲରେ କରୋନା ସଂକ୍ରମିତ ରୋଗୀମାନେ ନିଜ ଭାଗ୍ୟକୁ ଆଦରି ଇଆଡ଼େ ସିଆଡ଼େ ବଡ଼ ଦୟନୀୟ ଅବସ୍ଥାରେ ପଡ଼ିଛନ୍ତି । ସେମାନଙ୍କୁ ଦେଖିବାକୁ କେହି ନାହାଁନ୍ତି । ଏହି ଅକ୍ଷମଣୀୟ ବ୍ୟବସ୍ଥାର କେତେକ ଦୃଶ୍ୟ କ୍ୟାମେରାରେ କୈଦ ହୋଇ ଏବେ ବାହାରକୁ ଆସିଛି ।
ହସ୍ପିଟାଲ ଚଟାଣରେ ଅତି ଅପରିଷ୍କାର ଓ ଅସ୍ବାସ୍ଥ୍ୟକର ପରିବେଶ ଭିତରେ ଘଣ୍ଟା ଘଣ୍ଟା ଧରି ଉଲଗ୍ନ ଅବସ୍ଥାରେ ଜଣେ ରୋଗୀ ପଡ଼ି ରହିଥିବା ଦୃଶ୍ୟ ସାମନାକୁ ଆସିଛି । ଆଉ ଜଣେ ରୋଗୀ ହସ୍ପିଟାଲ ବେଡରେ ଉଲଗ୍ନ ହୋଇ ପଡ଼ି ରହିଥିବା ଦେଖାଯାଇଛି । ବେଡ୍ ତଳେ ଚଟାଣ ଉପରେ ତାଙ୍କର ଖାଦ୍ୟ ବିଞ୍ଚି ହୋଇ ପଡ଼ିଛି । ଆଉ ଜଣେ ରୋଗୀ ନିଃସହାୟ ଅବସ୍ଥାରେ ଶୌଚାଳୟ ଭିତରେ ପଡ଼ିଥିବା ଦେଖାଯାଇଛି । ପୁଣି ୱାର୍ଡ଼ ବାହାରେ ଚେତାଶୂନ୍ୟ ଅବସ୍ଥାରେ ଆଉ ଜଣେ ରୋଗୀଙ୍କୁ ଦେଖାଯାଇଛି ଏକ ଭିଡିଓରେ ।
ଏହା ବି ପଢ଼ନ୍ତୁ | ‘‘ମୋ’ ଅକ୍ସିଜେନ୍ ସ୍ତର କମୁଛି… ଅକ୍ସିଜେନ୍ ବେଡ୍ ମିଳିବ କି? ମୁଁ ପୁଣି ଜନ୍ମ ନେବି:’’ ମୃତ୍ୟୁ ପୂର୍ବରୁ କହିଲେ ଅଭିନେତା ରାହୁଲ
ହସପିଟାଲ୍ ବେଡରେ ଉଲଗ୍ନ ହୋଇ ପଡ଼ିଥିବା ଜଣେ କୋଭିଡ୍ ରୋଗୀ ଓ କରିଡରରେ ପଡ଼ିଥିବା ଆଉ ଜଣେ ରୋଗୀ
କରୋନା ଭାଇରସ୍ ସଂକ୍ରମଣକୁ ନେଇ ସବୁଠି ଭୟର ବାତାବରଣ ଥିବା ବେଳେ ରାଜ୍ୟ ସରକାର ଚିକିତ୍ସା ବ୍ୟବସ୍ଥାକୁ ସର୍ବାଧିକ ଗୁରୁତ୍ବ ଦେଉଛନ୍ତି ଓ ଡାକ୍ତର ତଥା ସ୍ୱାସ୍ଥ୍ୟ କର୍ମୀମାନଙ୍କୁ ଆଗ ଧାଡ଼ିର କରୋନା ଯୋଦ୍ଧା ଭାବେ ଘୋଷଣା କରିଛନ୍ତି । କିନ୍ତୁ ଏଭଳି ସ୍ଥିତିରେ ଜୀବନ ସହ ସଙ୍ଘର୍ଷ କରୁଥିବା କରୋନା ଆକ୍ରାନ୍ତଙ୍କ ଚିକିତ୍ସା ତ ଦୂରର କଥା, ତାଙ୍କ ସହ କେମିତି ବ୍ୟବହାର କରାଯାଉଛି ତା’ର ନଗ୍ନ ନମୁନା ସାମନାକୁ ଆସିବା ପରେ ସାଧାରଣ ଲୋକଙ୍କ ମଧ୍ୟରେ କ୍ଷୋଭ ପ୍ରକାଶ ପାଇଛି ।
ଏହା ବି ପଢ଼ନ୍ତୁ | ଆସିଲା କରୋନା ପଛରେ ଥିବା ସାଙ୍ଘାତିକ ସତ୍ୟ: ଚୀନ୍ ଏହାକୁ ଜୈବିକ ଅସ୍ତ୍ର ଭାବେ ପରୀକ୍ଷା କରୁଥିଲା!ସରକାରୀ ଓ ଘରୋଇ ସହଭାଗିତାରେ ପରିଚାଳିତ ବାରିପଦା ବାଙ୍କିଶୋଳ କୋଭିଡ୍ ହସ୍ପିଟାଲ ଭିତରର ଏହି ଦୃଶ୍ୟଗୁଡ଼ିକ ସୋସିଆଲ୍ ମିଡି଼ଆରେ ଭାଇରାଲ୍ ହେବା ପରେ ଜିଲ୍ଲାରେ କରୋନା ଚିକିତ୍ସା ବ୍ୟବସ୍ଥାକୁ ନେଇ ଉଠିଛି ଅନେକ ପ୍ରଶ୍ନ । ରୋଗୀ ୱାର୍ଡ଼ରେ ଉଲଗ୍ନ ହୋଇ ଶୋଇଥିଲେ ବି କାହିଁକି ତାଙ୍କୁ ଘୋଡ଼େଇ ଦିଆଯାଇନି ବା ପୋଷାକ ପିନ୍ଧାଯାଇନି? ଶୌଚାଳୟ ଭିତରେ କରୋନା ଆକ୍ରାନ୍ତ କାହିଁକି ପଡ଼ି ରହିଛନ୍ତି? ୨୪-ଘଣ୍ଟିଆ ଆଲର୍ଡ ମୋଡରେ ରହିଥିବା ହସ୍ପିଟାଲର ଡାକ୍ତର, ନର୍ସ ଓ କର୍ମଚାରୀମାନେ କେମିତି ଏହି ସ୍ଥିତି ହେବାକୁ ଦେଇଛନ୍ତି? ଏହି ହସ୍ପିଟାଲର ଏମିତି ଦୃଶ୍ୟ ଏବେ ସିନା ବାହାରକୁ ଆସିଲା, ହେଲେ ତା’ ଭିତରେ ସବୁ ବେଳେ ଏମିତି ହେଉ ନ ଥାଏ ତ?

ଟଇଲେଟ୍ ଭିତରେ ନିଃସହାୟ ହୋଇ ବସିଥିବା ଜଣେ ରୋଗୀ ଓ ତଳେ ଉଲଗ୍ନ ପଡ଼ିଥିବା ଆଉ ଜଣେ ରୋଗୀ
‘‘ଯେଉଁ କୋଭିଡ୍ ରୋଗୀ ହସପିଟାଲରେ ଭର୍ତ୍ତି ହୋଇଛନ୍ତି ତାଙ୍କର କେହି ଜଣେ ସମ୍ପର୍କୀୟ ପି.ପି.ଇ. କିଟ୍ ପିନ୍ଧି ଦିନରେ ଅତି କମରେ ଥରେ ଯାଇ ତାଙ୍କୁ ଦେଖିବାରେ କ’ଣ ଅସୁବିଧା ଅଛି? ଯଦି ହସପିଟାଲରେ ଯଥେଷ୍ଟ ଷ୍ଟାଫ୍ ନାହାନ୍ତି ତାହେଲେ ସେମାନେ ରୋଗୀଙ୍କୁ କାହିଁକି ଭର୍ତ୍ତି କରୁଛନ୍ତି? ଏମିତି ଶହ ଶହ ରୋଗୀ ସେହି ହସପିଟାଲ୍ ଭିତରେ କଷ୍ଟ ପାଉଛନ୍ତି । ତାକୁ ସବୁ ଛପେଇ ଦିଆଯାଉଛି । ସେଇଥି ପାଇଁ କାହାକୁ ଭିତରକୁ ଯିବାକୁ ଦିଆଯାଉନି । ସେଇଥି ପାଇଁ ସି.ସି.ଟି.ଭି. କ୍ୟାମେରା ଲଗାଯାଉନି,’’ ଆକ୍ରୋଶର ସହ କହିଛନ୍ତି ଅଭିଯୋଗକାରୀ କୃଷ୍ଣ ଚନ୍ଦ୍ର ମହାପାତ୍ର ।
ଏହା ବି ପଢ଼ନ୍ତୁ | ଚନ୍ଦା ମୁଣ୍ଡ ଥିବା ପୁରୁଷମାନଙ୍କଠାରେ କରୋନା ସଂକ୍ରମିତ ହେବା ପରେ ମୃତ୍ୟୁ ସମ୍ଭାବନା ଅଧିକ: ରିସର୍ଚ୍ଚବାରିପଦା ବାସିନ୍ଦା ସ୍ବରୂପ ପଟ୍ଟନାୟକ କହିଛନ୍ତି ଯେ ଏହି ହସପିଟାଲରେ ଭର୍ତ୍ତି ହୋଇଥିବା ରୋଗୀମାନେ ପ୍ରକୃତ ଚିକିତ୍ସା ପାଉନାହାନ୍ତି । ‘‘ଅବହେଳାର ଚରମ ସୀମାରେ ପହଞ୍ଚିଛି ସେହି ହସପିଟାଲ । ରୋଗୀମାନେ ଛଟପଟ ହୋଇ ମରୁଛନ୍ତି ସେଠି । ସେଠି ରୋଗୀଙ୍କ ଯତ୍ନ ପାଇଁ କୌଣସି ବ୍ୟବସ୍ଥା ନାହିଁ,’’ ସେ କହିଛନ୍ତି ।

କେତେକ ସଚେତନ ନାଗରିକ ମୟୂରଭଞ୍ଜ ଜିଲ୍ଲାପାଳ ବୀନିତ ଅଗ୍ରୱାଲଙ୍କୁ ଭେଟିଛନ୍ତି ।
ସୋସିଆଲ୍ ମିଡି଼ଆରେ ଏହି କୋଭିଡ୍ ହସ୍ପିଟାଲର ଅସଲ ଚିତ୍ର ସାମ୍ନାକୁ ଆସିବା ପରେ ବାରିପଦା ସହରର କେତେକ ସଚେତନ ନାଗରିକ ମୟୂରଭଞ୍ଜ ଜିଲ୍ଲାପାଳ ବୀନିତ ଅଗ୍ରୱାଲଙ୍କୁ ଭେଟିଥିଲେ ଓ ଚିକିତ୍ସା ବ୍ୟବସ୍ଥାରେ ସୁଧାର କରାଇବା ସହ ହସ୍ପିଟାଲ ଅବହେଳାର ତଦନ୍ତ ଦାବି କରିଥିଲେ । ‘‘ସବୁ କୋଭିଡ୍ ହସ୍ପିଟାଲରେ ରୋଗୀଙ୍କୁ ଉଚିତ୍ ଚିକିତ୍ସା ଯୋଗାଇ ଦିଆଯାଉଛି । କାଁ ଭାଁ କେଉଁଠି ରୋଗୀଙ୍କ କ୍ଷେତ୍ରରେ ଅବହେଳା କରାଯାଉଥିବା ନଜରକୁ ଆସିଛି । ଏହି ଘଟଣା ବିଷୟରେ ହସପିଟାଲ୍ କର୍ତ୍ତୃପଙ୍କ ଠାରୁ ଜବାବ ମଗାଯାଇଛି । ଏହାର ଉଚ୍ଚସ୍ତରୀୟ ତଦନ୍ତ କରାଯିବ ।,’’ କହିଥିଲେ ଜିଲ୍ଲାପାଳ ବୀନିତ ଭରଦ୍ବାଜ ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ VIDEO | ଝିଅଟି ଅଶ୍ଳୀଳ ଇଙ୍ଗିତର ବିରୋଧ କରିବାରୁ ନାବାଳକ ତାକୁ ନୃଶଂସ ଭାବେ ମାଡ଼ ମାରିଲା; VIDEO ଭାଇରାଲ୍‘‘ଏହା ହସପିଟାଲ୍ କର୍ତ୍ତୃପକ୍ଷଙ୍କ ଅବହେଳା ହେଉ ବା ସ୍ୱାସ୍ଥ୍ୟ ବିଭାଗର ଅବହେଳା ହେଉ, ତାହା ବରଦାସ୍ତ କରାଯିବନି । ତଦନ୍ତରୁ କିଛି ମିଳିବ ନାହିଁ । ଆମର ଦରକାର ତୁରନ୍ତ କାର୍ଯ୍ୟାନୁଷ୍ଠାନ,’’ କହିଛନ୍ତି ମୟୂରଭଞ୍ଜ ଜିଲ୍ଲା ଓକିଲ ସଙ୍ଘର ପୂର୍ବତନ ସଭାପତି ବିପ୍ଲବ ବାରିକ ।
ବାରିପଦା ବାଙ୍କିଶୋଳ କୋଭିଡ୍ ହସ୍ପିଟାଲ ଭିତରର ଏହି ଦୃଶ୍ୟକୁ ନେଇ ଗଣମାଧ୍ୟମରେ ଖବର ପ୍ରସାରଣ ପରେ ପି.ପି.ଇ. କିଟ୍ ପିନ୍ଧି ହସ୍ପିଟାଲରେ ବୁଲି ସ୍ଥିତି ଅନୁଧ୍ୟାନ କରିଥିଲେ ଜିଲ୍ଲାପାଳ ବିନୀତ ଭରଦ୍ବାଜ । ସେଠାରେ ଚିକିତ୍ସା ବ୍ୟବସ୍ଥାକୁ ନେଇ ସେ ରୋଗୀଙ୍କ ସହ ଆଲୋଚନା କରିଥିଲେ । ଅନେକ ରୋଗୀ ନର୍ସ ଓ ଡାକ୍ତରମାନେ ସେମାନଙ୍କୁ ଦେଖି ନାକ ଟେକୁଥିବା ଅଭିଯୋଗ କରିଥିଲେ । ଏହି ସମଗ୍ର ପ୍ରକରଣରେ ପ୍ରଶାସନ ଖୁବ୍ ଶୀଘ୍ର କାର୍ଯ୍ୟାନୁଷ୍ଠାନ ନେବ ବୋଲି ସୂଚନା ମିଳିଛି ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।