ଆଜି ପଖାଳ ଦିବସ, ହେଲେ ସ୍ୱାଦ ଓ ବେପାରକୁ ଫିକା କଲା କରୋନା ଭାଇରସର ଭୟ

ପଖାଳ କଂସା ଥିଲା, ତା’ ସାଙ୍ଗରେ ନଅ ତିଅଣ ଛଅ ଭଜା ବି ଥିଲା, ହେଲେ ଖାଇବାକୁ ନ ଥିଲେ ଲୋକ । ପଖାଳ ଦିବସରେ ରାଜ୍ୟ ରାଜଧାନୀରେ ଦୋକାନ ବଜାର ସବୁ ଖାଁ ଖାଁ ରହିଥିଲା ।

ଆଜି ପଖାଳ ଦିବସ, ହେଲେ ସ୍ୱାଦ ଓ ବେପାରକୁ ଫିକା କଲା କରୋନା ଭାଇରସର ଭୟ
ଭୁବନେଶ୍ୱରରେ ଏକ ହୋଟେଲରେ ମିଳୁଥିବା ପଖାଳ ଥାଳି
  • News18 Odia
  • Last Updated: March 20, 2020, 9:22 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ବର: କରୋନା ମାଡ଼ରେ ଫିକା ପଡ଼ିଲା ଏ ଥର ‘ପଖାଳ ଦିବସ’ । ମାର୍ଚ୍ଚ ୨୦ର ବହୁ ପ୍ରତୀକ୍ଷିତ ପଖାଳ ଦିବସରେ ପଖାଳ କଂସା ସାଙ୍ଗକୁ ନଅ ତିଅଣ ଛଅ ଭଜା ତ ଥିଲା, ହେଲେ ଖାଇବାକୁ ଲୋକଙ୍କ ଆଗ୍ରହ ହେଉ ନ ଥିଲା । ଗତ କିଛି ଦିନ ହେବ ବଜାରରେ କରୋନା ଭାଇରସରୁ ଜାତ ଭୟର ପ୍ରଭାବ ପଡ଼ିଥିବାବେଳେ ଆଜି ହୋଟେଲମାନଙ୍କରେ ବ୍ୟବସାୟ ସମ୍ପୂର୍ଣ୍ଣ ମାନ୍ଦା ଥିଲା ।

ଆଜି ପଖାଳ ଦିବସରେ ରାଜ୍ୟରେ କାଁ ଭାଁ କିଏ କେମିତି ପଖାଳ ଖାଇଥିବା ଜାଣିବାକୁ ମିଳିଛି । ଖାଇଥିବା ଅଧିକାଂଶ ଲୋକଙ୍କୁ ହୁଏ ତ ଜଣା ବି ନ ଥିବ ଯେ ଆଜି ପଖାଳ ଦିବସ । ସାଧାରଣତଃ ମାର୍ଚ୍ଚ ମାସରେ ଓଡ଼ିଶାରେ ଥାଇ ପଖାଳ ଦିବସ ବିଷୟରେ ସଚେତନ ନ ଥିବା ବା ପଖାଳକୁ ନେଇ ଗର୍ବ ବ୍ୟକ୍ତ କରୁ ନ ଥିବା ଖୁବ୍‌ କମ୍‌ ଲୋକ ଥାଆନ୍ତି । ଓଡ଼ିଶା ଓ ଓଡ଼ିଆଙ୍କ ପାରମ୍ପରିକ ଖାଦ୍ୟ ପଖାଳ ଗରମ ଦିନରେ ବେଶ୍‌ ଆରମ ଦିଏ ଆଉ ପେଟକୁ ଥଣ୍ଡା ରଖିବା ସହ ଖରା ଦିନରେ ଦେହକୁ ଜଳୀୟ ଅଂଶ ଯୋଗଇଥାଏ ।

ପ୍ରତି ବର୍ଷ ମାର୍ଚ୍ଚ ୨୦ ତାରିଖକୁ ପଖାଳ ଦିବସ ଭାବେ ପାଳନ କରାଯାଏ । ଘରେ ହେଉ କି ବାହାରେ ଗରମ ଦିନରେ ପଖାଳ ସାଙ୍ଗକୁ ଭଳି ଭଳି ବ୍ୟଞ୍ଜନ ତିଆରି କରି ଖାଦ୍ୟର ଆସର ଜମେ ଆଜି ଦିନରେ । ଏପରିକି ତାରକା ହୋଟେଲ ଓ ରେଷ୍ଟୁରାଣ୍ଟରେ ସୁସଜ୍ଜିତ କଂସା ଓ ଥାଳିରେ ପରସାଯାଏ ପଖାଳ ସାଙ୍ଗକୁ ଛଅ ଭଜା ନଅ ତିଅଣ । ହେଲେ ଏ ବର୍ଷ କରୋନା ଭାଇରସର ଭୟ ସବୁ କିଛି ଫିକା କରି ଦେଇଛି ।

ରାଜ୍ୟ ରାଜଧାନୀରେ କୈାଣସି ହୋଟେଲ ବା ସଙ୍ଗଠନ ପାଳନ କରିନାହାନ୍ତି ପଖାଳ ଦିବସ । ଯେଉଁ ଏକାମ୍ର ହାଟରେ ଆଜି ଦିନରେ ଗହଳି ଚହଳି ଲାଗିଥାଏ, ଆଜି ସେଠି ପୂରା ଖାଁ ଖାଁ ପରିବେଶ । ପ୍ରତି ବର୍ଷ ଆଜି ଦିନରେ ପଖାଳ ପାଇଁ ଖାସ୍ ଆୟୋଜନ ହୋଇଥାଏ । ସାଧା ପଖାଳ, ଦହି ପଖାଳ ଓ ଛୁଙ୍କ ପଖାଳ ପରି ଭଳିକି ଭଳି ପଖାଳର ଡିମାଣ୍ଡ ଆଜି ଦିନରେ ରହିଥିବାବେଳେ ଏଥର ପୂରା ଫାଙ୍କା ରହିଛି ବେପାର । ଭୟରେ ଲୋକେ ଦୋକାନ ଆସିବା ବନ୍ଦ କରି ଦେଇଛନ୍ତି ।

‘‘ହୋଟେଲ ପକ୍ଷରୁ ପଖାଳ ତ ପ୍ରସ୍ତୁତ ହୋଇଛି, ହେଲେ ଖାଇବାକୁ ନାହାନ୍ତି ଗ୍ରାହକ । କରୋନା ଭୟରେ ଲୋକେ ହୋଟେଲକୁ ଖାଇବାକୁ ଆସୁନାହାନ୍ତି,’’ ଏକାମ୍ର ହାଟରେ ଥିବା ପେଜ ପୂଜା ହୋଟେଲର ମାଲିକ କହିଛନ୍ତି ।

ଓଡ଼ିଶା ହୋଟେଲ ପକ୍ଷରୁ ପ୍ରତି ବର୍ଷ ଭଳି ଏ ବର୍ଷ ବି ପଖାଳ ଦିବସରେ ସ୍ବତନ୍ତ୍ର ଥାଳିର ବ୍ୟବସ୍ଥା କରାଯାଇଥିଲା । ଛୁଙ୍କ ଦହି ପଖାଳ ସାଙ୍ଗକୁ ଆଳୁ ଭର୍ତ୍ତା, ବାଇଗଣ ଭଜା, ବଡ଼ି ଚୁରା, କଖାରୁଫୁଲ ଭଜା, ଶାଗ, ଚିଙ୍ଗୁଡ଼ି ଛେଚା, ମାଛ ଭଜା ପରି ଭଳି ଭଳି ଆଇଟମ୍  ପ୍ରସ୍ତୁତ ହୋଇଥିଲା । ଭେଜ୍ ପଖାଳ ଥାଳି ୨୫୦ ଟଙ୍କା ଓ ଆମିଷ ପଖାଳ ଥାଳି ୩୦୦ ଟଙ୍କାରେ ମିଳୁଥିଲା । ବେଶ୍ ସୁନ୍ଦର କରି ପରସି ଦିଆଯାଇଥିଲା ହୋଟେଲ ତରଫରୁ । ହେଲେ ଯେତିକି ଲୋକ ଆସିବା କଥା ଆସି ନ ଥିଲେ । କରୋନା ଭୟରେ କାଁ ଭାଁ କିଏ କେମିତି ପଖାଳ ଖାଇବାକୁ ଆସିଥିଲା । ରାଜ୍ୟରେ ଦୁଇ ଦୁଇଟି କରୋନା ଭାଇରସ୍‌ ପଜିଟିଭ୍ ମାମଲା ଆସିବା ପରେ ଲୋକଙ୍କ ଭୟ ଦ୍ବିଗୁଣିତ ହୋଇଛି । ରାସ୍ତାଘାଟ ଠାରୁ ଆରମ୍ଭ କରି ଦୋକାନ ବଜାର ସବୁ ଖାଁ ଖାଁ ହୋଇଛି ।
First published: March 20, 2020, 9:22 PM IST
corona virus btn
corona virus btn
Loading