ଲକଡାଉନ ଯୋଗୁଁ ରାଜ୍ୟରେ ୩ ଲକ୍ଷରୁ ଅଧିକ ଘରୋଇ କର୍ମଚାରୀ ଚାକିରି ହରାଇ ପାରନ୍ତି

ବହୁ ଛୋଟ ବ୍ୟବସାୟୀ ନିଜର ଜୀବିକା ହରାଇ ପାରନ୍ତି । ସେମାନଙ୍କ ସହ ଦେଶରେ ବିଭିନ୍ନ ଘରୋଇ କ୍ଷେତ୍ରରେ କାମ କରୁଥିବା ପ୍ରାୟ ୩୦ ଲକ୍ଷ ଲୋକ ବି ଜୀବିକା ହରାଇବାର ସମ୍ଭାବନା ଅଛି ।

ଲକଡାଉନ ଯୋଗୁଁ ରାଜ୍ୟରେ ୩ ଲକ୍ଷରୁ ଅଧିକ ଘରୋଇ କର୍ମଚାରୀ ଚାକିରି ହରାଇ ପାରନ୍ତି
ଲକଡାଉନ୍ ସମୟରେ ଭୁବନେଶ୍ୱରର ଏକ ରାସ୍ତାର ଦୃଶ୍ୟ
  • News18 Odia
  • Last Updated: April 15, 2020, 9:01 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: କରୋନା ଭାଇରସର ମୁକାବିଲା ଲାଗି ସରକାରଙ୍କ ଲକଡାଉନ ଅବଧି ବୃଦ୍ଧି ନିଷ୍ପତ୍ତି ଅର୍ଥନୀତିକୁ ବହୁମାତ୍ରାରେ ପ୍ରଭବିତ କରିପାରେ । ପ୍ରାୟ ଦେଢ଼ ମାସର ଲକଡାଉନ ଅବଧି ସରିବା ପରେ ରାଜ୍ୟରେ ପ୍ରାୟ ତିନି ଲକ୍ଷରୁ ଅଧିକ ଘରୋଇ କର୍ମଚାରୀ ନିଜର ଜୀବିକା ହରାଇ ପାରନ୍ତି । ଆର୍ଥିକ ମାନ୍ଦାବସ୍ଥା କାରଣରୁ ସଂଖ୍ୟଧିକ ମଧ୍ୟମ ଓ କ୍ଷୁଦ୍ର ଶିଳ୍ପ ପ୍ରତିଷ୍ଠାନ ମଧ୍ୟ ବନ୍ଦ ହୋଇ ଯାଇପାରେ ବୋଲି କହିଛି ରାଜ୍ୟ ବ୍ୟବସାୟୀ ମହାସଙ୍ଘ ଓ ଉତ୍କଳ ଚ୍ୟାମ୍ବର ଅଫ କମର୍ସ (UCCI) ।

‘‘ଏ କଥା ସତ ଯେ ବ୍ୟବସାୟ ତୁଳନାରେ ଲୋକଙ୍କ ଜୀବନ ହେଉଛି ଅଧିକ ମୂଲ୍ୟବାନ। ତେଣୁ ଲକଡାଉନ ଅବଧି ବୃଦ୍ଧି ଉଚିତ ନିଷ୍ପତ୍ତି ବୋଲି ବିଚାର କରାଯାଇପାରେ। ହେଲେ ଆଗକୁ ଏହା ଦେଶ ଓ ରାଜ୍ୟ ଲାଗି ବଡ଼ ଅର୍ଥନୈତିକ ଚ୍ୟାଲେଞ୍ଜ ଆଣିବ । ଏହା ଦ୍ଵାରା ବହୁ ଛୋଟ ବ୍ୟବସାୟୀ ନିଜର ଜୀବିକା ହରାଇ ବସିବେ। ସେମାନଙ୍କ ସହ ଦେଶରେ ବିଭିନ୍ନ ଘରୋଇ କ୍ଷେତ୍ରରେ କାମ କରୁଥିବା ପ୍ରାୟ ୩୦ ଲକ୍ଷ ଲୋକ ଜୀବିକା ହରାଇବା ସମ୍ଭାବନା ଥିବା ବେଳେ ରାଜ୍ୟରେ ତିନି ଲକ୍ଷରୁ ଅଧିକ ଘରୋଇ କର୍ମଚାରୀ ଜୀବିକା ହରାଇ ପାରନ୍ତି । ଲକଡାଉନ ଲାଗୁ ଓ ଏହାର ଅବଧି ବୃଦ୍ଧି ଆଗକୁ ଜଟିଳ ସ୍ଥିତି କୁ ଆମନ୍ତ୍ରଣ କରିପାରେ,’’ କହିଛନ୍ତି ରାଜ୍ୟ ବ୍ୟବସାୟୀ ମହାସଙ୍ଘର ସାଧାରଣ ସମ୍ପାଦକ ସୁଧାକର ପଣ୍ଡା ।

ଉତ୍କଳ ଚାମ୍ବର ଅଫ କମର୍ସର ସଭାପତି ରମେଶ ଚନ୍ଦ୍ର ମହାପାତ୍ରଙ୍କ ମତରେ ଲକଡାଉନ ଅବଧି ଯେତେ ବଢ଼ିବ ତାହା ଶିଳ୍ପ ଜଗତ ପାଇଁ କ୍ଷତିକାରକ ହେବ।  ‘‘ଏହା ଦ୍ବାରା ଅଧିକ ପ୍ରଭାବିତ ହେବେ ମାଧ୍ୟମ ଓ କ୍ଷୁଦ୍ର ଶିଳ୍ପ ଉଦ୍ୟୋଗୀ। ଲକଡାଉନ ଅବଧି ହୁଏତ କରୋନା ମୁକାବିଲା କରିବାରେ ସକ୍ଷମ ହୋଇପାରେ, ହେଲେ ଏହା ଦେଶର ଅର୍ଥନୀତିକୁ ବିପର୍ଯ୍ୟସ୍ତ କରିଦେବ,’’ ସେ କହିଛନ୍ତି ।

ଲକଡାଉନରେ ପୋଲିସର ଚେକିଂ କଡ଼ାକଡ଼ି ଚାଲିଛି ।


ମହାପାତ୍ର ଆହୁରି କହିଛନ୍ତି: ‘‘ଫ୍ରାନ୍ସ ଭଳି ରାଷ୍ଟ୍ର କରୋନା ମୁକାବିଲା କରୁଥିବା ବେଳେ ଦେଶର ଶିଳ୍ପ ଯେଭଳି ପ୍ରଭାବିତ ନ ହେବ, ତାହା ଉପରେ ଗୁରୁତ୍ୱ ଦେଉଛନ୍ତି । ତେଣୁ ଉଭୟ ଭାରତ ଓ ଓଡ଼ିଶା ସରକାର ଲକଡାଉନ ଅବଧି ବୃଦ୍ଧି ସହ ଶିଳ୍ପଦ୍ୟୋଗୀଙ୍କ ସମସ୍ୟା ପ୍ରତି ଗୁରୁତ୍ୱ ଦେବେ ବୋଲି ମୁଁ ଆଶାକରୁଛି ।’’

ତେବେ ସାଧାରଣରେ ଲକଡାଉନ ଅବଧି ମେ ୩କୁ ବୃଦ୍ଧି  କରିବା ନିଷ୍ପତ୍ତି ନେଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ମିଳିଛି ସମର୍ଥନ । ରାଜଧାନୀ ବାସିନ୍ଦା ଅଭିଜିତ ଦାସଙ୍କ ମତରେ ଏବେ ରାଜ୍ୟ ସରକାରଙ୍କ ନିଷ୍ପତ୍ତି ପାଇଁ ସାରା ଦେଶରେ ଚର୍ଚ୍ଚିତ ହୋଇଛି ଓଡ଼ିଶା । ଅନ୍ୟ ଏକାଧିକ ରାଜ୍ୟ ଲକଡାଉନର ଅବଧି ବଢ଼େଇବା ପାଇଁ କେବଳ ପ୍ରସ୍ତାବ ଦେଇଥିବା ବେଳେ ପ୍ରଥମ ରାଜ୍ୟ ଭାବେ ଓଡ଼ିଶା ନୀତିଗତ ଭାବେ ଅବଧି ବୃଦ୍ଧି ନିଷ୍ପତ୍ତି ଲାଗୁ କରିଥିଲା ।

‘‘ଦେଶର ହିତ ଲାଗି ଆମେ ସମସ୍ତେ ଲକଡାଉନ ଅବଧି ବୃଦ୍ଧିକୁ ସ୍ୱାଗତ କରୁଛୁ । ନାଗରିକମାନେ ବଞ୍ଚି ରହିଲେ ସିନା ଦେଶ ବଞ୍ଚିବ,’’ କହିଛନ୍ତି ଭୁବନେଶ୍ୱରର ଜଣେ ଖୁଚୁରା ସଉଦା ଦୋକାନୀ କୃଷ୍ଣ ଚନ୍ଦ୍ର ପଣ୍ଡା ।
First published: April 15, 2020, 9:01 PM IST
corona virus btn
corona virus btn
Loading