୩ଟି ଟ୍ରେନରେ ଭଦ୍ରକ ଫେରିଲେ ୧,୦୦୦ରୁ ଅଧିକ ପ୍ରବାସୀ; ଏବେ ଅଧିକାଂଶଙ୍କ ପକେଟ୍ ଖାଲି

‘‘ଭଗବାନ ଡାକ ଶୁଣିବାରୁ ଏବେ ନିଜ ଭିଟାମାଟିକୁ ଫେରି ଆସିଛି । ନିଜ ଗାଁରେ ମୂଲ ମଜୁରୀ ଲାଗି ନହେଲେ ଚାଷ ବାସ କରି ବଞ୍ଚିବି, କିନ୍ତୁ ଆଉ କେବେ ରାଜ୍ୟ ବାହାରକୁ ଯିବିନାହିଁ,’’ କହିଛନ୍ତି ଜଣେ ପ୍ରବାସୀ ଓଡ଼ିଆ ।

୩ଟି ଟ୍ରେନରେ ଭଦ୍ରକ ଫେରିଲେ ୧,୦୦୦ରୁ ଅଧିକ ପ୍ରବାସୀ; ଏବେ ଅଧିକାଂଶଙ୍କ ପକେଟ୍ ଖାଲି
ଭଦ୍ରକ ରେଳ ଷ୍ଟେସନରେ ପ୍ରବାସୀମାନେ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ଧାଡ଼ିରେ ଠିଆ ହୋଇଛନ୍ତି । (ଫାଇଲ୍‌ ଫଟୋ)
  • Share this:
  • Byline Facebook
  • Byline Twitter
  • Byline Linkedin
ତପନ ସ୍ୱାଇଁ | News18 Odia Digital

ଭଦ୍ରକ: ଗତ ୨୪ ଘଣ୍ଟା ମଧ୍ୟରେ ରେଳ ଯୋଗେ ଭଦ୍ରକ ଫେରିଛନ୍ତି ହଜାରେରୁ ଉର୍ଦ୍ଧ୍ବ ପ୍ରବାସୀ । ଗତ କାଲି ରାତିରେ ଆନ୍ଧ୍ର ପ୍ରଦେଶର ଗୁଣ୍ଟୁରରୁ ଭଦ୍ରକ ପହଞ୍ଚଥିବା ପ୍ରଥମ ଟ୍ରେନରେ ୪୮୮ ଜଣ, ଆଜି ଗୁଜୁରାଟର ଥାନେଗଡ଼ରୁ ଅନ୍ୟ ଏକ ଟ୍ରେନରେ ୩୨୬ ଜଣ ଓ ମହାରାଷ୍ଟ୍ରର ଠାଣେରୁ ବାହାରିଥିବା ଆଉ ଏକ ଟ୍ରେନରେ ୧୮୪ ଜଣ ପ୍ରବାସୀ ଭଦ୍ରକ ଫେରିଛନ୍ତି ।

ଏହି ସବୁ ଟ୍ରେନରେ ଭଦ୍ରକ ଜିଲ୍ଲା ସହ କଟକ, କେନ୍ଦ୍ରାପଡା, ବାଲେଶ୍ୱର ଓ ଯାଜପୁର ପ୍ରଭୃତି ଜିଲ୍ଲାର ଲୋକ ବି ଥିଲେ । ଭଦ୍ରକ ପହଞ୍ଚିବା ପରେ ପ୍ରବାସୀମାନଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍କ୍ରିନିଂ କରାଯାଇ ସେମାନଙ୍କ ନିଜ ଅଞ୍ଚଳକୁ ପଠାଯିବାର ବ୍ୟବସ୍ଥା କରାଯାଇଥିଲା । ଯେଉଁମାନଙ୍କ ଗାଡ଼ି ଆସି ନ ଥିଲା ସେମାନଙ୍କୁ ଭଦ୍ରକ କଲେଜରେ ଅସ୍ଥାୟୀ କ୍ୟାମ୍ପରେ ରଖାଯାଇଛି ।

ଟ୍ରେନରେ ଆସିଥିବା ପ୍ରବାସୀମାନେ ନିଜ ଦୁଃଖ କାହାଣୀ କହିଛନ୍ତି । ପାଖାପାଖି ବର୍ଷେ ହେବ ଆନ୍ଧ୍ର ପ୍ରଦେଶର ବିଜୟୱାଡ଼ାରେ ଶ୍ରମିକ ଭାବେ କାମ କରୁଥିବା କଟକ ବାଙ୍କୀ ଅଞ୍ଚଳର ଯୁବକ ସୁରେନ୍ଦ୍ର ପ୍ରଧାନ ନ୍ୟୁଜ୍‌୧୮ ଓଡ଼ିଆ ଡିଜିଟାଲକୁ କହିଛନ୍ତି ଯେ ଓଡ଼ିଶା ଫେରିଥିବା ଅଧିକାଂଶ ଲୋକଙ୍କ ପାଖରେ ସଞ୍ଚି ରଖିଥିବା ଟଙ୍କା ପଇସା ସରିଯାଇଛି ।

ରେଳ ଷ୍ଟେସନରୁ ବସ୍ ଯୋଗେ ପ୍ରବାସୀମାନଙ୍କୁ ନିଜ ପଞ୍ଚାୟତକୁ ନିଆଯାଉଛି ।


‘‘ମୁଁ ମାସିକ ୧୨,୦୦୦ ଟଙ୍କା ରୋଜଗାର କରୁଥିଲି । ହେଲେ ଲକଡାଉନ ଆମ ପରିସ୍ଥିତିକୁ ଜଟିଳ କରି ପକାଇଲା । ଯାହା କିଛି ଘର ପାଇଁ ସଞ୍ଚିଥିଲି ସେତକ ସରିଯିବା ପରେ ଭୋକ ଉପାସ ରେ ଦିନ କଟିଥିଲା । ଗାଡ଼ି ମଟର ବନ୍ଦ ଥିବା ଯୋଗୁଁ ଘରକୁ ଫେରିବା ବାଟ ମଧ୍ୟ ବନ୍ଦ ହୋଇଯାଇଥିଲା । ହେଲେ ଶେଷରେ ଭଗବାନ ଆମ ଡାକ ଶୁଣିଛନ୍ତି । ଆମେ ନିଜ ଭିଟାମାଟିକୁ ଫେରି ପାରିଛୁ,’’ କହିଛନ୍ତି ସୁରେନ୍ଦ୍ର ପ୍ରଧାନ ।

ବିଜୟୱାଡ଼ାରେ ରାଜ ମିସ୍ତ୍ରୀ ଭାବେ କାମ କରୁଥିବା କଟକ ଜିଲ୍ଲାର ଆଉ ଜଣେ ଶ୍ରମିକ ଗଣେଶ୍ୱର ବେହେରା କହିଛନ୍ତି ଯେ ଲକଡାଉନ ଯୋଗୁଁ କାମ ଧନ୍ଦା ବନ୍ଦ ହେବା ପରେ ତାଙ୍କ ଜୀବନ ଦୁର୍ବିସହ ହୋଇ ପଡ଼ୁଥିଲା । ‘‘ମୁଁ ଘରକୁ ଫେରିବାର ଆଶା ଛାଡି ଦେଇଥିଲି । ହେଲେ ଭଗବାନ ଡାକ ଶୁଣିବାରୁ ଏବେ ନିଜ ଭିଟାମାଟିକୁ ଫେରି ଆସିଛି । ନିଜ ଗାଁରେ ମୂଲ ମଜୁରୀ ଲାଗି ନହେଲେ ଚାଷ ବାସ କରି ବଞ୍ଚିବି, କିନ୍ତୁ ଆଉ କେବେ ରାଜ୍ୟ ବାହାରକୁ ଯିବିନାହିଁ,’’ କହିଛନ୍ତି ବେହେରା ।

ପେଟ ପାଇଁ ନିଜ ଭିଟା ଛାଡି କିଏ ସୁରଟ ତ କିଏ ଆନ୍ଧ୍ର ପ୍ରଦେଶ ବା ମହାରାଷ୍ଟ୍ର ଯାଉଥିଲେ । ହେଲେ କରୋନା ଭାଇରସ୍‌ ବିପତ୍ତି ଏବେ ପ୍ରବାସୀ ଓଡ଼ିଆଙ୍କୁ ଘର ମୁହାଁ କରିଛି । ନିଜ ଘରେ ଶାଗ ପଖାଳ ଖାଇ ବଞ୍ଚିବାର ଯେଉଁ ଆନନ୍ଦ ବିଦେଶରେ ମୁଠା ମୁଠା ଟଙ୍କା ରୋଜଗାରରେ ନାହିଁ ବୋଲି ସେମାନେ କହିଛନ୍ତି ।

ଜିଲ୍ଲା ପ୍ରଶାସନ ପକ୍ଷରୁ ଟ୍ରେନ ଯୋଗେ ଆସିଥିବା ପ୍ରବାସୀ ଓଡ଼ିଆମାନଙ୍କ ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ରେଳ ଷ୍ଟେସନ ନିକଟରେ ସ୍ୱତନ୍ତ୍ର କଣ୍ଟ୍ରୋଲ ରୁମ ଖୋଲାଯାଇଛି । ଟ୍ରେନରୁ ପ୍ରବାସୀ ଓଡ଼ିଆମାନେ ଓହ୍ଲାଇବା କ୍ଷଣି ସେମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି ।

‘‘ଜିଲ୍ଲା ପ୍ରଶାସନ ପକ୍ଷରୁ ଭଦ୍ରକ ଷ୍ଟେସନରେ ପ୍ରବାସୀ ଓଡ଼ିଆଙ୍କ ଖାଦ୍ୟପେୟର ବ୍ୟବସ୍ଥା କରାଯାଇଛି । ସେମାନେ କିପରି ନିଜ ନିଜ ଅଞ୍ଚଳକୁ ଯିବେ ସେଥି ପାଇଁ ଅନ୍ୟ ଜିଲ୍ଲାର ଜିଲ୍ଲାପାଳଙ୍କ ସହିତ ସମନ୍ୱୟ ରକ୍ଷା କରାଯାଇ ସମସ୍ତ କାମ କରାଯାଉଛି,’’ କହିଛନ୍ତି ଭଦ୍ରକ ଜିଲ୍ଲାପାଳ ଜ୍ଞାନ ଦାସ ।

ଏହା ବି ପଢ଼ନ୍ତୁ: ଆତ୍ମନିର୍ଭର ଭାରତ: କ୍ଷୁଦ୍ର ଶିଳ୍ପ (MSME) ପାଇଁ ୩ ଲକ୍ଷ କୋଟି ଟଙ୍କାର ଋଣ ଘୋଷଣା କଲେ ନିର୍ମଳା

ଏହା ବି ପଢ଼ନ୍ତୁ: ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୦୦ ପାର୍ କଲା; ଆଜି ଗୋଟେ ଦିନରେ ନୂଆ ୧୦୦ ଆକ୍ରାନ୍ତ ଟିହ୍ନଟ

ଏହା ବି ପଢ଼ନ୍ତୁ: ବଡ ନିଷ୍ପତ୍ତି: କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ଫୋର୍ସର କ୍ୟାଣ୍ଟିନ ଓ ଷ୍ଟୋରରେ ସ୍ୱଦେଶୀ ବସ୍ତୁ ବିକ୍ରି ହେବ

ଏହା ବି ପଢ଼ନ୍ତୁ: ‘ଆତ୍ମନିର୍ଭର ଭାରତ’ ପାଇଁ ୨୦ ଲକ୍ଷ କୋଟି ଟଙ୍କାର ପ୍ୟାକେଜ ଘୋଷଣା କଲେ PM ମୋଦି
First published: May 13, 2020, 8:33 PM IST
corona virus btn
corona virus btn
Loading