ପୁରୀର କରୋନା ହିରୋ: ଟ୍ରଲି ବାଲା, ଗୋ ସେବିକା, ମେଡିକାଲ କର୍ମଚାରୀ ଓ ଶ୍ରୀମନ୍ଦିର ସେବାୟତ

ଲକଡାଉନ୍ ଯୋଗୁଁ ପୁରୀରେ ଭୋକିଲା ଓ ନିରାଶ୍ରୟ ଲୋକ, ବୁଲା କୁକୁର ଓ ଶ୍ରୀମନ୍ଦିରର ମାଙ୍କଡ଼ମାନେ ହନ୍ତସନ୍ତ ହେଉଛନ୍ତି । ହେଲେ ସେମାନଙ୍କୁ ଖାଦ୍ୟ ଯୋଗାଉଛନ୍ତି କିଛି ହୃଦୟବାନ ସାଧାରଣ ଲୋକ । ସେମାନେ ବି କରୋନା ହିରୋ ।

ପୁରୀର କରୋନା ହିରୋ: ଟ୍ରଲି ବାଲା, ଗୋ ସେବିକା, ମେଡିକାଲ କର୍ମଚାରୀ ଓ ଶ୍ରୀମନ୍ଦିର ସେବାୟତ
ବୁଲା କୁକୁରମାନଙ୍କୁ ଖାଇବାକୁ ଦେଉଛନ୍ତି ବଣେଇ ରାଜପରିବାରର ଝିଅ ଚିନ୍ମୟୀ ଦେଓ ।
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ପୁରୀ: କରୋନା ଭାଇରସକୁ ନେଇ ସରକାର ଜାରି କରିଥିବା ଲକଡାଉନ ଯୋଗୁଁ ସମସ୍ତେ ପେଟପାଟଣା ଚିନ୍ତାରେ ଥିବା ବେଳେ କିଛି ଲୋକ ଅନ୍ୟମାନଙ୍କ ବିଷୟରେ ଚିନ୍ତା କରି ସେମାନଙ୍କୁ ଏହି ଦୁର୍ଦ୍ଦିନରେ ଲଗାତର ସାହାଯ୍ୟ କରୁଛନ୍ତି । ପୁରୀରେ ଏମିତି କିଛି କରୋନା ଫାଇଟର ଅଛନ୍ତି ଯେଉଁମାନେ ନିରାଶ୍ରୟ ମଣିଷଙ୍କ ସମେତ ପଶୁପକ୍ଷୀଙ୍କୁ ବି ସାହାଯ୍ୟ କରିଚାଲିଛନ୍ତି ।

ଟ୍ରଲି ଚାଳକ ପବିତ୍ର ମହାରଣା ଓରଫ ରବି ଟ୍ରଲି ବାଲା ନିଜେ ସହର ସାରା ଟ୍ରଲିରେ କରୋନା ସଚେତନତା ପ୍ରଚାର କରିବା ସହ ଭୋକିଲା ଓ ନିରାଶ୍ରୟଙ୍କୁ ଖାଦ୍ୟ ବାଣ୍ଟିବା ସହ ବୁଲା କୁକୁରଙ୍କୁ ବି ଖାଦ୍ୟ ବାଣ୍ଟୁଛନ୍ତି । ଠିକ୍‌ ସେମିତି ଜଣେ ମହିଳା ଦୀର୍ଘ ୨୦ ବର୍ଷ ଧରି ଗୋସେବାରେ ନିୟୋଜିତ ଥିବା ବେଳେ ଏହି କରୋନା ସଙ୍କଟ ସମୟରେ ବୁଲା ଗାଇଗୋରୁଙ୍କ ସେବା କରିବା ସହ ବୁଲା କୁକୁରଙ୍କୁ ଦେଉଛନ୍ତି ଖାଦ୍ୟ । ସେ ହେଉଛନ୍ତି ବଣେଇ ରାଜପରିବାରର ଝିଅ ଚିନ୍ମୟୀ ଦେଓ ।

ଶ୍ରୀମନ୍ଦିରରେ ମାଙ୍କଡ଼ମାନଙ୍କୁ ସକାଳୁ ସଂନ୍ଧ୍ୟା ଯାଏ ସୋଲା ଦେଉଛନ୍ତି ସୁଆର ମହାସୁଆର ସେବାୟତ ନାରାୟଣ ମହାସୁଆର । ଠିକ୍‌ ସେମିତି ଡାକ୍ତରଖାନାର କର୍ମଚାରୀ ଶାରଦା ଆଚାର୍ଯ୍ୟ  ଘରୁ ଅଫିସ ଗଲା ବେଳେ ବାଟରେ ଯେତେ ବୁଲା କୁକୁର ଦେଖନ୍ତି ସେମାନଙ୍କୁ ବିସ୍କୁଟ ଦେଉଛନ୍ତି ।

ଶ୍ରୀମନ୍ଦିରରେ ମାଙ୍କଡ଼ମାନଙ୍କୁ ଖାଇବାକୁ ଦେଉଛନ୍ତି ସୁଆର ମହାସୁଆର ସେବାୟତ ନାରାୟଣ ମହାସୁଆର ।


‘‘ଟ୍ରଲି ଚଳାଇ ଯେତିକି ମିଳେ ସେଥିରୁ ମୋ’ର ଚାରି ପେଟର ପରିବାର ଭଲରେ ଚଳିଯାଉଛି । ହେଲେ କରୋନା ଲକଡାଉନକୁ ନେଇ ଏବେ ଟ୍ରଲି ଗଡୁନାହିଁ । ମୁଁ କିନ୍ତୁ ଖାଲି ବସି ନ ରହି ମୋ’ ଟ୍ରଲିରେ ଡାକବାଜି ଯନ୍ତ୍ର ରଖି କିଛି ସ୍ୱେଛାସେବୀ ବନ୍ଧୁଙ୍କ ସହ ସାହି ସାହି ବୁଲି କରୋନା ସଚେତନତା କରୁଛି । ଅପରାହ୍ଣରେ ଘରେ ଆସି ରୋଷେଇ କରି ସେହି ଖାଦ୍ୟକୁ ଟ୍ରଲିରେ ନେଇ ରାସ୍ତାରେ ବୁଲା କୁକୁରମାନଙ୍କୁ ଦେଉଛି । ମୋତେ ଏଥିରୁ ବଡ଼ ଆତ୍ମସନ୍ତୋଷ ମିଳୁଛି,’’ କହିଛନ୍ତି ଟ୍ରଲି ଚାଳକ ପବିତ୍ର ମହାରଣା ।

ଗୋ ସେବାରେ ଗତ ୨୦ ବର୍ଷ ହେଲା ନିଜକୁ ସମର୍ପଣ କରିଥିବା ଚିନ୍ମୟୀ ଦେଓ ଅବିବାହିତା । ସେ ଲକଡାଉନ ଆରମ୍ଭ ହେବା ଦିନ ଠାରୁ ସକାଳୁ କିଛି ବିସ୍କୁଟ ପ୍ୟାକେଟ ଓ ଔଷଧ ଧରି ଘରୁ ବାହାରିଯାଉଛନ୍ତି । ବାଟରେ ଯେତେ ବୁଲା କୁକୁର ଦେଖନ୍ତି ତାଙ୍କୁ ବିସ୍କୁଟ ଦେଉଛନ୍ତି । ତା’ ସହ ବୁଲା ଗାଇଗୋରୁଙ୍କୁ ମଧ୍ୟ ସେବା ଶୁଶୃଷା କରୁଛନ୍ତି । ପଶୁମାନଙ୍କ ପ୍ରତି ଏହି ସ୍ନେହଭାବ ସେ ପିଲାଟି ବେଳୁ ନିଜ ବାପାଙ୍କ ଠାରୁ ଶିଖିଛନ୍ତି ବୋଲି କହିଛନ୍ତି । ବୁଲା ଗାଇଗୋରୁଙ୍କୁ ନେଇ ରଖାଯାଉଥିବା ବଗଲା ଧର୍ମଶାଳାର ଗୋଶାଳାରେ ଚିନ୍ମୟୀ ନିଜର କିଛି ପୁରୁଷ ସହକର୍ମୀଙ୍କ ସହ ଗୋ ସେବା ବି କରନ୍ତି ।

ପୁରୀ ସଦର ଡାକ୍ତରଖାନାରେ ଆସିଷ୍ଟାଣ୍ଡ ଆକାଉଣ୍ଟାଣ୍ଟ ଭାବେ କାର୍ଯ୍ୟରତ ଶାରଦା ପ୍ରସନ୍ନ ଆଚାର୍ଯ୍ୟ  ଘରୁ ବାହାରିଲା ବେଳେ ବ୍ୟାଗରେ କିଛି ବିସ୍କୁଟ ପ୍ୟାକେଟ ନେଇ ବାହାରନ୍ତି । ବାଟରେ ପଡ଼ୁଥିବା ବଡ଼ ଦାଣ୍ଡର ଗୁଣ୍ଡିଚା ମନ୍ଦିର, ବସଷ୍ଟାଣ୍ଡ ଅଞ୍ଚଳ ଓ ବଡ଼ ଶଙ୍ଖ ଆଦି ଜାଗାରେ ବୁଲା କୁକୁରଙ୍କୁ ବିସ୍କୁଟ ବାଣ୍ଟି ବାଣ୍ଟି ଯାଆନ୍ତି ସେ । ଡ୍ୟୁଟି ସରିଗଲା ପରେ ପୁଣି ଘରକୁ ଆସି ରାତିରେ କିଛି ବୁଲା କୁକୁରଙ୍କୁ ଖାଦ୍ୟ ବାଣ୍ଟନ୍ତି ସେ ।

ଲକଡାଉନ୍‌ ଆରମ୍ଭ ହେବା ଦିନରୁ ଶ୍ରୀମନ୍ଦିରରେ ମାଙ୍କଡ଼ମାନେ ଖାଦ୍ୟାଭାବରୁ ମନ୍ଦିରରେ ଆତଙ୍କରାଜ କରୁଛନ୍ତି । ତେଣୁ ସେମାନଙ୍କ ପାଇଁ ରାତିରୁ ୧୨ କିଲୋ ବୁଟ ସୋଲା ପାଣିରେ ବତୁରାଇ ରଖୁଛନ୍ତି ସୁଆର ମହାସୁଆର ନିଯୋଗର ଉପଦେଷ୍ଟା  ନାରାୟଣ ମହାସୁଆର । ସକାଳ ହେଲା ମାତ୍ରେ ଏକ ବ୍ୟାଗରେ ତାକୁ ଭର୍ତ୍ତି କରି ମନ୍ଦିରକୁ ବାହାରୁଛନ୍ତି ସେ । ମନ୍ଦିର ଭିତର ବେଢ଼ା, ବାଇଶି ପାହାଚ ଓ ଚାରି ଦ୍ୱାର ଆଦିରେ ପ୍ରାୟ ଛଅ କିଲୋ ବୁଟ ସୋଲା ମାଙ୍କଡମାନଙ୍କୁ ମାର୍ଚ୍ଚ ୨୨ ତାରିଖରୁ ଦେଇଆସୁଛନ୍ତି ସେ ।

‘‘ମନ୍ଦିରକୁ ଏବେ ଭକ୍ତଙ୍କ ପ୍ରବେଶ ବନ୍ଦ ରହିଥିବା ଯୋଗୁଁ ମାଙ୍କଡ଼ମାନେ କିଛି ଖାଇବାକୁ ପାଉନାହାନ୍ତି । ସmେଥି ପାଇଁ ସେମାନେ ମନ୍ଦିରରେ ସେବକଙ୍କୁ ଗୋଡ଼ାଉଛନ୍ତି । ତେଣୁ ଦିନକୁ ଦୁଇ ଥର ମନ୍ଦିର ଭିତରେ ମାଙ୍କଡ଼ମାନଙ୍କୁ ମୁଁ ଖାଇବାକୁ ଦେଉଛି,’’ ସେ କହିଛନ୍ତି ।
First published: April 9, 2020, 8:57 PM IST
corona virus btn
corona virus btn
Loading