ଓଡ଼ିଶା ଫେରୁଥିବା ଶ୍ରମିକଙ୍କ ପାଇଁ ଭିତ୍ତିଭୂମି ଓ କର୍ମ ସୁଯୋଗ ସୃଷ୍ଟି ହେଉ: ବିରୋଧୀ ଦଳ

‘‘ନରେଗା ତ ୨୦୧୮-୧୯ରେ ମାତ୍ର ୧.୬୧ ଲକ୍ଷ ଲୋକଙ୍କୁ ଓ ୨୦୧୯-୨୦ରେ ମାତ୍ର ୪୭,୦୦୦ ଲୋକଙ୍କୁ ୧୦୦ ଦିନର କାମ ଦେଇଥିଲା । ଏବେ ଫେରୁଥିବା ୭ ଲକ୍ଷରୁ ଅଧିକ ଶ୍ରମିକଙ୍କୁ ସରକାର କାମ ଦେବେ କେମିତି?’’ ପଚାରିଛନ୍ତି ବିଜୟ ମହାପାତ୍ର ।

ଓଡ଼ିଶା ଫେରୁଥିବା ଶ୍ରମିକଙ୍କ ପାଇଁ ଭିତ୍ତିଭୂମି ଓ କର୍ମ ସୁଯୋଗ ସୃଷ୍ଟି ହେଉ: ବିରୋଧୀ ଦଳ
(ପ୍ରତୀକାତ୍ମକ ଛବି)
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ଗଞ୍ଜାମ ପରେ ଏବେ ଭଦ୍ରକ ଜିଲ୍ଲାକୁ ଆସୁଛନ୍ତି ସୁରଟରେ ଫସିଥିବା ଓଡ଼ିଆ ପ୍ରବାସୀ ଶ୍ରମିକମାନେ । ସେମାନଙ୍କ ପାଇଁ ଆବଶ୍ୟକ ଭିତ୍ତିଭୂମି ଓ କର୍ମ ସୁଯୋଗ ସୃଷ୍ଟି କରିବା ପାଇଁ ବିରୋଧୀ ରାଜନୈତିକ ଦଳଗୁଡିକ ସରକାରଙ୍କୁ  ପରାମର୍ଶ ଦେଇଥିବା ବେଳେ ଭିତ୍ତିଭୂମି ପ୍ରସ୍ତୁତ ହୋଇଛି ଏବଂ କାମ ଯୋଗାଇବା ପାଇଁ କୌଣସି ଅସୁବିଧା ନାହିଁ ବୋଲି କହିଛନ୍ତି ମନ୍ତ୍ରୀ ପଦ୍ମନାଭ ବେହେରା ।

କୋଟାରେ ଫସି ରହିଥିବା ଓଡ଼ିଆ ଛାତ୍ରଛାତ୍ରୀଙ୍କ ରାଜ୍ୟକୁ ଫେରିବା ପ୍ରକ୍ରିୟା ବି ଆରମ୍ଭ ହୋଇଛି । ଏହାକୁ ନେଇ ବିରୋଧୀ ଦଳଗୁଡିକ ସରକାରଙ୍କୁ ପରାମର୍ଶ ଦେଇଛନ୍ତି । ବରିଷ୍ଟ ବିଜେପି ନେତା ବିଜୟ ମହାପାତ୍ର କହିଛନ୍ତି: ‘‘ଆଗକୁ ସମସ୍ୟା ଅଧିକ ଭୟଙ୍କର ହେବ। ଜୀବନ ଓ ଜୀବିକାକୁ ନେଇ ସ୍ଥିତ ଗମ୍ଭୀର ହେବ । ସାତରୁ ଆଠ ଲକ୍ଷ ଲୋକ ଆସିଲେ ପୃଥକବାସରେ ରହିବେ କେଉଁଠି? ଗ୍ରାମାଞ୍ଚଳରେ ଥିବା ସବୁ ସରକାରୀ ଘର ଓ କଲେଜରେ ବି କ୍ୱାରାଣ୍ଟାଇନ୍‌ ବ୍ୟବସ୍ଥା କରାଯାଉ । ଆସିବା ପରେ ସେମାନଙ୍କ ଜୀବିକା ପାଇଁ  ଯୋଜନା ହେଉ । ନରେଗା ତ ୨୦୧୮-୧୯ରେ ମାତ୍ର ୧ ଲକ୍ଷ ୬୧ ହଜାର ଲୋକଙ୍କୁ  ଓ ୨୦୧୯-୨୦ରେ ମାତ୍ର ୪୭ ହଜାର ଲୋକଙ୍କୁ ୧୦୦ ଦିନର କାମ ଦେଇଥିଲା । ଏବେ ଫେରୁଥିବା ସାତ ଲକ୍ଷରୁ ଅଧିକ ଶ୍ରମିକଙ୍କୁ କାମ ଦେବେ କେମିତି?’’

ସରକାରଙ୍କୁ ସମ୍ବେଦନଶୀଳ ହୋଇ ସୁଚିନ୍ତିତ ଯୋଜନା ପ୍ରସ୍ତୁତ କରିବାକୁ ପରାମର୍ଶ ଦେଇ ମହାପାତ୍ର କହିଛନ୍ତି ଯେ ଯେଉଁ ରାଜ୍ୟରେ ଶ୍ରମିକ ଫସି ରହିଛନ୍ତି ସେ ରାଜ୍ୟ ସରକାର ସହ କଥା ହୋଇ ଲକଡାଉନ ଖୋଲିବା ପରେ ବନ୍ଦ କାରଖାନା କୁ ତୁରନ୍ତ କାର୍ଯ୍ୟକ୍ଷମ କରିବା ସହ ଶ୍ରମିକଙ୍କୁ ସେଇଠି କାମ ଦେବାର ବ୍ୟବସ୍ଥା ହେଉ । ‘‘ଅର୍ଥନୀତି ଚଳଚଞ୍ଚଳ ନ ହେଲେ ସ୍ଥିତି ଭୟଙ୍କର ହେବ । ୩୦ରୁ ୪୦ ପ୍ରତିଶତ ଅର୍ଥନୈତିକ କାମ ଆରମ୍ଭ ହେଉ,’’ ସେ କହିଛନ୍ତି ।

କଂଗ୍ରେସ ବିଧାୟକ ସୁରେଶ ରାଉତରାୟ କହିଛନ୍ତି: ‘‘ସରକାର କେବଳ କୋଭିଡ-୧୯ ହସ୍ପିଟାଲକୁ ଛାଡ଼ିଦେଲେ ଆଉ କିଛି କରୁନାହାନ୍ତି । ଯେଉଁମାନଙ୍କୁ ରାଜ୍ୟ ବାହାରୁ ଆଣିଛନ୍ତି ତାଙ୍କର ସ୍ୱାସ୍ଥ୍ୟ ପରୀକ୍ଷା ପ୍ରଥମେ କରାଯାଉ ଓ ପୃଥକବାସ ରେ ରଖାଯାଉ ।’’

‘‘ଯେଉଁ ରାଜ୍ୟରୁ ଲୋକେ ଆସୁଛନ୍ତି ବୋଲି ଆମେ ଖବର ପାଉଛୁ, ଲୋକଙ୍କ ପାଇଁ ବ୍ୟବସ୍ଥା କରାଯାଉଛି । କ୍ଵାରେଣ୍ଟାଇନ ସେଣ୍ଟର ଖୋଲାଯାଉଛି । ବିଭିନ୍ନ ସ୍କୁଲ ଘର ଓ ପଞ୍ଚାୟତ ଘର ଆଦିରେ ବ୍ୟାପକ ପ୍ରସ୍ତୁତି କରାଯାଉଛି । କାମ ଯୋଗାଇବାରେ ପ୍ରବାସୀ ଓଡ଼ିଆଙ୍କ ପାଇଁ କୈଣସି ଅସୁବିଧା ହେବନି । ରାଜ୍ୟର ଏନ.ଆର୍‌.ଜି.ଏସ୍‌. ଆଦି ରହିଛି । ଆମ ରାଜ୍ୟରେ ପର୍ଯ୍ୟାପ୍ତ କାର୍ଯ୍ୟ ଅଛି, ସେମାନଙ୍କୁ ଯୋଗାଇ ଦିଆଯିବ । ଯେଉଁମାନେ ଫେରୁଛନ୍ତି ସମସ୍ତେ ଶ୍ରମିକ ନୁହନ୍ତି । ଲୋକମାନେ ଫେରିବା ପାଇଁ ବ୍ୟସ୍ତ ହେଉଛନ୍ତି । ଲକଡାଉନ ପରେ ସରକାର ବ୍ୟବସ୍ଥା କରିବେ । ସମସ୍ତ ରେଜିଷ୍ଟ୍ରେସନ ପରେ ଜଣାପଡିବ କେତେ କେଉଁ ରାଜ୍ୟରେ ରହିଛନ୍ତି,’’ କହିଛନ୍ତି ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ।

ବାହାର ରାଜ୍ୟରୁ ଫେରୁଥିବା ଶ୍ରମିକମାନଙ୍କୁ ଖାଦ୍ୟ ନିରାପତ୍ତାରୁ ବଞ୍ଚିତ ନ କରିବାକୁ ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି । ଓଡିଶାକୁ ଫେରୁଥିବା ସବୁ ଯୋଗ୍ୟ ଶ୍ରମିକମାନଙ୍କ ରାସନ କାର୍ଡ ଥାଉ କି ନ ଥାଉ, ଏହି ଶ୍ରମିକ ଓ ତାଙ୍କ ପରିବାର ଯେପରି ରାସନ ପାଇବାରେ କୌଣସି ଅସୁବିଧା ର ସମ୍ମୁଖୀନ ନ ହୁଅନ୍ତି ସେଥି ପ୍ରତି ଦୃଷ୍ଟି ଦେବାକୁ ବରିଷ୍ଠ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ପଟ୍ଟନାୟକ ।
First published: May 1, 2020, 5:18 PM IST
corona virus btn
corona virus btn
Loading