ଓଡ଼ିଶାରେ ଆଉ ଜଣେ କରୋନା ପଜିଟିଭ୍ ବାହାରିଲେ; ମୋଟ ୩ ମାମଲା ହେଲା; ସମସ୍ତେ ଭୁବନେଶ୍ୱରର

ଓଡ଼ିଶାରେ ଏବେ ତିନିଟି କରୋନା ଭାଇରସ୍ ପଜିଟିଭ୍ ମାମଲା ଆସିବାରୁ ଚିନ୍ତା ବଢ଼ିଛି । ରାଜ୍ୟରେ ପ୍ରଥମ ସଂକ୍ରମିତ ବ୍ୟକ୍ତି ମାର୍ଚ୍ଚ ୧୫ରେ ଚିହ୍ନଟ ହୋଇଥିଲେ । ତା’ପରେ ୧୯ ତାରିଖରେ ଦ୍ୱିତୀୟ ପଜିଟିଭ୍ ବ୍ୟକ୍ତି ଚିହ୍ନଟ ହୋଇଥିଲେ ।

ଓଡ଼ିଶାରେ ଆଉ ଜଣେ କରୋନା ପଜିଟିଭ୍ ବାହାରିଲେ; ମୋଟ ୩ ମାମଲା ହେଲା; ସମସ୍ତେ ଭୁବନେଶ୍ୱରର
ପ୍ରତୀକାତ୍ମକ ଛବି
  • News18 Odia
  • Last Updated: March 26, 2020, 9:59 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ରାଜ୍ୟରେ ଆଜି ଆଉ ଏକ କରୋନା ଭାଇରସରେ ସଂକ୍ରମିତ ବ୍ୟକ୍ତି ଚିହ୍ନଟ ହୋଇଛନ୍ତି । ଏଥି ସହ ରାଜ୍ୟରେ ଏ ପର୍ଯ୍ୟନ୍ତ ଏହି ମହାମାରୀକାରକ ଭୂତାଣୁ ଦ୍ୱାରା ସଂକ୍ରମିତ ବ୍ୟକ୍ତିଙ୍କ ସଂଖ୍ୟା ବଢ଼ି ତିନି ହୋଇଛି । ସଂକ୍ରମିତ ତିନି ଜଣ ଯାକ ଭୁବନେଶ୍ୱର ବାସିନ୍ଦା ବୋଲି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଜଣେଇଛି ।

ଏହି ମହାମାରୀ ପାଇଁ ଆଜି ଦିନ ୧୨ଟା ସୁଦ୍ଧା ମୋ’ଟ ୧୬୪ଟି ନମୁନା ପରୀକ୍ଷା କରାଯାଇଥିଲା ବୋଲି କହିଥିଲେ ଆଇ.ଇ.ସି. ମୁଖ୍ୟ ସୁବ୍ରତ ବାଗଚୀ । ତେବେ ବିଳମ୍ବିତ ସନ୍ଧ୍ୟାରେ ଏକ ଟ୍ୱିଟ୍‌ କରି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଜଣେଇଛି ଯେ ନୂଆ କରି ଆସିଥିବା ନମୁନାରୁ ଗୋଟିଏ ପଜିଟିଭ୍‌ ଚିହ୍ନଟ ହୋଇଛି ।

‘‘ସ୍ୱାସ୍ଥ୍ୟ ବିଭାଗ ସମସ୍ତଙ୍କୁ ଲକଡାଉନ୍‌ ନିୟମାବଳୀର ଅନୁପାଳନ କରିବାକୁ ଅନୁରୋଧ କରୁଛି । ଡରିବାର କୌଣସି କାରଣ ନାହିଁ । ନିଜ ଘର ଭିତରେ ରୁହନ୍ତୁ, ସୁରକ୍ଷିତ ରୁହନ୍ତୁ,’’ ରାଜ୍ୟ ସ୍ୱାସ୍ଥ୍ୟ ପରବର୍ତ୍ତୀ ଟ୍ୱିଟରେ କହିଛି ।

ଓଡ଼ିଶାରେ ପ୍ରଥମ କରୋନା ଭାଇରସ୍‌ ସଂକ୍ରମିତ ବ୍ୟକ୍ତି ମାର୍ଚ୍ଚ ୧୫ ତାରିଖରେ ଚିହ୍ନଟ ହୋଇଥିଲେ । ତା’ପରେ ୧୯ ତାରିଖରେ ଦ୍ୱିତୀୟ ପଜିଟିଭ୍‌ ବ୍ୟକ୍ତି ଚିହ୍ନଟ ହୋଇଥିଲେ ।

‘‘ଆଜି ସୁଦ୍ଧା ବିଦେଶ ଓ ଅନ୍ୟ ରାଜ୍ୟରେ ଥିବା ୮୪,୦୦୦ ଓଡ଼ିଆ ରାଜ୍ୟକୁ ଫେରିଛନ୍ତି । ସେମାନଙ୍କୁ ୧୪ ଦିନ ପାଇଁ ସଙ୍ଗରୋଧ ହୋଇ ରହିବାକୁ କୁହାଯାଇଛି । ସମସ୍ତେ ଲକଡାଉନକୁ ନିଷ୍ଠାପୂର୍ବକ ପାଳନ କରି ଏହି ମହାମାରୀରୁ ନିଜକୁ ଓ ସମାଜକୁ ସୁରକ୍ଷିତ ରଖିବା ଉଚିତ,’’ ଆଜି ଅପରାହ୍ଣରେ କହିଥିଲେ ସୁବ୍ରତ ବାଗଚୀ ।

ରାଜ୍ୟରେ କରୋନା ଭାଇରସ୍‌ ସଂକ୍ରମଣର ସ୍ଥିତି ଗୁରୁତର ହେବା ଆଶଙ୍କା କରି ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସରକାର ଦେଶରେ ପ୍ରଥମ ଓ ଏକ ବଡ଼ ପଦକ୍ଷେପ ନେଇ ରାଜ୍ୟରେ ଏକ କରୋନା ହସ୍ପିଟାଲ ଖୋଲିବା ଉଦ୍ୟମ ଆରମ୍ଭ କରିଛନ୍ତି । ବାଗଚୀ କହିଛନ୍ତି ଯେ ଭୁବନେଶ୍ବରରେ ୯୭୦ ଶଯ୍ୟା ବିଶିଷ୍ଟ ଏହି କୋରୋନା ହସ୍ପିଟାଲ ପାଇଁ ରାଜ୍ୟ ସରକାର ଉଭୟ କିମ୍ସ ଓ ସମ୍ ହସ୍ପିଟାଲ ସହ ବୁଝାମଣାପତ୍ର ସ୍ବାକ୍ଷରିତ କରିଛନ୍ତି ।

ସମ୍‌ରେ ୫୨୦ ଶଯ୍ୟା ବିଶିଷ୍ଟ ହସ୍ପିଟାଲ ହେବାକୁ ଥିବା ବେଳେ କିମ୍ସ ହସପିଟାଲରେ ରହିବ ୪୫୦ ଶଯ୍ୟା । ସମ୍‌ରେ ହେବାକୁ ଥିବା କରୋନା ହସ୍ପିଟାଲରେ ୨୦ଟି ଆଇସିୟୁ ରହିବ । ଚାରି ଦିନ ମଧ୍ୟରେ ଶଯ୍ୟା ପ୍ରସ୍ତୁତ ରଖିବାକୁ ହୋଇଛି ବୁଝାମଣା ।

କରୋନା ଲକଡାଉନ ସ୍ଥିତିରେ ଅନ୍ୟ ରାଜ୍ୟରେ ଥିବା ଓଡ଼ିଆଙ୍କୁ ସୁରକ୍ଷା ଓ ସୁବିଧା ଯୋଗାଇ ଦେବାକୁ ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ସବୁ ରାଜ୍ୟର ମୁଖ୍ୟ ମନ୍ତ୍ରୀମାନଙ୍କୁ ଚିଠି ଲେଖିଛନ୍ତି । ଓଡ଼ିଶାରେ ଥିବା ଅନ୍ୟ ରାଜ୍ୟର ଲୋକଙ୍କ କଥା ମୁଖ୍ୟ ମନ୍ତ୍ରୀ ବୁଝିବେ ବୋଲି କହିଛନ୍ତି ।
First published: March 26, 2020, 9:59 PM IST