ଓଡ଼ିଶାର ଏକ ମାତ୍ର କରୋନା ଭାଇରସ୍ ରୋଗୀ ସୁସ୍ଥ ହୋଇଆସୁଛନ୍ତି; ୮୦ ଦେଶରୁ ୨,୧୩୧ ଲୋକ ଫେରିଛନ୍ତି

କରୋନା ଭାଇରସରୁ ନିରାପଦରେ ରହିବାକୁ ଲୋକଙ୍କୁ ନିବେଦନ କରି ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ଜଣେଇଛନ୍ତି ଯେ ସେ ବିଦେଶରୁ ଆସୁଥିବା ଲୋକଙ୍କ ପାଇଁ ଥିବା ରାଜ୍ୟ ସରକାରଙ୍କ ୱେବସାଇଟରେ ତାଙ୍କ ଭଉଣୀ ଆମେରିକାର ପ୍ରସିଦ୍ଧ ଲେଖିକା ଗୀତା ମେହେଟାଙ୍କୁ ବି ପଞ୍ଜୀକୃତ କରାଇଛନ୍ତି ।

ଓଡ଼ିଶାର ଏକ ମାତ୍ର କରୋନା ଭାଇରସ୍ ରୋଗୀ ସୁସ୍ଥ ହୋଇଆସୁଛନ୍ତି; ୮୦ ଦେଶରୁ ୨,୧୩୧ ଲୋକ ଫେରିଛନ୍ତି
ଭୁବନେଶ୍ୱର ରେଳ ଷ୍ଟେସନରେ ମାସ୍କ ପିନ୍ଧି ଯାଆଆସ କରୁଥିବା କିଛି କଲେଜ ଛାତ୍ରୀ
  • News18 Odia
  • Last Updated: March 18, 2020, 9:30 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: କରୋନା ଭାଇରସରେ ଆକ୍ରାନ୍ତ ହୋଇ ଚିକିତ୍ସାଧୀନ ଥିବା ଓଡ଼ିଶାର ଏକ ମାତ୍ର ବ୍ୟକ୍ତିଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ହୋଇଚାଲିଛି ଓ ତାଙ୍କୁ ଆଗାମୀ କିଛି ଦିନ ଭିତରେ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ସେ ଘରକୁ ଫେରିବାର ସମ୍ଭାବନା ଅଛି । ଓଡିଶାରେ ଏ ପର୍ଯ୍ୟନ୍ତ ପରୀକ୍ଷା କରାଯାଇଥିବା ୪୬ କରୋନା ଭାଇରସ୍ ସନ୍ଦିଗ୍ଧଙ୍କ ସମସ୍ତ ନମୁନା ନକାରାତ୍ମକ ଆସିଥିବାରୁ ଏହି ମାରାତ୍ମକ ଭୂତାଣୁର ପ୍ରସାର ରୋକିବାକୁ ସବୁ ଉଦ୍ୟମ କରୁଥିବା ରାଜ୍ୟ ସରକାରଙ୍କୁ ବଡ଼ ଆଶ୍ୱସ୍ତି ମିଳିଛି ।

“ସେହି ୩୧ ବର୍ଷୀୟ କରୋନାଭାଇରସ୍ ପଜିଟିଭ୍ ବ୍ୟକ୍ତିଙ୍କ ଅବସ୍ଥା ସ୍ଥିର ଅଛି । ସେ ଶୀଘ୍ର ସୁସ୍ଥ ହେଉଛନ୍ତି। ସେ ଆଜି ମଧ୍ୟାହ୍ନ ଭୋଜନରେ ଭାତ, ଡାଲମା ଓ ଅନ୍ୟ ତରକାରୀ ଖାଇଥିଲେ । ସେ ଭଲ ହେଉଛନ୍ତି । ସେ ପଜିଟିଭରୁ ଡବଲ୍‌ ନେଗେଟିଭ୍‌ ହେବାକୁ ଆମେ ଅପେକ୍ଷା କରିଛୁ । ତା’ପରେ ସେ ଡିସଚାର୍ଜ ହେବେ,’’ କରୋନା ଭାଇରସକୁ ପ୍ରତିହତ କରିବା ପାଇଁ ଗଠିତ ରାଜ୍ୟ ସରକାରଙ୍କ ସମିତିର ମୁଖ୍ୟ ମୁଖପାତ୍ର ସୁବ୍ରାତୋ ବାଗଚି କହିଛନ୍ତି ।

କରୋନା ଭାଇରସ୍ ପଜିଟିଭ୍ ବ୍ୟକ୍ତି ଜଣକ ଭୁବନେଶ୍ୱରର ବାସିନ୍ଦା ଓ ସେ ଇଟାଲୀରେ ଜଣେ ଅନୁସନ୍ଧାନକାରୀ ଭାବରେ କାର୍ଯ୍ୟ କରୁଥିଲେ । ସେ ଦିଲ୍ଲୀରୁ ଟ୍ରେନ୍ ଯୋଗେ ଭୁବନେଶ୍ୱରରେ ପହଞ୍ଚିବା ପରେ ସୋମବାର ଦିନ କରୋନା ଭାଇରସ୍ ପରୀକ୍ଷାରେ ପଜିଟିଭ୍ ଥିବା ଜଣା ପଡ଼ିଥିଲେ ।

ରାଜ୍ୟରେ କରୋନା ଭାଇରସର ବିସ୍ତାରକୁ ରୋକିବା ପାଇଁ ସଚେତନତା ସୃଷ୍ଟି କରିବାକୁ ସରକାର ଉଦ୍ୟମ ଜାରି ରଖିଛନ୍ତି । ଗତ ପାଞ୍ଚ ଦିନ ମଧ୍ୟରେ ସାରା ରାଜ୍ୟରେ ଅନେକ ପ୍ରତିବନ୍ଧକ ଲଗାଯାଇଛି ଓ ଏକ ଉଚ୍ଚ ସ୍ତରୀୟ ବିଶେଷଜ୍ଞ ଏବଂ ଆଇଏଏସ୍ ଅଧିକାରୀଙ୍କ ପ୍ୟାନେଲ ଦିନରାତି ପରିସ୍ଥିତି ଉପରେ ନଜର ରଖିଛି ।

କରୋନା ଭାଇରସରେ ଲୋକଙ୍କ ପ୍ରଶ୍ନର ଉତ୍ତର ଦେବା ଓ କାଉନସେଲିଂ କରିବା ପାଇଁ ସ୍ଥାପିତ ହେଲ୍ପଲାଇନ ନମ୍ବର ୧୦୪କୁ କଲ୍ କରୁଥିବା ଲୋକଙ୍କ ସଂଖ୍ୟାରେ ତୀବ୍ର ବୃଦ୍ଧି ଘଟିଛି ବୋଲି ବାଗଚି କହିଛନ୍ତି ।

ରାଜ୍ୟ କରୋନା ପ୍ରତିଷେଧକ ସିମିତିର ମୁଖ୍ୟ ମୁଖପାତ୍ର ସୁବ୍ରତୋ ବାଗଚି ସାମ୍ବାଦିକମାନଙ୍କୁ ସୂଚନା ଦେଉଛନ୍ତି । ।


“ଦୈନିକ ସାଧାରଣତଃ ହାରାହାରି ୫୦୦ କଲ୍ ଆସୁଥିବା ଏହି ହେଲ୍ପଲାଇନ୍‌ ନମ୍ବରକୁ ଗତ ୨୪ ଘଣ୍ଟା ମଧ୍ୟରେ ୫,୦୦୦ରୁ ଅଧିକ କଲ୍ ଆସିଛି । ଲୋକେ କରୋନା ଭାଇରସ୍ ଉପରେ ପରାମର୍ଶ ଲୋଡ଼ୁଛନ୍ତି ଓ ପାଉଛନ୍ତି,’’ କହିଛନ୍ତି ବାଗଚି । ସେ ଜଣେ ଜଣାଶୁଣା ଉଦ୍ୟୋଗୀ ତଥା ଟେକ୍ନୋଲୋଜି ଫାର୍ମ ‘ମାଇଣ୍ଡଟ୍ରି’ର ସହ-ପ୍ରତିଷ୍ଠାତା, ଯିଏ ଦକ୍ଷତା ବିକାଶରେ ରାଜ୍ୟ ସରକାରଙ୍କୁ ସାହାଯ୍ୟ କରିଆସୁଛନ୍ତି । ବାଗଚି ଅଧୁନା ଓଡିଶା ସ୍କିଲ୍ ଡେଭଲପମେଣ୍ଟ ଅଥରିଟି (ଓ.ଏସ.ଡି.ଏ.) ର ଅଧ୍ୟକ୍ଷ ଅଛନ୍ତି । ଏହି ପଦବୀ କ୍ୟାବିନେଟ ମନ୍ତ୍ରୀଙ୍କ ସମକକ୍ଷ ।

ରାଜ୍ୟର ସୂଚନା ଓ ପ୍ରଯୁକ୍ତି ବିଦ୍ୟା ସଚିବ ମନୋଜ ମିଶ୍ର କହିଛନ୍ତି ଯେ ଗତ କିଛି ଦିନ ମଧ୍ୟରେ ୮୦ଟି ଦେଶରୁ ଓଡିଶାକୁ ଫେରିଥିବା ପ୍ରାୟ ୨,୧୩୧ ଜଣ ବ୍ୟକ୍ତି ରାଜ୍ୟ ସରକାରଙ୍କ COVID-୧୯ ପୋର୍ଟାଲରେ ପଞ୍ଜୀକୃତ ହୋଇଛନ୍ତି । ୟୁଏଇରୁ ସର୍ବାଧିକ ୨୦ ପ୍ରତିଶତ, ଆମେରିକାର ୯ ପ୍ରତିଶତ, ସାଉଦି ଆରବରୁ ୫ ପ୍ରତିଶତ, ବ୍ରିଟେନରୁ ୪ ପ୍ରତିଶତ ଓ ମାଲେସିଆରୁ ଚାରି ପ୍ରତିଶତ ଲୋକ ଓଡ଼ିଶାକୁ ଫେରିଛନ୍ତି ।

‘‘ଚୀନରୁ ଫେରିବା ଲୋକ କେହି ନାହାଁନ୍ତି । ଏହି ଲୋକମାନଙ୍କ ମଧ୍ୟରୁ ସର୍ବୋଚ୍ଚ ୩୭ ପ୍ରତିଶତ ଖୋର୍ଦ୍ଧା ଜିଲ୍ଲାର ବାସିନ୍ଦା । ଏଥି ମଧ୍ୟରୁ କେବଳ ୯୭ ଜଣଙ୍କ ବୟସ ୬୦ ବର୍ଷରୁ ଅଧିକ,’’ କହିଛନ୍ତି ମିଶ୍ର ।

କରୋନା ଭାଇରସରୁ ନିରାପଦରେ ରହିବାକୁ ଲୋକଙ୍କୁ ନିବେଦନ କରୁଥିବା ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ଟ୍ୱିଟରରେ କହିଛନ୍ତି ଯେ ବିଦେଶରୁ ଆସୁଥିବା ବ୍ୟକ୍ତିଙ୍କ ପାଇଁ ସେ ତାଙ୍କ ଭଉଣୀ ଆମେରିକୀୟ ନାଗରିକ ଗୀତା ମେହେଟାଙ୍କୁ ରାଜ୍ୟ ସରକାରଙ୍କ କରୋନା ଭାଇରସ୍‌ ପୋର୍ଟାଲରେ ପଞ୍ଜୀକୃତ କରାଇଛନ୍ତି । ଗୀତା ମେହେଟା ଜଣେ ଅନ୍ତର୍ଜାତୀୟ ସ୍ତରରେ ପ୍ରସିଦ୍ଧ ଲେଖିକା ।

“ମୁଁ ତୁମ ସମସ୍ତଙ୍କୁ ନିବେଦନ କରୁଛି ଯେ ବିଦେଶରୁ ଆସୁଥିବା ଆପଣଙ୍କ ପରିବାରର ସଦସ୍ୟ ଓ ବନ୍ଧୁମାନଙ୍କ ବିଷୟରେ ବିବରଣୀ ପଞ୍ଜିକରଣ କରାନ୍ତୁ। ଏହା ଓଡ଼ିଶାକୁ କରୋନା ଭାଇରସରୁ ରକ୍ଷା କରିବାରେ ସହାୟକ ହେବ,’’ କହିଛନ୍ତି ପଟ୍ଟନାୟକ ।

ଓଡ଼ିଶା ସରକାର କରୋନା ଭାଇରସକୁ ଏକ “ରାଜ୍ୟ ବିପର୍ଯ୍ୟୟ” ଭାବରେ ଘୋଷଣା କରି ଏହି ମହାମାରୀର ବିସ୍ତାରକୁ ରୋକିବା ପାଇଁ ମାର୍ଚ୍ଚ ୧୩ରେ ଏପିଡେମିକ୍ ରୋଗ ଅଧିନିୟମ, ୧୮୯୭ ଓ କୋଡ୍‌ ଅଫ୍‌ କ୍ରିମିନାଲ୍‌ ପ୍ରସେଜର୍‌, ୧୯୭୩ର ନିୟମାବଳୀକୁ ଲାଗୁ କରିଛନ୍ତି ।
First published: March 18, 2020, 9:30 PM IST
corona virus btn
corona virus btn
Loading