ରାଜ୍ୟରେ ଖୋଲିବ କରୋନା ହସ୍ପିଟାଲ, ରହିବ ୯୭୦ ଶଯ୍ୟା; ଖବରକାଗଜ ହକରଙ୍କ ପାଇଁ ନିୟମ କୋହଳ

ଭୁବନେଶ୍ବରରେ ୯୭୦ ଶଯ୍ୟା ବିଶିଷ୍ଟ ଏହି କୋରୋନା ହସ୍ପିଟାଲ ପାଇଁ ରାଜ୍ୟ ସରକାର କିମ୍ସ ଓ ସମ୍ ହସ୍ପିଟାଲ ସହ ବୁଝାମଣାପତ୍ର ସ୍ବାକ୍ଷରିତ କରିଛନ୍ତି । ଲକ୍‌ଡାଉନ୍‌ କଟକଣା ଭାଙ୍ଗିବା ଅଭିଯୋଗରେ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ରୁଜୁ ହୋଇଛି ୪୦୪ ମାମଲା ।

ରାଜ୍ୟରେ ଖୋଲିବ କରୋନା ହସ୍ପିଟାଲ, ରହିବ ୯୭୦ ଶଯ୍ୟା; ଖବରକାଗଜ ହକରଙ୍କ ପାଇଁ ନିୟମ କୋହଳ
କରୋନା ହସପିଟାଲ୍ ବିଷୟରେ ସୂଚନା ଦେଉଛନ୍ତି ମୁଖ୍ୟ ସଚିବ ଅସିତ ତ୍ରିପାଠୀ ।
  • News18 Odia
  • Last Updated: March 26, 2020, 6:50 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ରାଜ୍ୟରେ ପ୍ରଥମ କରି ଖୋଲିବ କରୋନା ହସ୍ପିଟାଲ । କୋରୋନା ସ୍ଥିତିର ମୁକାବିଲା ପାଇଁ ଏକ ବଡ଼ ପଦକ୍ଷେପ ନେଇଛନ୍ତି ରାଜ୍ୟ ସରକାର । କୋରୋନା ସ୍ଥିତି ସମୀକ୍ଷା କରି ଆଇଇସି ମୁଖ୍ୟ ସୁବ୍ରତ ବାଗଚୀ କହିଛନ୍ତି ଯେ ଭୁବନେଶ୍ବରରେ ୯୭୦ ଶଯ୍ୟା ବିଶିଷ୍ଟ ଏହି କୋରୋନା ହସ୍ପିଟାଲ ପାଇଁ ରାଜ୍ୟ ସରକାର ଉଭୟ କିମ୍ସ ଓ ସମ୍ ହସ୍ପିଟାଲ ସହ ବୁଝାମଣାପତ୍ର ସ୍ବାକ୍ଷରିତ କରିଛନ୍ତି ।

ସମ୍‌ରେ ୫୨୦ ଶଯ୍ୟା ବିଶିଷ୍ଟ ହସ୍ପିଟାଲ ହେବାକୁ ଥିବା ବେଳେ କିମ୍ସ ହସପିଟାଲରେ ରହିବ ୪୫୦ ଶଯ୍ୟା । ସମ୍‌ରେ ହେବାକୁ ଥିବା କରୋନା ହସ୍ପିଟାଲରେ ୨୦ଟି ଆଇସିୟୁ ରହିବ । ଚାରି ଦିନ ମଧ୍ୟରେ ଶଯ୍ୟା ପ୍ରସ୍ତୁତ ରଖିବାକୁ ହୋଇଛି ବୁଝାମଣା ।

କରୋନା ଲକଡାଉନ ସ୍ଥିତିରେ ଅନ୍ୟ ରାଜ୍ୟରେ ଥିବା ଓଡ଼ିଆଙ୍କୁ ସୁରକ୍ଷା ଓ ସୁବିଧା ଯୋଗାଇ ଦେବାକୁ ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ସବୁ ରାଜ୍ୟର ମୁଖ୍ୟ ମନ୍ତ୍ରୀମାନଙ୍କୁ ଚିଠି ଲେଖିଛନ୍ତି । ଓଡ଼ିଶାରେ ଥିବା ଅନ୍ୟ ରାଜ୍ୟର ଲୋକଙ୍କ କଥା ମୁଖ୍ୟ ମନ୍ତ୍ରୀ ବୁଝିବେ ବୋଲି କହିଛନ୍ତି ।

ଲକ୍ ଡାଉନ ଯୋଗୁ ଅନ୍ୟ ରାଜ୍ୟରେ ଥିବା ଓଡ଼ିଆମାନଙ୍କୁ ସୁବିଧା ଯୋଗାଇ ଦେବାରେ ହେବାକୁ ଥିବା ସମସ୍ତ ଖର୍ଚ୍ଚ ଓଡ଼ିଶା ସରକାର ବହନ କରିବେ ବୋଲି କହିଛନ୍ତି ମୁଖ୍ୟ ମନ୍ତ୍ରୀ । ଏହି କାର୍ଯ୍ୟ ଲାଗି ସେ ଗୃହ ସଚିବ ସଞ୍ଜୀବ ଚୋପ୍ରା ଓ ଅମିତାଭ ଠାକୁରଙ୍କୁ ଦେଇଛନ୍ତି ସ୍ବତନ୍ତ୍ର ଦାୟିତ୍ବ ।

‘‘ଆଜି ସୁଦ୍ଧା ବିଦେଶ ଓ ଅନ୍ୟ ରାଜ୍ୟରେ ଥିବା ୮୪,୦୦୦ ଓଡ଼ିଆ ରାଜ୍ୟକୁ ଫେରିଛନ୍ତି । ସେମାନଙ୍କୁ ୧୪ ଦିନ ପାଇଁ ସଙ୍ଗରୋଧ ହୋଇ ରହିବାକୁ କୁହାଯାଇଛି । ଆଜି ଦିନ ୧୨ଟା ସୁଦ୍ଧା ମୋ’ଟ ୧୬୪ଟି ନମୁନା ପରୀକ୍ଷା କରାଯାଇଥିଲା । ପୂର୍ବ ଦୁଇଟି ପଜିଟିଭକୁ ବାଦ୍ ଦେଲେ ଏପର୍ଯ୍ୟନ୍ତ ଆଉ କୌଣସି ପଜିଟିଭ୍ ବାହାରି ନାହିଁ । ସମସ୍ତ ରିପୋର୍ଟ ନେଗେଟିଭ୍ ଆସିଛି,’’ କହିଛନ୍ତି ଆଇଇସି ମୁଖ୍ୟ ସୁବ୍ର ବାଗଚୀ ।

ଆଉ ଏକ ବଡ଼ ନିଷ୍ପତ୍ତିରେ ଖବରକାଗଜ ହକରଙ୍କ ପାଇଁ ଲକଡାଉନ ନିୟମ ୩ ଘଣ୍ଟା କୋହଳ କରାଯାଇଛି । ଭୋର ୪ଟାରୁ ସକାଳ ୭ଟା ଯାଏ ଖବରକାଗଜ ବାଣ୍ଟିପାରିବେ ହକରମାନେ । ଏଥି ସହ ଖବରକାଗଜ ପରିବହନ କରୁଥିବା ଗାଡ଼ିକୁ ଲକଡାଉନ କଟକଣାମୁକ୍ତ କରାଯାଇଥିବା କହିଛନ୍ତି ବାଗ୍‌ଚୀ ।

ଲକ୍‌ଡାଉନ୍‌ କ୍ବାରେଣ୍ଟାଇନ୍‌ ଓ କରୋନା କଟକଣା ଭାଙ୍ଗିବା ଅଭିଯୋଗରେ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ରୁଜୁ ହୋଇଛି ୪୦୪ ମାମଲା ।

କରୋନା ଯୋଗୁଁ ହିତାଧିକାରୀଙ୍କୁ ରାସନ ସାମଗ୍ରୀ ଯୋଗାଇ ଦେବା କ୍ଷେତ୍ରରେ ମଧ୍ୟ ନୂଆ ନିୟମ ପ୍ରଣୟନ କରିଛନ୍ତି ସରକାର । ଏଣିକି ଘରେ ଘରେ ପହଞ୍ଚିବ ରାସନ । ଡିଲରମାନଙ୍କ ସହାୟତାରେ ହିତାଧିକାରୀଙ୍କ ଘରେ ହିଁ ଯୋଗାଇ ଦିଆଯିବ ଚାଉଳ, ଗହମ ଆଦି ସମସ୍ତ ସରକାରୀ ରାସନ ସାମଗ୍ରୀ । ଡିଲର ମାନେ ଘରକୁ ଘର ଯାଇ ହିତାଧିକାରୀ ପରିବାରଙ୍କୁ ରାସନ ସାମଗ୍ରୀ ଯୋଗାଇ ଦେବେ ।
First published: March 26, 2020, 6:50 PM IST