News18 Odia Digital
ଭୁବନେଶ୍ୱର: କରୋନା ଯୋଦ୍ଧାଙ୍କୁ ସଲାମ କରି ଆଜି ସନ୍ଧ୍ୟାରେ ସାରା ଓଡ଼ିଶା ଗାଇଲା ‘ବନ୍ଦେ ଉତ୍କଳ ଜନନୀ’ ରାଜ୍ୟ ଗୀତ (state anthem) । ରାଜ୍ୟ ଗୀତରେ ପ୍ରକମ୍ପିତ ହେଲା ଓଡ଼ିଶାର ଗଗନ ପବନ । କରୋନା ଲଢ଼େଇରେ ଅଗ୍ରଣୀ ଭୂମିକା ନିର୍ବାହ କରୁଥିବା ଡାକ୍ତର, ସ୍ବାସ୍ଥ୍ୟକର୍ମୀ, ପୋଲିସ, ଆଶା, ଅଙ୍ଗନବାଡ଼ି, ସରପଞ୍ଚ, ଶିକ୍ଷକଙ୍କୁ ସମ୍ମାନ ଜଣାଇ ସଂଧ୍ୟା ୫ଟା ୩୦ରେ ସବୁଠି ଆଜି ଗାନ କରାଯାଇଛି ‘ବନ୍ଦେ ଉତ୍କଳ ଜନନୀ’ ।
ନବୀନ ନିବାସରେ ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ (Naveen Patnaik) କରୋନା ଯୋଦ୍ଧାଙ୍କୁ ସମ୍ମାନ ଜଣାଇ ଗାନ କରିଛନ୍ତି ‘ବନ୍ଦେ ଉତ୍କଳ ଜନନୀ’ (Bande Utkala Janani)। ମୁଖ୍ୟ ମନ୍ତ୍ରୀଙ୍କ ସହିତ ୫ଟି ସଚିବ ଭି. କେ. ପାଣ୍ଡିଆନ ମଧ୍ୟ ଉପସ୍ଥିତ ରହି ରାଜ୍ୟ ଗୀତ ଗାନ କରିଛନ୍ତି । କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବି ନିଜ ବାସଭବନରେ ପରିବାର ସଦସ୍ୟଙ୍କ ଗହଣରେ କରୋନା ଯୋଦ୍ଧାଙ୍କ ଉଦ୍ଦେଶ୍ୟରେ ‘ବନ୍ଦେ ଉତ୍କଳ ଜନନୀ’ ଗୀତ ଗାନ କରିଛନ୍ତି । କରୋନା ଲଢ଼େଇରେ ଅଗ୍ରଣୀ ଯୋଦ୍ଧାଙ୍କୁ ସଲାମ କରିଛନ୍ତି କେନ୍ଦ୍ର ମନ୍ତ୍ରୀ ଓ ମୁଖ୍ୟ ମନ୍ତ୍ରୀ ।

ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ୫ଟି ସଚିବ ଭି. କେ. ପାଣ୍ଡିଆନଙ୍କ ସହ ରାଜ୍ୟ ଗୀତ ଗାନ କରୁଛନ୍ତି ।
ଲୋକସେବା ଭବନରେ ବରିଷ୍ଠ ପ୍ରାଶାସନିକ ଅଧିକାରୀ ଓ କର୍ମଚାରୀମାନେ ସାମାଜିକ ଦୂରତା ରକ୍ଷା କରି ଗାନ କରିଛନ୍ତି ‘ବନ୍ଦେ ଉତ୍କଳ ଜନନୀ’ ଗୀତ । ସଂଧ୍ୟା ଠିକ୍ ସାଢ଼େ ୫ଟା ୩୦ ବେଳେ ସାମୂହିକ ଭାବେ ଗାନ କରାଯାଇଛି ରାଜ୍ୟ ଗୀତ । କରୋନା ଲଢ଼େଇରେ ଦିନରାତି ଏକ କରି ସେବା ଯୋଗାଉଥିବା ଡାକ୍ତର, ପୋଲିସ, ଆଶା, ଅଙ୍ଗନବାଡ଼ି କର୍ମୀ, ସରପଞ୍ଚ ଓ ଶିକ୍ଷକଙ୍କ ତ୍ୟାଗ ଓ ନିଷ୍ଠାର ସମସ୍ତେ କରିଛନ୍ତି ପ୍ରଶଂସା ।

ସଚିବାଳୟରେ କର୍ମଚାରୀମାନେ ରାଜ୍ୟ ଗୀତ ଗାନ କରୁଛନ୍ତି ।
ଭୁବନେଶ୍ବର କମିଶନରେଟ୍ ପୋଲିସ କାର୍ଯ୍ୟାଳୟରେ ମଧ୍ୟ ‘ବନ୍ଦେ ଉତ୍କଳ ଜନନୀ’ ଗୀତ ଗାନ କରାଯାଇଛି । ପୋଲିସ ଅଧିକାରୀମାନେ ସାମାଜିକ ଦୂରତା ରକ୍ଷା କରି ଏହି ଗୀତ ଗାଇଛନ୍ତି । ସେହି ପରି କଟକ ପୋଲିସ ମୁଖ୍ୟାଳୟରେ ମଧ୍ୟ ଗାନ କରାଯାଇଛି ‘ବନ୍ଦେ ଉତ୍କଳ ଜନନୀ’ ଗୀତ ।
ଏହା ବି ପଢ଼ନ୍ତୁ:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।