ଲକଡାଉନ ଖୁବ୍ ଜରୁରୀ, ଏହା ଫେରାଇ ଦେଇଛି ପୁରୁଣା ଦିନ: ଓଡ଼ିଆ ସୁଟର୍ ଶ୍ରୀୟଙ୍କା

ସୁଟିଙ୍ଗ୍ କ୍ଷେତ୍ରରେ ଓଡ଼ିଶାକୁ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ଗୌରାବାନ୍ବିତ କରିଥିବା ସମ୍ବଲପୁରରେ ଜନ୍ମିତ ଓଡ଼ିଆ ଝିଅ ଶ୍ରୀୟଙ୍କା ଷଡଙ୍ଗୀ କହିଛନ୍ତି ଲକଡାଉନ୍ ହେଉଛି ‘‘ନିଜକୁ ଶାରୀରିକ ଓ ମାନସିକ ସ୍ତରରେ ସୁଦୃଢ଼ କରିବାର ପ୍ରକୃଷ୍ଟ ସମୟ’’ । ସେ ସମର୍ ଅଲମ୍ପିକ୍ସ ପାଇଁ ନିଜକୁ ପ୍ରସ୍ତୁତ କରୁଛନ୍ତି ।

ଲକଡାଉନ ଖୁବ୍ ଜରୁରୀ, ଏହା ଫେରାଇ ଦେଇଛି ପୁରୁଣା ଦିନ: ଓଡ଼ିଆ ସୁଟର୍ ଶ୍ରୀୟଙ୍କା
ନିଜ ଘରର ଟେରାସରେ ଶାରୀରିକ ଅଭ୍ୟାସ କରୁଛନ୍ତି ଶ୍ରୀୟଙ୍କା ।
  • News18 Odia
  • Last Updated: April 16, 2020, 5:33 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
ଲିପିକା ମହାନ୍ତ | News18 Odia Digital

ନୂଆ ଦିଲ୍ଲୀ: କୋଭିଡ଼-୧୯ ବା କରୋନା ଭାଇରସ୍‌ ମହାମାରୀ ଦ୍ୱାରା ଏବେ ସମଗ୍ର ବିଶ୍ୱର କ୍ରୀଡ଼ା ଜଗତ ସୁପ୍ତ ପ୍ରାୟ ହୋଇଯାଇଛି । କ୍ରିକେଟ ହେଉ କି ଫୁଟବଲ କିମ୍ବା ଅଲମ୍ପିକ୍ସ ମହାକୁମ୍ଭ, ଲକଡାଉନ ଯୋଗୁଁ ସବୁ ଠପ୍ ହୋଇଯାଇଛି । ଜୁଲାଇ ୨୪ ତାରିଖରୁ ଅଗଷ୍ଟ ୯ ତାରିଖ ପର୍ଯ୍ୟନ୍ତ ଜାପାନରେ ଅନୁଷ୍ଠିତ ହେବାକୁ ଥିବା 'ଦି ୨୦୨୦ ସମର୍ ଅଲମ୍ପିକ୍ସ'କୁ ମଧ୍ୟ ଆସନ୍ତା ବର୍ଷକୁ ଘୁଞ୍ଚାଇ ଦିଆଯାଇଛି ।

ଏହା ଦ୍ୱାରା କ୍ରୀଡ଼ାବିତମାନଙ୍କୁ ସେମାନଙ୍କ ବ୍ୟସ୍ତ ଜୀବନରୁ ଏକ ବ୍ରେକ୍‌ ମଧ୍ୟ ମିଳିଯାଇଛି । ଏହି ସମୟରେ ଅନେକ କ୍ରୀଡ଼ାବିତ ନିଜ ପରିବାର ସହ ସମୟ ଅତିବାହିତ କରୁଥିବା ଦେଖିବାକୁ ମିଳିଛି । ଅନେକ ତ ନିଜର କିଛି ନିୟମିତ ତଥା ପୁରୁଣା ହବି ପ୍ରତି ଆକର୍ଷିତ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ଅଛନ୍ତି ସୁଟିଙ୍ଗ୍ କ୍ଷେତ୍ରରେ ଓଡ଼ିଶାକୁ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ଗୌରାବନ୍ବିତ କରିଥିବା ସମ୍ବଲପୁରରେ ଜନ୍ମିତ ଓଡ଼ିଆ ଝିଅ ଶ୍ରୀୟଙ୍କା ଷଡଙ୍ଗୀ । ସମର୍‌ ଅଲମ୍ପିକ୍ସ ପାଇଁ ନିଜକୁ ପ୍ରସ୍ତୁତ କରୁଥିବା ଶ୍ରୀୟଙ୍କା କହିଛନ୍ତି ଲକଡାଉନ୍‌ ହେଉଛି ‘‘ନିଜକୁ ଶାରୀରିକ ଓ ମାନସିକ ସ୍ତରରେ ସୁଦୃଢ଼ କରିବାର ପ୍ରକୃଷ୍ଟ ସମୟ’’ ।

ଶ୍ରୀୟଙ୍କା ଷଡଙ୍ଗୀଙ୍କ ସହ ନ୍ୟୁଜ୧୮ ଓଡ଼ିଆ ଡିଜିଟାଲର ଏକ ସ୍ୱତନ୍ତ୍ର ସାକ୍ଷାତକାର:

ଲକଡାଉନରେ ଆପଣଙ୍କର ସମୟ କିଭଳି ଅତିବାହିତ ହେଉଛି?

ମୁଁ ଜଣେ ପ୍ରୋଫେସନାଲ ସୁଟର୍ ହିସାବରେ ସୁଟିଙ୍ଗ ପାଇଁ ଅଧିକାଂଶ ସମୟରେ ଭିନ୍ନ ଭିନ୍ନ ସ୍ଥାନକୁ ଗସ୍ତ କରିଥାଏ । ସେଥି ପାଇଁ ମୋତେ ନିଜ ପରିବାର ସହ ରହିବା ପାଇଁ ସମୟ ମିଳି ନ ଥାଏ । ତେଣୁ ବହୁତ ଦିନ ପରେ ମା-ବାପାଙ୍କ ସହ ଏକାଠି ରହିବାକୁ ସୁଯୋଗ ମିଳିଛି । ଆଉ ଏବେ ମୁଁ ଭୁବନେଶ୍ଵରରେ ବଡବାପାଙ୍କ ଘରେ ଅଛି । ନିଜ ଘର ଲୋକଙ୍କ ସହ ସମୟ କଟୁଛି ଓ ବିଶେଷ ଭାବେ ଘର ରନ୍ଧା ଖାଦ୍ୟ ମଧ୍ୟ ଖାଇବାକୁ ମିଳୁଛି ।

ଲକଡାଉନ ସମୟରେ ଶାରୀରିକ ଫିଟନେସ ଓ ଯୋଗାଭ୍ୟାସ ଉପରେ ଧ୍ୟାନ ଦେଉଛନ୍ତି ଶ୍ରୀୟଙ୍କା ।


ଲକଡାଉନ ହେବା ଦ୍ଵାରା ଆପଣଙ୍କର କେଉଁ ଟୁର୍ଣ୍ଣାମେଣ୍ଟ ହୋଇ ନ ପାରି ସ୍ଥଗିତ ରହିଛି?

ପ୍ରଥମେ ତ ଏପ୍ରିଲ ପହିଲାରୁ ହିଁ ସୁଟିଂର ନ୍ୟାସନାଲ କ୍ୟାମ୍ପ ଥିଲା, ଆଉ ତା'ପରେ ବିଶ୍ଵ କପ ପାଇଁ ତୃତୀୟ ଓ ଚତୁର୍ଥ ସିଲେକ୍ସନ ଟ୍ରାଏଲ୍‌ ବି ହେବାର ଥିଲା । ତା’ ପରେ ମଇ ମାସରେ ଜର୍ମାନୀରେ ‘ହାନୋଭର୍ ଅନ୍ତର୍ଜାତୀୟ ସୁଟିଙ୍ଗ୍ ପ୍ରତିଯୋଗିତା’ ଓ ଚେକ୍ ରିପବ୍ଲିକର ପିଲସେନରେ ‘ଗ୍ରାଣ୍ଡ ପ୍ରିକ୍ସ ଅଫ୍ ଲିବରସନ ପ୍ରତିଯୋଗିତା’ ରହିଛି । କିନ୍ତୁ ବିଭିନ୍ନ ଦେଶରେ କୋଭିଡ-୧୯ ଜନିତ ସଂକ୍ରମଣ ବ୍ୟାପୁଥିବାରୁ ଏହି ସବୁ ପ୍ରତିଯୋଗିତାଗୁଡିକୁ ସ୍ଥିତି ସ୍ଵାଭାବିକ ହେବା ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି ।

ତେବେ ଏହି ସମୟରେ ପ୍ରାକ୍ଟିସ କେମିତି କରୁଛନ୍ତି?

ମୁଁ ବର୍ତ୍ତମାନ ଭୁବନେଶ୍ଵରରେ ଅଛି ବଡବାପାଙ୍କ ଘରେ । କିଛି ନିଜସ୍ଵ କାର୍ଯ୍ୟ ପାଇଁ ମାର୍ଚ୍ଚ ୧୯ ତାରିଖରେ ନୂଆ ଦିଲ୍ଲୀରୁ ଭୁବନେଶ୍ଵର ଆସିଥିଲି । ହେଲେ ସେ ସମୟରେ ଲକଡାଉନ ବାବଦରେ ଅବଗତ ନ ଥିଲି। ତେଣୁ ମୋ’ ରାଇଫଲ୍ ଓ ପ୍ରାକ୍ଟିସ୍ କିଟ୍ ଆଦି ଦିଲ୍ଲୀରେ ହିଁ ରହିଯାଇଛି । ସେଥିପାଇଁ ଏବେ ସୁଟିଙ୍ଗ୍ ଅଭ୍ୟାସ କରିପାରୁନାହିଁ । କିନ୍ତୁ ନିୟମିତ କ୍ରୀଡ଼ା ଜୀବନରୁ ଟିକେ ବିରତି ମିଳିଥିବାରୁ ଏହି ସମୟରେ ନିଜ ଶରୀରର  ଯତ୍ନ ନେଉଛି । ଶାରୀରିକ ଫିଟନେସ ଓ ଯୋଗାଭ୍ୟାସ ଉପରେ ଧ୍ୟାନ ଦେଉଛି ।

ବର୍ତ୍ତମାନ ଆପଣ ଅଭ୍ୟାସ କରିପାରୁନାହାନ୍ତି । ଏହା ଆପଣଙ୍କ ଦକ୍ଷତା ଉପରେ ପ୍ରଭାବ ପକାଇବ କି?

ପ୍ରଶିକ୍ଷଣ ତ ନିହାତି ଆବଶ୍ୟକ, କିନ୍ତୁ ସ୍ଵାସ୍ଥ୍ୟ ହିଁ ସମ୍ପଦ । ପରିସ୍ଥିତ ଅନୁଯାୟୀ ଜୀବନକୁ ସୁରକ୍ଷିତ ରଖିବା ପ୍ରଥମତଃ ଅଧିକ ଜରୁରୀ । ତେବେ ଯେଉଁ ଦେଢ଼ ମାସ କ୍ଷତି ହୋଇଛି, ତାହା ଦିଲ୍ଲୀ ଗଲା ପରେ ପ୍ରଶିକ୍ଷଣ କେନ୍ଦ୍ରକୁ ଯାଇ ୧୦ରୁ ୧୫ ଦିନ ମଧ୍ୟରେ କଭରଅପ୍ ହୋଇଯିବ । ମୁଁ ସୁଟିଙ୍ଗ୍ ଅଭ୍ୟାସ କରିପାରୁନାହିଁ, ଏହା ମୋ ପାଇଁ ନିଶ୍ଚିତ ଭାବେ ଏକ ବଡ଼ କ୍ଷତି । କିନ୍ତୁ ବର୍ତ୍ତମାନ ମୁଁ କରୁଥିବା ଶାରୀରିକ ବ୍ୟାୟାମ, ମାନସିକ ଦକ୍ଷତା ବୃଦ୍ଧିର ପ୍ରଶିକ୍ଷଣ ଏବଂ ଯୋଗାଭ୍ୟାସ ନିଶ୍ଚୟ ମୋତେ ଶାରୀରିକ ଓ ମାନସିକ କ୍ଷେତ୍ରରେ ବଳ ଯୋଗାଇବ । ଲକଡାଉନ୍ କରୋନା ଭାଇରସ ସଂକ୍ରମଣକୁ ରୋକିବା ପାଇଁ କରାଯାଇଛି । ଏହାକୁ ପାଳନ କରିବା ସମସ୍ତଙ୍କ ପାଇଁ ହିତକର ।

ନିଜ ବଡ଼ମା’ଙ୍କ ଠାରୁ ଶିଖି ଏମ୍ବ୍ରୋଡରୀ ବନେଇଛନ୍ତି ଶ୍ରୀୟଙ୍କା ।


ଲକଡାଉନ ପରେ ଆପଣ ନିଜ ଫର୍ମ ଫେରି ପାଇବା ପାଇଁ କଣ ଯୋଜନା ରଖିଛନ୍ତି ?

ମୁଁ  ଦିଲ୍ଲୀ ଫେରିବା ପରେ ମୋ କୋଚଙ୍କ ସହ ଆଲୋଚନା କରିବି ଓ ତାଙ୍କ ପରାମର୍ଶ ଅନୁଯାୟୀ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ପ୍ରସ୍ତୁତ କରିବି । ୧୦ ରୁ ୧୫ ଦିନ ପ୍ରାକ୍ଟିସ୍ କଲେ ଫର୍ମକୁ ଫେରିଯିବି ବୋଲି ବିଶ୍ୱାସ ରହିଛି । କାରଣ କୌଣସି କାରଣବଶତଃ ଖେଳରେ କ୍ଷତ ହେଲେ ଶାରୀରିକ ପ୍ରଶିକ୍ଷଣ ନ ହୋଇ ମାନସିକ ପ୍ରଶିକ୍ଷଣ ହୋଇଥାଏ ।

ଲକଡାଉନରେ ନିଜର କେଉଁ ହବିରେ ଆପଣ ମାତିଛନ୍ତି ?

ପ୍ରଥମେ ମୁଁ ଭାବୁଥିଲି ଏହି ସମୟ କେମିତି ଯିବ, କିନ୍ତୁ ବର୍ତ୍ତମାନ ମୁଁ ଜମା ବୋର୍‌ ହେଉ ନାହିଁ । ପ୍ରତି ଦିନ କିଛି ନୂଆ କରିବା ପାଇଁ ଚେଷ୍ଟା କରୁଛି । ତେବେ ଏହି ଲକଡାଉନରୁ ଗୋଟିଏ ଶିକ୍ଷା ପାଇଲି, ‘Keep your time good’। ସେଥି ପାଇଁ ଜୀବନରେ ରୁଟିନ୍ ରହିବା ନିହାତି ଜରୁରୀ । ଦ୍ଵିତୀୟରେ, ମୁଁ ଘରେ ରହି ଓଡ଼ିଆ ଖାଦ୍ୟ ମଧ୍ୟ ରୋଷେଇ ଶିଖୁଛି, ଏହା ସହ ବଡ଼ମା’ଙ୍କ ଠାରୁ ଏମ୍ବ୍ରୋଡୋରୀ ଶିଖିବା, ବହି ପଢ଼ିବା, ଗୀତ ଗାଇବା ଓ ବିଭିନ୍ନ ଯୁନିଭର୍ସିଟି ଦ୍ୱାରା ଦିଆଯାଉଥିବା ଅନଲାଇନ୍ କୋର୍ସରୁ ପାଠ ପଢୁଛି । ଆଉ ସବୁ ଠାରୁ ବଡ଼ କଥା ହେଲା ଯେ ମୋ’ର ଠିକ ସମୟରେ ଉଠିବା ଓ ଖାଇବା ହେଉଛି ।

ଲକଡାଉନକୁ ନେଇ ଆପଣଙ୍କ ମତ କ' ଏହାର କେତେ ଆବଶ୍ୟକତା ରହିଛି ବୋଲି ଆପଣ ଭାବୁଛନ୍ତି ?

ଭାରତ ବିଶ୍ଵର ଦ୍ଵିତୀୟ ବିଶାଳ ଜନସଂଖ୍ୟା ବିଶିଷ୍ଟ ଦେଶ । ଏଠି ଲାକଡାଉନର ନିହାତି ଆବଶ୍ୟକତା ରହିଛି । କୋରୋନା ଭାଇରସର ସଂକ୍ରମଣକୁ ଯେମିତି ଆମ ଦେଶରେ  ନିୟନ୍ତ୍ରଣ କରାଯାଇଛି ତାହା କେବଳ ଲକଡାଉନ ଦ୍ବାରା ହିଁ ସମ୍ଭବ ହୋଇଛି । ବର୍ତ୍ତମାନ ପରିସ୍ଥିତିରେ ଯଦି ଲକଡାଉନ୍ ଉଠି ଯାଇଥାନ୍ତା, ତେବେ ଏତେ ଦିନର ପରିଶ୍ରମରେ ପାଣି ପଡ଼ିଯାଇଥାନ୍ତା । ଲକଡାଉନ୍ ଦ୍ୱାରା ସ୍ଵତନ୍ତ୍ର ଭାବେ ଆର୍ଥିକ ସ୍ତରରେ ଅନେକ ଲୋକ ପ୍ରଭାବିତ ହେଉଛନ୍ତି, ତଥାପି ଏହି ପଦକ୍ଷେପ ନିହାତି ଜରୁରୀ । ଏହାଦ୍ଵାରା ସଂକ୍ରମଣ ନିୟନ୍ତ୍ରିତ ହେବ । ଯେଉଁ କାରଣ ପାଇଁ ଲକଡ଼ାଉନ କରାଯାଇଛି ତାହା ସଫଳ ହେଉ ।
First published: April 16, 2020, 5:33 PM IST
corona virus btn
corona virus btn
Loading