News18 Odia Digital
ଭୁବନେଶ୍ୱର: ଓଡ଼ିଶାର ଦ୍ବିତୀୟ କରୋନା ଭାଇରସ୍ ପଜିଟିଭ୍ ବ୍ୟକ୍ତି ସମ୍ପୂର୍ଣ୍ଣ ସୁସ୍ଥ ହୋଇ ଆଜି ନିଜ ଘରକୁ ଫେରିଛନ୍ତି । ସେ ଭୁବନେଶ୍ୱରର ଏମ୍ସରେ ଚିକିତ୍ସିତ ହେଉଥିଲେ । ଆଜି ତାଙ୍କୁ ଆଉ ଥରେ ପରୀକ୍ଷା କରି ସମ୍ପୂର୍ଣ୍ଣ ସୁସ୍ଥ ବୋଲି ଜାଣିବା ପରେ ହସପିଟାଲରୁ ଡିସଚାର୍ଜ କରାଯାଇଛି ବୋଲି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ କହିଛି ।
ଏହି ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କ ଘର ଭୁବନେଶ୍ୱର ଓ ତାଙ୍କ ବୟସ ୧୯ ବର୍ଷ । ସେ ଇଂଲଣ୍ଡରୁ ଫେରିବା ପରେ ମାର୍ଚ୍ଚ ୧୯ ତାରିଖ ଦିନ କରୋନା ପଜିଟିଭ୍ ଥିବା ପରୀକ୍ଷଣରୁ ଜଣା ପଡ଼ିଥିଲା । ଆଜି ପର୍ଯ୍ୟନ୍ତ ଓଡ଼ିଶାରେ ଜଣ କରୋନା ପଜିଟିଭ୍ ବ୍ୟକ୍ତି ଥିଲେ । ଏବେ ତିନି ଜଣ ରହିଲେ । ଏହି ତିନି ଜଣ ଚିକିତସାଧୀନ ଅଛନ୍ତି ।
ଭଦ୍ରକ ବାସିନ୍ଦା ଚତୁର୍ଥ କରୋନା ପଜିଟିଭ୍ ବ୍ୟକ୍ତିଙ୍କ ସଂସ୍ପର୍ଶରେ ୭ ଜଣ ଆସିଥିବା ବେଳେ ତୃତୀୟ ପଜିଟିଭ୍ ବ୍ୟକ୍ତିଙ୍କ ସମ୍ପର୍କରେ ୧୧୨ ଜଣ ଲୋକ ଆସିଛନ୍ତି ବୋଲି ଜଣାଇଛନ୍ତି ରାଜ୍ୟ ସରକାର । ଆଜି (ଏପ୍ରିଲ୍ ୧) ପର୍ଯ୍ୟନ୍ତ ରାଜ୍ୟରେ ମୋଟ ୬୧୦ଟି ନମୁନା ପରୀକ୍ଷା ହୋଇଛି ଓ ସେଥିରୁ ୪ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି ।
ବର୍ତ୍ତମାନ ସୁଦ୍ଧା ଓଡ଼ିଶାର ବିଭିନ୍ନ ହସ୍ପିଟାଲରେ ୮୮ ଜଣ ସନ୍ଦିଗ୍ଧ କ୍ବାରେଣ୍ଟାଇନରେ ଅଛନ୍ତି ଓ ଅନ୍ଲାଇନ୍ରେ ୧୫,୦୪୫ ଜଣ ଲୋକ ପଞ୍ଜୀକରଣ କରିଛନ୍ତି ବୋଲି କହିଛନ୍ତି ସରକାରଙ୍କ କରୋନା ଭାଇରସକୁ ପ୍ରତିହତ କରିବା ପାଇଁ ଗଠିତ ସମିତିର ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗ୍ଚୀ । ସେ କରୋନା ବ୍ୟାପିବା ସମ୍ପର୍କରେ ସତର୍କ କରାଇଛନ୍ତି ।
‘‘କାହାକୁ, କେଉଁଠି, କେତେବେଳେ ବି ସଂକ୍ରମଣ କରିପାରେ କରୋନା ଭାଇରସ୍ । ସଂକ୍ରମିତ ରୋଗୀଙ୍କୁ ଭଲ ବ୍ୟବହାର କରିବା ଉଚିତ । କରୋନା ଭାଇରସ୍ ସମ୍ପର୍କରେ ଗୁଜବ ସୃଷ୍ଟି କରୁଥିବା ବ୍ୟକ୍ତି ସମାଜ ଓ ଦେଶ ବିରୁଦ୍ଧରେ କାର୍ଯ୍ୟ କରୁଛନ୍ତି ବୋଲି ବୁଝାଯାଉଛି । ଗୁଜବକାରୀଙ୍କ ବିରୋଧରେ ଅତି କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ,’’ ଚେତାବନୀ ଦେଇ କହିଛନ୍ତି ସୁବ୍ରତ ବାଗଚୀ ।
ରାଜ୍ୟରେ କରୋନା ମୁକାବିଲା ପାଇଁ ରାଜ୍ୟ ସରକାର ଗଠନ କରିଛନ୍ତି ସଲାମ କମିଟି । ଜଳ ସମ୍ପଦ ବିଭାଗର ସଚିବ ସୁରେନ୍ଦ୍ର କୁମାର ଏହି କମିଟିର ମୁଖ୍ୟ ରହିଥିବା ବେଳେ କମିଟିରେ ନଗର ଉନ୍ନୟନ, ପରିବହନ ଓ ବାଣିଜ୍ୟ କର ବିଭାଗମାନଙ୍କର କମିଶନର ଓ ପୋଲିସ ଡିଜିଙ୍କ ସମେତ ଛଅ ଜଣ ଅଧିକାରୀ ରହିଛନ୍ତି । କରୋନା ମୁକାବିଲା ନେଇ ସମସ୍ତ ପ୍ରକାର ସ୍ଥିତି ଉପରେ ଏହି ସମିତି ନଜର ରଖିବ ବୋଲି କହିଛନ୍ତି ସୁରେନ୍ଦ୍ର କୁମାର ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।