କୋରୋନା ଭାଇରସର ମୁକାବିଲା ପାଇଁ କଟକ ବଡ଼ ମେଡିକାଲ୍ ପ୍ରସ୍ତୁତ; ଖୋଲା ଗଲା ସ୍ବତନ୍ତ୍ର ୱାର୍ଡ଼, ରହିଲେ ଡାକ୍ତର

ଆଇସୋଲେସନ ୱାର୍ଡରେ ଚ଼ାରିଟି ବେଡ୍ ଓ ଆଠଟି ICU ବେଡର ବ୍ୟବସ୍ଥା କରାଯାଇଛି । ପ୍ରାଥମିକ ପର୍ଯ୍ୟାୟରେ ପଲମନାରୀ ଓ ମେଡିସିନ ବିଭାଗର ଡାକ୍ତରଙ୍କ ସହ ୬ ଜଣ ପାରାମେଡିକାଲ ଷ୍ଟାଫଙ୍କୁ ୨୪ ଘଣ୍ଟିଆ ଡ୍ୟୁଟିରେ ଲଗାଯାଇଛି ।

କୋରୋନା ଭାଇରସର ମୁକାବିଲା ପାଇଁ କଟକ ବଡ଼ ମେଡିକାଲ୍ ପ୍ରସ୍ତୁତ; ଖୋଲା ଗଲା ସ୍ବତନ୍ତ୍ର ୱାର୍ଡ଼, ରହିଲେ ଡାକ୍ତର
ଏସସିବି ମେଡିକାଲ କଲେଜ ଓ ହସ୍ପିଟାଲରେ କୋରୋନା ୱାର୍ଡ଼ର ଦୃଶ୍ୟ
  • News18 Odia
  • Last Updated: January 27, 2020, 7:48 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

କଟକ: ସାରା ବିଶ୍ବରେ ଏବେ କୋରୋନା ଭାଇରସର ଆତଙ୍କ ସୃଷ୍ଟି ହୋଇଥିବା ବେଳେ ଭାରତରେ ମଧ୍ୟ ଏହାର ମୁକାବିଲା ଲାଗି ମଧ୍ୟ ବିଭିନ୍ନ ସ୍ତରରେ ପ୍ରସ୍ତୁତି ଆରମ୍ଭ ହୋଇଗଲାଣି । ତେବେ ଏହି ମାରାତ୍ମକ ଭାଇରସର ମୁକାବିଲା ପାଇଁ ଓଡ଼ିଶାର ସର୍ବବୃହତ ହସ୍ପିଟାଲ କଟକ ଏସସିବି ମେଡିକାଲରେ ଖୋଲା ଯାଇଛି ସ୍ବତନ୍ତ୍ର ଏକ “କୋରୋନା ୱାର୍ଡ” ।

ଏସସିବିର ଚ଼କ୍ଷୁ ବିଭାଗର ଚତୁର୍ଥ ମହଲାରେ ଦୁଇଟି ୱାର୍ଡକୁ “କୋରୋନା ୱାର୍ଡ ଭାବେ ପ୍ରସ୍ତୁତ କରାଯାଇଛି । ସେଥି ମଧ୍ୟରୁ ଗୋଟିଏ ୱାର୍ଡକୁ ସନ୍ଦିଗ୍ଧ ରୋଗୀଙ୍କ ପାଇଁ ଓ ଅନ୍ୟଟିକୁ ଆଇସୋଲେସନ୍ ୱାର୍ଡ ବା କୋରୋନାରେ ଆକ୍ରାନ୍ତ ରୋଗୀଙ୍କ ପାଇଁ ପ୍ରସ୍ତୁତ କରାଯାଇଛି । ପ୍ରଥମେ ଯେଉଁ ସନ୍ଦିଗ୍ଧମାନେ ଆସିବେ ସେମାନଙ୍କୁ ସନ୍ଦିଗ୍ଧ ୱାର୍ଡରେ ଭର୍ତ୍ତି କରାଯିବ। ଯଦି ସେମାନଙ୍କ ରକ୍ତ ନମୁନା ପରୀକ୍ଷାରୁ କୋରୋନା ଭୂତାଣୁ ଚି଼ହ୍ନଟ ହେବ ସେମାନଙ୍କୁ ଆଇସୋଲେସନ ୱାର୍ଡ଼ରେ ଭର୍ତ୍ତି କରାଯିବ ।

‘‘ଆଇସୋଲେସନ ୱାର୍ଡରେ ଚ଼ାରିଟି ବେଡ୍‌ ଓ ଆଠଟି ICU ବେଡର ବ୍ୟବସ୍ଥା କରାଯାଇଛି । ଏହା ସହ ପଲମନାରୀ, ମେଡିସିନ ଓ ଆନାସ୍ଥେସିଆ ବିଭାଗର ଡାକ୍ତରଙ୍କୁ ଏହି ୱାର୍ଡରେ ନିୟୋଜିତ କରାଯିବ । ପ୍ରାଥମିକ ପର୍ଯ୍ୟାୟରେ ପଲମନାରୀ ଓ ମେଡିସିନ ବିଭାଗର ଡାକ୍ତରଙ୍କ ସହ ୬ ଜଣ ପାରାମେଡିକାଲ ଷ୍ଟାଫଙ୍କୁ ୨୪ ଘଣ୍ଟିଆ ଡ୍ୟୁଟିରେ ଲଗାଯାଇଛି । ରୋଗୀ ଆସିଲେ ଆନାସ୍ଥେସିଆ ବିଭାଗର ଡାକ୍ତରଙ୍କ ସହ ଅଧିକ ପାରାମେଡିକାଲ ଷ୍ଟାଫଙ୍କୁ ମଧ୍ୟ ନିୟୋଜିତ କରାଯିବ,” କହିଛନ୍ତି ଏସସିବିର ଜରୁରିକାଳୀନ ବିଭାଗର ଅଧିକାରୀ ଡାକ୍ତର ଭୁବନାନନ୍ଦ ମହାରଣା ।

ଏହି ଭାଇରସର ଚିକିତ୍ସା ପାଇଁ ଔଷଧ ନ ଥିବାରୁ ସ୍ବଚ୍ଛତା ଅବଲମ୍ବନ କରିବା, ନିତିଦିନ ରସୁଣ ଖାଇବା, ବହୁତ ମାତ୍ରାରେ ପାଣି ପିଇବା ଓ ଜନଗହଳି ପୂର୍ଣ୍ଣ ଜାଗାରୁ ଦୁରେଇ ରହିବା ପାଇଁ ପରାମର୍ଶ ଦେଇଛନ୍ତି ଡାକ୍ତର ।

ଏହି ଭାଇରସ ସାଧାରଣତଃ ଥଣ୍ଡା ସର୍ଦ୍ଦି କରିଥାଏ । ଯେଉଁମାନେ ଦୁର୍ବଳ ଥିବେ, କିମ୍ବା ଶରୀରରେ ରକ୍ତ କମ ଥିବ, ମଧୁମେୟ ରୋଗରେ ପିଡିତ ବ୍ୟକ୍ତି, ଷ୍ଟିରଏର୍ଡ ଓଷଧ ଖାଉଥିବା, ଏଚଆଭି ଥିବା ଓ ଆଣ୍ଟି-କ୍ୟାନ୍ସର ଡ୍ରଗ୍ସ ଖାଉଥିବା ବ୍ୟକ୍ତିଙ୍କୁ ଏହା ସହଜରେ ନିଜ ଶିକାର ବନାଇଥାଏ । ସେହି ଭାଇରସର ଶିକାର ହେଲେ ରୋଗୀ “ସାର୍ସ” ବା “ସିଭିୟର ରେସପିରେଟ୍ରି ଇନଫେକ୍ସର ସିଣ୍ଡ୍ରୋମ୍”ରେ ଆକ୍ରାନ୍ତ ହୋଇଥାନ୍ତି ।

ପରେ ଏହା ନିମୋନିଆ, ବ୍ରୋଙ୍କୋ ନିମେନିଆ ଓ ବ୍ରୋକାଇଷ୍ଟ ଇତ୍ୟାଦି ରୋଗ ସୃଷ୍ଟି କରିଥାଏ । ଏହି ଭାଇସର ରୋଗୀକୁ ନିମୋନିଆରେ ଆକ୍ରାନ୍ତ କରିବା ପରେ ଅତି କମ ସମୟରେ ଫୁସପୁସକୁ ନଷ୍ଟ କରିଦିଏ । ଫଳରେ ସେହି ରେଗୀଙ୍କୁ ମାତ୍ର ଅଳ୍ପ ସମୟ ପର୍ଯ୍ୟନ୍ତ ଭେଣ୍ଟିଲେଟରେ ବଞ୍ଚାଇ ହେବ ଏବଂ ତା’ ପରେ ରୋଗୀ ମୃତ୍ୟୁ ମୁଖରେ ପଡିଥାନ୍ତି । କୋରୋନା ଭାଇରସ ଆକ୍ରମଣର ଶିକାର ହେଲେ ଗୋଟିଏରୁ ଦୁଇ ସପ୍ତାହ ପର୍ଯ୍ୟନ୍ତ ଥଣ୍ଡା ଲାଗି ରହିବ । ଆଖି ଓ ମୁଣ୍ଡରେ ଯନ୍ତ୍ରଣା ଅଧିକ ରହିବ ବୋଲି ମତ ଦେଇଛନ୍ତି ବିଶେଷଜ୍ଞ ।

“ଓଡିଶାରେ ଏହି ରୋଗର ଏ ପର୍ଯ୍ୟନ୍ତ ଚିହ୍ନ ମିଳି ନାହିଁ । ତେଣୁ ରାଜ୍ୟବାସୀଙ୍କୁ ଆତଙ୍କିତ ହେବାର ଆବଶ୍ୟକତା ନାହିଁ । କିନ୍ତୁ ଯଦି କୌଣସି ବ୍ୟକ୍ତିଙ୍କ ଶରୀରରେ ଏହା ଓଡିଶାକୁ ପ୍ରବେଶ କରେ ତେବେ ଯାଇ ବ୍ୟାପିବାର ଆଶଙ୍କା ରହିଛି । ବିଶେଷ କରି ଥଣ୍ଡା ସର୍ଦ୍ଦି ଥିବା ବ୍ୟକ୍ତିଙ୍କ ପାଖକୁ ନ ଯିବା ଏବଂ ଅଧିକ ଜନଗହଳିପୂର୍ଣ୍ଣ ସ୍ଥାନରୁ ଦୂରେଇ ରହିବା ଆବଶ୍ୟକ,” କହିଛନ୍ତି ଏସସିବି ମେଡିକାଲର ପୂର୍ବତନ ଅଧୀକ୍ଷକ ତଥା ବିଶିଷ୍ଟ ଭେଷଜ ଚିକିତ୍ସକ ପ୍ରଫେସର ଡାକ୍ତର ଧୀରେନ୍ଦ୍ରନାଥ ମହାରଣା ।
First published: January 27, 2020, 7:48 PM IST
corona virus btn
corona virus btn
Loading