ଓଡ଼ିଶାରେ ପ୍ରଥମ କରୋନା ମୃତ୍ୟୁ ହେଲା; କେନ୍ଦ୍ରାପଡ଼ା ଓ ଭୁବନେଶ୍ୱରରେ ନୂଆ ପଜିଟିଭ ମିଳିଲେ

ମୃତ ବ୍ୟକ୍ତି ଭୁବନେଶ୍ୱରର ଝାରପଡ଼ା ଅଞ୍ଚଳର ବାସିନ୍ଦା ଥିଲେ ଓ ତାଙ୍କ ବୟସ ୭୨ ଥିଲା । ସେ ଏମ୍ସରେ ଏପ୍ରିଲ ୪ରେ ଭର୍ତ୍ତି ହୋଇଥିଲେ । ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ୪୧ ହେଲାଣି ।

ଓଡ଼ିଶାରେ ପ୍ରଥମ କରୋନା ମୃତ୍ୟୁ ହେଲା; କେନ୍ଦ୍ରାପଡ଼ା ଓ ଭୁବନେଶ୍ୱରରେ ନୂଆ ପଜିଟିଭ ମିଳିଲେ
(ପ୍ରତୀକାତ୍ମକ ଛବି)
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ଏମ୍‌ସ୍ ଭୁବନେଶ୍ୱରରେ ଚିକିତ୍ସିତ ହେଉଥିବା ଜଣେ ବ୍ୟକ୍ତିଙ୍କର ଗତ କାଲି ମୃତ୍ୟୁ ହେବା ପରେ ଆଜି ପରୀକ୍ଷାରୁ ଜଣା ପଡ଼ିଛି ଯେ ସେ କରୋନା ଭାଇରସରେ ସଂକ୍ରମିତ ଥିଲେ । ଏହାକୁ ଓଡ଼ିଶାର ପ୍ରଥମ କରୋନା ଭାଇରସ୍‌ ଜନିତ ମୃତ୍ୟୁ ବୋଲି କୁହାଯାଉଛି ।

ମୃତ ବ୍ୟକ୍ତି ଭୁବନେଶ୍ୱରର ଝାରପଡ଼ା ଅଞ୍ଚଳର ବାସିନ୍ଦା ଥିଲେ ଓ ତାଙ୍କ ବୟସ ୭୨ ଥିଲା । ସେ ଶ୍ବାସକ୍ରିୟାଜନିତ ସମସ୍ୟାର ସାମନା କରିବା ପରେ ଏପ୍ରିଲ ୪ ତାରିଖରେ ଏମ୍ସରେ ଭର୍ତ୍ତି ହୋଇଥିଲେ । ତାଙ୍କର ହାଇପର ଟେନ୍‌ସନ୍‌ ଓ ଉଚ୍ଚ ରକ୍ତ ଚାପ ସମସ୍ୟା ବି ଥିଲା ।

ତାଙ୍କର ଶ୍ବାସକ୍ରିୟା ସମସ୍ୟା ଥିବା ଯୋଗୁଁ ଜଣେ ସନ୍ଦିଗ୍ଧ ଭାବେ ଗତ କାଲି ତାଙ୍କର ସ୍ବାବ ପରୀକ୍ଷା ପାଇଁ ପଠାଯାଇଥିଲା । ମାତ୍ର ରିପୋର୍ଟ ଆସିବା ପୂର୍ବରୁ ତାଙ୍କର ମୃତ୍ୟୁ ହୋଇଯାଇଥିଲା ବୋଲି ଅଧିକାରୀମାନେ କହିଛନ୍ତି ।

ଏହି ବ୍ୟକ୍ତି ଜଣକ କାହା କାହା ସଂସ୍ପର୍ଶରେ ଆସିଛନ୍ତି ତାହା ଜାଣିବା ପାଇଁ ସ୍ୱାସ୍ଥ୍ୟ ବିଭାଗ ପ୍ରୟାସ ଜାରି ରଖିଛି । ରୋଗୀଙ୍କ ମୃତ୍ୟୁ ହୋଇସାରିଥିବାରୁ ତାଙ୍କ ପରିବାର ଲୋକଙ୍କ ପଚାରିବା ପରେ ସେ କେମିତି ଆକ୍ରାନ୍ତ ହେଲେ ଓ କାହା କାହା ସଂସ୍ପର୍ଶରେ ଆସିଛନ୍ତି ତାହା ଜଣାପଡ଼ିବ । ଏହା ସହ ତାଙ୍କର ଚିକିତ୍ସା କରୁଥିବା ଡାକ୍ତର ଓ ନର୍ସ ଆଦିଙ୍କୁ ମଧ୍ୟ ପଚାରି ବୁଝିବ ସ୍ବାସ୍ଥ୍ୟ ବିଭାଗ ।

ଏହା ପୂର୍ବରୁ ଆଜି ମଧ୍ୟାନ୍ନରେ ଭୁବନେଶ୍ବରରେ ଆଉ ଜଣେ ବ୍ୟକ୍ତି କରୋନା ପଜିଟିଭ୍‌ ଭାବେ ଚିହ୍ନଟ ହୋଇଥିଲେ । ସେ ଭୁବନେଶ୍ବର ୟୁନିଟ୍‌-୪ ମଧୁସୂଦନ ନଗର ଅଞ୍ଚଳର ବାସିନ୍ଦା ଓ ତାଙ୍କୁ ବୟସ ୪୫ ବର୍ଷ । ଗତ କାଲି ରାତିରେ କେନ୍ଦ୍ରାପଡ଼ାରେ ଦୁବାଇ ଫେରନ୍ତା ଜଣେ ୩୨ ବର୍ଷୀୟ ଯୁବକ କରୋନା ଭାଇରସରେ ଆକ୍ରାନ୍ତ ଭାବେ ଚିହ୍ନଟ ହୋଇଥିଲେ ।

ଆଜିର ଦୁଇଟି କେସ୍‌ ମିଶାଇ ରାଜ୍ୟରେ କୋରୋନା ପଜିଟିଭ୍‌ ସଂଖ୍ୟା ୪୨କୁ ବୃଦ୍ଧି ପାଇଛି । ଏଥିରୁ କେବଳ ଭୁବନେଶ୍ବରରେ ଆକ୍ରାନ୍ତଙ୍କ ସଂଖ୍ୟା ୩୫କୁ ବୃଦ୍ଧି ପାଇଛି । ରାଜ୍ୟରେ ୪୨ ସଂକ୍ରମିତଙ୍କ ମଧ୍ୟରୁ ବର୍ତ୍ତମାନ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ  ୨ ଜଣ ରୋଗୀ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ବର୍ତ୍ତମାନ ବିଭିନ୍ନ ଡାକ୍ତରଖାନାରେ ୩୯ ଜଣ ଚିକିତ୍ସିତ ହେଉଛନ୍ତି ।

ଗତ କାଲି ରାତି ୧୧ଟା ସୁଦ୍ଧା ୩୦୨ଟି ନମୁନା ପରୀକ୍ଷା କରାଯାଇଥିଲା । ଏଥିରୁ କେନ୍ଦ୍ରାପଡ଼ାର ଯୁବକଙ୍କ ନମୁନା ପଜିଟିଭ୍ ଆସିଥିଲା । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୨,୧୯୦ଟି ନମୁନା ପରୀକ୍ଷା କରାଗଲାଣି । ତେବେ ଭୁବନେଶ୍ୱରରେ ଆଜି ହୋଇଥିବା ମୃତ୍ୟୁ ପରେ ଲୋକଙ୍କ ମଧ୍ୟରେ ବଢ଼ିଛି ଚିନ୍ତା ।
First published: April 7, 2020, 2:18 PM IST
corona virus btn
corona virus btn
Loading