News18 Odia Digital
ଭୁବନେଶ୍ୱର: କରୋନା ଭାଇରସ୍ ସଂକ୍ରମଣ ରୋକିବାକୁ ଲକଡାଉନର ଅନୁପାଳନ କରିବା ପାଇଁ ଲୋକଙ୍କୁ ବାଧ୍ୟ କରିବାକୁ କଠୋର ହୋଇଛି ରାଜ୍ୟ ପୋଲିସ । ଆଉ ଅମାନିଆଙ୍କ ନିସ୍ତାର ନାହିଁ । ନିୟମ ଖିଲାପକଲେ ଏଣିକି ପଡ଼ୁଛି ନିର୍ଘାତ ମାଡ଼ । କଟକରେ ବଜାର ହାଟରେ ସାମଜିକ ଦୂରତ୍ବକୁ ଅଣଦେଖା କରିଥିବା ଗ୍ରାହକ ସହ ବ୍ୟବସାୟୀଙ୍କୁ ଆଜି ନିର୍ଧୁମ୍ ପିଟିଛି ପୋଲିସ । ଢେଙ୍କାନାଳରେ ଗାଡ଼ି ଧରି ଟେନ୍ସନ ବଢ଼ାଉଥିବା ଟହଲିଆଙ୍କୁ ବି ଦିଆଯାଇଛି ଉତ୍ତମ ମଧ୍ୟମ । ବାଲେଶ୍ବରରେ ଜୋରଦାର ଚେକିଂ ଓ ବ୍ଲକିଂ ସହ ବାଇକ୍ ଓ କାର୍ ଚାଳକଙ୍କ ଠାରୁ ଆଦାୟ ହୋଇଛି ମୋଟା ଅଙ୍କର ଜରିମାନା ।
ଲକଡାଉନ୍ ସମୟରେ ନିୟମ ସବୁକୁ ଫୁ କରିଥିବା ଗ୍ରାହକଙ୍କ ସମେତ ଦୋକାନୀଙ୍କୁ ବି ପଡ଼ିଛି ମାଡ଼ । ପ୍ରଶାସନର ତାଗିଦ ସତ୍ତ୍ବେ ଆଜି ବୁଧବାର ଆମିଷ ବାର ହୋଇଥିବାରୁ କଟକ ମାଛ ମାର୍କେଟରେ ଦେଖିବାକୁ ମିଳିଥିଲା ପ୍ରବଳ ଭିଡ଼ । ଭିଡ଼ ଜମେଇଥିବା ଗ୍ରାହକ ଓ ଦୋକାନୀଙ୍କୁ ଏହାର ପରଣାମ ବି ଭୋଗିବାକୁ ପଡ଼ିଛି । ଖାନ୍ ନଗର ମାଛ ମାର୍କେଟରେ ନିୟମ ଉଲ୍ଲଙ୍ଘନକାରୀ ଲୋକ ଓ ଦୋକାନୀଙ୍କୁ ନିର୍ଧୁମ ପିଟିଛି ପୋଲିସ । ଦୁଇ ଦିନ ଧରି ବାହାରେ ଗାଡ଼ି ଧରି ବୁଲୁଥିବା ଲୋକଙ୍କ ଠାରୁ ଫାଇନ ଆଦାୟ ପରେ କଟକ ସହର ରାସ୍ତା ଘାଟରେ ଯାନବାହାନ ଚଳାଚଳ କମିଛି ।
ଢେଙ୍କାନାଳରେ ରାସ୍ତାଘାଟରେ ଭିଡ଼ କରୁଥିବା ବେପରୁଆ ବାଇକ ଚାଳକଙ୍କୁ ଦିଆଯାଇଛି ଉତ୍ତମ ମଧ୍ୟମ । ସହରର ପ୍ରମୁଖ ଛକରେ ବ୍ୟାରିକେଡ କରି ଦୁଇଚକିଆ ଗାଡ଼ିକୁ ତନ୍ନତନ୍ନ କରି ଯାଞ୍ଚ କରିବା ସହ ଜରୁରୀ କାମ ବିନା ବାଇକ ଧରି ବୁଲୁଥିବା ଲୋକଙ୍କୁ ପାନେ ଦେଇଛି ପୋଲିସ । କେଉଁଠି ମାଡ଼ ପଡ଼ିଥିବା ବେଳେ ଶତାଧିକ ଲୋକଙ୍କ ତଣ୍ଡ ଗଣିବାକୁ ପଡ଼ିଛି । ଭିଡ଼ ନିୟନ୍ତ୍ରଣ ପାଇଁ ହାଟ ବଜାରକୁ ଚାଲି କି କିମ୍ବା ସାଇକେଲରେ ବାହାରିକୁ ପରାମର୍ଶ ଦେଇଛି ଢେଙ୍କାନାଳ ଜିଲ୍ଲା ପ୍ରଶାସନ ।

ପୋଲିସର କଠୋରତା ଯୋଗୁଁ ଲୋକେ କରୋନା ଭାଇରସ୍ ବିଷୟରେ ସତର୍କ ହେବା ଆରମ୍ଭ କରିଛନ୍ତି ।
ବାଲେଶ୍ବରରେ ବି ଲକଡାଉନ୍ ପାଳନ କଡ଼ାକଡ଼ି କରିବାକୁ ସକାଳ ୬ଟାରୁ ଚେକିଂ ବ୍ଲକିଂ ଆରମ୍ଭ କରୁଛି ପୋଲିସ । ସହଦେବଖୁଣ୍ଟା ଥାନା ଅଧିକାରୀଙ୍କ ସମେତ ଟାଉନ ଡିଏସ୍ପି ଓ ଟ୍ରାଫିକ ଥାନା ଅଧିକାରୀ ପ୍ରମୁଖ ବିଭିନ୍ନ ସ୍ଥାନରେ ଚଢ଼ାଉ କରିଛନ୍ତି । ସାବାଡ଼ କରିବା ଅପେକ୍ଷା ଅନେକ ସ୍ଥାନରେ ଲୋକଙ୍କୁ ସେଚେତନ କରାଯାଇଛି । ମାଡ଼ ଅପେକ୍ଷା ଅଧିକାଂଶ ସ୍ଥାନରେ ନିୟମ ଖିଲାପକାରୀଙ୍କ ଠାରୁ ଫାଇନ୍ ଆଦାୟ କରାଯାଇଛି । ତେବେ ଆଗକୁ ଅମାନିଆ ଛାଡ଼୍ ପାଇବେନି । କଡ଼ାକଡ଼ି ଯାଞ୍ଚ ସହ ମାଡ଼ ମଧ୍ୟ ଦିଆଯିବ ବୋଲି ଚେତାଇ ଦେଇଛି ବାଲେଶ୍ବର ପୋଲିସ ।
ଭଦ୍ରକ ଜିଲ୍ଲାରେ ବାହାରେ ଗାଡ଼ି ଧରି ବୁଲୁଥିବା ଲୋକଙ୍କ ଠାରୁ ମୋଟା ଅଙ୍କର ଫାଇନ ଆଦାୟ କରୁଛି ପୋଲିସ । ଦୁଇ ଚକିଆ ଗାଡ଼ି ଚାଳକଙ୍କ ଠାରୁ ଦୁଇ ହଜାର ଓ ଚାରିଚକିଆ ଗାଡ଼ି ପାଇଁ ପାଞ୍ଚ ହଜାର ଟଙ୍କା ତଣ୍ଡ ଗଣିବାକୁ ପଡୁଛି । ଲକଡାଉନ ନିୟମ ଓ ସାମାଜିକ ଦୂରତ୍ୱ ବଜାୟ ନ ରଖିଲେ ଆଗକୁ ଆହୁରି କଠୋର ହେବ ବୋଲି ଚେତାଇ ଦେଇଛି ପୋଲିସ ।
Published by:Anand Shankar Thankur Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।