ବାତିଲ ହୋଇପାରେ +୨ର ବଳକା ପରୀକ୍ଷା; ସରିଥିବା ପରୀକ୍ଷାର ମାର୍କକୁ ନେଇ ଆସିପାରେ ଫଳ

ରାଜ୍ୟରେ ଯୁକ୍ତ ଦୁଇର ଛାତ୍ରଛାତ୍ରୀମାନଙ୍କ ଅସୁବିଧା ଦୂର କରିବା ପାଇଁ ବାକି ରହିଯାଇଥିବା ବିଷୟଗୁଡ଼ିକର ପରୀକ୍ଷା ବାତିଲ କରି ଫଳ ଘୋଷଣା କରିବା ଉପରେ ସରକାର ବିଚାର କରୁଛନ୍ତି ।

ବାତିଲ ହୋଇପାରେ +୨ର ବଳକା ପରୀକ୍ଷା; ସରିଥିବା ପରୀକ୍ଷାର ମାର୍କକୁ ନେଇ ଆସିପାରେ ଫଳ
(ପ୍ରତୀକାତ୍ମକ ଛବି)
  • News18 Odia
  • Last Updated: April 25, 2020, 4:55 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ବର୍ତ୍ତମାନର ଲକଡାଉନ୍‌ ସ୍ଥିତିକୁ ଆଖିରେ ରଖି ଯୁକ୍ତ ଦୁଇର ଅବଶିଷ୍ଟ ପରୀକ୍ଷା ବାତିଲ କରିବାକୁ ଗଣ ଶିକ୍ଷା ବିଭାଗ ଯୋଜନା କରୁଛି । ଚଳିତ ବର୍ଷ ମାର୍ଚ୍ଚ ୩ ତାରିଖରୁ ପରୀକ୍ଷା ଆରମ୍ଭ ହୋଇଥିବାବେଳେ ୨୧ ତାରିଖ ପର୍ଯ୍ୟନ୍ତ ପରୀକ୍ଷା କରାଯାଇଥିଲା । ୨୮ ତାରିଖ ପରୀକ୍ଷା ଶେଷ ହେବା ପୂର୍ବରୁ ୨୩ ତାରିଖରେ ବାତିଲ କରିଦିଆଯାଇଥିଲା । ଫଳରେ କଳା, ବାଣିଜ୍ୟ, ବିଜ୍ଞାନ ଓ ଧନ୍ଦାମୂଳକ ବିଷୟର ପାଞ୍ଚଟି ପରୀକ୍ଷା ବାକି ରହିଯାଇଛି । ବିଜ୍ଞାନ ବିଭାଗର ବାୟୋଲୋଜି, ଭୂଗୋଳ, କଳା ବିଭାଗର ଅର୍ଥନୀତି ଓ ତର୍କଶାସ୍ତ୍ର ବାକି ରହିଛି ।

କମର୍ସରେ ବିଜନେସ ଇକୋନିମିକ୍ସ ଓ ଇନ୍ସୁରାନ୍ସ ପରୀକ୍ଷା ସ୍ଥଗିତ ରହିଥିବା ବେଳେ ଧନ୍ଦାମୂଳକ ବିଷୟରେ ବି କିଛି ବିଷୟ ବାକି ରହିଛି । ତେବେ ପରୀକ୍ଷା କରିବା ପାଇଁ ବହୁ ବିଳମ୍ବ ହେଉଥିବା ବେଳେ ଏବେ ଖାତା ମୂଲ୍ୟାୟନ କିଭଳି ହେବ ତା’ ଉପରେ ନଜର ରହିଛି । ଏଣୁ ଏ ନେଇ ଖୁବ ଶୀଘ୍ର ଏକ ସ୍ଵତନ୍ତ୍ର ବୈଠକ ବିଭାଗ ପକ୍ଷରୁ ବସିବ ଓ ଏ ବାବଦରେ ନିଷ୍ପତ୍ତି ନିଆଯିବ ।

‘‘ଅଳ୍ପ କିଛି ପରୀକ୍ଷା ହୋଇ ନ ଥିବା ବେଳେ ସେଗୁଡ଼ିକ ବାତିଲ କରାଗଲେ ବିଶେଷ ଫରକ ପଡିବ ନାହିଁ । ଏଣୁ ଏ ନେଇ ବିଭାଗ ଚିନ୍ତା କରୁଛି,’’ କହିଛନ୍ତି ଗଣ ଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ । ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ସମସ୍ତ ସ୍ଥିତି ପାଇଁ ପ୍ରସ୍ତୁତ ଅଛି । ‘‘ପରୀକ୍ଷା ଆୟୋଜନ କରିବା ଆମେ ପାଇଁ ପ୍ରସ୍ତୁତ ରହିଥିବା ବେଳେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ କାମ କରିବୁ,’’ କହିଛନ୍ତି ପରୀକ୍ଷା ନିୟନ୍ତ୍ରକ ବିଜୟ କୁମାର ସାହୁ ।

ତେବେ ୨୧ ତାରିଖ ପର୍ଯ୍ୟନ୍ତ ମୁଖ୍ୟ ବିଷୟ ଗୁଡିକର ପରୀକ୍ଷା ଶେଷ ହୋଇଯାଇଛି । ଅଳ୍ପ କିଛି ବିଷୟ ବାକି ଥିବାରୁ ଅନ୍ୟ ପରୀକ୍ଷାର ନମ୍ବରକୁ ନେଇ ଆଗ୍ରିଗେଟ ନମ୍ବର ମିଳି ପାରିବ ଛାତ୍ରଛାତ୍ରୀମାନଙ୍କୁ । ସେଇ ଆଧାରରେ ମୋଟ ନମ୍ବର ଓ ଗ୍ରେଡ ଧାର୍ଯ୍ୟ ହୋଇପାରେ । ଏଣୁ ଏଥିରେ କୌଣସି ଅସୁବିଧା ହେବ ନାହିଁ ବୋଲି କାଉନସିଲର ଜଣେ ପୂର୍ବତନ ଅଧ୍ୟକ୍ଷ କହିଛନ୍ତି ।

‘‘ଛାତ୍ରଛାତ୍ରୀଙ୍କ ବୃହତ ସ୍ୱାର୍ଥ ଦୃଷ୍ଟିରୁ ଯଦି ଏଭଳି ନିଷ୍ପତ୍ତି ନିଆଯାଏ ତେବେ ଛାତ୍ରଛାତ୍ରୀ ବ୍ୟସ୍ତ ହେବାର ଆବଶ୍ୟକତା ନାହଁ । ନମ୍ବର କମିବା ବା ଉଚ୍ଚ ଶିକ୍ଷା ରେ ନାମ ଲେଖାଇବାରେ କୌଣସି ଅସୁବିଧା ହେବ ନାହିଁ,’’ କହିଛନ୍ତି କାଉନସିଲର ପୂର୍ବତନ ଅଧ୍ୟକ୍ଷ ବାସୁଦେବ ଛାଟୋଇ ।

ଲକଡାଉନ ଉଠିବା ପରେ ଉଭୟ ଦଶମ ଓ ଯୁକ୍ତ ଦୁଇ ଖାତା ଦେଖା ଶେଷ କରି କିଭଳି ସଠିକ ସମୟରେ ଫଳ ପ୍ରକାଶ କରାଯିବ ତାହା ବର୍ତ୍ତମାନ ଗୁରୁତ୍ୱ ବହନ କରୁଛି ।
First published: April 25, 2020, 4:55 PM IST
corona virus btn
corona virus btn
Loading