ଏବେ ଜରୁରୀ କାମରେ ରାଜ୍ୟ ବାହାରକୁ ଆପଣ ଯାଇ ପାରିବେ; ଆରମ୍ଭ ହେଲା ଇ-ପାସ୍ ବ୍ୟବସ୍ଥା

ଆବେଦନକାରୀଙ୍କୁ ସରକାରଙ୍କ ୱେବସାଇଟରେ ଲଗ୍ ଇନ୍ କରି ଆବେଦନ ଦେବାକୁ ହେବ । ମୋବାଇଲ ଫୋନ୍ ଓ ଇମେଲରେ ମିଳିଯିବ ପାସ୍ । ଯାତ୍ରା ସମୟରେ ଏହି ପାସକୁ ଡାଉନଲୋଡ଼ କରି ସାଙ୍ଗରେ ନେବାକୁ ହେବ ।

ଏବେ ଜରୁରୀ କାମରେ ରାଜ୍ୟ ବାହାରକୁ ଆପଣ ଯାଇ ପାରିବେ; ଆରମ୍ଭ ହେଲା ଇ-ପାସ୍ ବ୍ୟବସ୍ଥା
ଏହି ଇ-ପାସ -କେବଳ ଜରୁରୀ କାମରେ ବାହାର ରାଜ୍ୟକୁ ଯିବା ଆସିବା ଲାଗି ଉଦ୍ଦିଷ୍ଟ ।
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ଲକଡାଉନ-୩ ସମୟରେ ଜରୁରୀ କାମରେ ରାଜ୍ୟ ବାହାରକୁ ଯିବାକୁ ହେଲେ ଆଉ ଚିନ୍ତା କରିବାର ନାହିଁ । ଏଥି ପାଇଁ ରାଜ୍ୟରେ ଆରମ୍ଭ ହୋଇଛି ଇ-ପାସ୍‌ ବ୍ୟବସ୍ଥା । ଅନଲାଇନରେ ନିଜର ଜରୁରୀ ଆବଶ୍ୟକତା ସମ୍ପର୍କିତ ତଥ୍ୟ ପ୍ରଦାନ କଲେ ତୁରନ୍ତ ମୋବାଇଲରେ ବା ଇ-ମେଲରେ ମିଳିଯାଉଛି ଇ-ପାସ । ରାଜ୍ୟ ସରକାରଙ୍କ ଏଭଳି ଉଦ୍ୟମକୁ ଜନ ସମର୍ଥନ ମିଳିଥିବା ବେଳେ ରାଜ୍ୟ ଭିତରେ ମଧ୍ୟ ଏଭଳି ଅନଲାଇନରେ ତ୍ଵରିତ ପାସ ବ୍ୟବସ୍ଥା ଆରମ୍ଭ ସପକ୍ଷରେ ମତ ପ୍ରକାଶ ପାଇଛି ।

ଭୁବନେଶ୍ୱର ପଳାଶପଲ୍ଲୀ ଅଞ୍ଚଳ ବାସିନ୍ଦା ଓ ବ୍ୟବସାୟୀ ପ୍ରଭାସ କୁମାର ଚୌଧୁରୀ ଦିଲ୍ଲୀରେ ଥିବା ତାଙ୍କ ଝିଅ ଓ ନାତୁଣୀଙ୍କୁ ଘରକୁ ଆଣିବାକୁ ବ୍ୟାକୁଳ । ହେଲେ ବାଧକ ସାଜିଥିଲା ଲକଡାଉନ । ବିମାନ ସେବା ଓ ରେଳ ସେବା ଠାରୁ ଆରମ୍ଭ କରି ବସ ସେବା ପର୍ଯ୍ୟନ୍ତ ସବୁ ବନ୍ଦ । ଘରୋଇ ଯାନ ବି କଟକଣା ମୁକ୍ତ ନୁହେଁ । ତେଣୁ ପ୍ରାୟ ଦେଢ଼ମାସେ ହେଲା ସେ ହାତବାନ୍ଧି ବସିଥିଲେ। ଏବେ ଝିଅ ଓ ନାତୁଣୀକୁ ଭୁବନେଶ୍ୱର ଆଣିବା ସମ୍ଭାବନା ତାଙ୍କ ଲାଗି ଉଜ୍ୱଳ ହୋଇଛି କାରଣ ରାଜ୍ୟ ସରକାରଙ୍କ ପକ୍ଷରୁ ରାଜ୍ୟରେ ଆରମ୍ଭ ହୋଇଛି ଅନ ଲାଇନ ଇ-ପାସ ବ୍ୟବସ୍ଥା।

‘‘ଜରୁରୀ କାମରେ ରାଜ୍ୟ ବାହାରକୁ ଯିବାକୁ ଏହି ପାସ ସ୍ଵତନ୍ତ୍ର ଭାବେ ଜାରି କରାଯାଉଛି । କେବଳ ଅନଲାଇନରେ ନିଜର ଜରୁରୀ ଆବଶ୍ୟକତା ସମ୍ପର୍କିତ ତଥ୍ୟ ପ୍ରଦାନ କଲେ ତୁରନ୍ତ ମୋବାଇଲରେ ବା ଇ-ମେଲରେ ମିଳିଯାଉଛି ଇ-ପାସ । ଏହାକୁ ଡାଉନଲୋଡ଼ କରି ଯେ କେହି ରାଜ୍ୟ ବାହାରକୁ ଯାଇ ପାରିବେ । ଏବେ ମୁଁ ଖୁସି ଯେ, ପାସ ଆବେଦନ ପରେ ନିଜ କାରରେ ଦିଲ୍ଲୀ ଯାଇ ଝିଅ ଓ ନାତୁଣୀକୁ ଭୁବନେଶ୍ବର ଆଣିପାରିବି । ଏଥି ପାଇଁ ରାଜ୍ୟ ସରକାରଙ୍କୁ ଧନ୍ୟବାଦ,’’ କହିଛନ୍ତି ଅନଲାଇନରେ ଇ-ପାସ ପାଇଁ ଆବେଦନ କରିଥିବା ପ୍ରଭାସ ଚୌଧୁରୀ।

ରାଜ୍ୟ ସରକାରଙ୍କ ପକ୍ଷରୁ ଲକଡାଉନ-୩  ସମୟରେ ଆରମ୍ଭ ହୋଇଥିବା ଇ-ପାସ ବ୍ୟବସ୍ଥାକୁ ନେଇ ଅନେକ ଲୋକ ଖୁସି । ରାଜ୍ୟ ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଥିବା ଏହି ଇ-ପାସ -କେବଳ ଜରୁରୀ କାମରେ ବାହାର ରାଜ୍ୟକୁ ଯିବା ଆସିବା ଲାଗି ଉଦ୍ଦିଷ୍ଟ । ଏଥି ପାଇଁ ଆବେଦନକାରୀଙ୍କୁ https://covid19.odisha.gov.in ରେ ଲଗ ଇନ କରି ଆବେଦନ କରିବାକୁ ହେବ । ଆବେଦନ ସମୟରେ ପଚରାଯାଇଥିବା ସବୁ ତଥ୍ୟ ଓ ଯିବାର କାରଣ ଦେବାକୁ ହେବ । ଆବେଦନରେ ଉପଯୋଗୀ ତଥ୍ୟ ପ୍ରଦାନ କରାଯାଇଥିଲେ ଆବେଦନ ଗ୍ରହଣ ହେବା ସହିତ ମୋବାଇଲ ଓ ଇ ମେଲରେ ମିଳିଯିବ ପାସ । ଯିବା ସମୟରେ ଏହି ପାସକୁ ଡାଉନଲୋଡ଼ କରି ସାଙ୍ଗରେ ନେବାକୁ ହେବ ।

‘‘ଏହା ରାଜ୍ୟ ସରକାରଙ୍କ ସମୟପଯୋଗୀ ପଦକ୍ଷେପ । କୋଭିଡ-୧୯ ମୁକାବିଲାରେ ଅନେକ ଉଦାହରଣମୂଳକ କାର୍ଯ୍ୟକ୍ରମ ହାତକୁ ନେଇ ରାଜ୍ୟ ସରକାର ଉଚ୍ଚ ପ୍ରଶଂସିତ ହୋଇଥିବା ବେଳେ ଏହା ମଧ୍ୟ ଏକ ଅଭିନବ ଉଦ୍ୟମ । ଲମ୍ବା ସମୟ ହେଲା ଅନେକ ଲୋକ କେବଳ ଲକଡାଉନ କାରଣରୁ ଜରୁରୀ କାମ ଥିଲେ ବି ବାହାରକୁ ବାହାରି ପାରୁ ନାହାଁନ୍ତି। ତେଣୁ ଏହା ରାଜ୍ୟ ସରକାରଙ୍କ ଏହା ଏକ ସଠିକ ପଦକ୍ଷେପ,’’ କହିଛନ୍ତି ଭୁବନେଶ୍ୱର ନୟାପଲ୍ଲୀ ଅଞ୍ଚଳ ବାସିନ୍ଦା ଇଂଜିନିୟରି ପ୍ରଦୀପ୍ତ କୁମାର ମହାପାତ୍ର ।

ଭୁବନେଶ୍ୱର ଆଇଟି ବ୍ୟବସାୟୀ ସଙ୍ଘ ଏହି ଉଦ୍ୟମକୁ ସାଧୁବାଦ ଦେବା ସହିତ ରାଜ୍ୟ ଭିତରେ ଜରୁରୀକାଳୀନ ଗମନାଗମନ ପାଇଁ ଅନୁରୂପ ବ୍ୟବସ୍ଥା ଆରମ୍ଭ କରିବାକୁ ମତ ରଖିଛି । ଭୁବନେଶ୍ୱର ଆଇଟି ବ୍ୟବସାୟୀ ଆସୋସିଏସନର ସଭାପତି ଦେବାଶିଷ ତ୍ରିପାଠୀ କହିଛନ୍ତି: ‘‘ରାଜ୍ୟ ଭିତରେ ମଧ୍ୟ ରାଜ୍ୟ ସରକାର ଏଭଳି ପାସ ବ୍ୟବସ୍ଥା ଆରମ୍ଭ କରିବା ଦରକାର, ଯାହା ଅଧିକ ଉପଯୋଗୀ ହୋଇ ପାରିବ ।’’

ଏହି ପାସ ବ୍ୟବସ୍ଥା ସପକ୍ଷରେ ଅନେକ ମତ ରଖିଥିବା ବେଳେ ଏହି ବ୍ୟବସ୍ଥାରେ କିଛି ସରକାରୀ ଅଧିକାରୀଙ୍କ ମନମାନିକୁ ପ୍ରଶୟ ଦିଆ ନ ଯିବା ଉପରେ ସରକାର ଗୁରୁତ୍ୱ ଦିଅନ୍ତୁ ବୋଲି ଅନେକ ଲୋକ କହିଛନ୍ତି ।
First published: May 8, 2020, 9:44 PM IST
corona virus btn
corona virus btn
Loading