କରୋନା: ‘‘ରାଜ୍ୟ ସରକାର ବିରୋଧୀଙ୍କୁ ଜେଲ୍ ପଠାଇବାକୁ ମହାମାରୀ ଆଇନରେ ସଂଶୋଧନ କଲେ’’

ବିଧାନ ସଭାରେ ପାରିତ ହୋଇଥିବା ଏହି ବିଲରେ କୋଭିଡ ନିୟମ ଉଲ୍ଲଙ୍ଘନ କରୁଥିବା ଲୋକଙ୍କ ପାଇଁ ୧ ଲକ୍ଷ ଟଙ୍କା ଯାଏଁ ଜୋରିମାନା ଓ ଦୁଇ ବର୍ଷ ପର୍ଯ୍ୟନ୍ତ ଜେଲ୍ ବ୍ୟବସ୍ଥା ରହିଛି । ଏହାକୁ ନେଇ ସରକାରଙ୍କୁ ଟାର୍ଗେଟ କରୁଛନ୍ତି ବିଜେପି ଓ କଂଗ୍ରେସ ।

କରୋନା: ‘‘ରାଜ୍ୟ ସରକାର ବିରୋଧୀଙ୍କୁ ଜେଲ୍ ପଠାଇବାକୁ ମହାମାରୀ ଆଇନରେ ସଂଶୋଧନ କଲେ’’
ଓଡ଼ିଶା ବିଧାନ ସଭାର ମୌସୁମୀ ଅଧିବେଶନ ସମୟର ଏକ ଦୃଶ୍ୟ
  • News18 Odia
  • Last Updated: October 1, 2020, 11:59 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ କୋଭିଡ ପରିଚାଳନା ଉପରେ ବିଧାନ ସଭାର ମୌସୁମୀ ଅଧିବେଶନରେ ଶାସକ ଦଳ ଓ ବିରୋଧୀ ଦଳମାନଙ୍କ ମଧ୍ୟରେ ଘମାଘୋଟ ଆରୋପ-ପ୍ରତ୍ୟାରୋପ ମଧ୍ୟରେ ପାରିତ ହୋଇଥିବା ମହାମାରୀ ରୋଗ (ଓଡ଼ିଶା ସଂଶୋଧନ) ବିଲ୍‌ ୨୦୨୦କୁ ନେଇ ବିରୋଧୀ ଦଳମାନଙ୍କ ମଧ୍ୟରେ ଆକ୍ରୋଶ ତେଜିଛି ।

ବିରୋଧୀ ଦଳ ସଦସ୍ୟମାନଙ୍କ ଭୀଷଣ ବିରୋଧ ସତ୍ତ୍ୱେ ଏହି ବିଲ୍‌ ବୁଧବାର ଦିନ ପାରିତ ହେଲା । ଏହି ବିଲରେ କୋଭିଡ ନିୟମ ଉଲ୍ଲଙ୍ଘନ କଲେ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜୋରିମାନା ଓ ଦୁଇ ବର୍ଷ ପର୍ଯ୍ୟନ୍ତ ଜେଲ ବ୍ୟବସ୍ଥା ରହିଛି । ତେବେ ପୁରୁଣା ବିଲରେ ଥିବ ୧୦,୦୦୦ ଟଙ୍କାର ଜୋରିମାନାକୁ ବଢ଼ାଇ ୧ ଲକ୍ଷ କରିବା ଓ ଜେଲ୍‌ ଦଣ୍ଡର ପ୍ରାବଧାନ ଆଣିବାକୁ ନେଇ ସରକାରଙ୍କୁ ଟାର୍ଗେଟ କରିଛନ୍ତି ବିଜେପି ଓ କଂଗ୍ରେସ ।

ବିଲ ପାରିତ ହେବା ପରେ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ଏହି ବିଲ୍‌ ଉପରେ ବର୍ଷିଥିଲେ । ‘‘ଏହା ଏକ କଳା ବିଲ୍‌ । ଏହି ବିଲ୍‌ ଆଣିବାର ଏକ ମାତ୍ର ଉଦ୍ଦେଶ୍ୟ ହେଉଛି ବିରୋଧୀ ଦଳର ବିଧାୟକମାନଙ୍କୁ ଜେଲରେ ପୂରାଇବା । କୋଭିଡ ପରିଚାଳନା ଉପରେ ସରକାରଙ୍କ ଦୋଷଗୁଣ ଦେଖାଉଥିବା ରାଜନୈତିକ ଲୋକଙ୍କୁ ଜେଲରେ ଭର୍ତ୍ତି କରିବାର ଏହା ଏକ ସୁଚିନ୍ତିତ ଯୋଜନା । ସାଧାରଣ ଲୋକଙ୍କ ଉପରେ ୧ ଲକ୍ଷ ଟଙ୍କା ଯାଏଁ ଫାଇନ ପକାଇବା ନିହାତି ଅଯୌକ୍ତିକ କଥା,’’ କହିଥିଲୋ ବାହିନୀପତି ।

କଂଗ୍ରେସର ତାରା ପ୍ରସାଦ ବାହିନୀପତି ଓ (ଡାହାଣ) ବିଜେପିର ଜୟ ନାରାୟଣ ମିଶ୍ର


‘‘ପୂର୍ବରୁ ଯେଉଁ ଆଇନ ଥିଲା ତାହା ଯଥେଷ୍ଟ ଥିଲା । ପୋଲିସ ଠିକ୍‌ ବାବେ କାମ କରିଥିଲେ ଅସୁବିଧା ହୋଇ ନ ଥାନ୍ତା । ବିରୋଧୀଙ୍କୁ ଆୟତ୍ତ କରିବାକୁ ସରକାର ଏହି ବିଲ୍‌ ଆଣିଛନ୍ତି । ବିରୋଧୀ ଦଳମାନଙ୍କ କର୍ମକର୍ତ୍ତାଙ୍କ ଉପରେ ଅତ୍ୟାଚାର କରିବାକୁ ଏବେ ଉଦ୍ୟମ ହେବ । ସରକାର କରୋନା ମହାମାରୀକୁ ନିୟନ୍ତ୍ରଣ କରିବାରେ ବିଫଳ ହୋଇଛନ୍ତି । ଏହି ବିଲ ପାସ୍‌ କରି ବିରୋଧୀଙ୍କୁ ଦୁଇ ବର୍ଷ ସଜା ଦେଇ ଦଣ୍ଡିତ କରିବାକୁ ପ୍ରୟାସ ହେବ । ଦୁଇ ବର୍ଷ ଜେଲରେ ରହିବା ଭୟରେ କେହି ସରକାରଙ୍କ ବିରୋଦରେ ଆନ୍ଦୋଳନ କରି କରିବେନି । ଏହା ହିଁ ଏହି ବିଲର ମୂଳ ଲକ୍ଷ,’’ କହିଛନ୍ତି ବରିଷ୍ଠ ବିଜେପି ବିଧାୟକ ଜୟ ନାରାୟଣ ମିଶ୍ର ।

ବିଲ୍‌ ଉପରେ ଆଲୋଚନା ଆରମ୍ଭ କରି ବିଜେଡି ସଦସ୍ୟ ଭୂପିନ୍ଦର ସିଂ ସବୁ ବିଧାୟକଙ୍କୁ ରାଜନୀତିରୁ ଉର୍ଦ୍ଧ୍ୱରେ ରହି କରୋନା ମହାମାରୀର ମୁକାବିଲାରେ ସରକାରଙ୍କୁ ସହଯୋଗ କରିବା ପାଇଁ ଅନୁରୋଧ କରିଥିଲେ ହେଁ ବିରୋଧୀ ଦଳର ସଦସ୍ୟମାନେ ଏହି ବିଲର ଯଥାର୍ଥତା ଉପରେ ତୀବ୍ର ଅସମ୍ମତି ପ୍ରକାଶ କରିଥିଲେ ।

ରାଜ୍ୟରେ ଥିବା କୋଭିଡ ହସ୍ପିଟାଲରେ ବେଡ଼ ନ ଥିବା, ରୋଗୀଙ୍କୁ ଉପଯୁକ୍ତ ଚିକିତ୍ସା ମିଳୁ ନ ଥିବା ଓ ରାଜ୍ୟରେ ସାଧାରଣ ସ୍ୱାସ୍ଥ୍ୟ ସେବା ବିପର୍ଯ୍ୟସ୍ତ ହୋଇପଡ଼ିବା ଯୋଗୁଁ ଅଣକୋଭିଡ ରୋଗୀ ହନ୍ତସନ୍ତ ହେଉଥିବା ଭଳି ଅଭିଯୋଗ ଆଣି ଗୃହରେ ନିଜ ସ୍ୱରକୁ ଶାଣିତ କରିଥିଲେ ବିରୋଧୀ ଦଳର ସଦସ୍ୟମାନେ । ରାଜ୍ୟରେ କରୋନା ମହାମାରୀର ଉଗ୍ର ରୂପ ବିଧାନ ସଭାରେ ୧,୦୩୭ ଟେଷ୍ଟରୁ ୧୮୪ ଜଣ ପଜିଟିଭ ଆସିଥିବାରୁ ସ୍ପଷ୍ଟ ହେଉଛି ବୋଲି ସେମାନେ କହିଥିଲେ ।

ଏହା ବି ପଢ଼ନ୍ତୁ | ହାଥରସକୁ ପଦଯାତ୍ରା ବେଳେ ରାହୁଳ ଗାନ୍ଧି ତଳେ ପଡ଼ିଗଲେ, କହିଲେ ପୋଲିସ ଠେଲି ଦେଲା

ଏହା ବି ପଢ଼ନ୍ତୁ | ହାଥରସ ପରେ UPରେ ପୁଣି ଏକ ନାବାଳିକାର ରେପ୍ ପରେ ହତ୍ୟା ହେଲା; ମଥାକୁ ପଥରରେ ଛେଚିଲେ

ଅନେକ ଅବ୍ୟବସ୍ଥା ସହ ସବୁ ତଥ୍ୟ ସାମ୍ନାରେ ଥିଲେ ବି ମୃତ୍ୟୁ ଓ ସଂକ୍ରମିତଙ୍କ ତଥ୍ୟ ସରକାର ଲୁଚାଉଛନ୍ତି ବୋଲି କହିଥିଲେ କଂଗ୍ରେସ ଓ ବିଜେପିର ସଦସ୍ୟମାନେ । ହେଲେ ସରକାର ଏ ସବୁ ଅଭିଯୋଗକୁ ଭିତ୍ତିହୀନ ବୋଲି କହି ଆଡ଼େଇଯିବାର ପ୍ରୟାସ କରିଥିଲେ ।



‘‘ସରକାରଙ୍କ ଉପଯୁକ୍ତ ପରିଚାଳନା ଯୋଗୁଁ ଅନ୍ୟ ରାଜ୍ୟ ତୁଳନାରେ ଭଲ ସ୍ଥିତିରେ ଅଛି ଓଡ଼ିଶା । ମୃତ୍ୟୁ ହାର ଦେଶରେ ୧.୬୦ ପ୍ରତିଶତ ଥିବା ବେଳେ ଓଡ଼ିଶାରେ ଏହା ୦.୩୮ ରହିଛି । ଲକଡାଉନ ଯୋଗୁଁ ସଂକ୍ରମଣ ନିୟନ୍ତ୍ରଣରେ ଥିବା ବେଳେ ପ୍ରବାସୀ ଫେରିବା ପରେ ଏହା ବଢ଼ିଥିଲା… କୋଭିଡ କିଟ ଦୁର୍ନୀତି ଅଭିଯୋଗ ବିଚାରାଧୀନ ରହିଛି । ଯିଏ ଦୋଷୀ ହେବେ ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ହେବ,’’ କହିଥିଲେ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସ ।
Published by: Anand Shankar Thankur Das
First published: October 1, 2020, 11:59 PM IST
corona virus btn
corona virus btn
Loading